ଜିଦ୍‌ରେ ସଫଳ ହେଲେ ମହିଳା କନଷ୍ଟେବଳ, କରିବେ ଲିଙ୍ଗ ପରିବର୍ତ୍ତନ

ମୁମ୍ବାଇ: ନିଜ ଲିଙ୍ଗ ପରିବର୍ତ୍ତନ ପାଇଁ ଦୀର୍ଘ ଦିନ ହେବ ଆଇନଗତ ଯୁଦ୍‌ଦ, ସରକାରୀ ନାଳିଫିତା ମାନସିକତା ବିରୋଦରେ ଲଢ଼େଇ କରି ଶେଷରେ ସଫଳ ହୋଇଛନ୍ତି ମହାରାଷ୍ଟ୍ର ପୁଲିସ ବିଭାଗରେ ମହିଳା କନଷ୍ଟେବଳ ଳଳିତା ସାଲଭେ(୨୯ ବର୍ଷ)। ଲଳିତା ଏବେ ନୂଆ ରୂପରେ ଦେଖିବାକୁ ମିଳିବେ। ସେ ଆଉ ମହିଳା କନଷ୍ଟେବଳ ନୁହେଁ, ବରଂ ପୁରୁଷ କନଷ୍ଟେବଳ ଭାବେ ମହାରାଷ୍ଟ୍ର ପୁଲିସକୁ ସେବା ଯୋଗାଇ ଦେବେ। ତାଙ୍କର ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋରପଚାରକୁ ମହାରାଷ୍ଟ୍ର ପୁଲିସ ବିଭାଗ ଅନୁମତି ଦେଇଛି। ଏଥିପାଇ ଲଳିତାଙ୍କୁ ବିଡ୍‌ ଜିଲ୍ଲାର ପୁଲିସ ଅଧୀକ୍ଷକ ଜି ଶ୍ରୀଧର ଆବଶ୍ୟକ ଅନୁମତି ସହିତ ଛୁଟି ମଞ୍ଜୁର କରିଛନ୍ତି। ଲଳିତା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସେଣ୍ଟ ଜର୍ଜ ହସ୍‌ପିଟାଲରେ ଆଜି ତାଙ୍କ କକାଙ୍କ ସହିତ ଯାଇ ଆବଶ୍ୟକ ପରୀକ୍ଷାନିରୀକ୍ଷା କରିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୦ ମସିହାରେ ଲଳିତା ମହାରାଷ୍ଟ୍ର ପୁଲିସରେ ଜଣେ ମହିଳା କନଷ୍ଟେବଳ ଭାବେ ଯୋଗ ଦେଇଥିଲେ।ତେବେ ନିଜ ଶରୀରିକ ସଙ୍ଗଠନ ନେଇ ଖୁସି ନ ଥିବା ଲଳିତା ନିଜ ଭିତରେ ପୁରୁଷ ସ୍ୱଭାବ ଅନୁଭବ କରି ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହିଁଥିଲେ। ଏଥିପାଇଁ ସେ ମହାରାଷ୍ଟ୍ର ପୁଲିସ ଠାରୁ୨୦୧୭ ମସିହାରେ ଅନୁମତି ଚାହିଁଥିଲେ। ମାତ୍ର ପୁଲିସ ବିଭାଗ ଗତ ନଭେମ୍ବର ମାସରେ ଲଳିତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହା ବିରୋଧରେ ଲଳିତା ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଏ ନେଇ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଲଳିତାଙ୍କ ଆବେଦନକୁ ସକାରାତ୍ମକଭାବେ ବିଚାର କରିବାକୁ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ମହାନିର୍ଦ୍ଦେଶକ ଏହି ମାମଲାରେ ଆବଶ୍ୟକ ପରାମର୍ଶ ପାଇଁ ଆଇନ ବିଭାଗକୁ ଚିଠି ଲେଖିଥିଲେ। ଆଇନ ବିଭାଗ ଫାଇଲକୁ ମଞ୍ଜୁର କରିବା ପରେ ଜେଜେ ହସଫିଟାଲରେ ଳଳିତାଙ୍କର ସମ୍ପୂର୍ଣ୍ଣ ଶାରୀରିକ ଲକ୍ଷଣର ପରୀକ୍ଷା କରାଯାଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଳଳିତା ଲିଙ୍ଗ ପରିବର୍ତ୍ତନ କରିବାକୁ ସମ୍ପୂର୍ଣ୍ଣ ଉପଯୁକ୍ତ ବୋଲି ରିପୋର୍ଟ ଦେବା ପରେ ପୁଲିସ ଅଧିକ୍ଷକ ଲଳିତାଙ୍କ ଅସ୍ତ୍ରୋରପଚାର ଓ ଚିକିତ୍ସା ପାଇଁ ଆବଶ୍ୟକ ଛୁଟି ମଞ୍ଜୁର କରିଛନ୍ତି।

ସମ୍ବନ୍ଧିତ ଖବର