ଆଜି ସ୍ୱର୍ଣ୍ଣ ପାଇଁ ଖେଳିବେ ମହିଳା

ପୁରୁଷ ସେମିଫାଇନାଲରେ ହାରିବା ପରେ ଭାରତୀୟ ମହିଳା ହକି ଦଳ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ମହିଳା ଦଳ ୩୬ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଭାରତୀୟ ହକି ପ୍ରେମୀଙ୍କୁ ସ୍ୱର୍ଣ୍ଣ ଉପହାର ଦେବ ବୋଲି ଆଶା କରାଯାଉଛି। ଭାରତୀୟ ମହିଳା ହକି ଦଳ ଶୁକ୍ରବାର ସ୍ୱର୍ଣ୍ଣ ପଦକ ମୁକାବିଲା ମ୍ୟାଚ୍‌ରେ ଜାପାନକୁ ଭେଟିବ। ଭାରତୀୟ ମହିଳା ଦଳ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। ଫାଇନାଲ୍‌ ବାଟରେ ସେମାନେ ଇଣ୍ଡୋନେସିଆକୁ ୮-୦, କାଜାଖସ୍ତାନକୁ ୨୧-୦, ଉତ୍ତର କୋରିଆକୁ ୪-୧ ଏବଂ ଥାଇଲାଣ୍ଡକୁ ୫-୦ରେ ହରାଇଛନ୍ତି। ସେହିଭଳି ସେମିଫାଇନାଲରେ ଚାଇନିଜ୍‌ ତାଇପେକୁ ୧-୦ ଗୋଲ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛି।

ସୀମା କାଂସ୍ୟରେ ସନ୍ତୁଷ୍ଟ
ମହିଳା ଡିସ୍‌କସ୍‌ରେ ଭାରତୀୟ ତାରକା ସୀମା ପୁନିଆ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଗତ ଏସିଆଡ଼୍‍ ବିଜୟିନୀ ସୀମା ସର୍ବାଧିକ ୬୨.୨୬ ମିଟର ଦୂରତାକୁ ଡିସ୍‌କସ୍‌ ଫିଙ୍ଗି ଥିଲେ। ଫଳରେ ନିଜ ପଦକ ବଜାୟ ରଖି ପାରି ନଥିଲେ। ୩୫ ବର୍ଷୀୟ ସୀମାଙ୍କୁ ଚୀନ୍‌ର ଦୁଇ ପ୍ରତିଯୋଗୀ ଚେନ୍‌ ୟାଙ୍ଗ (୬୫.୧୨) ଓ ଫେଙ୍ଗ ବିନ୍‌ (୬୫.୨୫) ପଛରେ ପକାଇ ଦେଇଥିଲେ। ୟାଙ୍ଗ ସ୍ୱର୍ଣ୍ଣ ଜିତିଥିଲା ବେଳେ ବିନ୍‌ ରୌପ୍ୟ ହାତେଇ ନେଇଥିଲେ। ଫଳରେ ଚୀନ ଓ୍ଵାନ୍‌-ଟୁ ଫିନିସ୍‌ ପାଇଥିଲା।

୬୭ ବର୍ଷ ପରେ ଶ୍ରେଷ୍ଠ ଦୌଡ଼କୁଦ ପ୍ରଦର୍ଶନ
ଅଷ୍ଟାଦଶ ଏସିଆଡ଼ର ୬ ଦିନର ଦୌଡ଼କୁଦ ପ୍ରତିଯୋଗିତାରୁ ଭାରତ ୭ ସ୍ୱର୍ଣ୍ଣ, ୧୦ ରୌପ୍ୟ ଓ ୨ କାଂସ୍ୟ ପଦକ ଜିତିଛି। ଏଥିରେ ଭାରତ ଚୀନ (୧୨, ୧୨,୯) ଓ ବାହାରିନ୍‌ (୧୨.୬.୭) ପଛକୁ ତୃତୀୟ ସ୍ଥାନରେ ରହିଛି। ଭାରତର ଏହି ପ୍ରଦର୍ଶନ ୧୯୫୧ ମସିହା ପରେ ଏସିଆଡ଼୍‍ରେ ସର୍ବଶ୍ରଷ୍ଠ ପ୍ରଦର୍ଶନ। ୧୯୭୮ ଏବଂ ୨୦୦୨ରେ ମଧ୍ୟ ଭାରତ ସାତଟି ଲେଖାଏଁ ସ୍ୱର୍ଣ୍ଣ ଜିତିଥିଲା। ହେଲେ ମୋଟ ଉପରେ ସେହି ଦୁଇ ସଂସ୍କରଣରେ ୧୭ଟି ଲେଖାଏଁ ପଦକ ଜିତିଥିଲା ବେଳେ ଏଥର ୧୯ ପଦକ ଜିତି ସାରିଲାଣି। ନୂଆଦିଲ୍ଲୀରେ ଆୟୋଜିତ ୧୯୫୧ର ପ୍ରଥମ ସଂସ୍କରଣରେ ଭାରତ ୧୦ ସ୍ୱର୍ଣ୍ଣ ସହ ୩୧ ପଦକ ଜିତିଥିଲା। ୧୯୮୨ରେ ୪ ସ୍ୱର୍ଣ୍ଣ, ୮ ରୌପ୍ୟ, ୮ କାଂସ୍ୟ ସହ ୨୦ ପଦକ ପାଇଥିଲା।

ସମ୍ବନ୍ଧିତ ଖବର