ତିଆରି ହେଲା ବିଶ୍ୱର ପ୍ରଥମ ଇଲେକ୍ଟ୍ରିକ ରାସ୍ତା !

ବିଶ୍ୱର ପ୍ରଥମ ଇଲେକ୍ଟ୍ରିକାଲ ରାସ୍ତା ସ୍ୱିଡେନ ଠାରେ ତିଆରି ହୋଇଛି। ଏହି ରାସ୍ତାରେ ଇଲେକ୍ଟ୍ରିକ ଟ୍ରାକ ବିଛାଯାଇଛି। ଯାହାଦ୍ୱାରା ଏହା ଉପରେ ଅତିକ୍ରମ କଲେ ଇଲେକ୍ଟ୍ରିକ କାର ଏବଂ ଟ୍ରକର ବ୍ୟାଟେରୀ ଗୁଡିକ ଚାର୍ଜ ହୋଇପାରିବ। ଏହି ରାସ୍ତାକୁ ସ୍ୱିଡେନର ଷ୍ଟଲହୋମ୍‌ର ପାଖାପାଖି ଅଞ୍ଚଳରେ ଉପଯୋଗ କରାଯିବା ନିମନ୍ତେ ଖୋଲାଯାଇଛି।

ଦ ଗାର୍ଡିୟନ ରିପୋର୍ଟ ଅନୁଯାୟୀ, ଏହି ରାସ୍ତା ସରକାରୀ ଯୋଜନାର ଏକ ଅଂଶ ଅଟେ। ସୁଚନା ଅନୁଯାୟୀ, ଏହି ରାସ୍ତା ପାଖାପାଖି ୨ କିଲୋମିଟର ଲମ୍ବା ଅଟେ। କିନ୍ତୁ ଭବିଷ୍ୟତରେ ଏହାର ବିସ୍ତାର କରାଯାଇ ସମଗ୍ର ଦେଶରେ ପାଖାପାଖି ୨୦ ହଜାର କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଏବଂ ରାଜପଥ ତିଆରି କରାଯିବା ନେଇ ଯୋଜନା ରହିଛି। ଏହି ରାସ୍ତା ଏକ ଏମ୍ବଡେଡ ଇଲେକ୍ଟ୍ରିକ ରେଳ ଜରିଆରେ ଗାଡିଗୁଡିକୁ ଚାର୍ଜ କରିଥାଏ।

ଏହି ରାସ୍ତାର ଉପଯୋଗ କରିବା ପାଇଁ ଇଲେକ୍ଟ୍ରିକ କାର ଏବଂ ଟ୍ରକ ଗୁଡିକୁ ଏକ ମୁଭେବୁଲ ଆର୍ମ ଇନଷ୍ଟଲ କରିବାକୁ ପଡିବ। ଏହି ଆର୍ମ ଟ୍ରାକ ସହ ସଂଯୋଗ ହେବ ଏବଂ ଟ୍ରାକ ଉପରେ ଗାଡି ଗୁଡିକ ଅତିକ୍ରମ କଲେ ଗାଡିର ବ୍ୟାଟେରୀ ଗୁଡିକ ଚାର୍ଜ ହୋଇଯିବ। ତେବେ ଏହି ସିଷ୍ଟମର ଦର କିଲୋମିଟର ପ୍ରତି ୧.୨ ମିଲିୟନ ଡଲାର ଅଟେ।

ଏହି ରାସ୍ତା ତିଆରି କରିଥିବା ନିର୍ମାଣଧୀନ ଅଧିକାରୀଙ୍କ କହିବା କଥା, ଏହି ଟେକ୍ନୋଲୋଜି ଦ୍ୱାରା ଗାଡି ଗୁଡିକର ବ୍ୟାଟେରୀ ଚାର୍ଜ ହେବା ପାଇଁ ଗାଡିଗୁଡିକୁ ଅଟକିବା ପାଇଁ ପଡିବ ନାହିଁ । ଏହା ସହ ସମୟ ମଧ୍ୟ ବଞ୍ଚିବ। ଏହାଦ୍ୱାରା କାରର ବ୍ୟାଟେରୀ ଗୁଡିକୁ ମଧ୍ୟ ଛୋଟ କରାଯାଇପାରିବ। କାରଣ ସେଗୁଡିକୁ ଅଧିକ ପାୱାର ଷ୍ଟୋର କରିବାର କୌଣସି ଆବଶ୍ୟକତା ପଡିବ ନାହିଁ। ଏଥି ସହ ବ୍ୟାଟେରୀ ତିଆରି କରାଯିବାରେ ଲାଗୁଥିବା ଅର୍ଥରେ ମଧ୍ୟ ହ୍ରାସ କରାଯାଇପାରିବ।

ଏହି ପ୍ରୋଜେକ୍ଟ ସହ ଯୋଡିହୋଇ ରହିଥିବା ଜଣେ ଅଧିକାରୀ କହିଛନ୍ତି, ଏହି ରାସ୍ତାର ଉପର ପାର୍ଶ୍ୱରେ କୌଣସି ବିଦ୍ୟୁତ ସଂଯୋଗ ନାହିଁ । ଟ୍ରାକର ୫-୬ ସେଣ୍ଟିମିଟର ଭିତରେ ବିଦ୍ୟୁତ ସଂଯୋଗ କରାଯାଇଛି। ତେବେ ଏହି ଟ୍ରାକ ଉପରେ ଖାଲି ପାଦରେ ମଧ୍ୟ ଚାଲିହେବ। କିନ୍ତୁ ଯଦି ରାସ୍ତାକୁ ଲୁଣି ପାଣିରେ ଘୋଡାଇ ଦିଆଯାଏ, ତେବେ ଉପର ପାର୍ଶ୍ୱରେ ଇଲେକ୍ଟ୍ରିସିଟିର ଲେବୁଲ ୧ ଭୋଲ୍‌ଟ ରହିଥାଏ।

ସମ୍ବନ୍ଧିତ ଖବର