ରାଜକିଷନଙ୍କ ନାଁରେ ମିଥ୍ୟା ଫେସ୍‌ବୁକ୍‌ ପୋଷ୍ଟ:ସାଥୀ କ୍ରିକେଟର୍‌ ପରଦେଶୀ ନିସାଦ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ାର କ୍ରିକେଟ୍‌ ତାରକା ରାଜକିଷନ ପଟେଲଙ୍କୁ ଅନ୍ୟ ଜଣେ ଖେଳାଳି ଫେସ୍‌ବୁକ୍‌ରେ ନିନ୍ଦା ଓ ବଦନାମ କଲା ଭଳି ବାର୍ତ୍ତା ଛାଡ଼ୁଥିବା ଅଭିଯୋଗ ହୋଇଛି। ଏ ନେଇ ବିଭିନ୍ନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ବରଗଡ଼ ଜିଲ୍ଲାର କ୍ରିକେଟର୍‌ ବାଦଲ ପରଦେଶୀ ନିସାଦଙ୍କୁ ଝାରସୁଗୁଡ଼ା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ୨୦୧୭ ମେ’ ମାସରୁ ଜଣେ ମହିଳା କ୍ରିକେଟ୍‌ ଖେଳାଳିଙ୍କ ନାମରେ ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ପରଦେଶୀ ରାଜ କିଷନଙ୍କ ମର୍ଯ୍ୟାଦାହାନୀ ହେଲା ଭଳି ମିଥ୍ୟା ପୋଷ୍ଟ କରି ଆସୁଥିଲେ। ତାକୁ ଓଡ଼ିଶା କ୍ରିକେଟ୍‌ ସଂଘ ତଥା ଅନ୍ୟାନ୍ୟ ସଂସ୍ଥାର ଆକାଉଣ୍ଟ ସହିତ ଟ୍ୟାଗ୍‌ ମଧ୍ୟ କରୁଥିଲେ। ଏ ସଂପର୍କରେ ଝାରସୁଗୁଡ଼ା ପୁଲିସର ସାଇବର ସେଲ ତଦନ୍ତ କରି ପରଦେଶୀଙ୍କୁ ଗିରଫ କରିଛି। ଓଡ଼ିଶା ପାଇଁ ୩ଟି ଲିଷ୍ଟ ଏ ମ୍ୟାଚ୍‌ ଖେଳି ୫ ଓ୍ଵିକେଟ୍‌ ନେଇଥିବା ଲେଗ୍‌ ସ୍ପିନର୍‌ ରାଜକିଷନଙ୍କ ଘର ବରଗଡ଼ ଜିଲ୍ଲାର ଏଚ୍‌. କଟାପାଲି ଗ୍ରାମରେ ହୋଇଥିଲାବେଳେ ପରଦେଶୀଙ୍କ ଘର ବରଗଡ଼ ଜିଲ୍ଲା ଗୋଡ଼ଭଗାରେ।

ସମ୍ବନ୍ଧିତ ଖବର