ମନ୍ଦିର ଗେଟ ସମ୍ମୁଖରେ ଭିକ୍ଷା ମାଗୁଥିବା ମହିଳା ମନ୍ଦିରକୁ ୨.୫ ଲକ୍ଷ ଟଙ୍କା ଦାନ କଲେ

ମହିଶୂର: ମହିଶୂରର ଏକ ମନ୍ଦିର ସମ୍ମୁଖରେ ଭିକ୍ଷା ମାଗୁଥିବା ଜଣେ ନିସହାୟ ବୃଦ୍ଧା ସେହି ମନ୍ଦିରକୁ ୨ଲକ୍ଷ ୫୦ ହଜାର ଟଙ୍କାର ଦାନ ଦେଇ ଏବେ ଚର୍ଚାକୁ ଆସିଛନ୍ତି। ପ୍ରାୟ ଏକ ଦଶନ୍ଧି ତଳେ ସେ ଯେତେବେଳେ ଦୁର୍ବଳ ହୋଇପଡ଼ିଲେ ଓ ଘରୋଇ ଚାକରାଣୀ ଭାବେ କାର୍ଯ୍ୟ କରିବାକୁ ସକ୍ଷମ ହେଲେ ନାହିଁ, ସେତେବେଳେ ସେ ସେ ଭିକ୍ଷାବୃତ୍ତିକୁ ଆପଣେଇ ନେଇଥିଲେ। ସେହିଦିନରୁ ମହିଶୂରର ପ୍ରସନ୍ନ ଅଞ୍ଜନେୟ ସ୍ୱାମୀ ମନ୍ଦିର ଗେଟ୍‌ ସମ୍ମୁଖରେ ୮୫ ବର୍ଷୀୟା ଏମଭି ସିତାଲକ୍ଷ୍ମୀ ଭିକ୍ଷା କରୁଥିଲେ। ତେବେ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ପାଇଁ ସୁବିଧାସୁଯୋଗ ଯୋଗାଇ ଦେବା ସହିତ ହନୁମାନେ ଜୟନ୍ତୀରେ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ପ୍ରସାଦ ଯୋଗାଇ ଦେବାକୁ ସୀତାଲକ୍ଷ୍ମୀ ଭିକ୍ଷାବୃତ୍ତିରୁ ସଂଗ୍ରହ କରିଥିବା ଦୁଇ ଲକ୍ଷ ୫୦ ହଜାର ଟଙ୍କା ମନ୍ଦିର ପ୍ରଶାସନକୁ ଦାନ କରିଛନ୍ତି। ସୀତାଲକ୍ଷ୍ମୀଙ୍କ ମନ୍ଦିରକୁ ଦାନ ସମ୍ପର୍କରେ ଜଣାପଡ଼ିବା ପରେ ଭକ୍ତମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ କେତେକ ଭକ୍ତ ତାଙ୍କର ଆର୍ଶିବାଦ ମଧ୍ୟ ଗ୍ରହଣ କରିଛନ୍ତ।
ସୀତାଲକ୍ଷ୍ମୀ ତାଙ୍କ ଭାଇ ଭାଉଜଙ୍କ ସହିତ ଯାଦବଗିରିରେ ରହୁନ୍ତି। ମାତ୍ର ସୀତାଲକ୍ଷ୍ମୀ ସେମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ଚାହାଁନ୍ତି ନାହିଁ। କାର୍ଯ୍ୟ କରିବାକ ଅକ୍ଷମ ହେବା ପର ସେ ମନ୍ଦିର ଗେଟ୍‌ ସମ୍ମୁଖରେ ବସୁଥିଲେ ଓ ମନ୍ଦିର କର୍ତ୍ତୃପକ୍ଷ ମଧ୍ୟ ତାଙ୍କ ଦାୟିତ୍ୱ ନେଉଥିଲେ। ତେବେ ଗତ ଗଣେଶ ଚତୁର୍ଥୀ ଅବସରରେ ସେ ମନ୍ଦିରକୁ ୩୦ ହଜାର ଟଙ୍କା ଦାନ ଦେଇଥିଲେ। ତା ପରେ ଏବେ ସେ ମନ୍ଦିର ପରିଚାଳନା ଟ୍ରଷ୍ଟର ଅଧ୍ୟକ୍ଷଙ୍କୁ ବ୍ୟାଙ୍କକୁ ନେଇ ତାଙ୍କ ପାଖରେ ଥିବା ୨,୫ ଲକ୍ଷ ଟଙ୍କା ମନ୍ଦିର ଆକାଉଣ୍ଟକୁ ଦାନ କରି ଦେଇଥିଲେ। ସୀତାଲକ୍ଷ୍ମୀ କହିଛନ୍ତି ଯେ ମୋ ପାଇଁ ଠାକୁର ସବୁକିଛି। ତେଣୁ ଭକ୍ତମାନେ ମୋତେ ଯାହା ଦେଉଥିଲେ ମୁଁ ତାକୁ ବ୍ୟାଙ୍କରେ ଡିପୋଜିଟ୍‌ କରି ଦେଉଥିଲି। ତା ପରେ ନିଷ୍ପତ୍ତି ନେଲି ଯେଉଁ ମନ୍ଦିର ମୋର ଏତେ ଦାୟିତ୍ୱ ନେଉଛି, ସେହି ମନ୍ଦିରକୁ ମୁଁ ସେହି ଟଙ୍କା ଦାନ କରିଦେବି।
ଏ ସମ୍ପର୍କରେ ମନ୍ଦିର ପରିଚାଳନା ଟ୍ରଷ୍ଟର ଅଧ୍ୟକ୍ଷ ଏମ ବାସବରାଜ କହିଛନ୍ତି ସୀତାଲକ୍ଷ୍ମୀ ଜଣେ ଭିନ୍ନ ମଣିଷ। ସେ କୌଣସ ଭକ୍ତଠାରୁ ଭିକ୍ଷା ଦାବି କରନ୍ତି ନାହିଁ। କେବଳ ଯିଏ ଯାହା ଦେଲା, ସେ ତାକୁଗ୍ରହଣ କରନ୍ତି। ତାକୁ ମଧ୍ୟ ନିଜ ପାଖରେ ନ ରଖି ମନ୍ଦିରକୁ ଦାନ କରି ଦେଇଛନ୍ତି। ଏଥିପାଇଁ ମନ୍ଦିରର ଉତ୍ସବ ଅବସରରେ ତାଙ୍କୁ ସ୍ଥାନୀୟ ବିଧାୟକ ସମ୍ବର୍ଦ୍ଧନା ମଧ୍ୟ ଦେଇଛନ୍ତି। ସୀତାଲକ୍ଷ୍ମୀ ମନ୍ଦିରକୁ ଦେଇଥିବା ଦାନ ସମ୍ପର୍କରେ ଆମେ ମନ୍ଦିରରେ ଏକ ବୋର୍ଡରେ ତାହା ଉଲ୍ଲେଖ କରିଛୁ। ଆମେ ସୀତାଲକ୍ଷ୍ମୀ ଙ୍କ ଦାନ ଅର୍ଥକୁ ସଠିକ ମାର୍ଗରେ ବ୍ୟୟ କରିବୁ ଓ ତାଙ୍କର ଦାୟିତ୍ୱ ମଧ୍ୟ ନେବୁ ବୋଲି ବାସବ ରାଜ କହିଛନ୍ତି।
ତେବେ ଏହି ଘଟଣା ପରେ ଭକ୍ତମାନେ ସୀତାଲକ୍ଷ୍ମୀଙ୍କୁ ଅଧିକ ଭିକ୍ଷା ଦେଉଛନ୍ତି। ଲୋକେ ତାଙ୍କ କାର୍ଯ୍ୟରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଓ ତାଙ୍କ ଏହି ମହାନତା ନେଇ ଭୁରୁଭୁରି ପ୍ରଂଶସା କରିଛନ୍ତି।
ସୂଚନାଯୋଗ୍ୟ ଯେ ସୀତାଲକ୍ଷ୍ମୀ ପ୍ରତିଦିନ ସକାଳୁ ମନ୍ଦିରକୁ ବାହାରି ଯାଆନ୍ତ ି ଓ ବିଳମ୍ବିତ ସନ୍ଧ୍ୟାରେ ତାଙ୍କ ଭାଇଭାଉଜଙ୍କ ପାଖକୁ ଫେରି ଆସନ୍ତି।

ସମ୍ବନ୍ଧିତ ଖବର