ୟୁ-ଟ୍ୟୁବ୍‌ ପ୍ରସିଦ୍ଧ ଶତାୟୁ ମହିଳା

ଇଣ୍ଟର୍‌ନେଟ୍‌ର ଯୁଗ। ଲୋକେ ଇଣ୍ଟର୍‌ନେଟ୍‌ ଜରିଆରେ ନିଜର ଭାବନା ଆଉ ଚିନ୍ତାଧାରାକୁ ଅସଂଖ୍ୟ ଲୋକଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି। ଏହା ମାଧ୍ୟମରେ ପୂର୍ବରୁ ଅପହଞ୍ଚ ଓ ସୁଦୂର ଇଲାକା ବୋଲି କୁହା ଯାଉଥିବା ସ୍ଥାନର ଲୋକମାନେ ମଧ୍ୟ ନିଜର ପ୍ରତିଭାକୁ ସାରା ବିଶ୍ୱର ଲୋକଙ୍କ ସହ ବାଣ୍ଟି ପାରୁଛନ୍ତି। ଇଣ୍ଟର୍‌ନେଟ୍‌ ଏକ ସାମାଜିକ ସନ୍ତୁଳନ ତିଆରି କରିବାରେ ବଡ଼ ଭୂମିକା ନେଇଛି। ଏହା ଏବେ ଯୁବପିଢ଼ିର ଲୋକଙ୍କର ପ୍ରଥମ ପସନ୍ଦ ଓ ଅସ୍ତ୍ର ମଧ୍ୟ।
କିନ୍ତୁ ଭାବି ପାରୁଛନ୍ତି କି ଜଣେ ୧୦୬ ବର୍ଷ ବୟସ୍କା ମହିଳା ମଧ୍ୟ ଏଇ ଇଣ୍ଟର୍‌ନେଟ୍‌କୁ ନିଜର କରି ଉଲ୍ଲେଖନୀୟ କାମ କରୁଥିବେ! ସେ ହେଉଛନ୍ତି ମସ୍ତନମା। ଏବେ ୟୁ-ଟ୍ୟୁବ୍‌ରେ ମସ୍ତନମାଙ୍କ ରାନ୍ଧଣା ସୋ’ ଅସମ୍ଭବ ଭାବେ ଲୋକପ୍ରିୟ। ଏବେ ଲୋକେ ଆଉ ମନେ ରଖି ନ ଥିବା ଏବଂ ହଜି ଯାଇଥିବା ଆନ୍ଧ୍ରପ୍ରଦେଶର ପାରମ୍ପରିକ ରାନ୍ଧଣାକୁ ହିଁ ସେ ଦେଖାଉଛନ୍ତି। ଲୋକେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଆଉ ଗୋଟିଏ ବଡ଼କଥା ହେଉଛି, ଏହି ବୃଦ୍ଧା ଜଣକ ଗୋଟିଏ ଗାଁରେ ରହନ୍ତି। ସେଇ ଗାଁରେ ରହି, ନିଜ ହାତପାଆନ୍ତାରେ ମିଳୁଥିବା ଜିନିଷର ବ୍ୟବହାରରେ ସେ ନିଜର ରନ୍ଧନ କୌଶଳ ଇଣ୍ଟର୍‌ନେଟ୍‌ ମାଧ୍ୟମରେ ସାରା ବିଶ୍ୱ ସହିତ ବାଣ୍ଟୁଛନ୍ତି।

ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର୍‌ ଜିଲ୍ଲାର କୋପାଲି ଗାଁରେ ମସ୍ତନମାଙ୍କ ଜନ୍ମ। ସେ ଏକ ହିନ୍ଦୁ ପରିବାରରେ ଜନ୍ମ ହୋଇଥିଲେ, କିନ୍ତୁ ଛୋଟବେଳେ ତାଙ୍କୁ ଗୋଟିଏ ମୁସ୍‌ଲିମ୍‌ ପରିବାର ପୋଷ୍ୟ କନ୍ୟା ଭାବେ ଗ୍ରହଣ କରି ନେଇଥିଲେ। କାରଣ ସେହି ପରିବାରରେ କେହି ଝିଅ ନ ଥିଲେ। ସେହି ପରିବାରର ଲୋକମାନେ ହିଁ ତାଙ୍କ ନାଁ ମସ୍ତନମା ଦେଇଥିଲେ। ହେଲେ କିଛିଦିନ ପରେ ମସ୍ତନମାଙ୍କୁ ଭଲ ନ ଲାଗିବାରୁ ତାଙ୍କ ନୂଆ ପରିବାରକୁ ଛାଡ଼ି ନିଜ ଗାଁକୁ ଫେରି ଆସିଥିଲେ। ୧୧ ବର୍ଷ ବୟସରେ ସେ ବାହା ହୋଇଥିଲେ, ୨୨ ବର୍ଷ ବୟସରେ ସେ ବିଧବା ହୋଇଗଲେ। ସେ ସମୟ ମସ୍ତନମାଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା। ତାଙ୍କ ସ୍ୱାମୀ ଚାଲିଗଲା ପରେ ସେ ଏକାକୀ ୫ଟି ପିଲାଙ୍କ ଦାୟିତ୍ୱ ବହନ କରିଥିଲେ। ବହୁ କଷ୍ଟରେ ସେ ଜୀବନ ବିତାଉଥିଲେ। ଏତିକିରେ ବି ଦୁଃଖ ତାଙ୍କ ପିଛା ଛାଡ଼ି ନ ଥିଲା। ରୋଗରେ ତାଙ୍କର ୪ଟି ପୁଅ ପ୍ରାଣ ହରାଇଥିଲେ। ପାଞ୍ଚଟିରୁ ଗୋଟିଏ ପୁଅ ବଞ୍ଚିଲା ସତ ହେଲେ ସେ ଦୃଷ୍ଟିଶକ୍ତି ହରାଇ ବସିଥିଲା। ମସ୍ତନମା ବହୁ କଷ୍ଟରେ ଜୀବନ କଟାଉଥିଲେ। ସେ କ୍ଷେତରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ଯେତିକି ରୋଜଗାର କରୁଥିଲେ, ସେତିକିରେ ସେ ଓ ତାଙ୍କ ପୁଅ ଅତି କଷ୍ଟରେ ଚଳିଯାଉଥିଲେ। ତେବେ ପୁଅ ରୋଜଗାରକ୍ଷମ ହେବାପରେ ଅବସ୍ଥା କିଛିଟା ବଦଳିଗଲା।
ତେବେ ଇଣ୍ଟର୍‌ନେଟ୍‌ ସହିତ ମସ୍ତନମାଙ୍କର ସଂପର୍କ ଆରମ୍ଭ ହେଲା କେମିତି?

ବର୍ତ୍ତମାନ ସମୟରେ ତାଙ୍କୁ ଭାରତର ବୟସ୍କ ୟୁ-ଟ୍ୟୁବର୍‌ ମହିଳା ବୋଲି କୁହାଯାଉଛି। ପାରମ୍ପରିକ ଢଙ୍ଗରେ ଖାଦ୍ୟ ପ୍ରସ୍ତୁତ କରିବା ତାଙ୍କୁ ବେଶ୍‌ ଭଲରେ ଜଣା। ମସ୍ତନମାଙ୍କ କାମ କରିବାର ଉତ୍ସାହ ଏବଂ ସୁନ୍ଦର ଖାଦ୍ୟ ପ୍ରସ୍ତୁତି ପାଇଁ ସେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚିତ ହୋଇପାରିଛନ୍ତି। ଏବେ ପର୍ଯ୍ୟନ୍ତ ତାଙ୍କ ଚ୍ୟାନେଲ୍‌କୁ ପାଖାପାଖି ୫ ଲକ୍ଷରୁ ଅଧିକ ଲୋକ ସବ୍‌ସ୍କ୍ରାଇବ୍‌ ମଧ୍ୟ କରିସାରିଛନ୍ତି। ସେହି ଚ୍ୟାନେଲ୍‌ର ନାମ ହେଉଛି ‘କଣ୍ଟ୍ରି ଫୁଡ୍‌ସ୍‌’।
ମସ୍ତନମା ୟୁ-ଟ୍ୟୁବ୍‌ରେ ଏକ ଲୋକପ୍ରିୟ ଚେହେରା ହୋଇପାରିଛନ୍ତି। ଏହା ପଛରେ ଏକ ରୋମାଞ୍ଚକର କାହାଣୀ ମଧ୍ୟ ରହିଛି।
