ଅନ୍‌ଲାଇନ ଟିକେଟ୍‌ ବିକ୍ରି ଆରମ୍ଭ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମ ଟିକେଟ ପୁଲ୍‌ ମ୍ୟାଚ୍‌ ପାଇଁ ୧୦୦-୨୦୦ ନକଆଉଟ୍‌ ଲାଗି ୧୫୦-୨୫୦

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ଆୟୋଜିତ ହେବାକୁ ଥିବା ଚର୍ତୁଦଶ ହକି ବିଶ୍ୱକପ୍‌ ଲାଗି ସୋମବାର ଅନ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଛି। ସୋମବାର ସଚିବାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନଜନକ ପ୍ରତିଯୋଗିତାର ପ୍ରଥମ ଟିକେଟ ଗ୍ରହଣ କରିବା ସହ ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଉପସ୍ଥିତିରେ ହକି ଇଣ୍ଡିଆ ମୁଖ୍ୟକାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ଏହାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।
ଭୁବନେଶ୍ୱର ହକି ବିଶ୍ୱକପକୁ ଆଉ ମାତ୍ର ୬ ମାସ ଥିଲା ବେଳେ ସୋମବାରଠାରୁ ଏହାର ଅବଗଣନା ଆରମ୍ଭ ହୋଇ ଯାଇଛି। ହକିର ଏହି ସର୍ବବୃହତ୍‌ କ୍ରୀଡ଼ା ମହୋତ୍ସବ ଲାଗି ଆଗୁଆ ମାହୋଲ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜିଠାରୁ ଏହାର ଅନଳାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ କରି ଦିଆ ଯାଇଛି। ହକି ର ବିକାଶ ଭୂମି ଓଡ଼ିଶା ଏହି ୧୬ ଦଳୀୟ ପ୍ରତିଯୋଗିତା ଲାଗି ଢେର ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲା ବେଳେ ସ୍ଥାନୀୟ ଦର୍ଶକ ମଧ୍ୟ ଏହାକୁ ଢେର ଭଲ ପାଇବା ଦେବେ ବୋଲି ଆଶା କରାଯାଉଛି। ଭାରତର କ୍ରୀଡ଼ା ରାଜଧାନୀର ମାନ୍ୟତା ଲାଭ କରିଥିବା ଭୁବନେଶ୍ୱରରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ବସିବାକୁ ଥିବା ବିଶ୍ୱର ସବୁଠାରୁ ବଡ଼ ହକିମେଳା ଲାଗି ଏବେଠାରୁ ବ୍ୟାପକ ଉତ୍ସାହ ମଧ୍ୟ ଦେଖିବାକୁ ମିଳୁଛି। ବିଶ୍ୱକପ୍‌ ଲାଗି ହକି ଷ୍ଟାଡିୟମର ଦର୍ଶକ କ୍ଷମତାକୁ ମଧ୍ୟ ୬ ହଜାରରୁ ୨୦,୦୦୦କୁ ବଢ଼ାଇ ଦିଆ ଯାଇଛି। ଟିକେଟ ମୂଲ୍ୟ କିନ୍ତୁ ତୁଳନାତ୍ମକ ଭାବେ କମ୍‌ ରଖା ଯାଇଛି। ହକି କଂପ୍ଲେକ୍ସର ପୂର୍ବ ଷ୍ଟାଣ୍ଡ ଟିକଟ ଦର ପୁଲ୍‌ ଏବଂ କ୍ରସ୍‌ଓଭର ମ୍ୟାଚ୍‌ ଲାଗି ୨୦୦ ଟଙ୍କା ରଖା ଯାଇଥିଲା ବେଳେ ଏହି ଦୁଇ ପର୍ଯ୍ୟାୟ ଲାଗି ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡର ଟିକେଟ ଦର ମାତ୍ର ୧୦୦ ଟଙ୍କା ସ୍ଥିର କରାଯାଇଛି। ନକଆଉଟ୍‌ ମ୍ୟାଚ୍‌ ଲାଗି କିନ୍ତୁ ଦର୍ଶକଙ୍କୁ ଏସବୁ ଟିକେଟ ଲାଗି ୫୦ ଟଙ୍କା ଅଧିକ ଖର୍ଚ କରିବାକୁ ପଡ଼ିବ। ଅର୍ଥାତ୍‌ ନକଆଉଟ୍‌ ପର୍ଯ୍ୟାୟ ଲାଗି ଦର୍ଶକଙ୍କୁ ପୂର୍ବଷ୍ଟାଣ୍ଡ ଲାଗି ୨୫୦ ଏବଂ ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ ଲାଗି ୧୫୦ ଟଙ୍କା ଦେବାକୁ ହେବ। ଅନ୍‌ଲାଇନ୍‌ରେ ପଶ୍ଚିମଷ୍ଟାଣ୍ଡର ଟିକେଟ୍‌ କିନ୍ତୁ ମିଳିବ ନାହିଁ। ହକି ପ୍ରେମୀ htpp://in.ticketgenie.in/buytickets/hockey-world-cup-2018 ଯାଇ ଟିକେଟ୍‌ କିଣି ପାରିବେ। ସୂଚନାଯୋଗ୍ୟ ଯେ ଗତବର୍ଷ ଓଡ଼ିଶା କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱ ଲିଗ୍‌ ଫାଇନାଲକୁ ସଫଳତାର ସହ ଆୟୋଜନ କରିଥିଲା। ଓଡ଼ିଶା ମଧ୍ୟ ସଂପ୍ରତି ଭାରତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ରହିଛି। ସେହି ଦୃଷ୍ଟିରୁ ଏଥରର ବିଶ୍ୱକପ୍‌ ଲୋକପ୍ରିୟତା ଓ ସଫଳତା ଦୃଷ୍ଟିରୁ ପୂର୍ବର ସବୁ ବିଶ୍ୱକପକୁ ବଳିଯିବ ବୋଲି ଆଶା କରାଯାଉଛି। ଟିକେଟ ବିଷୟରେ ଅଧିକ ବିବରଣୀ ଲାଗି କ୍ରୀଡ଼ାପ୍ରେମୀ ୦୮୦୪୧୧୫୦୯୧୦ କିମ୍ବା ୦୮୨୧୭୩୯୫୩୬୪ କିମ୍ବା [email protected]କୁ ଇମେଲ୍‌ କରି ପାରିବେ।
ଓଡ଼ିଶା ପୁରୁଷ ହକି ବିଶ୍ୱକପ-୨୦୧୮ର ଅନଲାଇନ୍‌ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିବା ଘୋଷଣା କରି ମୁଁ ବେଶ୍‌ ଆନନ୍ଦିତ। ପ୍ରଥମ ଟିକେଟ୍‌ ପାଇଥିବାରୁ ଉଲ୍ଲସିତ ମଧ୍ୟ। ଓଡ଼ିଶାବାସୀଙ୍କ ହକି ଜ୍ୱର ସାରା ବିଶ୍ୱରେ ବ୍ୟାପ୍ତ ହେଉ। ହକି ପ୍ରେମୀ ଏବଂ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ଲାଗି ଆମେ ଅପେକ୍ଷାରତ। ସେମାନେ ଓଡ଼ିଶାର ଆତିିଥେୟତା ସହ ଏଠାରେ ରୋମାଞ୍ଚକର ହକି ମୁକାବିଲା ଦେଖିବେ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ବ୍ୟକ୍ତ କରିଥିଲେ।

ସମ୍ବନ୍ଧିତ ଖବର