କାହିଁକି ଅଚାନକ ହେଲା ପୁଲିସ ଡିଜିଙ୍କର ବଦଳି? ଏ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ରାଜଧାନୀର ପ୍ରତିଷ୍ଠିତ ମଲ୍

ଭୁବନେଶ୍ବର: ଗତକାଲି ସନ୍ଧ୍ୟା ପରଠାରୁ ରାଜ୍ୟ ରାଜଧାନୀର ପାୱାର କରିଡ଼ରରେ ହଲଚଲ ଖେଳିଗଲା । ପୁଲିସ୍ ବାହିନୀର ସର୍ବୋଚ୍ଚସ୍ତରରେ ଏତେ ଅଚାନକ୍ ଡିଜି ବଦଳିର ଖବର ଆସିଲା, ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଜଣାପଡ଼ିଲା, ପୁଲିସ୍ ଡିଜି ବିଜୟ କୁମାର ଶର୍ମାଙ୍କୁ ସରକାର ପଦରୁ ହଟାଇଦେଇଛନ୍ତି । ତେବେ କାହିଁକି ହଠାତ୍ ଏଭଳି ଘଟଣା ଘଟିଲା । ଦୁଇ ଦିନ ପୂର୍ବରୁ ଏମିତି କିଛି ଆଭାସ ମିଳୁଥିଲା । ଅଗ୍ନିଶମ ନିରାପତ୍ତା ପ୍ରମାଣପତ୍ର ଦେବା ନେଇ ଡିଜିଙ୍କ କାର୍ଯ୍ୟାଳୟ ସନ୍ଦେହ ଘେରକୁ ଆସିଗଲା ।

ଭୁବନେଶ୍ୱର କଳ୍ପନା ଛକ ନିକଟରେ ଥିବା ଉତ୍କଳ କନିକା ଗାଲେରିଆ ମଲ୍ । ରାଜଧାନୀ ଛାତି ଉପରେ ନୂଆ କରି ଠିଆ ହୋଇଥିବା ଏହି ମଲ୍, ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯଦିଓ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି, ତେବେ ଆଲୋଚନା ହେଉଛି, ଅପ୍ରତ୍ୟାଶିତ ଭାବେ ରାତାରାତି ପୋଲିସ ଡିଜି ବଦଳିବା କାହାଣୀ ସହ ଯୋଡି ହୋଇ ରହିଛି ଏହି ମଲ୍ । କୁହାଯାଉଛି ଏହି ମଲକୁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ଦେବା ପାଇଁ ସମସ୍ତ ସର୍ତ ପୂରଣ ହୋଇଥିଲା । କିନ୍ତୁ ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ମିଳୁନଥିଲା । ଅଭିଯୋଗ ଅନୁସାରେ ଡିଜି ପୋଲିସ ତଥା ଅଗ୍ନିଶମ ଡିଜି ବିକେ ଶର୍ମାଙ୍କ ନିକଟରେ ଅଟକି ରହିଥିଲା ଫାଇଲ୍ ।

ଏହି ଘଟଣା ପରେ ଡିଜିଙ୍କ ଅଫିସ ସନ୍ଦେହ ଘେରକୁ ଆସିଥିଲା ବୋଲି ଅଭିଯୋଗ ଉଠିଥିଲା । ଗତ ଅଗଷ୍ଟ ମାସ ୭ ତାରିଖରେ ଅଗ୍ନିଶମ ଅଧିକାରୀ ଦେଇଥିବା ରିପୋର୍ଟରେ ଥିବା ଆବଶ୍ୟକୀୟ ୪୯ଟି ଶ୍ରେଣୀରେ କୌଣସି ପ୍ରକାର ବିଚ୍ୟୁତି କିମ୍ବା ଅନିୟମିତତା ନଥିବା ଦର୍ଶାଯାଇଥିଲା । ଅଗ୍ନି ସୁରକ୍ଷା ଯାଞ୍ଚ ରିପୋର୍ଟରେ ସୁପାରିଶ କରାଯାଇଥିଲା, ମଲର ତଳ ବେସମେଂଟ, ଉପର ବେସମେଂଟ, ତଳ ମହଲା, ତୃତୀୟ ମହଲାକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଦିଆଯାଉ । ଏଥିରେ ଷ୍ଟେସନ୍ ଫାୟାର ଅଫିସର, ଆସିଷ୍ଟାଂଟ ଫାୟାର ଅଫିସର ଏବଂ ଭୁବନେଶ୍ୱର ସର୍କଲର ଡେପୁଟି ଫାୟାର ଅଫିସରଙ୍କ ସ୍ୱାକ୍ଷର ରହିଥିଲା ।

କିନ୍ତୁ ତା’ପରେ ବି ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ଦେବା ପାଇଁ ଫାଇଲ୍ ଆଗକୁ ବଢ଼ୁ ନ ଥିଲା । ଏଥି ସହ ପୋଲିସ ପକ୍ଷରୁ ମଲକୁ ବି ସିଲ୍ କରି ଦିଆଗଲା । ଏହି ଅଭିଯୋଗ ଉଠିବା ପରେ ୧୯ ତାରିଖରେ ଏକ ନାଟକୀୟ ଘଟଣାକ୍ରମରେ ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ଦେବା ଅଧିକାରୀ ଡିଜି ଅଫିସରୁ କାଢ଼ି ନିଆଗଲା ଏବଂ କ୍ଷେତ୍ରୀୟ ଅଗ୍ନିଶମ ଅଧିକାରୀମାନେ ଏହି ପ୍ରମାଣ ପତ୍ର ଦେଇପାରିବେ ବୋଲି ନିର୍ଦ୍ଦେଶ ଦିଆଗଲା । ରାଜ୍ୟ ସରକାର ଏଭଳି ପଦକ୍ଷେପ ନେବା ପରେ ରାଜଧାନୀର ପାୱାର କରିଡରରେ ଡିଜିଙ୍କ ଅଫିସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲା । ଏବଂ ଠିକ୍ ତା’ପର ଦିନ ଅର୍ଥାତ ୨୦ ତାରିଖରେ ଡିଜିଙ୍କ ବଦଳି ପାଇଁ ନିର୍ଦ୍ଦେଶ ଆସିଲା ।

ସମ୍ବନ୍ଧିତ ଖବର