ଭୁବନେଶ୍ୱର,: ଡିସେମ୍ବର ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଖେଳା ଯିବାକୁ ଥିବା ବିଶ୍ୱ ହକି ଲିଗ୍ ଫାଇନାଲ୍ ଲାଗି ଗତମାସ ୧୫ ତାରିଖରୁ ଅନ୍ଲାଇନ୍ରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ବୁଧବାରଠାରୁ ଅଫଲାଇନ୍ ବା କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହେଉଛି। କଳିଙ୍ଗ ଷ୍ଟାଡିୟମର ୩ ନମ୍ବର ଗେଟ୍ ପାଖ ସ୍ୱତନ୍ତ୍ର କାଉଣ୍ଟର ସହ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳର ୧୩ଟି ସ୍ଥାନରେ ଟିକେଟ ବିକ୍ରି କରାଯିବ। ଟିକେଟ ମୂଲ୍ୟ ୫୦ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ରଖା ଯାଇଛି। ପୂର୍ବ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୫୦ ଟଙ୍କା ରଖା ଯାଇଥିଲା ବେଳେ ପଶ୍ଚିମଷ୍ଟାଣ୍ଡରେ ବସିବାକୁ ଆଗ୍ରହୀ ଥିବା ହକି ପ୍ରେମୀଙ୍କୁ ୨୫୦ ଟଙ୍କା ଦେବାକୁ ପଡ଼ିବ। ପ୍ରତିଯୋଗିତାରେ ମୋଟ ୨୨ ମ୍ୟାଚ୍ ଖେଳାଯିବ। ଦର୍ଶକମାନେ ଗୋଟିଏ ଟିକେଟ କିଣି ଦିନ ଯାକର ସବୁ ମ୍ୟାଚ୍ ଦେଖିବାରେ ମଜା ନେଇ ପାରିବେ। କାଉଣ୍ଟର ସହ ପୂର୍ବ ଭଳି ଅନଲାଇନରେ ମଧ୍ୟ ଟିକେଟ ବିକ୍ରି ଜାରି ରହିବ। ଟିକେଟ ମିଳିବାକୁ ଥିବା ସ୍ଥାନ ଗୁଡ଼ିକ ହେଲା (୧): ସ୍ପୋର୍ଟସ ଏମ୍ପୋରିୟମ୍, ଜୟଦେବ ବିହାର। (୨): ବି-୨୧, ଦୋକାନ ନମ୍ବର-୭, ଶୁଭମ୍ ମାର୍କେଟ, ରାମ ମନ୍ଦିର ଛକ। (୩): ବି-୨୧, ଭବାନୀ ମଲ୍ ପ୍ରସ୍ଥାନ ଗେଟର ବିପରୀତ, ସହିଦ ନଗର। (୪): ମୋବିଲିଙ୍ଗ୍, ଶ୍ରୀ ଅରବିନ୍ଦ ମାର୍କେଟ୍ କଂପ୍ଲେକ୍ସ, ଡମଣା। (୫): ଗୋ-କୁଲ, ପଟିଆ। (୬): କ୍ୟାଫେ ଫ୍ରେସପ୍ରେସୋ, ପଟିଆ, ବିଗ ବଜାର ନିକଟରେ। (୭): ଗଣେଶ ମୋବାଇଲ୍, ପ୍ଲଟ୍ ନମ୍ବର-୬, ସହିଦ ନଗର। (୮): ଆଇଟି ସପି, ସହିଦନଗର। (୯): ବଡି ଲାଇନ୍: ଖାରବେଳନଗର,ୟୁନିଟ୍-୩। (୧୦):ସିଷ୍ଟର ମୋବାଇଲ୍, ସହିଦନଗର। (୧୧): ସିଷ୍ଟର ମୋବାଇଲ୍, ବାପୁଜୀନଗର। (୧୨): ଟେକ୍ ଜୋନ୍, ସହିଦ ନଗର। (୧୩): ୟମିଜ୍, ରାମ ମନ୍ଦିର ଛକ। (୧୪): କଳିଙ୍ଗ ଷ୍ଟାଡିୟମ୍ ୩ ନମ୍ବର ଗେଟ୍।
