ଅଡ଼ୁଆରେ ଭାରତୀୟ କ୍ରିକେଟ୍ ଦଳର ପ୍ରଶାସନିକ ପ୍ରବନ୍ଧକ

ଦୂତାବାସ ଅଧିକାରୀଙ୍କୁ ଖରାପ ବ୍ୟବହାର କରିବା ମହଙ୍ଗା ପଡ଼ିପାରେ

ପୋର୍ଟ ଅଫ୍ ସ୍ପେନ୍: ତ୍ରିନିଦାଦ ଆଣ୍ଡ ଟବାଗୋରେ ଥିବା ଭାରତୀୟ ଦୂତାବାସର ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଖରାପ ବ୍ୟବହାର କରିବା ଭାରତୀୟ କ୍ରିକେଟ୍ ଦଳର ପ୍ରଶାସନିକ ପ୍ରବନ୍ଧକ ସୁନୀଲ ସୁବ୍ରମଣ୍ୟୁମଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଏଥିଲାଗି ବିସିସିଆଇ ତାଙ୍କୁ କଡ଼ା ଚେତାବନୀ ଦେଇଛି। ଏପରିକି ୱେଷ୍ଟଇଣ୍ଡିଜ୍ ଗସ୍ତରୁ ସୁବ୍ରମଣ୍ୟୁମଙ୍କୁ ପ୍ରତ୍ୟାହାର କରିନିଆଯିବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି। ତାମିଲନାଡୁର ପୂର୍ବତନ ସ୍ପିନର ସୁବ୍ରମଣ୍ୟୁମ ୨୦୧୭ରେ ଭାରତୀୟ କ୍ରିକେଟ୍ ଦଳର ପ୍ରଶାସନିକ ପ୍ରବନ୍ଧକ ନିଯୁକ୍ତ ହୋଇଥିଲେ। ବିଶ୍ବକପ୍ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇ ଯାଇଥିଲା। ତେବେ ଇଣ୍ଡିଜ୍ ଗସ୍ତକୁ ଆଖି ଆଗରେ ରଖି ସୁବ୍ରମଣ୍ୟୁମଙ୍କ କାର୍ଯ୍ୟକାଳକୁ ୪୫ ଦିନ ପାଇଁ ବଢ଼ାଇ ଦିଆଯାଇଥିଲା। ଯାହା ଏବେ ଆଉେ ନବୀକରଣ ହେବାର କୌଣସି ସମ୍ଭାବନା ନାହିଁ। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ଭାରତୀୟ କ୍ରିକେଟ୍ ଦଳ ତ୍ରିନିଦାଦ ଏବଂ ଟବାଗୋର ପୋର୍ଟ ଅଫ୍ ସ୍ପେନ୍‌ଠାରେ ଜଳ ସଂରକ୍ଷଣ ନେଇ ଏକ ଛୋଟିଆ ବିଜ୍ଞାପନ ସୁଟିଂ କରିବାର ଥିଲା। ସରକାରୀ ଅଧିକାରଙ୍କୁ ସବୁ ପ୍ରକାର ସହଯୋଗ କରିବା ପାଇଁ ବିସିସିଆଇ ସୁବ୍ରମଣ୍ୟୁମଙ୍କୁ ସ୍ପଷ୍ଟ ନିର୍ଦେଶ ଦେଇଥିଲା। ହେଲେ ସେ ସଂପୃକ୍ତ ଅଧିକାରୀମାନଙ୍କ ଫୋନ୍ ଉଠାଇ ନଥିଲେ। ଏପରିକି ବାରମ୍ବାର ମେସେଜ୍ ନପଠାଇବାକୁ କ୍ଷୁବ୍ଧ ‌ହୋଇ କହିଥିଲେ। ଏକଥା ଦିଲ୍ଲୀରେ ପହଞ୍ଚିବା ସହ ପ୍ରଶାସନିକ ସମିତି (ସିଓଏ) ମୁଖ୍ୟ ବିନୋଦ ରାଏଙ୍କ କାନରେ ପଡ଼ିଥିଲା। ଏହା ପରେ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି ମାମଲାରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ। ତାଙ୍କ ଆଶ୍ବାସନା ପରେ ଯାଇ ସରକାରୀ ଅଧିକାରୀମାନେ ଶାନ୍ତ ପଡ଼ିଥିଲେ।

ସମ୍ବନ୍ଧିତ ଖବର