ବିଶ୍ବ କୁସ୍ତି: ଫାଇନାଲ୍‌ରୁ ଓହରିଲେ ଦୀପକ, ରୌପ୍ୟରେ ସନ୍ତୁଷ୍ଟ

ନୁର-ସୁଲତାନ (କାଜାକସ୍ତାନ): ଚଳିତ ବିଶ୍ବ କୁସ୍ତି ପ୍ରତିଯୋଗିତା ଅବସରରେ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ହାତେଇଥିବା ଭାରତୀୟ ଯୋଦ୍ଧା ଦୀପକ ପୂନିଆ ଫାଇନାଲ୍‌ରୁ ଓହରିଗଲେ। ସ୍ବିଜରଲାଣ୍ଡ୍‌ ଯୋଦ୍ଧା ଷ୍ଟିଫାନ ରିଚ୍‌ମୁଥଙ୍କୁ ୮-୨ରେ ପରାସ୍ତ କରି ଫାଇନାଲ୍‌ ପ୍ରବେଶ କରିଥିଲେ। ବିଶ୍ବମ୍ବର ସିଂହ (୧୯୬୭), ସୁଶୀଲ କୁମାର (୨୦୧୦), ଅମିତ ଦାହିୟା (୨୦୧୩) ଓ ବଜରଙ୍ଗ ପୂନିଆ (୨୦୧୮)ଙ୍କ ପରେ ପଞ୍ଚମ ଭାରତୀୟ ଭାବେ ଦୀପକ ବିଶ୍ବ ପ୍ରତିଯୋଗିତା ଫାଇନାଲ୍‌ ପ୍ରବେଶ କରିଥିଲେ। ହେଲେ ସେମିଫାଇନାଲ୍‌ ଲଢ଼େଇ ବେଳେ ବାମ ପାଦ ଗୋଇଠିରେ ଆଘାତ ପାଇଥିଲେ। ଯାହାକି ରବିବାର ଫାଇନାଲ୍‌ରେ ଲଢ଼ିବା ପାଇଁ ସାହାସ କରିପାରିନଥିଲେ। ଫଳରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଲେ। ଫାଇନାଲ୍‌ରେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଥିଲେ ୨୦୧୬ ରିଓ ଅଲିମ୍ପିକ୍ସ ୭୪ କେଜି ସ୍ବର୍ଣ୍ଣ ପଦକ ବିଜେତା ଇରାନ୍‌ ଯୋଦ୍ଧା ହାସନ୍‌ ୟାଜ୍‌ଦାନିଚାରଟି। ମାତ୍ର ଦୀପକ ଏଥିରୁ ଓହରିଯିବା‌ରୁ ତାଙ୍କ ସ୍ବର୍ଣ୍ଣ ପଦକ ଆଶା ମଉଳି ଯାଇଥିଲା। ଆଘାତପ୍ରାପ୍ତ ଗୋଇଠିରେ ଲଢ଼ିବା ସହଜ ନଥିଲା। ହାସନ୍‌ଙ୍କ ବିପକ୍ଷରେ ଲଢ଼ିବା ପାଇଁ ବଡ଼ ସୁଯୋଗ ରହିଥିଲା। ଦୁର୍ଭାଗ୍ୟବଶତଃ ତାହା ସମ୍ଭବ ହୋଇନଥିଲା ବୋଲି କହିଥିଲେ ୨୦ ବର୍ଷ ବୟସ୍କ ଦୀପକ। ଏଠାରେ ସୂଚନାଯୋଗ୍ୟ, ବରିଷ୍ଠ ବିଶ୍ବ କୁସ୍ତି ପ୍ରତିଯୋଗିତାରେ ସୁଶୀଲ କୁମାର ହିଁ ଏକମାତ୍ର ଭାରତୀୟ ଭାବେ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ପାଇଛନ୍ତି। ସେ ୨୦୧୦ ମସ୍କୋ ବିଶ୍ବ ପ୍ରତିଯୋଗିତାରେ ୬୬ କେଜି ବର୍ଗରେ ସ୍ବର୍ଣ୍ଣିମ ସଫଳତା ହାତେଇଥିଲେ।

ଦୀପକଙ୍କ ରୌପ୍ୟ ପଦକ ବ୍ୟତୀତ ଅନ୍ୟତମ ଭାରତୀୟ ରାହୁଲ ଆୱାରେ ଏହି ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଛନ୍ତି। ୬୧ କେଜି ଅଣ ଅଲିମ୍ପିକ୍‌ ବର୍ଗ କାଂସ୍ୟ ପଦକ ମୁକାବିଲାରେ ରବିବାର ରାହୁଲ୍‌ ୨୦୧୭ ପାନ୍‌ ଆମେରିକା ବିଜେତା ଟେଲର ଲି ଗ୍ରାଫ୍‌ଙ୍କୁ ୧୧-୪ରେ ପରାସ୍ତ କରି ଦେଇଥିଲେ। ଫଳରେ ରାହୁଲ୍‌ଙ୍କ ପାଇଁ ଏହା ତାଙ୍କ ଜୀବନର ସବୁଠୁ ବଡ଼ ପଦକ ଥିଲା। ଏହା ପୂର୍ବରୁ ଅବଶ୍ୟ ସେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ଏବଂ ଏସୀୟ ପ୍ରତିଯୋଗିତା (୨୦୦୯ ଓ ୨୦୧୧)ରେ ଦୁଇଟି କାଂସ୍ୟ ଜିତିଥିଲେ ମଧ୍ୟ ପ୍ରଥମ ଥର ଲାଗି ବିଶ୍ବ ପ୍ରତିଯୋଗିତା ପଦକ ହାସଲ କଲେ।

ବିଶ୍ବ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ
ଦୀପକଙ୍କ ରୌପ୍ୟ ଏବଂ ରାହୁଲଙ୍କ କାଂସ୍ୟ ପଦକ ସହିତ ବିଶ୍ବ ପ୍ରତିଯୋଗିତାରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଯାଇଛି। ବିଶ୍ବ ପ୍ରତିଯୋଗିତାରେ ୩ ପଦକ ପୂର୍ବରୁ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ୨୦୧୩ ସଂସ୍କରଣରେ ଅମିତ ଦାହିୟା (ରୌପ୍ୟ), ବଜରଙ୍ଗ ପୂନିଆ (କାଂସ୍ୟ) ଓ ସନ୍ଦୀପ ତୁଲ୍‌ସି ଯାଦବ (ଗ୍ରିକୋ ରୋମାନରେ କାଂସ୍ୟ)ଙ୍କ ପଦକ ବଳରେ ଭାରତ ୬ ବର୍ଷ ଧରି ବିଶ୍ବ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ବଜାୟ ରଖିଥିଲା। ହେଲେ ଚଳିତ ବିଶ୍ବ ପ୍ରତିଯୋଗିତାରେ ଭାରତ ୫ ପଦକ ଜିତି ପୂର୍ବ ସଫଳତାକୁ ପଛରେ ପକାଇ ଦେଇଛି।

ସମ୍ବନ୍ଧିତ ଖବର