କର୍ଣ୍ଣାଟକର ଏଇ ୧୨୦୦ ବର୍ଷ ପୁରୁଣା ପାହାଡ଼ୀ ମନ୍ଦିର ମଧ୍ୟ ମହିଳାଙ୍କ ଲାଗି ମନା

ମହୀଶୂର: ଦିଅଁଙ୍କର ପବିତ୍ରତା ନଷ୍ଟ ହୋଇଯିବା ଆଶଙ୍କାରେ କର୍ଣ୍ଣାଟକ ଓ ତାମିଲନାଡୁର ସୀମାନ୍ତବର୍ତ୍ତୀ ଅଞ୍ଚଳ ଚମରାଜନଗର ଠାରେ ଅବସ୍ଥିତ ଏକ ମନ୍ଦିରକୁ ମହିଳାମାନଙ୍କୁ ଛଡ଼ାଯାଏ ନାହିଁ।

ମହୀଶୂର ସହର ଠାରୁ ୯୮ କିଲୋମିଟର ଦୂର ଚମରାଜନଗର-ଏରୋଡ଼ ସୀମାରେ କୋଙ୍ଗଲ୍ଲି ମଲ୍ଲିକାର୍ଜୁନ ସ୍ୱାମୀ ମନ୍ଦିର ଅବସ୍ଥିତ।
ମନ୍ଦିର ପୂଜାରି ସଦାଶିବ ମୂର୍ତ୍ତି ସ୍ୱାମୀଙ୍କ କହିବା ଅନୁସାରେ, ଏଇ ମନ୍ଦିର ୧୨୦୦ ବର୍ଷର ଇତିହାସ। ପ୍ରଥମ ଦିନରୁ ଏହା ମଧ୍ୟକୁ କୌଣସି ନାରୀଙ୍କୁ ଛଡ଼ା ଯାଇ ନାହିଁ।

ଏଠାକାର ଅଧିଷ୍ଠାତା ଦିଅଁ ମଲ୍ଲିକାର୍ଜୁନ ସ୍ୱାମୀ ସମଗ୍ର ଦକ୍ଷିଣ କର୍ଣ୍ଣାଟକରେ ପୂଜିତ ମହାଦେଶ୍ୱର ସ୍ୱାମୀଙ୍କ ସମସାମୟିକ। ତପସ୍ୟା କରିବାକୁ ମଲ୍ଲିକାର୍ଜୁନ ସ୍ୱାମୀ ଏଇ ପାହାଡ଼ରେ ପହଞ୍ଚି ପରେ ଦିଅଁ ପାଲଟି ଗଲେ। ତାଙ୍କ ଧ୍ୟାନ ଭଗ୍ନ ହୋଇ ଯିବା ଆଶଙ୍କାରେ ସେ ଏଠାକୁ ସବୁ ବୟସର ନାରୀଙ୍କ ପ୍ରବେଶ ନିଷିଦ୍ଧ କରିଥିଲେ। ସେବେଠାରୁ ମହିଳା ଭକ୍ତମାନଙ୍କୁ ମନ୍ଦିର ମଧ୍ୟକୁ ଛଡ଼ା ଯାଉନାହିଁ।

କିନ୍ତୁ, ଦିଅଁଙ୍କର ରଥଯାତ୍ରା ସମୟରେ ତାଙ୍କୁ କୋଙ୍ଗଲ୍ଲି ଗ୍ରାମରେ ଅଟକା ଯାଇଥାଏ, ସ୍ଥାନୀୟ ନାରୀମାନେ ବି ଏଥିରେ ଅଂଶଗ୍ରହଣ କରନ୍ତି। କେବଳ ପୀଠ ମଧ୍ୟକୁ ନାରୀମାନଙ୍କ ପ୍ରବେଶ ନିଷେଧ କରାଯାଇଛି।

ସବୁ ଜାତି ଓ ଧର୍ମର ଭକ୍ତମାନେ ଏଇ ମନ୍ଦିରକୁ ଆସନ୍ତି। ଗହନ ବନରେ ମନ୍ଦିରଟି ଅବସ୍ଥିତ ଥିବାରୁ ମହିଳାଙ୍କ ସୁରକ୍ଷା ନିମିତ୍ତ ନିଷେଧାଜ୍ଞା ଜାରି କରାଯାଇଥାଇ ପାରେ। ଏଇ ଅଞ୍ଚଳ ବ୍ୟାଘ୍ର, କଲପତ୍ରିଆ, ହସ୍ତୀ, ଭଲ୍ଲକ ଆଦି ହିଂସ୍ରଜନ୍ତୁଙ୍କ ଚରାଭୂଇଁ ଭାବେ ଖ୍ୟାତ ଥିଲା। ନାରୀମାନଙ୍କ ଲାଗି ଏଇଟା ସୁରକ୍ଷିତ ସ୍ଥାନ ନୁହେଁ।

ଚମରାଜନଗରର ରାଜୁ ନାମକ ଜଣେ ବାସିନ୍ଦା କହନ୍ତି: ପୀଠ ମଧ୍ୟକୁ କାହିଁକି ମହିଳାମାନେ ନ ଯିବେ ସେ ସମ୍ପର୍କରେ କୌଣସି ସୁସ୍ପଷ୍ଟ କାରଣ ନାହିଁ। ଏଇଟା ଏକ ପ୍ରଥା। କେହି ବଳପୂର୍ବକ ପ୍ରବେଶ କରିବାକୁ ଚେଷ୍ଟା କରି ନାହାନ୍ତି।

ଝାମୁଯାତ୍ରା, ରୁଦ୍ରଭିଷେକ, ହୁଲି ବହନ ଆଦି ସେବା ଏହି ମନ୍ଦିରରେ ପାଳନ କରାଯାଏ। ଗୋଟାଏ ବାଘମୂର୍ତ୍ତି ଉପରେ ଦିଅଁଙ୍କର ମୂର୍ତ୍ତି ରଖାଯାଇ ପଟୁଆରରେ ନିଆଯାଏ।

ସମ୍ବନ୍ଧିତ ଖବର