ଭାରତରେ ଥିବା ଏହି ଜିଲ୍ଲା ଅଗଷ୍ଟ ୧୫ରେ ନୁହେଁ ୧୮ରେ ପାଳନ କରିଥାଏ ସ୍ୱାଧୀନତା ଦିବସ, ଏହା ହେଉଛି କାରଣ

ନୂଆଦିଲ୍ଲୀ : ଗତକାଲି ସାରା ଦେଶରେ ଲୋକେ ସ୍ୱାଧୀନତା ଦିବସକୁ ପାଳନ କରିଥିଲେ । ସ୍ୱାଧୀନତାକୁ ୭୩ବର୍ଷ ପୂର୍ତ୍ତି ହେବା ଅବସରରେ ଦେଶର ବିଭିନ୍ନ କୋଣରେ ଲୋକେ ଏହାକୁ ଖୁବ୍‌ ଧୁମ୍‌ ଧାମ୍‌ରେ ପାଳନ କରିଥିଲେ । ତେବେ ଭାରତରେ ଏମିତି ଏକ ଜିଲ୍ଲା ରହିଛି, ଯିଏ ଆସନ୍ତା ଅଗଷ୍ଟ ୧୮ ତାରିଖରେ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ପଶ୍ଚିମବଙ୍ଗରେ ଥିବା ନାଦିଆ ଜିଲ୍ଲାରେ ପ୍ରତି ବର୍ଷ ଲୋକେ ଅଗଷ୍ଟ ୧୫ ନୁହେଁ ଅଗଷ୍ଟ ୧୮ରେ ସ୍ୱାଧୀନତା ଦିବସ ପାଳନ କରିଥାନ୍ତି । ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ……

ସୂଚନା ମୁତାବକ, ଅଗଷ୍ଟ ୧୨, ୧୯୪୭ରେ ଅଲ ଇଣ୍ଡିଆ ରେଡିଓରେ ଭାରତ ସ୍ୱାଧୀନ ହେଲା ବୋଲି ଖବର ଆସିଲା । ଏହା ସହ ଦେଶ ଭାଗ ଭାଗ ହୋଇ ଯାଇଥିବା ନେଇ ମଧ୍ୟ ଲୋକେ ଜାଣିବାକୁ ପାଇଲେ । ପଶ୍ଚିମବଙ୍ଗରେ ଥିବା ନାଦିଆ ଜିଲ୍ଲାର କିଛି ଭାଗ ପାକିସ୍ତାନରେ ସାମିଲ ହୋଇ ଯାଇଥିବା ନେଇ ଖବର ମିଳିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଯାହା ପରେ ଏ ନେଇ ବିଦ୍ରୋହ ଆରମ୍ଭ ହୋଇଥିଲା । କିନ୍ତୁ ଏଭଳି ନିଷ୍ପତ୍ତିରେ ନାଦିଆ ଜିଲ୍ଲାରେ ରହୁଥିବା ମୁସ୍‌ଲମାନମାନେ ଖୁସି ଥିଲେ । ନାଦିଆ ଜିଲ୍ଲାର କୃଷ୍ଣନଗର ସଦର, ମେହରପୁର, କୁଷ୍ଠୀଆ, ଚୁଆଡ଼ାଙ୍ଗା ଓ ରାଣାଘାଟକୁ ପାକିସ୍ତାନରେ ସାମିଲ କରାଯାଇଥିବା ଜାଣି ମୁସ୍‌ଲମାନମାନେ କୃଷ୍ଣାନଗର ପବ୍ଲିକ୍‌ ଲାଇବ୍ରେରୀରେ ପାକିସ୍ତାନର ଜାତୀୟ ପତାକା ଉଡ଼ାଇଥିଲେ । ଏ ସବୁ ଦେଖି ହିନ୍ଦୁ ଧର୍ମର ଲୋକମାନେ ଆନ୍ଦୋଳନ କରିବା ଆରମ୍ଭ କରି ଦେଇଥିଲେ । ପରିସ୍ଥିତି ଅସମ୍ଭାଳ ହେବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିଥିଲା ।

Image result for independence-day
NDTV.com

ଭାରତ ଓ ପାକିସ୍ତାନର ନକ୍ସା ତିଆରି କରିଥିବା ବ୍ରିଟିଶ ଅଫିସର ରେଡ୍‌କ୍ଲିଫ୍‌ଙ୍କ ଦ୍ୱାରା ଏଭଳି ଭୁଲ ହୋଇଥିଲା । ସେ ଭୁଲରେ ନାଦିଆର କୃଷ୍ଣନଗର ସଦର, ମେହରପୁର, କୁଷ୍ଠୀଆ, ଚୁଆଡ଼ାଙ୍ଗା ଓ ରାଣାଘାଟକୁ ପାକିସ୍ତାନରେ ସାମିଲ କରି ଦେଇଥିଲେ । ଲୋକଙ୍କ ଆନ୍ଦୋଳନ ଓ ବଢ଼ୁଥିବା ହିଂସା ଦେଖି ତୁରନ୍ତ ରେଡ୍‌କ୍ଲିଫ୍‌ଙ୍କୁ ନିଜ ଭୁଲରେ ସୁଧାର ଆଣିବାକୁ କୁହାଯାଇଥିଲା । କିଛି ଦିନ ପରେ ଅଗଷ୍ଟ ୧୭ର ମଧ୍ୟରାତ୍ରିରେ ନାଦିଆ ଜିଲ୍ଲାର କୃଷ୍ଣନଗର ସଦର, ମେହରପୁର, କୁଷ୍ଠୀଆ, ଚୁଆଡ଼ାଙ୍ଗା ଓ ରାଣାଘାଟକୁ ଭାରତରେ ସାମିଲ କରାଯାଇଥିଲା । ଯାହା ପରେ ଅଗଷ୍ଟ ୧୮ ତାରିଖରେ କୃଷ୍ଣାନଗର ପବ୍ଲିକ୍‌ ଲାଇବ୍ରେରୀରୁ ପାକିସ୍ତାନ ପତାକା ହଟାଯାଇ ଭାରତର ଜାତୀୟ ପତାକା ଲଗା ଯାଇଥିଲା । ସେହି ଦିନଠାରୁ ନାଦିଆର ଲୋକେ ଅଗଷ୍ଟ ୧୮କୁ ସ୍ୱାଧୀନତା ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୯୧ରେ ନାଦିଆବାସୀଙ୍କୁ ଅଗଷ୍ଟ ୧୮କୁ ସ୍ୱାଧୀନତା ଦିବସ ଭାବେ ପାଳନ କରିବାର ଅନୁମତି ମିଳିଥିଲା ।

ସମ୍ବନ୍ଧିତ ଖବର