ପଦକ ଦେଲା ଦୁର୍ନାମ

ଅପମାନିତ ଘାସିରାମ ଛାତ୍ରାବାସ ଛାଡ଼ି ଭଡ଼ା ଘରେ, ଜରିମାନା ଦେବାକୁ ନେଇ ଚାଲିଛି ଛକାପଂଝା

ବ୍ରହ୍ମପୁର: ରାଜ୍ୟ ଭାରୋତ୍ତୋଳନରେ ଏକ ଉଦୀୟମାନ ତାରକା ହୋଇ ଉଭା ହୋଇଥିଲେ ଘାସିରାମ। କୋରାପୁଟ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରୁ ଆଖିରେ ଆଖିଏ ସ୍ୱପ୍ନ ନେଇ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସରେ ପହଁଚିଥିଲେ। ୪ ବର୍ଷର କଡ଼ା ଅଭ୍ୟାସ ପରେ ପ୍ରଥମ ଥର ପାଇଁ ଏକ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ଗତ ଫେବ୍ରୁଆରି ମାସରେ ବିଶାଖାପାଟଣା ଗସ୍ତ କରିଥିଲେ। ସୁଯୋଗର ସଦୁପଯୋଗ କରି ନିଜ ବର୍ଗରେ ୩ଟି ରୌପ୍ୟ ପଦକ ଜିତିବା ସହ ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସକ୍ଷମ ହୋଇଥିଲେ। ସିଧାସଳଖ ମନୋନୀତ ହେଲେ ପଂଜାବ ସ୍ଥିତ ପଟିଆଲାରେ ଥିବା ଭାରୋତ୍ତୋଳନ ଏକାଡ଼େମିକୁ ଅନ୍ତର୍ଜାତୀୟ ପ୍ରତିଯୋଗିତା ପ୍ରସ୍ତୁତି ପାଇଁ। ମାତ୍ର କିଛି ମାସ ସେଠାରେ ରହି ତାଲିମ୍‌ ନେଉଥିବା ବେଳେ ମିଳିଲା ଏକ ଦୁଃସମ୍ବାଦ, ଭାଂଗିଗଲା ସବୁ ସ୍ୱପ୍ନ। ଡୋପ୍‌ ଟେଷ୍ଟରେ ବିଫଳ ହେବାଯୋଗୁଁ ଛାଡ଼ିବାକୁ ପଡ଼ିଲା ଏକାଡେମି। ଯେଉଁ ପଦକ ପାଇଁ ଦିନେ ତାଙ୍କୁ ମିଳିଥିଲା ଅଜାଚିତ ସମ୍ମାନ, ସେହି ପଦକ ଆଣିଦେଲା ଦୁର୍ନାମ। ଯେଉଁ କ୍ରୀଡ଼ା ଛାତ୍ରାବାସରେ ରହି ନିଜର ଅନ୍ତର୍ନିହିତ ପ୍ରତିଭା ବିକଶିତ ହୋଇଥିଲା, ସେଠାକୁ ଫେରିବା ପରେ ଅପମାନିତ ବୋଧ ହେଲା। ଛାତ୍ରାବାସ ଛାଡ଼ି ଚାଲିଗଲେ ଘରକୁ। ଏଭଳି ଦୁର୍ଦିନରେ ପରିବାର ଲୋକେ ତାଙ୍କୁ ସାହାସ ଦେଇ ପାଠପଢ଼ା ଶେଷ କରିବାକୁ ପ୍ରବର୍ତ୍ତାଇଲେ। ଆର୍ଥିକ ସ୍ଥିତ ଭଲ ନଥିଲେ ମଧ୍ୟ ଘର ଭଡ଼ା ନେଇ ରହିବାର ବ୍ୟବସ୍ଥା କରିଦେଲେ। ଏବେ ଅନ୍ୟ କୌଣସି ଲକ୍ଷ୍ୟ ନରଖି ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି ଘାସିରାମ। ନିଷେଧ ଔଷଧ ସେବନ ସମ୍ପର୍କରେ ପଚାରିବାରୁ ସେ ଜାଣତରେ ଏଭଳି କୌଣସି ପ୍ରକାର ଔଷଧ ସେବନ କରିନଥିବା ପ୍ରକାଶ କରିଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ ବେଳେ ଅନ୍ୟ କାହାଠାରୁ ଖାଦ୍ୟ, ପାନୀୟ ଗ୍ରହଣ ନକରିବା ପାଇଁ ବେଶ୍‌ ସଚେତନ ଥିଲେ। କେବଳ ରୁଟି ଖାଉଥିଲେ। ଦୋକାନରୁ ୩ଟି ପାଣି ବୋତଲ କିଣି ନେଇଥିଲେ। ସେ ଯେତେବେଳେ ଭାରୋତ୍ତୋଳନ ପାଇଁ ଗଲେ ସେତେବେଳେ ସେହି ପାଣି ବୋତଲକୁ ନିଜ ଚୌକି ପାଖରେ ରଖିଯାଇଥିଲେ। ତାଙ୍କ ସହ ଥିବା ତିନିଜଣ ସହଯୋଗୀଙ୍କ ମଧ୍ୟରୁ କେହିହେଲେ ସେହି ଚୌକି ପାଖେ ରହିନଥିଲେ। ସେ ନିଜ ଭାରୋତ୍ତୋଳନ କଲାପରେ ଫେରି ଆସି ସେହି ବୋତଲରୁ ପାଣି ପିଇଥିଲେ। ପଦକ ମିଳିବାରୁ ଡୋପ୍‌ଟେଷ୍ଟ ପାଇଁ ଏହାପରେ ତାଙ୍କର ମୂତ୍ର ନମୁନା ସଂଗ୍ରହ କରାଯାଇଥିଲା। ଯେଉଁଥିରେ ସେ ନିଷିଦ୍ଧ ଔଷଧ ସେବନ କରିଥିବା ନେଇ ରିପୋର୍ଟ ଆସିଲା। ଏହା କିଭଳି ହେଲା ସେ କିଛି ଜାଣିନଥିବା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଘାସିରାମଙ୍କ ଡୋପ୍‌ ଟେଷ୍ଟରେ ବି-ନମୂନା ପଜିଟିଭ୍‌ ଆସିବା ପରେ ଭାରତୀୟ ଭାରୋତ୍ତୋଳନ ସଂଘ ଓଡ଼ିଶା ସଂଘ ସମ୍ପାଦକ ନାରାୟଣ ସାହୁଙ୍କୁ ମାସେ ମଧ୍ୟରେ ୫୦ ହଜାର ଟଙ୍କା ଜରିମାନା ଦାଖଲ କରିବାକୁ ନୋଟିସ୍‌ ଦେଇଛନ୍ତି। କିନ୍ତୁ ଏହି ଟଙ୍କା କିଏ ଦେବ ସେନେଇ ଛକାପଂଞ୍ଝା ଲାଗି ରହିଛି। ରାଜ୍ୟ ସଂଘ ଜିଲ୍ଲା ସଂଘକୁ ଏବଂ ଜିଲ୍ଲା ସଂଘ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସକୁ ନୋଟିସ୍‌ କରି ଏହି ଟଙ୍କା ଭରଣା କରିବାକୁ ଦର୍ଶାଇଛନ୍ତି। ଏତେସବୁ ପରେ ଜିଲ୍ଲା ପ୍ରଶାସନର ଚେତା ପଶିଲା। ପ୍ରାୟ ୪ମାସ ହେବ ଘାସିରାମ ଛାତ୍ରାବାସ ଛାଡ଼ିଲା ପରେ ସେ କୁଆଡ଼େ ଗଲେ ସେ ସମ୍ପର୍କରେ କୌଣସି ଖବର ମିଳୁନଥିଲା। ଘାସିରାମକୁ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ପକ୍ଷକୁ ଡାକି ଗତ ସୋମବାର ଉପ ଜିଲ୍ଲାପାଳ ଆଲୋଚନା କରିଥିଲେ। ପ୍ରତିଯୋଗିତାରେ ଅଂଶଗ୍ରହଣ ବେଳେ ଘାସିରାମ ଏବଂ ତାଙ୍କ ପ୍ରଶିକ୍ଷକ ସଚୀନ୍ଦ୍ର ମାଝୀ ଦାଖଲ କରିଥିବା ଚୁକ୍ତିନାମାକୁ ଦାଖଲ କରିବାକୁ ରାଜ୍ୟ ସଂଘ ସମ୍ପାଦକଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର