ଦୂତି: ବିଂଶତମ ପଦକ ବିଜେତା ଓଡ଼ିଆ

ଭୁବନେଶ୍ୱର: ଜାକର୍ତା ଓ ପାଲେମବାଙ୍ଗ୍‌ ଏସିଆଡ୍‌ରେ ୧୦୦ ମିଟର୍‌ ମହିଳା ଦୌଡ଼ରେ ରୌପ୍ୟ ପଦକ ଜିତି ଦୂତି ଚାନ୍ଦ ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଛନ୍ତି। ୨୦ ବର୍ଷ ପରେ ଦୌଡ଼କୁଦରୁ ପଦକ ମିଳିଛି ଓଡ଼ିଶାକୁ। ୧୦୦ ମିଟରରେ ଏହା ଓଡ଼ିଶା ପାଇଁ ଦ୍ୱିତୀୟ ପଦକ ହୋଇଥିଲେ ବି ଶ୍ରେଷ୍ଠ ପ୍ରଦର୍ଶନ। ୧୯୯୮ ବ୍ୟାଙ୍କକ୍‌ ଏସିଆଡ୍‌ରେ ରଚିତା ମିସ୍ତ୍ରୀ ପଣ୍ଡା ୧୧.୪୧ ସେକେଣ୍ଡ୍‌ ସମୟ ସହିତ କାଂସ୍ୟ ପଦକ ଜିତିଥିଲେ। କିନ୍ତୁ ପ୍ରଥମ ଓଡ଼ିଆ ତଥା ମହିଳା ଭାବେ ରାଜ୍ୟ ପାଇଁ ଦୌଡ଼କୁଦ ପଦକ ଜିତିଥିଲେ ପ୍ରଣତି ମିଶ୍ର। ଏଫ୍‌ସିଆଇରେ କାର୍ଯ୍ୟରତ ପ୍ରଣତି ମିଶ୍ର ୧୯୯୦ ବେଜିଂ ଏସିଆଡ୍‌ରେ ୪ ଗୁଣା ୪୦୦ ମିଟର ରିଲେରେ ରୌପ୍ୟ ପଦକ ଜିତିଥିଲେ। ଦୂତି କିନ୍ତୁ ଭାରତ ପାଇଁ ୩୨ ବର୍ଷ ପରେ ରୌପ୍ୟ ପଦକ ଜିତିଛନ୍ତି। ଶେଷ ଥର ପାଇଁ ଭାରତ ପାଇଁ ୧୦୦ ମିଟର୍‌ ରୌପ୍ୟ ପଦକ ଜିତିଥିଲେ ପିଟି ଉଷା (୧୧.୬୭ ସେକେଣ୍ଡ, ୧୯୮୬ ସିଓଲ୍‌)। ମୋଟ ଉପରେ କିନ୍ତୁ ଦୂତି ୨୦ତମ ଓଡ଼ିଆ ଏବଂ ୧୩ତମ ମହିଳା। ୧୩ ଜଣ ହକି ଖେଳାଳି ୧୫ ପଦକ ଜିତିଛନ୍ତି। ଦୂତିଙ୍କୁ ମିଶାଇ ଅନ୍ୟ ୭ ଜଣ ବିଭିନ୍ନ ଖେଳରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ଏବଂ ଜ୍ୟୋତି ସୁନୀତା କୁଲୁ ଦୁଇ ଥର ଲେଖାଏଁ ପଦକ ଜିତିବାର ଗୌରବ ପାଇଛନ୍ତି। ଜ୍ୟୋତିଙ୍କ ନେତୃତ୍ୱରେ ଭାରତ ମଧ୍ୟ ୨୦୦୬ ଦୋହା ଏସିଆଡ୍‌ରେ ଜିତିଥିଲା କାଂସ୍ୟ ପଦକ। ସ୍ୱର୍ଣ୍ଣ ପଦକ ବିଜୟର ଗୌରବ କେବଳ ସେକ୍‌ ମଜିଦ୍‌ (ବଚନ), ଦିଲୀପ ତିର୍କି, ଲାଜରୁସ୍‌ ବାର୍ଲା ଏବଂ ବୀରେନ୍ଦ୍ର ଲାକ୍ରାଙ୍କ ଭାଗ୍ୟରେ ଜୁଟିଛି। ଯାହାକି ଏହି ୪ ଜଣଙ୍କୁ ବିରଳ ଓଡ଼ିଆଙ୍କ କ୍ଲବ୍‌ରେ ରଖିଛି।

ଓଡ଼ିଶାକୁ ଏସିଆଡ୍‌ ପଦକ ପ୍ରଦାନର ଧାରା ଆରମ୍ଭ କରିଥିଲେ ୧୯୫୧ ମସିହା ନୂଆଦିଲ୍ଲୀ ପ୍ରଥମ ସଂସ୍କରଣରୁ ସେକ୍‌ ମଜିଦ୍‌ ଓରଫ୍‌ ଏଏମ୍‌ ବଚନ। ତାହା ପୁଣି ସ୍ୱର୍ଣ୍ଣ ପଦକରୁ। ୧୯୮୬ ମସିହାର ସିଓଲ୍‌ ଏସିଆଡ୍‌ରେ ବ୍ୟାଡ୍‌ମିଣ୍ଟନ ତାରକା ସନତ ମିଶ୍ର ଜିତିଥିଲେ ଦଳଗତ କାଂସ୍ୟ ପଦକ। ୨୦୧୦ ଗୁଆଙ୍ଗଜୁରେ ଓଡ଼ିଶାକୁ ରୋଇଂ କାଂସ୍ୟ ବିଜୟ ଦେଇଥିଲେ ପ୍ରତିମା ପୁହାଣ ଓ ପ୍ରମିଳା ପ୍ରଭା ମିଞ୍ଜ୍‌। ଓଡ଼ିଶା ଆସିଥିବା ମୋଟ ୨୧ ପଦକ ମଧ୍ୟରୁ କିନ୍ତୁ ୧୫ ଆସିଛି ହକିରୁ। ଦିଲ୍ଲୀପ ତିର୍କି ଏବ ଜ୍ୟୋତି ସୁନୀତା କୁଲୁ ଦୁଇଟି ଅଲଗା ଅଲଗା ସଂସ୍କରଣ ତଥା ଏକାଧିକ ପଦକ ଜିତିବାର ଗୌରବ ରଖିଛନ୍ତି। ୧୯୯୮ରେ ବ୍ୟାଙ୍କକ୍‌ ଏସିଆଡ୍‌ରେ ସ୍ୱର୍ଣ୍ଣ ବିଜେତା ଭାରତୀୟ ଦଳରେ ଦିଲୀପ ତିର୍କି ଏବଂ ଲାଜରୁସ୍‌ ବାର୍ଲା ସାମିଲ ଥିଲେ। ସେଠାରେ ମହିଳା ଦଳରୁ ରୌପ୍ୟ ପଦକ ଜିତିଥିଲେ ଜ୍ୟୋତି ସୁନୀତା କୁଲୁ। ୨୦୦୨ ବୁସାନ ଏସିଆଡ୍‌ରେ ଦିଲ୍ଲୀପ ତିର୍କି ଏବଂ ଇଗ୍ନେସ ତିର୍କି ରୌପ୍ୟ ପଦକ ଜିତିଥିଲେ। ୨୦୦୬ରେ ଜ୍ୟୋତି ସୁନୀତା କୁଲୁଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ କାଂସ୍ୟ ପଦକ ଜିତିଥିବା ବେଳେ ବିନିତା ଟୋପ୍ପୋ, ବିନିତା ଖେସ୍‌, ସୁଭଦ୍ରା ପ୍ରଧାନ ସାମିଲ ଥିଲେ। ୨୦୧୦ ଗୁଆଙ୍ଗଜୁରେ କାଂସ୍ୟ ପଦକ ଜିତିଥିବା ପୁରୁଷ ହକି ଦଳରେ ପ୍ରବୋଧ ତିର୍କି ଖେଳିଥିଲେ। ପ୍ରଥମ ଥର ୨୦୧୪ରେ କିନ୍ତୁ ଭାରତୀୟ ପୁରୁଷ ଓ ମହିଳା ଦଳରୁ ପଦକ ଜିତିଥିଲେ ୫ ଓଡ଼ିଆ। ବୀରେନ୍ଦ୍ର ଲାକ୍ରା ସ୍ୱର୍ଣ୍ଣ ଜିତିଥିବା ବେଳେ କାଂସ୍ୟ ବିଜୟୀ ମହିଳା ଦଳରେ ୪ ଓଡ଼ିଆ ଦୀପ୍‌ଗ୍ରେସ୍‌ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ ଏବଂ ଲିଲିମା ମିଞ୍ଜ୍‌ ସାମିଲ ଥିଲେ।

‘ଓଡ଼ିଶାବାସୀଙ୍କ ଭଲ ପାଇବା ଓ ଆଶୀର୍ବାଦ ପାଇଁ ପଦକ ଜିତିଲି’
ଓଡ଼ିଶାବାସୀଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ମୁଁ ସଫଳ ହେଲି। ସେମାନଙ୍କ ସ୍ୱପ୍ନ ପୂରଣ କରି ପାରିଥିବାରୁ ବହୁତ ଖୁସି ଲାଗୁଛି। ମୁଁ ବହୁତ ପରିଶ୍ରମ କରିଥିଲି। ମୋ ପ୍ରଶିକ୍ଷକ ବି ବହୁତ ପରିଶ୍ରମ କରିଥିଲେ। ଯେଉଁମାନଙ୍କ ପାଇଁ ମୁଁ ପଦକ ଜିତିଲି ସେମାନଙ୍କୁ ଧନ୍ୟବାଦ ଦେବି। ମାଇକ୍ରୋ ସେକେଣ୍ଡ୍‌ ପାଇଁ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହେଲି। ତଥାପି ମୋର ଦୁଃଖ ନାହିଁ। ରୌପ୍ୟ ପଦକ ପାଇବା ମଧ୍ୟ କିଛି କମ୍‌ କଥା ନୁହେଁ। ଏହା ମଧ୍ୟ ମୋ ପାଇଁ ଏକ ବଡ଼ ସଫଳତା। ଓଡ଼ିଶାବାସୀ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଯେଉଁ ପ୍ରାର୍ଥନା କରିଥିଲେ ତାହା ପୂରଣ ହୋଇଛି। ମୁଁ ଆଉ ଏକ ଇଭେଣ୍ଟ ୨୦୦ ମିଟରରେ ଭାଗ ନେବାର ଅଛି। ଆପଣମାନେ ମୋ ପାଇଁ ପ୍ରାର୍ଥନା କରନ୍ତୁ। ଆପଣଙ୍କମାନଙ୍କ ଭଲ ପାଇବା ଏବଂ ସମର୍ଥନ ମିଳିଲେ ମୁଁ ୧୦୦ ଭଳି ୨୦୦ ମିଟରରେ ମଧ୍ୟ ସଫଳ ହୋଇ ପାରିବି। ମୋ କାମ ହେଲା ପରିଶ୍ରମ କରିବା। ମୁଁ ତାହା କରୁଛି। ଓଡ଼ିଶା ନାଁ ଯେମିତି ରଖି ପାରିବି ସେ ଦିଗରେ ଚେଷ୍ଟା ଜାରି ରଖିଛି । ଶେଷରେ ମୁଁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଆ ଅଲିମ୍ପିକ୍ସ ସଂଘ, ଓଡ଼ିଶା ସରକାର ଏବଂ ସମଗ୍ର ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବି ବୋଲି ଦୂତି ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଅଭିନନ୍ଦନ ଓ ପୁରସ୍କାର
କଟକ/ଭୁବନେଶ୍ୱର: ଏସୀୟ କ୍ରୀଡ଼ା ରୌପ୍ୟ ସଫଳତା ପରେ ଦୂତି ଚାନ୍ଦଙ୍କ ନିକଟକୁ ଅଭିନନ୍ଦନ ଓ ପୁରସ୍କାରର ସୁଅ ଛୁଟିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୂତିଙ୍କ ସଫଳତା ରାଜ୍ୟ ଓ ଦେଶ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି। ଅନ୍ୟମାନଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଦୂତିଙ୍କ ଏହି ସଫଳତା ପାଇଁ ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇବା ସହ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଦୂତିଙ୍କ କୀର୍ତ୍ତିମାନ ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର୍‌, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, କିଟ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶା ଅଲିମ୍ପିକ୍‌ ସଂଘ ପକ୍ଷରୁ ମଧ୍ୟ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ସହିତ ସଭାପତି ଏମ୍‌ ଏ ଆଲାମ୍‌ ଓ ସମ୍ପାଦକ ସମୀର ଦେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଦୁର୍ଦ୍ଦିନ ସମୟରେ ଦୂତିଙ୍କ ସାଥ୍‌ ଦେଇଥିବା ବ୍ୟାଡ୍‌ମିଣ୍ଟନ୍‌ କିମ୍ବଦନ୍ତି ପୁଲେଲା ଗୋପୀଚାନ୍ଦ ଦୂତିଙ୍କ ସଫଳତାରେ ମଧ୍ୟ ଉଲ୍ଲସିତ ହୋଇଛନ୍ତି। ଦୂତି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିବେ ବୋଲି ଜାକର୍ତ୍ତାରେ ଥିବା ଗୋପୀଚାନ୍ଦ କହିଛନ୍ତିି।

ମିଠା ଖୁଆଇ ଖୁସି ମନାଇଲେ ମାତା-ପିତା

ଦୂତି ଏସିଆଡ଼୍‍ ରୌପ୍ୟ ଜିତିବା ପରେ ସମଗ୍ର ଭାରତ ବର୍ଷ ସହ ତାଙ୍କ ଗାଁ ଯାଜପୁର ଜିଲ୍ଲାର ଚକଗୋପାଳପୁରରେ ମଧ୍ୟ ଖୁସିର ଲହରି ଖେଳିଯାଇଛି। ବିଶେଷ କରି ଦୂତିଙ୍କ ମାତା ଅଖୁଜି ଏବଂ ପିତା ଚକ୍ରଧର ଚାନ୍ଦ ଝିଅର ଏହି ଅନନ୍ୟ ସଫଳତାରେ ବେଶ୍‌ ଖୁସି ଅଛନ୍ତି। ରବିବାର ଉଭୟ ଉଭୟଙ୍କୁ ମିଠା ଖୁଆଇ ଝିଅର ସଫଳତାକୁ ପାଳନ କରିଛନ୍ତି। ମା’ ତାରିଣିଙ୍କ କୃପାରୁ ଦୂତି ଏସିଆଡ଼୍‌ରେ ପଦକ ଜିତିଛି। ଶୁଭେଚ୍ଛା ଓ ସମର୍ଥନ ପାଇଁ ଆମେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଉଛୁ ବୋଲି ଅଖୁଜି କହିଛନ୍ତି।

ସମ୍ବନ୍ଧିତ ଖବର