ଖ୍ରୀଷ୍ଟଚର୍ଚ: ନ୍ୟୁଜିଲାଣ୍ଡ୍ରେ ଶୁକ୍ରବାର ସକାଳେ ଦୁଇଟି ମସ୍ଜିଦ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତିଯାଇଛି ବାଂଲାଦେଶ କ୍ରିକେଟ୍ ଦଳ। ନିହତ ସଂଖ୍ୟା ୪୯ରେ ପହଞ୍ଚିଥିଲେ ମଧ୍ୟ ବାଂଲାଦେଶ କ୍ରିକେଟ୍ ଦଳର ସଦସ୍ୟମାନେ ଏଥିରୁ ଅଳ୍ପକେ ବର୍ତିଯାଇଛନ୍ତି। ଅଭ୍ୟାସକୁ ଯିବା ପୂର୍ବରୁ ବାଂଲାଦେଶ ଦଳ ମସ୍ଜିଦ୍କୁ ପ୍ରାର୍ଥନା କରିବାକୁ ଯାଉଥିବା ବେଳେ ମାତ୍ର ୫୦ ଗଜ ଦୂରରୁ ଏଭଳି ଆକ୍ରମଣ ଦୃଶ୍ୟକୁ ପ୍ରତ୍ୟକ୍ଷ ଭାବେ ଦେଖି ଫେରିଯାଇଥିଲେ। ଭ୍ରମଣକାରୀ ଦଳ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ଏବଂ ତୁରନ୍ତ ହୋଟେଲ୍ ରୁମ୍କୁ ଫେରିଯାଇଛନ୍ତି। କେତେକ ସାମ୍ବାଦିକ, ସପୋର୍ଟ ଷ୍ଟାଫ୍ ମଧ୍ୟ ହୋଟେଲ୍ ରୁମ୍ରେ ଆବଦ୍ଧ ହେବାକୁ ବାଧ୍ୟ ହୋଇଛନ୍ତି। ମୁଖ୍ୟ ପ୍ରଶିକ୍ଷକ ଷ୍ଟିଭ୍ ରୋଡ୍ସ ପଡ଼ିଆରେ ଥିଲେ ମଧ୍ୟ ତୁରନ୍ତ ହୋଟେଲ୍ ରୁମ୍କୁ ଫେରି ଆସିଛନ୍ତି। ଶନିବାରଠାରୁ ଖ୍ରୀଷ୍ଟଚର୍ଚ୍ଚର ହଗଲେ ଓଭାଲରେ ତୃତୀୟ ତଥା ଶେଷ ଟେଷ୍ଟ୍ ଆରମ୍ଭ ହେବାର ଥିଲା। କିନ୍ତୁ ଏହିଠାରୁ ହିଁ ଗସ୍ତକୁ ବାତିଲ କରିଦିଆଯାଇଛି। ଘଟଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ଦୁଇ ଦେଶର କ୍ରିକେଟ୍ ବୋର୍ଡ ଏଭଳି ନିଷ୍ପତ୍ତି ନେଇଥିଲେ। ଆମେ ଏଭଳି ଘଟଣାକୁ ନେଇ ସ୍ତମ୍ଭୀଭୂତ ଏବଂ ସବୁ ପ୍ରକାର ସମର୍ଥନ ଓ ସହାୟତା ପାଇଁ ନ୍ୟୁଜିଲାଣ୍ଡ୍ କ୍ରିକେଟ୍ ପ୍ରସ୍ତୁତ ବୋଲି ଏହାର ସିଇଓ ଡେଭିଡ୍ ହ୍ବାଇଟ୍ ପ୍ରକାଶ କରିଛନ୍ତି। କ୍ରିକେଟ୍ ଖେଳିବାକୁ ଏହା ଉପଯୁକ୍ତ ସମୟ ନୁହେଁ, ସେଥିପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ ସହିତ ଆଲୋଚନା ପରେ ଗସ୍ତ ବାତିଲ କରାଗଲା ବୋଲି ହ୍ବାଇଟ୍ ପ୍ରକାଶ କରିଛନ୍ତି। ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ପାଇଁ କ୍ରିକେଟ୍ ପ୍ରଭାବିତ ହୋଇଛି। ଏହି ଘଟଣାକୁ ନେଇ କ୍ରିକେଟ୍ ସହିତ ବିଶ୍ବ କ୍ରୀଡ଼ା ଦୁନିଆ ମଧ୍ୟ ସ୍ତବ୍ଧ ହୋଇଛି। ‘ଆମେ ବାସ୍ତବରେ ଭାଗ୍ୟବାନ’ ବୋଲି ନିଜ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ବାଂଲାଦେଶ କ୍ରିକେଟ୍ ଦଳର ପ୍ରବଂଧକ ଖଲିଦ୍ ମାସୁଦ୍। ଗସ୍ତକୁ ବାତିଲ କରିଦିଆଯିବା ପରେ ବାଂଲାଦେଶ ଦଳକୁ ଯେତେ ଶୀଘ୍ର ସମ୍ଭବ ସ୍ବଦେଶ ଫେରିଯିବାର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି। ଏହା ଅବିଶ୍ବସନୀୟ ଏବଂ ଦୁଃଖଦାୟକ ଘଟଣା। ଖେଳାଳି ଏବଂ ସେମାନଙ୍କ ପରିବାରର ମାନସିକତାକୁ ନେଇ ଆମେ ଚିନ୍ତିତ ବୋଲି ମଧ୍ୟ ହ୍ବାଇଟ୍ କହିଛନ୍ତି। ଉଭୟ ଦଳ ସୁରକ୍ଷିତ ରହିଛନ୍ତି ଏବଂ ଆଇସିସି ସମ୍ପୂର୍ଣ୍ଣ ସହାୟତା କରିବାକୁ ପ୍ରସ୍ତୁତ ବୋଲି ମଧ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍ ରିଚାର୍ଡସନ୍ ପ୍ରକାଶ କରିଛନ୍ତି। ଘଟଣାକୁ ନ୍ୟୁଜିଲାଣ୍ଡ୍ ପ୍ରଧାନମନ୍ତ୍ରୀ ଜାସିନ୍ଦା ଆର୍ଦେନ ‘ନ୍ୟୁଜିଲାଣ୍ଡ୍ ପାଇଁ ଅନ୍ୟତମ କଳା ଦିବସ’ ଆଖ୍ୟା ଦେଇଛନ୍ତି। ନ୍ୟୁଜିଲାଣ୍ଡ୍ରେ ହିଂସାର ସ୍ଥାନ ନାହିଁ, ଏହା ନୃଶଂସତାର କାମ ବୋଲି ସେ କହିଛନ୍ତି।
ଆମେ ବାସ୍ତବରେ ଭାଗ୍ୟବାନ: ଖଲିଦ୍
ବାଂଲାଦେଶ କ୍ରିକେଟ୍ ଦଳର ସଦସ୍ୟମାନେ ଆକ୍ରମଣ ସମୟରେ ମସ୍ଜିଦଠାରୁ ମାତ୍ର ୫୦ ଗଜ ଦୂରରେ ଥିଲେ। ଆମେ ବଞ୍ଚିଯିବା ବାସ୍ତବରେ ଭାଗ୍ୟବାନ ବୋଲି କହିଛନ୍ତି ଦଳର ପ୍ରବଂଧକ ଖଲିଦ୍ ମାସୁଦ୍। ଏଭଳି ଘଟଣା ଆମେ ଏଠାରେ ନୁହେଁ, ବିଶ୍ବର କୌଣସି ସ୍ଥାନରେ ବି ଆଶା କରୁନାହୁଁ ବୋଲି ମାସୁଦ୍ ପ୍ରକାଶ କରିଛନ୍ତି। ଘଟଣା ବେଳେ ଆମେ ୧୭ ଜଣ ବସ୍ରେ ଥିଲୁ। ସୌମ୍ୟ ସରକାର ବି ଥିଲେ। ପ୍ରାର୍ଥନା ପାଇଁ ଆମେ ମସଜିଦ୍ ଅଭିମୁଖେ ଯାଉଥିଲୁ। କେବଳ ହୋଟେଲ୍ରେ ଲିଟନ୍ ଦାସ, ନୟିମ୍ ହାସନ୍ ଏବଂ ସ୍ପିନ୍ ବୋଲିଂ ପ୍ରଶିକ୍ଷକ ସୁନୀଲ ଯୋଶୀ ହୋଟେଲ୍ ରୁମ୍ରେ ଥିଲେ। ଆମେ ବସ୍ରେ ଥାଇ ଏଭଳି ଘଟଣାକୁ ପ୍ରତ୍ୟକ୍ଷ ଭାବେ ଦେଖିଥିଲୁ, ଆମେ ଯଦି ୩/୪ ମିନିଟ୍ ପୂର୍ବରୁ ପହଞ୍ଚିଥାନ୍ତୁ ନିଶ୍ଚିତ ମସ୍ଜିଦ୍ ଭିତରେ ପହଞ୍ଚିଥାନ୍ତୁ ଏବଂ ଆକ୍ରମଣର ଶିକାର ହେବା ନିଶ୍ଚିତ ଥିଲା ବୋଲି କହିଥିଲେ ମାସୁଦ୍। ଆମକୁ ଏକ ସିନେମା ଦୃଶ୍ୟ ଭଳି ଲାଗିଥିଲା। ଆମେ ଏକାଠି ଏତେ ଥିବା ଜାଣିଥିଲେ ବି ସେ ଆମକୁ ଆକ୍ରମଣ କରିବାର ଆଶଙ୍କା ଥିଲା। ମିଳିତ ଭାବେ ଆମେ ନିଷ୍ପତ୍ତି ନେଇ ବସ୍ର ପଛଦ୍ବାର ଦେଇ ବାହାରିଯାଇଥିଲୁ ଏବଂ ଗେଟ୍ ବାହାରକୁ ପଳାଇଥିଲୁ। ଆମ ସହ ଥିବା ସ୍ଥାନୀୟ ଅଧିକାରୀ ହିଁ ଖସିବାର ଖସଡା ପ୍ରସ୍ତୁତ କରିଥିଲେ। ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି ଆତଙ୍କୀମାନେ ବାହାରକୁ ଆସୁଥିଲେ ଏବଂ ପୁଣି ଆକ୍ରମଣ କରୁଥିଲେ। ଜଣେ କ୍ରିକେଟର୍ ଏବଂ ମଣିଷ ଭାବେ ଏଭଳି ଦୃଶ୍ୟକୁ ଦେଖିବାର ଦୁର୍ଭାଗ୍ୟ ପାଇଲି ବୋଲି ମାସୁଦ୍ କହିଛନ୍ତି। ମୋ ସମେତ ଅଧିନାୟକ ମହମ୍ମାଦୁଲ୍ଲା ଏବଂ ତମିମ୍ ଇକବାଲ୍ଙ୍କ ସହିତ ବୋର୍ଡ ଯୋଗାଯୋଗ କରିଥିଲା। ନ୍ୟୁଜିଲାଣ୍ଡ୍ କ୍ରିକେଟ୍ ବୋର୍ଡକୁ କିନ୍ତୁ ଆମେ ବର୍ତିଯାଇଥିବାରୁ କୃତଜ୍ଞତା ଜଣାଉଛି ବୋଲି ମାସୁଦ୍ ପ୍ରକାଶ କରିଛନ୍ତି।
‘ଗୁଳି ବର୍ଷୁଛି, ଆମକୁ ବଞ୍ଚାଅ’
ଶନିବାରଠାରୁ ଆରମ୍ଭ ହେବାକୁ ଥିବା ଖ୍ରୀଷ୍ଟଚର୍ଚ ଟେଷ୍ଟ୍ ଲାଗି ସାମ୍ବାଦିକ ମହମ୍ମଦ ଇସ୍ଲାମ ବି ଥିଲେ ସେଠାରେ। କିନ୍ତୁ କ୍ରିକେଟ୍ ଉପରୁ ଏକାଗ୍ରତା ହଟାଇବାକୁ ପଡ଼ିଥିଲା ମସ୍ଜିଦ୍ ଆକ୍ରମଣ ଘଟଣା ପାଇଁ। ପରିସ୍ଥିତି ଏଭଳି ହୋଇଥିଲା ‘ଏଠାରେ ଗୁଳି ବର୍ଷୁଛି, ଆମକୁ ବଞ୍ଚାଓ’ ବୋଲି ଚିତ୍କାର କରି ଫୋନ୍ କଲ୍ରେ ଇସ୍ଲାମଙ୍କୁ କହିଥିଲେ ତମିମ୍ ଇକବାଲ। ମୁଁ ସକାଳୁ ଉଠି କେନ୍ ୱିଲିୟମସନ୍, ବିଜେ ୱାଟଲିଂ, ତମିମ୍ ଇକ୍ବାଲ ଏବଂ ମୁସ୍ଫିକର ରହିମଙ୍କ ଆହତ ସମସ୍ୟା କଥା ବୁଝିଥାନ୍ତି। କିଏ ଖେଳିବ କିଏ ନ ଖେଳିବ ନଜର ରଖିବାର ଥିଲା। କିନ୍ତୁ ୮ ଘଣ୍ଟା ପରେ ନ୍ୟୁଜିଲାଣ୍ଡ୍ ଦେଖିଥିଲା ଏହାର ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ। ମନରୁ କ୍ରିକେଟ୍ ହଟିଯାଇଥିଲା ଏବଂ ଜୀବନର ସୁରକ୍ଷା ବଡ଼ ପ୍ରସଙ୍ଗ ପାଲଟିଯାଇଥିଲା ବୋଲି ମହମ୍ମଦ ଇସ୍ଲାମ୍ ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ବର୍ଷା ସତ୍ତ୍ବେ ଖେଳାଳିମାନେ ପଡ଼ିଆକୁ ବାହାରିଥିଲେ ଏବଂ ପାଖରେ ଥିବା ମସ୍ଜିଦ୍ ଯାଇ ଶୁକ୍ରବାର ପ୍ରାର୍ଥନା କରି ଅଭ୍ୟାସକୁ ଫେରିବାର ଥିଲା। ଏପରିକି ଲିଙ୍ଗଲନ୍ ବିଶ୍ବବିଦ୍ୟାଳୟର ଇନ୍ଡୋର ସୁବିଧାରେ ତାଲିମ ନେବାକୁ ଯିବାର ଥିଲା। ବାଂଲାଦେଶ ଅଧିନାୟକ ମାହମ୍ମଦୁଲ୍ଲା ପ୍ରାକ୍ ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ୯ ମିନିଟ୍ ସମୟ କାଟି ମସଜିଦ୍ ଅଭିମୁଖେ ଥିବା ବସ୍ ଆଡକୁ ଯାଇଥିଲେ। ଅବଶିଷ୍ଟ ଖେଳାଳି ବି ବସ୍ରେ ଚଢ଼ିଥିଲେ। ଦଳର ପ୍ରବଂଧକ ଖାଲିଦ୍ ମାସୁଦ୍, ଟିମ୍ ଆନାଲିଷ୍ଟ୍ ଶ୍ରୀନିବାସ ଚନ୍ଦ୍ରଶେଖରନ୍ ଏବଂ ମାଲିସବାଲା ମହମ୍ମଦ ସୋହେଲ ବି ବସ୍ରେ ବସିଥିଲେ। କିଛି ସମୟ ପରେ ତମିମ୍ ଇକବାଲ୍ ମୋତେ କଲ୍ କରି କହିଥିଲେ, ‘ଏଠାରେ ଗୁଳି ବର୍ଷୁଛି, ଆମକୁ ବଞ୍ଚାଓ’। ଏହି ସମୟରେ ମୁଁ ସାମ୍ବାଦିକ ଭାବେ ନୁହେଁ, ମଣିଷ ପଣିଆ ପାଇଁ ମସ୍ଜିଦ୍ ଆଡକୁ ଦୌଡ଼ିଥିଲି। ମୋ ସହିତ ଅନ୍ୟ ଦୁଇ ବାଂଲାଦେଶୀ ସାମ୍ବାଦିକ ମଜହର୍ ଉଦ୍ଦିନ ଏବଂ ଉତ୍ପଳ ଶୁଭ୍ର ମଧ୍ୟ ଦୌଡ଼ିଥିଲେ। କିଛି ସମୟ ପରେ ବାଂଲାଦେଶ ଟିମ୍ ବସ୍କୁ ଠାବ କରିଥିଲୁ, ଏହା ପୁଲିସ୍ ଘେରରେ ଥିଲା। କିଛି ରକ୍ତାକ୍ତ ଲୋକ ବି ଆମ ଆଡକୁ ଦୌଡ଼ୁଥିଲେ ଏବଂ ସହାୟତା ଲାଗି ଚିତ୍କାର କରୁଥିଲେ। ଜଣେ ବରିଷ୍ଠ ଖେଳାଳି ବି ମୋ ଉପରେ ଝୁଲି ପଡ଼ି କାନ୍ଦି ପକାଇଥିଲେ। ଏଭଳି ଦୃଶ୍ୟ ବର୍ଣ୍ଣନା କରିବା ଅବସ୍ଥାରେ ସେ ନ ଥିଲେ। ମୁଁ ବି ମୋ ଜୀବନଠାରୁ ମାତ୍ର କିଛି ମିନିଟ ଦୂରରେ ଥିଲି। ଶେଷରେ ଗସ୍ତ ବାତିଲ ଖବର ପାଇ ଆମେ ହୋଟେଲ୍ ଆଭିମୁଖେ ବାହାରିଥିଲୁ। ଏହା ପରେ ଏକ ବଂଧୁଙ୍କ ରାତ୍ରୀ ଭୋଜନରେ ଯୋଗ ଦେଇଥିଲେ ବି ପେଟରେ ଭୋକ ନ ଥିଲା। ଦୁଃଖ ଖବର ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିଲା।
କ୍ରିକେଟ୍ ଦୁନିଆ ସ୍ତବ୍ଧ
ନୂଆଦିଲ୍ଲୀ: ଖ୍ରୀଷ୍ଟଚର୍ଚ୍ଚର ଦୁଇ ମସ୍ଜିଦ୍ ଭିତରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା କ୍ରିକେଟ୍ ଦୁନିଆକୁ ବି ଦୋହଲାଇ ଦେଇଛି। ଆଇସିସି ଏହି ଘଟଣାକୁ ନିନ୍ଦା କରିଥିବା ବେଳେ ଖେଳାଳି ଏବଂ ସେମାନଙ୍କ ପରିବାର ପ୍ରତି ସମର୍ଥନ ଜଣାଇଛନ୍ତି। ହଗଲେ ଓଭାଲ ଟେଷ୍ଟ୍ ବାତିଲକୁ ବି ଆଇସିସି ସମର୍ଥନ କରୁଛି ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍ ରିଚାର୍ଡସନ୍ ପ୍ରକାଶ କରିଛନ୍ତି।
ଆଲ୍ଲା ଆମକୁ ବଞ୍ଚାଇଦେଲେ, ଆମେ ବଡ଼ ଭାଗ୍ୟବାନ:
ତମିମ୍ ଇକବାଲ ଖାନ୍
ମର୍ମାହତ ଏବଂ ଦୁଃଖଦାୟକ ଘଟଣା। ଏଭଳି କାପୁରୁଷ ଭଳି ଆଚରଣରେ ପ୍ରଭାବିତ ଲୋକଙ୍କ ପାଇଁ ମୋ ହୃଦୟରୁ ସମର୍ଥନ ରହିଛି: ବିରାଟ କୋହଲି
ଏଭଳି ଖବର ଜାଣି ମୁଁ ସ୍ତମ୍ଭୀଭୂତ ଏବଂ ପ୍ରଭାବିତ ପରିବାରଙ୍କ ପ୍ରତି ସମବେଦନା ଜଣାଉଛି: ଭିଭିଏସ୍ ଲକ୍ଷ୍ମଣ
ମୋ ହୃଦୟରୁ ଶୋକ ଓ ସମବେଦନା ଜଣାଉଛି:
କୁମାର ସାଙ୍ଗାକାରା
ଖ୍ରୀଷ୍ଟଚର୍ଚ୍ଚରୁ ଖରାପ ଖବର ମିଳିଛି, ପୀଡ଼ିତଙ୍କ ପରିବାର ପାଇଁ ପ୍ରାର୍ଥନା କରୁଛି:
ମାହେଲା ଜୟବର୍ଧନେ
ନ୍ୟୁଜିଲାଣ୍ଡ୍ରେ ନୃଶଂସ କାଣ୍ଡ ଦୁଃଖଦାୟକ:
ଆଞ୍ଜେଲୋ ମାଥ୍ୟୁସ
ମାନବିକତା ପାଇଁ ସୁରକ୍ଷିତ ସ୍ଥାନ ନାହିଁ, କାରଣ ମଣିଷ ହିଁ ଭୂପୃଷ୍ଠର ସବୁଠୁ ଶ୍ରେଷ୍ଠ ଶତ୍ରୁ: ରବିଚନ୍ଦ୍ରନ ଅଶ୍ବିନ୍
ଅତି ଭୟଙ୍କର ଏବଂ ନିନ୍ଦନୀୟ ଘଟଣା, ସମସ୍ତଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି: ମାଇକେଲ୍ କ୍ଲାର୍କ