ଅହମ୍ମଦାବାଦରେ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦରେ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମର ନିର୍ମାଣ ଚାଲିଛି। ଏହି ଷ୍ଟାଡିୟମ୍ ଅଷ୍ଟ୍ରେଲିଆର ମେଲବର୍ନ କ୍ରିକେଟ୍ ଷ୍ଟାଡିୟମଠାରୁ ମଧ୍ୟ ଆକାରରେ ବଡ଼ ଓ ବୃହତ୍। ଗୁଜୁରାଟ କ୍ରିକେଟ୍ ସଂଘ (ଜିସିଏ) ଏହି ଷ୍ଟାଡିୟମର ନିର୍ମାଣ କରୁଛି। ତେବେ ପୂର୍ବରୁ ଅହମ୍ମବାଦାଦର ମୋଟେରାରେ ଥିବା ଷ୍ଟାଡିୟମର ନବୀକରଣ କରାଯାଇ ଏହାକୁ ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ କରାଯାଉଛି ବୋଲି ସଂଘ ଟ୍ବିଟ୍ କରିଛି। ସମଗ୍ର ଦେଶ ପାଇଁ ଏହା ଗର୍ବ ଓ ଗୌରବର ବିଷୟ ହେବ ବ‌ୋଲି ଜିସିଏର ଉପ ସଭାପତି ପରିମଲ ନାଥୱାନି କହିଛନ୍ତି। ସୂଚନାଯୋଗ୍ୟ ଯେ ୪୯ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ମୋଟେରା ଷ୍ଟାଡିୟମ ପୂବର୍ରୁ ୨୩ ଦିନିକିଆ ଆୟୋଜନ କରି ସାରିଛି। ଏହିଠାରେ ହିଁ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ଟେଷ୍ଟ କ୍ରିକେଟରେ ୧୦,୦୦୦ ରନ୍ ପୂରଣ କରିଥିଲେ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଏଠାରେ ଟେଷ୍ଟ ଜୀବନର ପ୍ରଥମ ଦ୍ବିଶତକ ପୂରଣ କରିଥିଲେ। ଏହି ଷ୍ଟାଡିୟମ ୧୯୮୨ରେ ନିର୍ମାଣ କରାଯାଇଥିଲା। ୧୮୫୩ ମସିହାରେ ନିର୍ମାଣ ହୋଇଥିବା ମେଲବର୍ନ ଷ୍ଟାଡିୟମ୍ ସଂପ୍ରତି ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମର ମାନ୍ୟତା ବହନ କରୁଛି। ଏହି ଷ୍ଟାଡିୟମରେ ୯୦,୦୦୦ ଦର୍ଶକ ବସିବାର କ୍ଷମତା ରହିଛି। ନବୀକରଣ ପରେ ମୋଟେରା ଷ୍ଟାଡିୟମର ଦର୍ଶକ କ୍ଷମତା କେତେ ହେବ ତାହା କିନ୍ତୁ ଜିସିଏ ଆନୁଷ୍ଠାନିକ ଭାବେ ପ୍ରକାଶ କରିନାହିଁ।

ସମ୍ବନ୍ଧିତ ଖବର