ଆଇପିଏଲ୍‌ ୧୨: ରବୀନ-ରାଣାଙ୍କ ଅର୍ଦ୍ଧଶତକ, ପଂଜାବକୁ ୨୧୯ ରନ୍‌ ଟାର୍ଗେଟ ଦେଲା କୋଲକାତା

କୋଲକାତା: ରବୀନ ଉଥାପ୍ପା (ଅପରାଜିତ ୬୭ ରନ୍‌, ୫୦ ବଲ, ୬ ଚୌକା ଓ ୨ ଛକା) ଓ ନୀତିଶ ରାଣାଙ୍କ ଅର୍ଦ୍ଧଶତକ (୬୩ ରନ୍‌, ୩୪ ବଲ, ୨ ଚୌକା ଓ ୭ ଛକା) ବଳରେ କୋଲକାତା ନାଇଟ୍‌ ରାଇଡର୍ସ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୨ତମ ସଂସ୍କରଣରେ ବୁଧବାର ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍‌ ହରାଇ ୨୧୮ ରନ୍‌ କରିଛି। ଫଳରେ ପଂଜାବକୁ ୨୧୯ ରନ୍‌ ଟାର୍ଗେଟ ମିଳିଛି।

ଚଳିତ ଆଇପିଏଲ୍‌ର ୬ଷ୍ଠ ମ୍ୟାଚରେ ପଂଜାବ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା। ଅଧିନାୟକ ଦିନେଶ କାର୍ତ୍ତିକ ଗୋଟିଏ ବଲ ସମ୍ମୁଖୀନ ହୋଇ ୧ ରନ୍‌ କରିଥିଲେ। ପଂଜାବର ବୋଲର ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ, ହାର୍ଦ୍ଦୁସ ଭିଲଜୋନ ଏବଂ ଆଣ୍ଡ୍ରୁ ଟେଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ ମିଳିଛି।

ଇଡେନ ଗାର୍ଡେନ ପଡ଼ିଆରେ କୋଲକାତା ସ୍କୋର ୩୪ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ଭାବରେ କ୍ରିସ୍‌ ଲିନ୍‌ଙ୍କୁ ହରାଇଥିଲା। ପଂଜବର ଦ୍ୱିତୀୟ ଶିକାର ହୋଇଥିଲେ ସୁନୀଲ ନାରାୟଣ (୨୪ ରନ୍‌)। ସେତେବେଳକୁ କୋଲକାତାର ସ୍କୋର ୩.୩ ଓଭରରେ ୩୬ ରନ୍‌ ଥିଲା। ମାତ୍ର କୋଲକାତା ୩ୟ ଓ୍ଵିକେଟ୍‌ରେ ରବୀନ ଉଥାପ୍ପା ଓ ନୀତିଶ ରାଣା ୧୧୦ ରନ୍‌ ଭାଗିଦାରୀ ହୋଇପାରିଥିଲେ। ରାଣା ଆଉଟ୍‌ ହୋଇ ପାଭଲିଅନ ଫେରିବା ପରେ କ୍ରିଜକୁ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ ଆନ୍ଦ୍ରେ ରସେଲ (୪୮ ରନ୍‌, ୧୭ ବଲ, ୩ ଚୌକା ଓ ୫ ଛକା) ପ୍ରବେଶ କରିଥିଲେ। ରସେଲ ଏକଦା ଜୀବନଦାନ ପାଇବା ପରେ ଧୂଆଁଧାର ବ୍ୟାଟିଂ କରିଥିଲେ।

ସମ୍ବନ୍ଧିତ ଖବର