ଦ୍ୱି-ମୁକୁଟ ହାସଲରେ ନେଦରଲାଣ୍ଡ ଏକା
ଅନ୍ତର୍ଜାତୀୟ ହକି ମହାସଂଘ ବା ଏଫଆଇଏଚ୍ ପୁରୁଷଙ୍କ ଭଳି ମହିଳା ବର୍ଗରେ ମଧ୍ୟ ହକି ବିଶ୍ୱ ଲିଗ୍ ଆୟୋଜନ କରିଥାଏ। ଚଳିତ ବର୍ଷ ପୁରୁଷ ଫାଇନାଲ ଭୁବନେଶ୍ୱରରେ ଖେଳା ଯାଉଥିଲା ବେଳେ ମହିଳାମାନଙ୍କ ଟ୍ରଫି ଲଢ଼େଇ ନ୍ୟୁଜିଲାଣ୍ଡର ଅକ୍ଲାଣ୍ଡ୍ଠାରେ ଅନୁଷ୍ଠିତ ହେବ। ପୁରୁଷ ଫାଇନାଲ୍ ଡିସେମ୍ବର ପହିଲାରୁ ଆରମ୍ଭ ହେବ। ଅନ୍ୟ ପକ୍ଷରେ ମହିଳା ଫାଇନାଲ୍ ଚଳିତ ମାସ ୧୭ ତାରିଖ ଅର୍ଥାତ୍ ଶୁକ୍ରବାର ଉଦଘାଟିତ ହେବ। ଭାରତ ମହିଳା ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରି ପାରି ନଥିଲା ବେଳେ ଆର୍ଜେଣ୍ଟିନା, ଚୀନ, ଇଂଲଣ୍ଡ, ଜର୍ମାନି, ନେଦରଲାଣ୍ଡ, ଦକ୍ଷିଣ କୋରିଆ ଓ ଆମେରିକା ଫାଇନାଲ୍ ପର୍ଯ୍ୟାୟରେ ଅବତୀର୍ଣ୍ଣ ହେବେ। ଉଭୟ ମହିଳା ଏବଂ ପୁରୁଷ ବିଶ୍ୱ ହକି ଲିଗ୍ ଫାଇନାଲକୁ ବିଚାରକୁ ନେଲେ ନେଦରଲାଣ୍ଡ ଏକମାତ୍ର ଦଳଭାବେ ଦ୍ୱି-ମୁକୁଟ ହାସଲ କରିଛି। ୨୦୧୩ର ପ୍ରଥମ ସଂସ୍କରଣରେ ଏହି ଦେଶ ଉଭୟ ମହିଳା ଏବଂ ପୁରୁଷ ବର୍ଗର ବିଜେତା ହୋଇଥିଲା। ନେଦରଲାଣ୍ଡ ମହିଳା ଦଳ ଆର୍ଜେଣ୍ଟିନାର ସାନ୍ ମିଗୁଏଲଠାରେ ଏବଂ ପୁରୁଷ ଦଳ ନୂଆଦିଲ୍ଲୀରେ ନିଜ ଚମକ ଦେଖାଇଥିଲେ। ଚଳିତ ବର୍ଷ ବିଶ୍ୱ ହକି ଲିଗର ଶେଷ ସଂସ୍କରଣ ଆୟୋଜିତ ହେଉଥିବାରୁ ନେଦରଲାଣ୍ଡ ପାଖରେ ପୁଣି ଥରେ ଏହି ସଫଳତା ଦୋହରାଇବା ସୁଯୋଗ ରହିବ। ଅନ୍ୟ ପକ୍ଷରେ ଆୟୋଜକ ଭାରତ ନୂଆଦିଲ୍ଲୀରେ ଷଷ୍ଠ ଏବଂ ରାଏପୁରରେ ତୃତୀୟ ସ୍ଥାନ ଅଧିକାର କରିବା ପରେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ବିଜେତା ହେବା ଅଭିଯାନରେ ରହିବ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର