ମୃତ୍ୟୁଶଯ୍ୟାରେ ନିଜର ଅବସୋସ ବିଷୟରେ ଖୋଲି କହିଲେ ଯଶୋଦା; ମାଆଙ୍କ ଇଚ୍ଛାକୁ ଏମିତି ପୂରା କଲେ ଶ୍ରୀକୃଷ୍ଣ

ଜନ୍ମକଲା ମାଆ ନହେଲେ ବି ଜନ୍ମକଲା ମାଆ ଦେବକୀଙ୍କଠାରୁ ବି ଯଶୋଦାଙ୍କୁ ଉଚ୍ଚ ଆସନ ଦେଇଥିଲେ ଶ୍ରୀକୃଷ୍ଣ। ଏପରିକି ସର୍ବସମ୍ମୁଖରେ ପ୍ରମାଣ କରି ଦେଇଥିଲେ ଯେ ଜନ୍ମକର୍ତ୍ତାଠାରୁ ପାଳନକର୍ତ୍ତା ମହାନ ହୋଇଥାନ୍ତି। ଯଶୋଦା କିପରି ଭାବେ ନିଜ ସ୍ନେହର ପଣତକାନିରେ ପୁତ୍ର କାହ୍ନାକୁ ବାନ୍ଧି ରଖିଥିଲେ ତାହା ତ ଆପଣ ଅଳ୍ପ ବହୁତ ନିଶ୍ଚୟ ଜାଣିଥିବେ। ଦେବକୀଙ୍କ ଗର୍ବ ଭାଙ୍ଗି ଥରେ ମୁରଲୀଧର ଯଶୋଦାଙ୍କ ସ୍ନେହକୁ ଉଚ୍ଚାସନ ଦେଇଥିଲେ। ଅବଶ୍ୟ ନିଜ ପାଳିତ ମାଆ ଯଶୋଦାଙ୍କ ସହ ସବୁଦିନ ପାଇଁ ରହିପାରିନଥିଲେ ଶ୍ରୀକୃଷ୍ଣ। ଏପରିକି ନନ୍ଦ, ଯଶୋଦାଙ୍କୁ ପରିଣତ ବୟସରେ ଏକା ଛାଡ଼ି ଚାଲି ଯାଇଥିବା ହେତୁ ଭଗବାନ ହେଲେ ବି ତାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଥିଲା। ଜଗତର ସଭିଙ୍କ ଦୁଃଖ ହରଣ କରୁଥିବା ହରିଙ୍କର ମାଆ ହୋଇ ବି ଯଶୋଦାଙ୍କ ଶେଷ ଇଚ୍ଛା କିନ୍ତୁ ସେ ସେହି ଜନ୍ମରେ ପୂରା କରି ପାରିନଥିଲେ ପୁତ୍ର କାହ୍ନା। ଜଗତ୍‌କର୍ତ୍ତାଙ୍କ ମାଆ ହୋଇ ବି ଯଶୋଧାଙ୍କ ମନରେ ମୃତ୍ୟୁ ପୂର୍ବରୁ ଏକ ଅବସୋସ ରହି ଯାଇଥିଲା। ଚାଲନ୍ତୁ ଜାଣିବା ସେ ଅବସୋସ କ’ଣ।

ମୃତୁଶଯ୍ୟାରେ ପଡ଼ିଥାନ୍ତି ମାଆ ଯଶୋଦା। କାହ୍ନାକୁ ମନେ ପକାଇ ପକାଇ କାନ୍ଦୁଥାନ୍ତି। ଶେଷ ସମୟରେ ସେ କହି ଯାଇଥିଲେ କି ତାଙ୍କ ଜୀବନରେ ଏକ ବିରାଟ ଅବସୋସ ରହିଗଲା। ଅବସୋସଟି ହେଲା ସେ ପୁତ୍ର ଶ୍ରୀକୃଷ୍ଣଙ୍କର ପତ୍ନୀକୁ ଦେଖିପାରିଲେ ନାହିଁ। ସେ ଇଚ୍ଛା କରିଥିଲେ ନିଜ ପୁଅ ବାହାଘର ପରେ ହିଁ ଦେହତ୍ୟାଗ କରିଥାନ୍ତେ। ପୂତ୍ରବଧୂକୁ ଦେଖିବା ପରେ ତାଙ୍କ ମାଆ ଜନ୍ମ ସାର୍ଥକ ହୋଇଥାନ୍ତା। ମାଆଙ୍କର ଏହି ଇଚ୍ଛାକୁ ସମ୍ମାନ ଦେଇ ଶ୍ରୀକୃଷ୍ଣ ବି ଏକ ବଚନ ଦେଇଥିଲେ। ଏ ଜନ୍ମରେ ନହେଲେ ବି ପର ଜନ୍ମରେ ମୋ ବିବାହ ତୁମେ ଅବଶ୍ୟ ଦେଖିବ ମାଆ! ବୋଲି କହିଥଲେ ଶ୍ରୀକୃଷ୍ଣ। ଠିକ୍‌ ସେୟା ହିଁ ହେଲା। ପର ଜନ୍ମରେ ଯଶୋଦା ହେଲେ ଭାକୁଲଦେବୀ। କୃଷ୍ଣ ହେଲେ ଭେଙ୍କଟେଶ୍ୱର। ଯଶୋଧା ହୋଇ ପୁତ୍ର ବିବାହର ଖୁସିରେ ନିଜକୁ ସାମିଲ୍‌ କରାଇ ନପାରିଥିଲେ ବି ଭାକୁଲଦେବୀ ହୋଇ ଯଶୋଦାଙ୍କ ଇଚ୍ଛା ପୂରା କରିଥିଲେ ମୁରଲୀଧର।

ସମ୍ବନ୍ଧିତ ଖବର