ଅଟକିଲା ବିଜୟ ରଥ: ଅଷ୍ଟ୍ରେଲିଆର ପ୍ରଥମ ବିଜୟ, ଭାରତ କୀର୍ତ୍ତିମାନରୁ ବଞ୍ଚିତ

ବେଙ୍ଗାଲୁରୁ: ଚଳିତ ଭାରତ ଗସ୍ତରେ ଅଷ୍ଟ୍ରେଲିଆ ଗୁରୁବାର ପ୍ରଥମ ବିଜୟ ହାସଲ କରିଛି। ବେଙ୍ଗାଲୁରୁରେ ଖେଳା ଯାଇଥିବା ଚତୁର୍ଥ ଦିନିକିଆକୁ ୨୧ ରନ୍‌ରେ ଜିତି ଭାରତର ବିଜୟ ଧାରାକୁ ମଧ୍ୟ ରୋକିଛି। ଲଗାତାର ୯ ଦିନିକିଆ ଜିତି ବେଙ୍ଗାଲୁରୁ ଯାଇଥିବା ଭାରତୀୟ କ୍ରିକେଟ୍‌ ଦଳ ଗୁରୁବାର ପରାଜିତ ହେବା ପରେ ପ୍ରଥମ ଥର କ୍ରମାଗତ ୧୦ ଦିନିକିଆ ବିଜୟର କୀର୍ତ୍ତିମାନରୁ ବଞ୍ଚିତ ହୋଇଛି।
ଅଷ୍ଟ୍ରେଲିଆ ଆଜି ପ୍ରଥମେ ବ୍ୟାଟିଂ କରି ୩୩୫ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ଭାରତ ୮ ଓ୍ଵିକେଟ୍‌ ହରାଇ ୩୧୩ ରନ୍‌ରେ ଅଟକି ଯାଇଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କ୍ୟ ରାହାଣେ (୫୩) ଏବଂ ରୋହିତ ଶର୍ମା (୬୫) ଭଲ ଆରମ୍ଭ କରିଥିଲେ। ରାହାଣେ ରନ୍‌ ହାର ବଢ଼ାଇବା ଲୋଭରେ ନିଜ ଓ୍ଵିକେଟ୍‌ ଫିଙ୍ଗି ଦେଇଥିଲେ। ହେଲେ ସହଜରେ ବଡ଼ ସଟ୍‌ ଖେଳି ପାରୁଥିବା ରୋହିତଙ୍କୁ ଅଧିନାୟକ ବିରାଟ କୋହଲି (୨୧) ରନ୍‌ ଆଉଟ୍‌ କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। କୋହଲି ନିଜେ ମଧ୍ୟ ବେଶି କିଛି କରି ପାରି ନଥିଲେ। ଦୁଇ ଯୁବ ତାରକା ହାର୍ଦିକ ପାଣ୍ଡ୍ୟା (୪୧) ଏବଂ କେଦାର ଯାଦବ (୬୭) ଅବଶ୍ୟ ଲଢ଼ିଥିଲେ। ହେଲେ ପାଣ୍ଡ୍ୟା ୩୮ତମ ଓଭରର ପ୍ରଥମ ବଲ୍‌ରେ ଆଦାମ ଜାମ୍ପାଙ୍କ ଶିକାର ହୋଇଥିଲେ। ଏହା ପରେ ଅନ୍ୟତମ ଯୁବ ତାରକା ମନୀଷ ପାଣ୍ଡେ (୩୩) କେଦାରଙ୍କ ସହ ଯୋଗ ଦେଇଥିଲେ। ଭାରତୀୟ ସ୍କୋର ୨୫୬/୫ ଥିଲା ବେଳେ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ବର୍ଷା ହୋଇଥିଲା। କିଛି ସମୟ ପରେ ଅବଶ୍ୟ ଖେଳ ଆରମ୍ଭ ହୋଇ ଯାଇଥିଲା। ହେଲେ ଖେଳ ପୁନର୍ବାର ଆରମ୍ଭ ହେଲା ବେଳକୁ କେଦାର ଏବଂ ପାଣ୍ଡେଙ୍କ ଲୟ ବିଗିଡ଼ି ଯାଇଥିଲା। ଫଳରେ ଅଷ୍ଟ୍ରେଲିଆ ଏହି ଦୁଇ ଜଣଙ୍କ ସହ ମହେନ୍ଦ୍ର ସିଂହ ଧୋନି (୧୩)ଙ୍କୁ ଆଉଟ୍‌ କରି ପ୍ରତୀକ୍ଷିତ ବିଜୟ ହାସଲ କରିଥିଲା। କଙ୍ଗାରୁ ଦଳର ବିଜୟରେ ଦୁଇ ପ୍ରାରମ୍ଭିକ ଖେଳାଳି ଡେଭିଡ୍‌ ଓ୍ଵାର୍ନର ଏବଂ ଆରୋନ ଫିଞ୍ଚ ପ୍ରମୁଖ ଭୂମିକା ତୁଲାଇଥିଲେ।
ଇନ୍ଦୋର ଭଳି ବେଙ୍ଗାଲୁରୁରେ ମଧ୍ୟ ଅଷ୍ଟ୍ରେଲିଆର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ଵାର୍ନର (୧୨୪ ରନ୍‌, ୧୧୯ ବଲ୍‌, ୧୨ ଚୌକା, ୪ ଛକା) ଓ ଆରୋନ ଫିଞ୍ଚ (୯୪ ରନ୍‌, ୯୬ ବଲ୍‌, ୧୦ ଚୌକା, ୩ ଛକା) ଦୃଢ଼ ମୂଳଦୁଆ ପକାଇଥିଲେ। ଦୁଇ ଜଣ ମିଶି ପ୍ରଥମ ଓ୍ଵିକେଟ୍‌ରେ ୨୩୧ ରନ୍‌ ଯୋଡ଼ିଥିଲେ। ତେବେ ଉଭୟ ପାଞ୍ଚଟି ବଲ୍‌ ଭିତରେ ପାଭିଲିୟନ ଫେରିବା ପରେ ଅଷ୍ଟ୍ରେଲିଆର ରନ୍‌ ଗତି ଏକବାର କମି ଯାଇଥିଲା। ଫିଞ୍ଚ୍‌ଙ୍କୁ ଉମେଶ ଯାଦବ ଲଗାତାର ଦ୍ୱିତୀୟ ଶତକ ଅର୍ଜନ କରିବାର ସୁଯୋଗ ଦେଇ ନଥିଲେ। ସେହିଭଳି କେଦାର ଯାଦବ ବିପଜ୍ଜନକ ଓ୍ଵାର୍ନରଙ୍କୁ ବିଦାୟର ପଥ ଦେଖାଇ ଦେଇଥିଲେ। ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ଉମେଶ ମାତ୍ର ୩ ରନ୍‌ରେ ନିଜ ଦ୍ୱିତୀୟ ଶିକାର କରିବା ପରେ ଟ୍ରାଭିସ୍‌ ହେଡ୍‌ (୨୯)ଙ୍କୁ ରାହାଣେଙ୍କ ହାତରେ କ୍ୟାଚ୍‌ କରାଇ ଚତୁର୍ଥ ଝଟକା ଦେଇଥିଲେ। ଏହା ପରେ ପିଟର ହ୍ୟାଣ୍ଡ୍ସକମ୍ବ (୪୩)ଙ୍କ ଦ୍ରୁତ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ୩୦୦ ରନ୍‌ ଟପିଥିଲା। ଷ୍ଟୋଇନିସ୍‌ ୧୫* ରନ୍‌ କରିଥିଲେ। ଯାଦବ ନିଜ ଫେରନ୍ତା ମ୍ୟାଚ୍‌ରେ ୪ ଓ୍ଵିକେଟ୍‌ ସଫଳତା ପାଇଥିଲେ। ଭାରତ ଗୁରୁବାର ତା’ର ଦୁଇ ପ୍ରମୁଖ ବୋଲର ଭୁବନେଶ୍ୱର କୁମାର ଏବଂ ଯସପ୍ରୀତ ବୁମରାଙ୍କୁ ବିଶ୍ରାମ ଦେଇ ଉମେଶ ଏବଂ ମହମ୍ମଦ ସାମିଙ୍କୁ ଖେଳାଇଥିଲା। ଯାହା ପରେ ଯାଇ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଅଷ୍ଟ୍ରେଲିଆ ପାଞ୍ଚ ଟିକିଆ ଶୃଙ୍ଖଳାରେ ସ୍ଥିତି ୧-୩ କରି ନେଇଥିଲା। ଓ୍ଵାର୍ନର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

୧୦୦ତମ ମ୍ୟାଚ୍‌ରେ ଶତକ
ଓ୍ଵାର୍ନର ବିଶ୍ୱର ଅଷ୍ଟମ, ପ୍ରଥମ ଅଷ୍ଟ୍ରେଲୀୟ

