କାହିଁକି ମକର ସଂକ୍ରାନ୍ତିରୁ ମାଘମାସ ଶେଷ ଯାଏଁ ମୌନବ୍ରତ ପାଳନ୍ତି ଏଇ ନଅ ଖଣ୍ଡ ଗାଁ’ର ଲୋକେ

ନୂଆଦିଲ୍ଲୀ: ପ୍ରତିବର୍ଷ ମକର ସଂକ୍ରାନ୍ତି ରୁ ମାଘମାସ ଶେଷ ଯାଏଁ ହିମାଚଳ ପ୍ରଦେଶର ମାନାଲିର ଏଇ ଗାଁ’ଗୁଡ଼ିକରେ ଲୋକେ ମୌନବ୍ରତ ପାଳନ୍ତି। ଏଥର ଜାନୁଆରି ୧୪ ତାରିଖରୁ ଆରମ୍ଭ ହୋଇଥିବା ଲୋକମାନଙ୍କ ନିରବତା ଫେବ୍ରୁଆରି ୨୫ ଯାଏଁ ୪୨ ଦିନ ଧରି ଚାଲିବ।

ସେଠାକାର ଲୋକବିଶ୍ୱାସ ଅନୁସାରେ, ଏଇ ସମୟରେ ଠାକୁରମାନେ ସ୍ୱର୍ଗକୁ ବାହୁଡ଼ି ଯାଇ ଘୋର ତପସ୍ୟାରେ ମଗ୍ନ ଥାଆନ୍ତି। ଏହି ସମୟରେ ପୃଥିବୀରେ ପାଟିତୁଣ୍ଡ ହେଲେ ସେମାନଙ୍କ ଏକାଗ୍ରତା ଭାଙ୍ଗି ଯିବ। ଫଳରେ ସେମାନେ ରାଗିବେ ଓ ଏ ଅଞ୍ଚଳବାସୀଙ୍କୁ ଦୁର୍ଦଶା ମାଡ଼ି ଆସିବ, ସେମାନଙ୍କର ଫସଲ ଓ ପଶୁସମ୍ପଦ ନଷ୍ଟ ହୋଇଯିବ।

ଗୋଶାଳ ଗାଁର ଶ୍ୟାମ ଠାକୁର କହନ୍ତି: ଶହ ଶହ ବର୍ଷ ଧରି ମାଘ ମାସରେ ଆମେ ମୌନବ୍ରତ ପାଳି ଆସୁଛୁ। ଏହି ସମୟରେ ଆମେ ଗୀତ ଶୁଣିବା, ଟେଲିଭିଜନ୍‌ ଦେଖିବା, ଘରକାମ ଓ ଚାଷକାମ ମଧ୍ୟ ବନ୍ଦ କରି ଥାଉ। ମୋବାଇଲ୍‌ ଫୋନ୍‌ ଓ ଲ୍ୟାଣ୍ଡ୍‌ଫୋନ୍‌ ମଧ୍ୟ ସାଇଲେଣ୍ଟ୍‌ ମୋଡ୍‌ରେ ରଖାଯାଏ। ଗାଁ’କୁ ଆଗନ୍ତୁକମାନଙ୍କୁ ମଧ୍ୟ ଛଡ଼ାଯାଏ ନାହିଁ।

ଗୋଶାଳ ଗାଁରେ ଅବସ୍ଥିତ ପାହାଡ଼ୀ ସ୍ଥାପତ୍ୟରେ ନିର୍ମିତ ଗୌତମ ଋଷି ମନ୍ଦିର, ବେଦ ବ୍ୟାସ ମନ୍ଦିର ଏବଂ କାଞ୍ଚନ ନାଗ ଦେବତାଙ୍କ ମନ୍ଦିର ମଧ୍ୟ ମକର ସଂକ୍ରାନ୍ତିରୁ ବନ୍ଦ ରହେ।

ମନ୍ଦିର ଚଟାଣରେ କାଦୁଅ ପକାଯାଇ ମନ୍ଦିର ବନ୍ଦ କରାଯାଇଥାଏ। ଲୋକମାନଙ୍କର ବିଶ୍ୱାସ, ପୁଣି ମନ୍ଦିର ଖୋଲାଗଲେ ସେହି କାଦୁଅରେ ଯଦି ଫୁଲ ଫୁଟିଥିବା ଦେଖାଯାଏ ଗ୍ରାମବାସୀଙ୍କ ଲାଗି ସୁଖ ଆସେ। ଯଦି ଅଙ୍ଗାର ଦେଖାଯାଏ,ତେବେ ଗାଁରେ ନିଅାଁଗୋଳ ହେବାର ଆଶଂକା ଥାଏ। ଶସ୍ୟ ପଡ଼ିଥିଲେ ଅମଳ ଭଲ ହେବାର ସୂଚନା ମିଳେ।

ମାନାଲିର ୯ ଖଣ୍ଡ ଗାଁରେ ଏମିତି ମୌନବ୍ରତ ପାଳନ କରାଯାଏ। ଏହି ସମୟରେ ଗ୍ରାମବାସୀମାନେ ଛୋଟ ଛୋଟ ଦଳରେ ବସି ଲୁଗାପଟା ସିଲାଇ କରନ୍ତି ଓ ପଶମ ବସ୍ତ୍ର ବୁଣାବୁଣି କରନ୍ତି।

ଶେଷରେ ଠାକୁରମାନେ ପୃଥିବୀକୁ ଫେରିଲେ ଗାଁ’ ପୁଣି କୋଳାହଳରେ ପୁରି ଉଠେ। ଲୋକେ ସେଓ ଗଛର ଡାଳସବୁ ଟୁଙ୍କି ପକାନ୍ତି।

ସମ୍ବନ୍ଧିତ ଖବର