ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ସ୍ୱାମୀଙ୍କୁ କାନ୍ଧରେ ବୋହି ନେଉଥିଲେ ସ୍ତ୍ରୀ,ଫଟୋ ଭାଇରାଲ ହେବା ପରେ ମିଳିଲା ପ୍ରମାଣପତ୍ର

ମଥୁରା : ଗତ କିଛି ମାସ ହେବ ନିଜ ସ୍ୱାମୀଙ୍କୁ କାନ୍ଧରେ ବୋହି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ ବିମ୍‌ଲା ଦେବୀ । ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଲେ ସରକାରଙ୍କ ତରଫରୁ ସ୍ୱାମୀଙ୍କୁ ହ୍ଵିଲ୍‌ଚେୟାର ମିଳିବା ଆଶାରେ ପ୍ରତି ଦିନ ଖରାତରାକୁ ଖାତିର ନ କରି ବିମ୍‌ଲା ଦେବୀ ତାଙ୍କ ସ୍ୱାମୀଙ୍କୁ କାନ୍ଧରେ ବୋହୁଥିଲେ ବୋଲି ଜଣା ପଡ଼ିଛି । ଗତ କିଛି ମାସ ହେବ ସେ ଏପରି କରୁଥିବା ବେଳେ ତାଙ୍କର ଏକ ଫଟୋ ଭାଇରାଲ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି । ହେଲେ ଏତେ ମାସ ଧରି ସେ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଆବେଦନ କରିଥିବା ବେଳେ ପ୍ରମାଣପତ୍ର ଦେବା ପାଇଁ ଏତେ ବିଳମ୍ବ ହୋଇଥିବାରୁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠିଛି । ଅନ୍ୟ ପକ୍ଷରେ ଫଟୋ ଭାଇରାଲ ହେବା ପରେ ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା ହେବାରୁ ଆଜି ବିମ୍‌ଲା ଦେବୀଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ବିମ୍‌ଲାଙ୍କ ସ୍ୱାମୀଙ୍କ ଗୋଡ଼ରେ ରକ୍ତ ଜମାଟ ବାନ୍ଧିିବାରୁ ସେ ଚାଲି ପାରୁ ନଥିଲେ । ଦିବ୍ୟାଙ୍ଗଙ୍କ ପାଇଁ ସରକାରଙ୍କ ତରଫରୁ ହ୍ଵିଲ୍‌ଚେୟାରର ବ୍ୟବସ୍ଥା ରହିଛି ବୋଲି ଜାଣିବା ପରେ ବିମ୍‌ଲା ଦେବୀ ସ୍ୱାମୀଙ୍କୁ କାନ୍ଧରେ ବୋହି ମଥୁରାରେ ଥିବା ଗୀତା ବିହାରରୁ ସରକାରୀ ଡ଼ାକ୍ତରଖାନା ପହଞ୍ଚିଥିଲେ । ସେଠାରେ ସ୍ୱାମୀଙ୍କର ହ୍ଵିଲ୍‌ଚେୟାର ପାଇଁ ଆବେଦନ କରିବା ପାଇଁ ଯାଇଥିବା ବେଳେ ଆବେଦନ ପାଇଁ ଅନେକ କାଗଜପତ୍ର ଦରାକାର ବୋଲି ତାଙ୍କୁ ଜଣାଇ ଦିଆ ଯାଇଥିଲାା ଫଳରେ ନିରୂପାୟ ବିମ୍‌ଲା ସ୍ୱାମୀଙ୍କୁ କାନ୍ଧରେ ବୋହି ଏ ଅଫିସରୁ ସେ ଅଫିସ୍‌କୁ ପ୍ରମାଣପତ୍ର ପାଇଁ ଘୁରି ବୁଲିଥିଲେ ।

deccanchronicle

କିଛି ମାସ ବିତି ଯାଇଥିଲେ ମଧ୍ୟ ତାଙ୍କୁ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳି ପାରି ନଥିଲା । କିନ୍ତୁ କିଛି ଦିନ ତଳେ ବିମ୍‌ଲା ଦେବୀ ସ୍ୱାମୀଙ୍କୁ କାନ୍ଧରେ ବୋହୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଫଟୋ ଭାଇରାଲ ପରେ ମନ୍ତ୍ରୀ ଭୂପିନ୍ଦର ଚୌଧୁରୀ ଆଜିର ସଭ୍ୟ ଦେଶରେ ଏପରି ଘଟଣା ଘଟିବା ଲଜ୍ଜାଜନକ ବିଷୟ ବୋଲି କହିଥିଲେ । ଲୋକମାନଙ୍କ ତୀବ୍ର ପ୍ରତିକ୍ରିୟା ପରେ ଶେଷରେ ବିମ୍‌ଲା ଦେବୀଙ୍କୁ ଆଜି ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳିଥିବା ସୂଚନା ମିଳିଛି ।
“ଆମର ଆର୍ଥିକ ପରିସ୍ଥିତି ଏତେ ସ୍ୱଚ୍ଛଳ ନୁହେଁ କି ଆମେ ପ୍ରତିଦିନ ଗାଡ଼ିରେ ଆସି ପାରିବୁ । ସେଥିପାଇଁ ମୁଁ ମୋ ସ୍ୱାମୀଙ୍କୁ କାନ୍ଧରେ ବୋହି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲି” ବୋଲି ବିମ୍‌ଲା କହିଛନ୍ତି । ବିମ୍‌ଲାଙ୍କ ସ୍ୱାମୀ ଜଣେ ଟ୍ରକ୍‌ ଚାଳକ ଥିବା ବେଳେ ତାଙ୍କ ପରିବାର ହସ ଖୁସିରେ ଚଳି ଯାଉଥିଲା । କିନ୍ତୁ ତାଙ୍କ ଗୋଡ଼ରେ ରକ୍ତ ଜମାଟ ବାନ୍ଧିିବାରୁ ସେ ଆଉ ଚଲାବୁଲା କରି ପାରି ନଥିଲେ । ତାଙ୍କ ଚିକିତ୍ସାରେ ଘରର ଆର୍ଥିକ ପରିସ୍ଥିତି ବିଗିଡ଼ି ଯାଇଥିଲା ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର