ସୃଷ୍ଟି କଲେ ଉଦାହରଣ : ମତଦାନ କରିବା ପାଇଁ ଅମ୍ଲଜାନର ସାହାରା ନେଇ ୩୩୦କିଲୋମିଟର ଯାତ୍ରା କଲେ ମହିଳା

ଡୁମକା(ଝାରଖଣ୍ଡ) : ରବିବାର ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ କରାଯାଇଥିଲା । ବିଭିନ୍ନ ବୁଥ୍‌କୁ ଯାଇ ଲୋକେ ନିଜ ନିଜର ମତଦାନ କରିଥିଲେ । ତେବେ ୨୦୧୯ ଲୋକସଭା ନିର୍ବାଚନର ୭ଟି ପର୍ଯ୍ୟାୟ ମତଦାନ ସମୟରେ ଅନେକ ଲୋକ ମତଦାନ କରି ନଥିବା ଦେଖା ଯାଇଥିଲା । ଖରା ବା ବିଭିନ୍ନ ବାହାନା କରି ମତଦାନ କରିବାକୁ ଯାଇ ନଥିଲେ ଅନେକ ଲୋକେ । ଏବେ ସେମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ୫୯ବର୍ଷୀୟ ରେଣୁ ମିଶ୍ରା । ସେ କୋଲକାତାରୁ ଡୁମକା ଆସି ମତଦାନ କରିଥିଲେ । ତାଙ୍କର ଶ୍ୱାସଜନିତ ସମସ୍ୟା ଥାଇ ମଧ୍ୟ ୩୩୦କିଲୋମିଟର ଦୂରରୁ ଅମ୍ଲଜାନ ସାହାଯ୍ୟରେ ଡୁମକା ଆସିଥିଲେ ରେଣୁ । ମତଦାନ କେନ୍ଦ୍ରରେ ଉପସ୍ଥିତ ଥିବା ଲୋକେ ରେଣୁଙ୍କ ସାହାସକୁ ଦେଖି ସଲାମ କରିବା ସହ ଏଭଳି ଦୃଶ୍ୟ ମତଦାନକୁ ଗୁରୁତ୍ୱ ଦେଉ ନଥିବା ଲୋକଙ୍କୁ ଅନୁପ୍ରାଣିତ କରିବ ବୋଲି କହିଥିଲେ । ମତଦାନ ପରେ, ଯେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି, ସେ ପର୍ଯ୍ୟନ୍ତ ମୁଁ ଦେଶକୁ ଗଢ଼ିବା ପାଇଁ ମୋର ଲୋକତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବି ବୋଲି କହିଥିଲେ ରେଣୁ ।

indiatimes.com

ସୂଚନା ମୁତାବକ, ରେଣୁ ଡୁମକାରେ ପ୍ରଧାନଶିକ୍ଷୟତ୍ରୀଭାବେ କାମ କରୁଥିଲେ । କିନ୍ତୁ ତାଙ୍କର ଶ୍ୱାସଜନିତ ସମସ୍ୟା ଦେଖାଯିବା ପରେ ଜାନୁଆରୀ ୨୩ରେ ଚିକିତ୍ସା ପାଇଁ ତାଙ୍କୁ କୋଲକାତା ଅଣା ଯାଇଥିଲା । ତେବେ ମେ’ ୧୯ରେ ଡୁମକାରେ ମତଦାନ ହେବାକୁ ଥିବା ଜାଣି ସେ ସ୍ୱାସ୍ଥ୍ୟ ସମସ୍ୟା ସତ୍ତ୍ୱେ ଯିବା ପାଇଁ ବାହାରିଥିଲେ । ଯାହା ପାଇଁ ଅମ୍ଲଜାନର ସହାୟତାରେ ରେଣୁଙ୍କୁ ଡୁମକା ଅଣାଯାଇଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର