ଆଜି ବିଶ୍ୱ କିଡ୍ନି ଦିବସ : ଭାରତରେ କିଡ୍ନି ରୋଗୀଙ୍କ ସଂଖ୍ୟା ଚିନ୍ତାଜନକ
ଡା. ବିବେକାନନ୍ଦ ପଣ୍ଡା
ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ମାର୍ଚ୍ଚମାସ ଦ୍ବିତୀୟ ଗୁରୁବାର ଅର୍ଥାତ ୧୨ ତାରିଖ ବିଶ୍ବ କିଡ୍ନି ଦିବସ ପାଳନ କରାଯାଉଛି। ଏହି ବର୍ଷର ମନ୍ତ୍ର ହେଉଛି ‘କିଡ୍ନିର ସ୍ବାସ୍ଥ୍ୟ ସମସ୍ତଙ୍କ ପାଇଁଏବଂ ସବୁ ସ୍ଥାନରେ’ ଅର୍ଥାତ୍ କିଡ୍ନିର ଯତ୍ନ କେମିତି ନିଆଯାଏ ଏବଂ ଏହି ରୋଗର କାରଣ, ଲକ୍ଷଣ ଓ ପ୍ରତିଷେଧକ ବିଷୟରେ ସମସ୍ତେ ଅବଗତ ହେବା ଦରକାର। ସାଧାରଣ ପରୀକ୍ଷା ମାଧ୍ୟମରେ କିଡ୍ନି ରୋଗକୁ ଯେଭଳି ଭାବରେ ଜାଣିହେବ, ତାହା ଛୋଟ ଛୋଟ ଡାକ୍ତରଖାନାରେ ମଧ୍ୟ ଉପଲବ୍ଧ ହେବା ଦରକାର। ଯାହାଦ୍ବାରା ପ୍ରାଥମିକ ପର୍ଯ୍ୟାୟରୁ ଏହି ରୋଗ ନିରୂପଣ କରିହେବ।
Sambad is now on WhatsApp
Join and get latest news updates delivered to you via WhatsApp
ସାରା ବିଶ୍ବରେ ଏବେ ୮୫ କୋଟି ଲୋକ କିଡ୍ନି ରୋଗରେ ଆକ୍ରାନ୍ତ। ଆମ ଭାରତ ବର୍ଷରେ ପ୍ରତି ୧୦ ଲକ୍ଷ ଲୋକସଂଖ୍ୟାରେ ୮୦୦ ଜଣ କିଡ୍ନି ରୋଗରେ ପୀଡ଼ିତ। ସେଥିମଧ୍ୟରୁ କେବଳ ୧୫୦ରୁ ୨୩୦ଜଣ ଡାଏଲିସିସ କିମ୍ବା କିଡ୍ନି ପ୍ରତିରୋପଣ ଦରକାର କରୁଛନ୍ତି। ପ୍ରତିବର୍ଷ ୧ ଲକ୍ଷ ନୂଆ ‘ଏଣ୍ଡ ଷ୍ଟେଟ୍ କିଡ୍ନି’ ରୋଗରେ ପୀଡ଼ିତ ରୋଗୀ ଦେଖାଯାଉଛନ୍ତି; ଯେଉଁମାନଙ୍କର କିଡ୍ନି ସଂପୂର୍ଣ୍ଣ ଖରାପ ହୋଇ ଯାଇଛି। ତେଣୁ ଏତେ ସଂଖ୍ୟକ କିଡ୍ନି ରୋଗରେ ଆକ୍ରାନ୍ତ ହେବା ସାରା ବିଶ୍ବ ପାଇଁ ଏକ ଚିନ୍ତାର ବିଷୟ।
କିଡ୍ନି ସଂପୂର୍ଣ୍ଣ ଖରାପ ହୋଇଗଲେ ଡାଏଲିସିସ କିମ୍ବା ପ୍ରତିରୋପଣ ବ୍ୟତୀତ ଆଉ କିଛି ପ୍ରତିକାର ନାହିଁ। ତେଣୁ କିଡ୍ନି ରୋଗ ନ ହେବା ପାଇଁ ପ୍ରତିଷେଧକ କିମ୍ବା ରୋଗ ହେଲେ ତତ୍କ୍ଷଣାତ୍ ନିରୂପଣ କରି ଚିକିତ୍ସା କରିବା ଉଚିତ। ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍ କିଡ୍ନି ରୋଗର ମୁଖ୍ୟ କାରଣ। ଅନ୍ୟ ରୋଗ ଯଥା ଗ୍ଲୋମେରୁଲୋନେଫ୍ରାଇଟିସ୍, କିଡ୍ନି ଷ୍ଟୋନ ଡିଜିଜ ଆଦି କିଡ୍ନି ରୋଗର କାରଣ ହୋଇପାରେ।
ରୋଗର ଲକ୍ଷଣ:
ଗୋଡ଼ ଫୁଲିବା, ମୁହଁ ଫୁଲିବା, ପରିସ୍ରାରେ ଫେଣ ହେବା, ଉଚ୍ଚ ରକ୍ତଚାପ ଥିବା କମ୍ ବୟସ୍କ ବ୍ୟକ୍ତି, ଅଣନିଶ୍ବାସୀ ଲାଗିବା, ରକ୍ତହୀନତା, ବାନ୍ତି ଲାଗିବା, ବାନ୍ତି ହେବା, ଭୋକ ନ ଲାଗିବା, ଦୁର୍ବଳତା, ଗଣ୍ଠିବଥା, ଦେହ କୁଣ୍ଡାଇ ହେବା ଇତ୍ୟାଦି।
କିଡ୍ନି ରୋଗ ଆରମ୍ଭରେ ରୋଗୀ ପାଖରେ ଲକ୍ଷଣ ପ୍ରାୟ ନ ଥାଏ। ପ୍ରାୟ ରୋଗୀ ଅନ୍ୟ ରୋଗ ପାଇଁ ପରୀକ୍ଷା କରିଥିବାବେଳେ କିଡ୍ନି ଖରାପ ଜଣାପଡ଼ିଥାଏ। ତେଣୁ ରୋଗ ନିରୂପଣରେ ବିଳମ୍ବ ହୋଇଥାଏ। ଅଧିକାଂଶ ରୋଗୀଙ୍କର ରୋଗ ନିରୂପଣ ବେଳକୁ ଦୁଇଟି କିଡ୍ନି ୫୦ ପ୍ରତିଶତ ଖରାପ ହୋଇ ସାରିଥାଏ। ସାଧାରଣ ପରୀକ୍ଷା ପରିସ୍ରାରେ ପ୍ରୋଟିନ୍ ଟେଷ୍ଟ, ରକ୍ତରେ ୟୁରିଆ, କ୍ରିଏଟିନିନ୍ ଏବଂ ଅଲଟ୍ରାସାଉଣ୍ଡ ଆଦି ଦ୍ବାରା କିଡ୍ନି ରୋଗ ସହଜରେ ନିରୂପଣ କରି ହୋଇଥାଏ।
କ୍ରୋନିକ୍ କିଡ୍ନି ଡିଜିଜ୍ ୫ ଷ୍ଟେଜ୍ରେ ବିଭକ୍ତ:
ପ୍ରଥମରୁ ଚତୁର୍ଥ ଷ୍ଟେଜ୍ ଯାଏ ଔଷଧ ଦ୍ବାରା ଚିକିତ୍ସା ହୋଇଥାଏ। ପଞ୍ଚମ ଷ୍ଟେଜ୍ର ଚିକିତ୍ସା ଡାଏଲିସିସ ଓ କିଡ୍ନି ପ୍ରତିରୋପଣ ଦ୍ବାରା ହୋଇଥାଏ।
ଷ୍ଟେଜ୍ ୧ରୁ ୪ ଯାଏ ଚିକିତ୍ସା:
ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ, ପ୍ରୋଟିନ୍ ଏବଂ ପୋଟାସିୟମଯୁକ୍ତ ଥିବା ଖାଦ୍ୟ କମେଇବା, ବ୍ୟଥା ପାଇଁ ବ୍ୟବହୃତ ଔଷଧ କମ୍ ସେବନ କରିବା, ଧୂମପାନ ଓ ମଦ୍ୟପାନ ନ କରିବା, ମେଦବହୁଳତା କମେଇବା, ହୃଦ୍ରୋଗ ଓ ଲିଭର ରୋଗ ଆଦି ଥିଲେ ଚିକିତ୍ସା କରାଇବା, ଇନ୍ଫେକସନ ଥାଏ ତେବେ ତାହା କମେଇବେ, ୟୁରିକ ଏସିଡ୍ ନିୟନ୍ତ୍ରଣ କରିବା ଦ୍ବାରା ଏହାର ଚିକିତ୍ସା କରାଯାଏ।
କିଡ୍ନି ସୁସ୍ଥ ରଖିବାର ଉପାୟ:
ଓଜନ କମେଇବା, ପରିସ୍ରାରେ ମାଇକ୍ରୋଆଲବୁମିନ୍, ସିରମ୍ କ୍ରିଏଟିନିନ୍ ଆଦି ପରୀକ୍ଷା ବର୍ଷକରେ ଥରେ କରାନ୍ତୁ, କଲୋଷ୍ଟୋଲ କଣ୍ଟ୍ରୋଲ କରନ୍ତୁ, ଦିନକୁ ୨ରୁ୩ ଲିଟର ପାଣି ପିଅନ୍ତୁ, ସବୁଜ ପନିପରିବା ଖାଆନ୍ତୁ, ଧୂମପାନ ଓ ମଦ୍ୟପାନ ବନ୍ଦ କରନ୍ତୁ, ଅଧିକ ୟୁରିକ ଏସିଡ୍ ଥିଲେ କମ୍ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଆନ୍ତୁ ଓ ଡାକ୍ତର ସହ ପରାମର୍ଶ କରନ୍ତୁ।
ବରିଷ୍ଠ କିଡ୍ନି ରୋଗ ବିଶେଷଜ୍ଞ
ଆପୋଲୋ ହସ୍ପିଟାଲ, ଭୁବନେଶ୍ବର