ବେଙ୍ଗାଲୁରୁ: ଗୁରୁବାର ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଭାରତ ବିପକ୍ଷ ଚତୁର୍ଥ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡେଭିଡ୍‌ ଓ୍ଵାର୍ନର ଏକ ସ୍ୱତନ୍ତ୍ର ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ଏହି ମ୍ୟାଚ୍‌ ଓ୍ଵାର୍ନରଙ୍କ ୧୦୦ତମ ଦିନିକିଆ ଆନ୍ତର୍ଜାତିକ ଥିଲା ବେଳେ ସେ ଶତକ ଜମାଇ ଏହାକୁ ସ୍ୱରଣୀୟ କରିଛନ୍ତି। ଓ୍ଵାର୍ନର ୧୧୯ ବଲ୍‌ରୁ ୧୨ ଚୌକା ଓ ୪ ଛକା ବଳରେ ୧୨୪ ରନ୍‌ କରିବା ସାଙ୍ଗକୁ ସାଥୀ ଆରୋନ୍‌ ଫିଞ୍ଚ୍‌ଙ୍କ ସହିତ ପ୍ରଥମ ଓ୍ଵିକେଟ୍‌ରେ ୨୩୧ ରନ୍‌ ଯୋଡ଼ିଥିଲେ। ତେବେ ନିଜର ୧୦୦ତମ ଦିନିକିଆରେ ଶତକ ଜମାଇବାର କୀର୍ତିମାନ ପାଇବାରେ ଓ୍ଵାର୍ନର ବିଶ୍ୱର ଅଷ୍ଟମ ତଥା ପ୍ରଥମ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ ବିବେଚିତ ହୋଇଛନ୍ତି। କ୍ରିକେଟର୍‌ ହୋଇଛନ୍ତି। ଏହା ପୂର୍ବରୁ ବିଶ୍ୱ କ୍ରିକେଟ୍‌ରେ ମାତ୍ର ୭ ବ୍ୟାଟ୍‌ସମ୍ୟାନ୍‌ ନିଜ ନିଜର ୧୦୦ତମ ଦିନିକିଆରେ ଶତକ ଜମାଇବାର କୀର୍ତିମାନ ପାଇଥିଲେ। ସେମାନଙ୍କ ମଧ୍ୟରୁ େଓ୍ଵଷ୍ଟଇଣ୍ଡିଜ୍‌ର ଗର୍ଡନ୍‌ ଗ୍ରିନିଜ୍‌ (ଅପରାଜିତ ୧୦୨) ୧୯୮୮ ଅକ୍ଟୋବର ୧୮ ତାରିଖରେ ପାକିସ୍ତାନ ବିପକ୍ଷ ସାର୍‌ଜା ଦିନିକିଆରେ, ନ୍ୟୁଜିଲାଣ୍ଡ୍‌ର କ୍ରିସ୍‌ କେର୍ନସ୍‌ (୧୧୫ ରନ୍‌) ୧୯୯୯ ଜାନୁଆରି ୧୯ ତାରିଖରେ ଭାରତ ବିପକ୍ଷ ଖ୍ରିଷ୍ଟଚର୍ଚ୍ଚ ଦିନିକିଆରେ, ପାକିସ୍ତାନର ମହମ୍ମଦ ୟୁସୁଫ୍‌ (୧୨୯ ରନ୍‌) ୨୦୦୨ ଏପ୍ରିଲ ୧୭ ତାରିଖରେ ଶ୍ରୀଲଙ୍କା ବିପକ୍ଷ ସାର୍‌ଜା ଦିନିକିଆରେ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୧୦୧ ରନ୍‌) ୨୦୦୪ ଫେବ୍ରୁଆରି ୨୭ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ କଲମ୍ବୋ ଦିନିକିଆରେ, େଓ୍ଵଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ (ଅପରାଜିତ ୧୩୨) ୨୦୦୪ ଜୁଲାଇ ୬ ତାରିଖରେ ଇଂଲଣ୍ଡ ବିପକ୍ଷ ଲର୍ଡସ୍‌ ଦିନିକିଆରେ, ଇଂଲଣ୍ଡର ମାର୍କସ୍‌ ଟ୍ରେସ୍କୋଥିକ୍‌ (ଅପରାଜିତ ୧୦୦) ୨୦୦୫ ଜୁନ୍‌ ୧୬ ତାରିଖରେ ବାଂଲାଦେଶ ବିପକ୍ଷ ଓଭାଲ୍‌ ଦିନିକିଆରେ ଏବଂ େଓ୍ଵଷ୍ଟଇଣ୍ଡିଜ୍‌ର ରାମନରେଶ ସରଓ୍ଵନ୍‌ (ଅପରାଜିତ ୧୧୫) ୨୦୦୬ ମେ ୨୩ ତାରିଖରେ ଭାରତ ବିପକ୍ଷ ବାସେଟେରେ ଦିନିକିଆରେ ଶତକ ଜମାଇଥିଲେ। ୧୦୦ତମ ଦିନିକିଆରେ ଶତକ ଜମାଇଥିବା ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରୁ ଗେଲ୍‌ ସର୍ବାଧିକ ସ୍କୋର୍‌ କରିଥିଲା ବେଳେ ଓ୍ଵାର୍ନର ଏକ୍ଷେତ୍ରରେ ତୃତୀୟ ହୋଇଛନ୍ତି। ପୁଣି ୧୦ ବର୍ଷ ପରେ ଏଭଳି କୀର୍ତିମାନ ପାଇବାରେ ଓ୍ଵାର୍ନର ପ୍ରଥମ ଖେଳାଳି ହୋଇଛନ୍ତି। ୨୦୦୬ରେ ସର୍‌ଓ୍ଵନ୍‌ଙ୍କ ପରେ ଆଉ କୌଣସି ବ୍ୟାଟ୍‌ସମ୍ୟାନ୍‌ ଏହି ମାଇଲଖୁଣ୍ଟରେ ପହଞ୍ଚି ପାରିନଥିଲେ। କେର୍ନସ ଓ ସର୍‌ଓ୍ଵନ୍‌ଙ୍କ ପରେ ଓ୍ଵାର୍ନର ଭାରତ ବିପକ୍ଷରେ ଏଭଳି କୀର୍ତିମାନ ପାଇବାରେ ତୃତୀୟ ହୋଇଛନ୍ତି।
ପୁଣି ୧୦୦ ଦିନିକିଆରେ ସର୍ବାଧିକ ମୋଟ ରନ୍‌ କରିବାରେ ଓ୍ଵର୍ନର ବିଶ୍ୱର ଦ୍ୱିତୀୟ ହୋଇଛନ୍ତି। ଓ୍ଵାର୍ନର ୧୦୦ ଦିନିକିଆରେ ମୋଟ ୪୨୧୭ ରନ୍‌ କରିଥିଲା ବେଳେ ଦକ୍ଷିଣ ଆଫ୍ରିକାର ହାସିମ୍‌ ଆମ୍‌ଲା (୪୮୦୮ ରନ୍‌) ପ୍ରଥମ ସ୍ଥାନରେ ରହିଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି (୪୧୦୭ ରନ୍‌) ଏହି ତାଲିକାରେ େଓ୍ଵଷ୍ଟଇଣ୍ଡିଜ୍‌ର ଗର୍ଡନ୍‌ ଗ୍ରିନିଜ୍‌ (୪୧୭୭) ଓ ଭିଭିଆନ୍‌ ରିଚାର୍ଡସ୍‌ (୪୧୪୬)ଙ୍କ ପଛକୁ ପଞ୍ଚମ ସ୍ଥାନରେ ରହିଛନ୍ତି।

ଉମେଶଙ୍କୁ ୧୦୦ ଓ୍ଵିକେଟ୍‌

ଗୁରୁବାର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଦିନିକିଆ ଅବସରରେ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ ୧୦୦ ଓ୍ଵିକେଟ୍‌ ପୂରଣ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ସେ ୪ ଓ୍ଵିକେଟ୍‌ ନେଇଥିଲା ବେଳେ ୭୧ ମ୍ୟାଚ୍‌ରୁ ତାଙ୍କର ମୋଟ ଦିନିକିଆ ଆନ୍ତର୍ଜାତିକ ଓ୍ଵିକେଟ୍‌ ସଂଖ୍ୟା ୧୦୨ରେ ପହଞ୍ଚାଇ ଦେଇଛନ୍ତି। ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ନିଜ ଅଧିନାୟକ ବିରାଟ କୋହଲିଙ୍କ ହାତରେ କ୍ୟାଚ୍‌ କରାଇ ଉମେଶ ଓ୍ଵିକେଟ୍‌ ଦଖଲରେ ଶତକ ପୂରଣ କରିଥିଲେ। ହେଲେ ଟେଷ୍ଟରେ ଉମେଶ ୯୪ ଓ୍ଵିକେଟ୍‌, ୩୪ ମ୍ୟାଚ୍‌) ଶତକଠାରୁ ୬ ଓ୍ଵିକେଟ୍‌ ଦୂରରେ ରହିଛନ୍ତି।

ସମ୍ବନ୍ଧିତ ଖବର