ଅନ୍ତର୍ଜାତୀୟ ମହିଳା ଦିବସରେ ଜାଣନ୍ତୁ ଦେଶର ପ୍ରଥମ ମହିଳା ସର୍ଜନ ପଦ୍ମଶ୍ରୀ ପ୍ରଫେସର ସରୋଜ ଚୁଡ଼ାମଣି ଗୋପାଳଙ୍କ ସଫଳତାର କାହାଣୀ

ବାରଣାସୀ : ପ୍ରତିବର୍ଷ ମାର୍ଚ୍ଚ ୮ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ଏ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରି ଏମିତି ଜଣେ ମହିଳାଙ୍କ ବିଷୟରେ ଜଣାଇବୁ, ଯିଏ ଜଣେ ସଫଳ ଡ଼ାକ୍ତର ହେବା ପାଇଁ ଅନେକ ବାଧା ବନ୍ଧନର ସାମ୍ନା କରିଥିଲେ । ଏହା ସହ  ଡ଼ାକ୍ତର ହେବା ପରେ ସେ ଏମିତି ଅନେକ ଜିନିଷ ପ୍ରସ୍ତୁତ କରିଥିଲେ, ଯାହା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ  କରାଯାଇଥିଲା । ଆସନ୍ତୁ ତାଙ୍କ ବିଷୟରେ ବିସ୍ତାରରେ ଜାଣିବା ।

ଦେଶର ପ୍ରଥମ ମହିଳା ସର୍ଜନ ପଦ୍ମଶ୍ରୀ ପ୍ରଫେସର ସରୋଜ ଚୁଡ଼ାମଣି ଗୋପାଳ ସେ ସମୟରେ ନିଜ ସଂଘର୍ଷ ଆରମ୍ଭ କରିଥିଲେ, ଯେଉଁ ସମୟରେ ମହିଳାମାନଙ୍କ ଶିକ୍ଷାକୁ ସେତେଟା ଗୁରୁତ୍ୱ ଦିଆ ଯାଉ ନ ଥିଲା । ଶ୍ରେଣୀଗୃହକୁ ଯିବା ସମୟରେ ସମସ୍ତେ ତାଙ୍କୁ ଦେଖି ଥଟ୍ଟା କରୁଥିଲେ ମଧ୍ୟ ସେ ହାର୍‌ ନ ମାନି ନିଜ ଲକ୍ଷ୍ୟ ହାସଲ କରିଥିଲେ । ଦିନ ରାତି କଷ୍ଟ କରି ସର୍ଜରି କ୍ଷେତ୍ରରେ ସର୍ବୋଚ୍ଚ ଉପାଧି ଏମ୍‌ସିଏଚ୍‌ ହାସଲ କରିବାରେ ଦେଶର ପ୍ରଥମ ମହିଳା ପାଲଟିଥିଲେ ପ୍ରଫେସର ସରୋଜ ଚୁଡ଼ାମଣି ଗୋପାଳ ।

ସରୋଜ ଚୁଡ଼ାମଣି ଗୋପାଳଙ୍କ ଜନ୍ମ ୧୯୪୪ରେ ମଥୁରାର ଏକ ଗାଁରେ ହୋଇଥିଲା । ତାଙ୍କ ବାପା ଜଣେ ପ୍ଲାଟୁନ୍‌ କମାଣ୍ଡର ଥିଲେ । ସେ ସମୟରେ ଘରେ ଝିଅମାନଙ୍କୁ ପଢ଼ାଇବା ପାଇଁ ସେତେଟା ଇଚ୍ଛା ପ୍ରକାଶ କରୁ ନଥିବାରୁ ପ୍ରଫେସର ଗୋପାଳ ଏମ୍‌ବିବିଏସ୍‌ ପଢ଼ିବା ପାଇଁ ୫ଦିନ ପର୍ଯ୍ୟନ୍ତ ଖାଇବା ପିଇବା ଛାଡ଼ି ଦେଇଥିଲେ । ଯାହା ପରେ ଆଗ୍ରାର ମେଡ଼ିକାଲ କଲେଜରେ ଜେନେରାଲ ସର୍ଜରୀ ବିଭାଗରେ ଗୋପାଳଙ୍କ ନାଁ ଲେଖାଇ ଥିଲେ ପରିବାର ଲୋକେ । ଗୋଟେ ଝିଅ ହୋଇ ଜେନେରାଲ ସର୍ଜରୀ ବିଭାଗରେ ନାଁ ଲେଖାଇଥିବାରୁ ସହପାଠୀଙ୍କ ସମେତ କଲେଜର ପ୍ରଫେସରମାନେ ମଧ୍ୟ ପଢ଼ିବାରେ ସାହାଯ୍ୟ କରି ନ ଥିଲେ । ଅନେକ ବାଧା ବନ୍ଧନ ପରେ ସେ ଶେଷରେ ଦେଶର ପ୍ରଥମ ମହିଳା ସର୍ଜନ ହୋଇ ବାହାରିଥିଲେ ।

୧୯୮୪ମସିହା ପର୍ଯ୍ୟନ୍ତ ଛୋଟ ପିଲାମାନଙ୍କୁ ମୁତ୍ରାଶୟରେ ହେଉଥିବା ଅସୁବିଧାର ସମାଧାନ ପାଇଁ କରାଯାଉଥିବା ଅସ୍ତ୍ରୋପଚାରରେ ଯେଉଁ ଉପକରଣ ଦରକାର ହେଉଥିଲା, ତାହାର ଦାମ୍‌ ୩ଲକ୍ଷ ଟଙ୍କା ରହିଥିଲା । ଯାହା ପାଇଁ ଅର୍ଥାଭାବରୁ ଭାରତରେ ଲୋକମାନେ ଚିକିତ୍ସା କରିବାରେ ଅସମର୍ଥ ହେଉଥିଲେ । ଏ ସମସ୍ୟା ଦେଖି ପ୍ରଫେସର ଗୋପାଳ ନିଜେ ଗବେଷଣା କରି ଅସ୍ତ୍ରୋପଚାରରେ ପାଇଁ ଉପକରଣ ତିଆରି କରିଥିଲେ, ଯାହା ମାତ୍ର ୫୦୦ଟଙ୍କାରେ ଉପଲବ୍ଧ ହୋଇଥିଲା । ଏଭଳି ଅନେକ ନୂଆ ଉପକରଣ ପ୍ରସ୍ତୁତ କରି ସେ ଭାରତରେ ଚିକିିତ୍ସାକୁ ସହଜ ଏବଂ ଶସ୍ତା କରିଥିଲେ । ଯାହା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସମ୍ବନ୍ଧିତ ଖବର