ଏବି ଡି’ଭିଲିୟର୍ସ, ବୁମରାଙ୍କ ତଥ୍ୟ ମିଛ କହୁନାହିଁ

ଆଇସିସିର ଦିନିକିଆ ବୋଲରଙ୍କ ମାନ୍ୟତା ଉପରେ ନଜର ପକାନ୍ତୁ। ଯଶ୍‌ପ୍ରୀତ୍ ବୁମରା ଏକ ନମ୍ବର ସ୍ଥାନରେ ଅଛନ୍ତି। ତଥ୍ୟ ଏଠାରେ କିଛି ମିଛ କହୁନାହିଁ। ବେଙ୍ଗାଲୁରୁଠାରେ ଆରସିବି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ବୁମରା ନିଜ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଶେଷ ଭାଗ ଓଭରଗୁଡ଼ିକରେ ସେ ଉନ୍ନତରୁ ଉନ୍ନତ ବୋଲିଂ କରି ଆସୁଛନ୍ତି। ଉଲ୍ଲେଖନୀୟ ବୋଲିଂ କରିଥିବାରୁ ସବୁ ଶ୍ରେୟ ତାଙ୍କୁ ମିଳିବ। ପରବର୍ତୀ ମୁକାବିଲାକୁ ମୁଁ ଅପେକ୍ଷା କରିବି। ଗୁରୁବାର ମ୍ୟାଚ୍‌ରେ ଶେଷଆଡକୁ ମୁଁ ବିସ୍ମିତ ହୋଇଥିଲି। କ’ଣ କରିବାକୁ ପଡ଼ିବ ଜାଣି ପାରୁନଥିଲି। ପ୍ରଥମ ଥର ପାଇଁ ମୁଁ ଏକ ଆଇପିଏଲ୍ ମ୍ୟାଚ୍‌ରେ ଅପରାଜିତ ରହିଥିଲେ ମଧ୍ୟ ପରାଜୟ ପାର୍ଶ୍ବରେ ଆସିଥିଲି। ମୁମ୍ବାଇର ୧୮୭ ରନ୍ ଏଭଳି ପିଚ୍‌ରେ ଭଲ ସ୍କୋର୍ ଥିଲା। ଦ୍ରୁତ ଆରମ୍ଭ ପରେ ଆମେ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ସେମାନଙ୍କୁ କିଛି ମାତ୍ରାରେ ନିୟନ୍ତ୍ରଣରେ ରଖିଥିଲୁ। କିନ୍ତୁ ସେମାନଙ୍କୁ ୧୬୦ ଭିତରେ ସୀମିତ ରଖିପାରିନଥିଲୁ ଏବଂ ଶେଷ ଭାଗରେ କିଛି ଦୁର୍ବଳ ଓଭରର ଫାଇଦା ‌ସେମାନଙ୍କୁ ମିଳିଥିଲା।

ପଶ୍ଚାତଧାବନ ବେଳେ ଆମେ ଭଲ କରିଥିଲୁ। ଶେଷ ୫ ଓଭରରୁ ଆମକୁ ୬୧ ରନ୍ ଆବଶ୍ୟକ ଥିଲା, ହାତରେ ଥିଲା ୭ ୱିକେଟ୍‌। ଗୋଟିଏ ବଡ଼ ଓଭର ଆମକୁ ଯଥେଷ୍ଟ ହୋଇଥାନ୍ତା। ୧୬ତମ ଓଭର ବୋଲିଂ କରିଥିବା ଲସିଥ୍ ମାଲିଙ୍ଗାଙ୍କଠାରୁ ମୁଁ ଏବଂ ହେଟମେୟର ୨୦ ରନ୍ ଆଦାୟ କରିଥିଲୁ। ଏହା ପରେ ଯଶପ୍ରୀତ୍ ବୁମରା ବଲ୍ ନେଇଥିଲେ। ଚିନ୍ନାସ୍ବାମୀରେ ମୁଁ ତାଙ୍କଠାରୁ ଅଧିକ ଗତିର ବୋଲର କାହାକୁ ଖେଳି ନାହିଁ। ସେ ବଡ଼ ସାହାସୀ ଏବଂ ଚାପ ପରିସ୍ଥିତିରେ ଅନେକ ଛାନିଆ ‌ହୋଇଯାଉ ଥିବାବ‌େଳେ‌ ସେ ନିଜ ଦକ୍ଷତା ମୁତାବକ ପ୍ରଦର୍ଶନ କଲେ। ‌ହେଟମେୟରଙ୍କୁ ଏକ ସିଧା ବଲରେ କଭର ଅଞ୍ଚଳରେ କ୍ୟାଚ୍‌ କରାଇ ନେଇଥିଲେ। ଦ୍ବିତୀୟ ବଲରେ ମୁଁ ଏକ୍ସଟ୍ରା କଭର ଅଞ୍ଚଳରୁ ଏକ ରନ୍‌ ଚୋରାଇଥିଲି। କିନ୍ତୁ କଲିନ୍ ଡି ଗ୍ରାଣ୍ଡହୋମ୍‌ଙ୍କୁ ସେ ୪ ଡଟ୍ ବଲ୍ ପକାଇଥିଲେ। ଫଳତଃ ଶେଷ ୩ ଓଭରରୁ ଆମକୁ ୪୦ ରନ୍ ଆବଶ୍ୟକ ପଡ଼ିଥିଲା। ୧୮ତମ ଓଭରୁ ଆମେ ୧୫ ରନ୍ ଉଠାଇଥିଲୁ, କିନ୍ତୁ ୧୯ତମ ଓଭରରେ ବୁମରାଙ୍କ ମାଷ୍ଟରକ୍ଲାସ ଜାରି ରହିଥିଲା। ମୁୀଁ କିଛି ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରିଥିଲି, ସେ କିନ୍ତୁ ଚତୁରତାର ସହିତ ୟର୍କର ପକାଇ ରୋକିଥିଲେ। ବିବାଦୀୟ ୱାଇଡ୍ ବଲ୍ ପରେ ଏକ ମନ୍ଥର ବଲ୍ ପକାଇ ସେ କଲିନଙ୍କୁ ଆକାଶଛୁଆଁ ସଟ୍ ଖେଳାଇଥିଲେ। ଏକ ସର୍ଟ ବଲ ଏବଂ ଆଉ ଏକ ୟର୍କର ମୋତେ ହାତଖୋଲା ଖେଳିବାରୁ ରୋକିଥିଲା। ୪ ଓଭରରେ ୩/୨୦ ବୋଲିଂ ଚିତ୍ର ସହିତ ବୁମରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବାରେ କିଛି ସନ୍ଦେହ ନ ଥିଲା।

ସମ୍ବନ୍ଧିତ ଖବର