ମସ୍ତନମାଙ୍କ ନାତି କେ. ଲକ୍ଷ୍ମଣ ବୃତ୍ତିରେ ଜଣେ ଗ୍ରାଫିକ୍‌ ଡିଜାଇନର୍‌। ଥରେ ଲକ୍ଷ୍ମଣ ଓ ତାଙ୍କ ସାଙ୍ଗ ଶ୍ରୀନାଥ ରେଡ୍ଡି ମିଶି ଏକ ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ ପ୍ରସ୍ତୁତ କରିବା ପାଇଁ ଚିନ୍ତା କଲେ। ୨୦୧୬ ଅଗଷ୍ଟ ମାସରେ ‘କଣ୍ଟ୍ରି ଫୁଡ୍‌ସ୍‌’ ନାମରେ ଏହି ଚ୍ୟାନେଲ୍‌ ଆରମ୍ଭ ହୋଇଥିଲା। ପ୍ରଥମେ ସେମାନେ ୪୦ଟି ରାନ୍ଧଣା ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ହେଲେ ସେଥିରୁ ବିଶେଷ କିଛି ସଫଳତା ମିଳି ନ ଥିଲା। ସେତିକି ବେଳେ ଲକ୍ଷ୍ମଣଙ୍କ ମା’ କହିଥିଲେ ଯେ ତାଙ୍କ ଜେଜେମା’ ଭଲ ଖାଦ୍ୟ ପ୍ରସ୍ତୁତ କରି ଜାଣନ୍ତି। ଲକ୍ଷ୍ମଣ ହାଇଦ୍ରାବାଦରେ ରହୁଥିବା ହେତୁ ଜେଜେମା’ଙ୍କ ସହିତ ସେତେଟା ମିଶି ପାରି ନ ଥିଲେ। ପାଖା ପାଖି ଚାରି ପାଞ୍ଚ ମାସ ପରେ ବନ୍ଧୁ ଶ୍ରୀନାଥଙ୍କୁ ନେଇ ଲକ୍ଷ୍ମଣ ଗାଁକୁ ଗଲେ। କିଛି ଦିନ ସେଠାରେ ରହିବା ପରେ ସେମାନେ ଜାଣିବାକୁ ପାଇଲେ ଯେ ମସ୍ତନମା ଚମତ୍କାର ରୋଷେଇ କରନ୍ତି। ବୃଦ୍ଧା ବୟସରେ ମଧ୍ୟ ମସ୍ତନମା ଅତି ସହଜ ଉପାୟରେ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରିବା ସେମାନେ ଦେଖିଲେ। ସେ ଅଞ୍ଚଳରେ ଜଣେ ଭଲ ରୋଷେୟା ଭାବେ ମଧ୍ୟ ଜଣାଶୁଣା ଥିଲେ। ଲକ୍ଷ୍ମଣ ଓ ତାଙ୍କ ସାଙ୍ଗ ମସ୍ତନମାଙ୍କ ରୋଷେଇର ଦୁଇ ତିନିଟି ଭିଡିଓ ତାଙ୍କ ଚ୍ୟାନେଲ୍‌ରେ ଅପ୍‌ଲୋଡ୍‌ କରିବା ପାଇଁ ସ୍ଥିର କଲେ। ସେମାନେ ମସ୍ତନମାଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ କହିଲେ ଏବଂ ସେଗୁଡ଼ିକୁ ରେକର୍ଡିଂ କରି ଚ୍ୟାନେଲ୍‌ରେ ଅପ୍‌ଲୋଡ୍‌ କଲେ। ମସ୍ତନମା ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ ପାଇଁ ପ୍ରସ୍ତୁତ କରିଥିବା ପ୍ରଥମ ରାନ୍ଧଣା ଥିଲା ‘ବାଇଗଣ କଢ଼ି’। ଏକ ଧାନ କ୍ଷେତ ମଧ୍ୟରେ ଅସ୍ଥାୟୀ ଚୁଲିରେ ସେ ଏହାକୁ ରାନ୍ଧିଥିଲେ। ଗାଁର ସରଳ ସୁନ୍ଦର ପରିବେଶ ଲୋକଙ୍କ ଆଗକୁ ଆଣିବା ପାଇଁ ଏଭଳି କରା ଯାଇଥିଲା। ମସ୍ତନମାଙ୍କ ଖାଦ୍ୟ ପ୍ରସ୍ତୁତି ଶୈଳୀକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରିଥିଲେ। ତାଙ୍କ ଭିଡିଓରେ ବହୁତ ପ୍ରଶଂସାପୂର୍ଣ୍ଣ କମେଣ୍ଟ୍‌ ଆସିଲା। ତେଣୁ ସେମାନେ ମସ୍ତନମାଙ୍କ ଖାଦ୍ୟ ପ୍ରସ୍ତୁତିର ଅଧିକ ଭିଡିଓ ଅପ୍‌ଲୋଡ୍‌ କରିବା ପାଇଁ ସ୍ଥିର କଲେ। ଦର୍ଶକଙ୍କ ଭିତରେ ମସ୍ତନମାଙ୍କର ଲୋକପ୍ରିୟତା ଆଶ୍ଚର୍ଯ୍ୟଜନକ ଭାବେ ବଢ଼ି ଚାଲିଲା। ସେମାନେ ତାଙ୍କର ଅଧିକରୁ ଅଧିକ ଭିଡିଓ ପାଇଁ ଅନୁରୋଧ କଲେ। ତାଙ୍କ ଭିଡିଓଗୁଡ଼ିକର ଦେଖଣାହାରିଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ପରେ ସେମାନେ ଏହି ଚ୍ୟାନେଲ୍‌କୁ ‘କଣ୍ଟ୍ରି ଫୁଡ୍‌ସ୍‌’ ନାମ ଦେଲେ। ‘କଣ୍ଟ୍ରି ଫୁଡ୍‌ସ୍‌’ ନାଁ ଦେବାର ମୂଳ ଉଦ୍ଦେଶ୍ୟ ଥିଲା ଭାରତର ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା। ମସ୍ତନମା ଚୁଲିରେ ଖାଦ୍ୟ ପ୍ରସ୍ତୁତି କରନ୍ତି। ଏଥିପାଇଁ ସେ କେବଳ ଶୁଖିଲା ପତ୍ର ଓ କାଠ ବ୍ୟବହାର କରନ୍ତି। ସେ ସବୁ ପ୍ରକାର ଖାଦ୍ୟକୁ ପାରମ୍ପରିକ ଢଙ୍ଗରେ ପ୍ରସ୍ତୁତ କରନ୍ତି। ଏମିତିକି ଚିକେନ୍‌ ବର୍ଗର ଓ କେଏଫ୍‌ସି ଚିକେନ୍‌କୁ ମଧ୍ୟ ପାରମ୍ପରିକ ଢଙ୍ଗରେ ପ୍ରସ୍ତୁତ କରନ୍ତି। ତାଙ୍କର ସବୁଠାରୁ ଲୋକପ୍ରିୟ ଭିଡିଓ ହେଉଛି ‘ଓ୍ଵାଟର୍‌ମେଲନ୍‌ ଚିକେନ୍‌’। ଏ ପର୍ଯ୍ୟନ୍ତ ୟୁ-ଟ୍ୟୁବ୍‌ରେ ଏହାକୁ ପ୍ରାୟ ଏକକୋଟିରୁ ଅଧିକ ଦର୍ଶକ ଦେଖି ସାରିଛନ୍ତିି। ବହୁ ସଂଖ୍ୟକ ବିଦେଶୀ ଦର୍ଶକ ମଧ୍ୟ ମସ୍ତନମାଙ୍କ ଭିଡିଓ ଦେଖିବାକୁ ପସନ୍ଦ କରୁଛନ୍ତି। ମସ୍ତନମାଙ୍କର ଅସଂଖ୍ୟ ପ୍ରଶଂସକ ଏବେ ଭାରତ ସମେତ ଆମେରିକା, ପାକିସ୍ତାନ, ଇଂଲଣ୍ଡ ଓ ମାଲେସିୟାରେ ଅଛନ୍ତି। ୫ ଲକ୍ଷରୁ ଅଧିକ ଲୋକ ଏହି ଚ୍ୟାନେଲ୍‌କୁ ସବ୍‌ସ୍କ୍ରାଇବ୍‌ କରି ସାରିଛନ୍ତି।

ମସ୍ତନମାଙ୍କ ବିଷୟରେ ସବୁଠୁ ଖାସ୍‌ କଥା ହେଉଛି, ସେ ଏତେ ବୟସ୍କ ହୋଇ ମଧ୍ୟ ଖୁବ୍‌ ଚଳଚଞ୍ଚଳ। ପରିଣତ ବୟସରେ ମଧ୍ୟ ନିଜର ଲମ୍ବା ଜୀବନ ଓ ରନ୍ଧନ ଅଭିଜ୍ଞତାକୁ ପୁଞ୍ଜିକରି ଭଲ ଖାଦ୍ୟ ପ୍ରସ୍ତୁତ କରି ଲୋକମାନଙ୍କୁ ଖୁଆଇ ପାରୁଛନ୍ତି। ସେ ନିଜ କାମକୁ ମଧ୍ୟ ମନଭରି ଉପଭୋଗ କରନ୍ତି। ରୋଷେଇ ପ୍ରତି ତାଙ୍କ ମନରେ ଥିବା ଭଲପାଇବା ସେ ରାନ୍ଧିବାବେଳେ ସ୍ପଷ୍ଟ ଦେଖିହୁଏ।

ସମ୍ବନ୍ଧିତ ଖବର