ଲୋକପ୍ରିୟ ହେଉଛି ଛେଳି ଦୁଗ୍ଧରୁ ତିଆରି ଦହି ଓ ଛେନା : ହଜାର ହଜାର ମହିଳାଙ୍କୁ ବଞ୍ଚିବାର ରାହା ଦେଖାଇଛି

ଲକ୍ଷ୍ନୌ  :ଲକ୍ଷ୍ନୌର ମହମ୍ମଦପୁରରେ ଦେଖିବାକୁ ମିଳିଛି ମହିଳା ସଶକ୍ତିକରଣର ଭିନ୍ନ ଉଦାହରଣା ଗାଁର ୩୦ ଜଣ ମହିଳା ଛେଳି ରଖି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ପୂର୍ବରୁ ଏହି ମହିଳାମାନେ ନିଜର ଗୁଜୁରାଣ ପାଇଁ ନିଜ ସ୍ୱାମୀ କିମ୍ବା ବାପାଙ୍କ ଉପରେ ନିର୍ଭର କରୁଥିଲେ । ଏବେ କିନ୍ତୁ ସେ ଢ଼ାଞ୍ଚା ବଦଳିଛି । ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ମହିଳାମାନେ ନିଜକୁ ରୋଜଗାରକ୍ଷମ କରିଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଲକ୍ଷ୍ନୌ ମହମ୍ମଦପୁରର କୃଷ୍ଣାବତୀ । ଛେଳି ପାଳିଥିବା କୃଷ୍ଣାବତୀ ଛେଳିର ଦୁଗ୍ଧରୁ ଦହି ଏବଂ ଛେନା ତିଆରି କରି ବିକ୍ରି କରୁଛନ୍ତି । ଏହା ତାଙ୍କୁ ଆତ୍ମନିର୍ଭରଶୀଳ କରାଇଛି ।

“ବର୍ଷେ ପୂର୍ବରୁ ଗୋଟ୍‌ ଟ୍ରଷ୍ଟ୍‍ରୁ ଟ୍ରେନିଙ୍ଗ ନେବା ପରେ ମୁଁ ଘରେ ଦହି ଓ ଛେନା ତିଆରି ଆରମ୍ଭ କଲି । ଏବେ ଦିନକୁ ପ୍ରାୟ ୨ଲିଟର କ୍ଷୀର ଆସୁଛି ଯେଉଁଥିରୁ ମୁଁ ଦହି ଏବଂ ଛେନା ତିଆରି କରି ବିକ୍ରି କରୁଛି । କେବଳ ମୁଁ ନୁହେଁ ଆମ ଗ୍ରାମର ୩୦ ଜଣ ମହିଳା ମଧ୍ୟ ଏହି ବେଉସା ଆପଣାଇ ପଇସା ରୋଜଗାର କରୁଛନ୍ତି । ଏହାକୁ କରି ଆମେମାନେ ଘରେ ବସି ୪ ପଇସା ପାଇ ପାରୁଛୁ,” ବୋଲି କହିଛନ୍ତି ମହମ୍ମଦପୁରର କୃଷ୍ଣାବତୀ ।

ଗୋଟ୍‌ ଟ୍ରଷ୍ଟ୍‍ର କୋର୍ଡ଼ିନେଟର ପବନ ଯାଦବଙ୍କ କହିବା ଅନୂଯାୟୀ, “ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଦିଗରେ ଆମ ସଂସ୍ଥା କାମ କରେ । ପ୍ରଥମେ ଆମେ ମହିଳା ମାନଙ୍କୁ ଛେଳି ଦେବା ପରେ ସେମାନଙ୍କୁ ପାଳିବା ଏବଂ ସେମାନଙ୍କ ଠାରୁ ଆସୁଥିବା ଦୁଗ୍ଧରୁ କିପରି ଦହି ଓ ଛେନା ତିଆର କରିବେ ସେ ବିଷୟରେ ପ୍ରଶିକ୍ଷଣ ଦେଇଥାଉ । ଏହା ଦ୍ୱାରା ଘରେ ବସି ମହିଳା ମାନେ ରୋଜଗାର କରି ପାରୁଛନ୍ତି” ।

‘ଦ ଗୋଟ ଟ୍ରଷ୍ଟ୍‍’ ଏକ ବେସରକାରି ସଂସ୍ଥା ହୋଇଥିବା ବେଳେ ୧୬ଟି ରାଜ୍ୟରେ ପ୍ରାୟ ୨.୫ ଲକ୍ଷ କୃଷକଙ୍କୁ ରୋଜଗାର ଯୋଗାଉଛି । ଲକ୍ଷ୍ନୌରେ ପ୍ରାୟ ୮ଟି ଗ୍ରାମରେ ୭୦ରୁ ଅଧିକ ମହିଳାମାନଙ୍କୁ ଟ୍ରେନିଙ୍ଗ୍‌ ଦେଇ ରୋଜଗାରକ୍ଷମ କରିଥିବା ବେଳେ ଅଧିକାଂଶ ମହିଳା ଏହାକୁ ନେଇ ବ୍ୟବସାୟ ଆରମ୍ଭ କରିଛନ୍ତି । ମହମ୍ମଦପୁରର ୨୭ ବର୍ଷୀୟା ରୁବିନାଙ୍କ ପାଖରେ ପ୍ରାୟ ୧୦ ଟି ଛେଳି ଥିବା ବେଳେ ଏଥିରୁ ସେ ଦହି,କ୍ଷୀର, ଛେନା ବିକ୍ରି କରି ଲାଭବାନ ହେଉଛନ୍ତି । “ଟ୍ରେନିଙ୍ଗ୍‌ ନେବା ପରେ ମୁଁ ଏହାକୁ ଆରମ୍ଭ କଲି । ଏହାକୁ କରିବାରେ ଅଧିକ ଖର୍ଚ୍ଚାନ୍ତ ହେବାକ ପଡ଼ୁ ନଥିବା ବେଳେ ଉତ୍ପାଦ ଜିନିଷ ସବୁ ଗାଁରେ ହିଁ ସୁବିଧାରେ ବିକ୍ରି ହୋଇଯାଉଛି” ବୋଲି କହିଛନ୍ତି ରୁବିନା ।

୧୯ତମ ପଶୁଗଣନା ଅନୁସାରେ ଭାରତରେ ପ୍ରାୟ ୧୩୫.୧୭ ନିୟୁତ ଛେଳି ଥିବା ବେଳେ ଉତ୍ତରପ୍ରଦେଶରେ ୪୨ଲକ୍ଷ ୪୨ ୯୦୪ ଥବା ଜଣାପଡ଼ିଛି । ୨୦୧୬ ରେ ଏନ୍‌ଡ଼ିଟିଭି କରିଥିବା ସର୍ଭେ ଅନୁଯାୟୀ ଭରତରେ ପ୍ରତି ବର୍ଷ ୫ ମେଟ୍ରିକ୍‌ ପର୍ଯ୍ୟନ୍ତ ଛେଳିର ଦୁଗ୍ଧ ଉତ୍ପାଦନ ହେଉଛି ।

ସମ୍ବନ୍ଧିତ ଖବର