ଟେଷ୍ଟ୍‍ ଦଳକୁ ଫେରିଲେ ବିଜୟ

ଶ୍ରେୟସ, ସିରାଜଙ୍କୁ ଟେ୍ଵଣ୍ଟି-୨୦ ସୁଯୋଗ

ମୁମ୍ବାଇ: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଏବଂ ଆସନ୍ତା ମାସର ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍‍ ଶୃଙ୍ଖଳା ଲାଗି ସୋମବାର ଭାରତୀୟ ଦଳ ଘୋଷିତ ହୋଇଛି। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଚଳିତ ଦିନିକିଆ ଶୃଙ୍ଖଳା ପରେ ୩ ମ୍ୟାଚ୍‌ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳାଯିବ। ଏହା ପରେ ଶ୍ରୀଲଙ୍କା ଭାରତ ଗସ୍ତ କରିବ। ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଲାଗି ମୁମ୍ବାଇ ଯୁବ ତାରକା ଶ୍ରେୟସ ଆୟର୍‌ ଏବଂ ହାଇଦ୍ରାବାଦ ଦ୍ରୁତ ବୋଲର ମହମ୍ମଦ ସିରାଜ୍‌ଙ୍କୁ ଦଳରେ ନିଆଯାଇଛି। ସିରାଜ୍‌ଙ୍କୁ ପ୍ରଥମ ଥର ଅନ୍ତର୍ଜାତୀୟ ଡକରା ମିଳିଛି।
ଅଷ୍ଟ୍ରେଲିଆ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଆଶାତୀତ ପ୍ରଦର୍ଶନ କରିନଥିବା କେଦାର ଯାଦବଙ୍କ ବଦଳରେ ଶ୍ରେୟସ ଆୟରଙ୍କୁ ସୁଯୋଗ ଦିଆଯାଇଛି। ଆଶ୍ଚର୍ଯ୍ୟଜନକ ଭାବେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଲାଗି କେବଳ ଭେଟେରାନ୍‌ ଦ୍ରୁତ ବୋଲର ଆଶିଷ ନେହେରାଙ୍କୁ ନିଆଯାଇଛି। ଏହା ପରେ ସେ ଅବସର ନେଇଯିବେ ବୋଲି ଆଗରୁ ସୂଚନା ଦିଆଯାଇଛି। ଆଇପିଏଲ୍‌ଠାରୁ ଆରମ୍ଭ କରି ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ମହମ୍ମଦ ସିରାଜ୍‌ଙ୍କୁ ଦଳରେ ୧୬ତମ ସଦସ୍ୟ ଭାବେ ନିଆଯାଇଛି। ଅର୍ଥାତ୍‌ ଆଶିଷ ନେହେରା ପ୍ରଥମ ମ୍ୟାଚ୍‌ ପରେ ଅପସରି ଗଲେ ସିରାଜଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିବ। ନଭେମ୍ବର ୧ରେ ନୂଆଦିଲ୍ଲୀରେ ଭାରତ-ନ୍ୟୁଜିଲାଣ୍ଡ୍‌ ପ୍ରଥମ ଦିନିକିଆ ଖେଳାଯିବ। ଘରୋଇ ପଡ଼ିଆରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନେହେରା ବିଦାୟ ନେବେ। ଘରୋଇ ପଡ଼ିଆରେ ଅବସର ନେବା ଲକ୍ଷ୍ୟରେ ନେହେରାଙ୍କୁ ମାତ୍ର ଗୋଟିଏ ମ୍ୟାଚ୍‌ ପାଇଁ ଦଳରେ ନିଆଯାଇଛି କି ବୋଲି ପ୍ରଶ୍ନ ହେବାରୁ ଚୟନ ସମିତି ଅଧ୍ୟକ୍ଷ ଏମ୍‌ଏସ୍‌ କେ ପ୍ରସାଦ କିଛି ସ୍ପଷ୍ଟ କରିନଥିଲେ। କିନ୍ତୁ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲାଗି ତାଙ୍କୁ ବିଦାୟ ନେବାକୁ ପଡ଼ିବ ବୋଲି ସୂଚନା ଦେଇଥିଲେ। ଆଶିଷ ନେହେରାଙ୍କୁ ନେଇ ଅନେକ ଆଲୋଚନା ହେଉଛି। ମୁଁ କିନ୍ତୁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ, ଖେଳାଳିଙ୍କୁ ଆମେ ଭଲଭାବେ ଯୋଗାଯୋଗରେ ରଖିଛୁ। ଦଳୀୟ ପରିଚାଳକ ତାଙ୍କୁ କେବଳ ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳା ପର୍ଯ୍ୟନ୍ତ ରଖିଥିଲେ। ଏହା ପରଠାରୁ ଭାରତ ‘ଏ’ ପାଇଁ ମନୋନୀତ ଖେଳାଳିଙ୍କ ବ୍ୟବସ୍ଥାରୁ ଦଳ ବାଛିବେ। ବିଗତ ଦେଢ଼ ବର୍ଷ ହେବ ଯେଉଁ ବୋଲରମାନେ ଅପେକ୍ଷାରେ ଅଛନ୍ତି ସେମାନେ ସୁଯୋଗ ପାଇବା ଉଚିତ୍‌। ନୂଆ ପୀଢ଼ୀର ଖେଳାଳିଙ୍କ ଲାଗି ସେଭଳି ବାର୍ତା ଦିଆଯାଇଛି। ଦିଲ୍ଲୀ ମ୍ୟାଚ୍‌ ପରେ ନେହେରା ଅବସର ନେଇଯିବେ। ଏହା ତାଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ହେବ। ଏହା ପରେ ସେ ଖେଳିବେ କି ନ ଖେଳିବେ ଆମ ପକ୍ଷରୁ କୌଣସି ପ୍ରତିଶ୍ରୁତି ନାହିଁ। ଏପରିକି ଦିଲ୍ଲୀ ମ୍ୟାଚ୍‌ରେ ସେ ଖେଳିବେ କି ନା ତାହା ଦଳୀୟ ଶିିବିର ମ୍ୟାଚ୍‌ ଦିନ ନିଷ୍ପତ୍ତି ନେବେ ବୋଲି ପ୍ରସାଦ ପ୍ରକାଶ କରିିିଥିଲେ।
ଉଭୟ ଆୟର ଏବଂ ସିରାଜଙ୍କୁ ପ୍ରଦର୍ଶନ ଭିତ୍ତିରେ ଦଳରେ ନିଆଯାଇଛି। ଶ୍ରେୟସ୍‌ ସବୁ ଶ୍ରେଣୀୟ କ୍ରିକେଟ୍‌ରେ ଭଲ କରି ଆସୁଛନ୍ତି। ଆମେ ମନୋନୀତ କରୁଥିବା ଖେଳାଳିଙ୍କ ସହିତ ରହିବୁ ଏବଂ ସେମାନଙ୍କୁ ଗଢ଼ି ତୋଳିବା ସହିତ ସଫଳ ହେବା ପର୍ଯ୍ୟନ୍ତ ସମର୍ଥନ କରିବା ଧାରା ଜାରି ରଖିବୁ। ସିରାଜଙ୍କ ସହିତ ମଧ୍ୟ ସମାନ କଥା ହୋଇଛି। ସେ ନିରଂତର ଭଲ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି। ଦିନିକିଆରୁ ବାଦ୍‌ ପଡ଼ିଥିବା ଲୋକେଶ ରାହୁଲ କିନ୍ତୁ ଟେ୍ଵଣ୍ଟି-୨୦ ଦଳକୁ ଫେରିଛନ୍ତି। ଲୋକେଶ ରାହୁଲଙ୍କ ଭଳି ପ୍ରତିଭାଙ୍କୁ ଆମେ ଜାଗା ଦେଇ ପାରିବା ଦୁର୍ଭାଗ୍ୟଜନକ ବୋଲି ମଧ୍ୟ ସ୍ୱୀକାର କରିଥିଲେ ପ୍ରସାଦ। ପ୍ରାରମ୍ଭିକ ବ୍ୟାଟସମ୍ୟାନ ରାହୁଲଙ୍କୁ ୪ ନମ୍ବରରେ ନେବାକୁ ଚାହିଁଥିଲୁ କିନ୍ତୁ ତାହା ଫଳପ୍ରଦ ହେଲା ନାହିଁ। ଅଜିଙ୍କ୍ୟ ରାହାଣେ ଦିନିକିଆରେ ଭଲ କରୁଛନ୍ତି। ଦୀନେଶ କାର୍ତିକଙ୍କୁ ୪ ନମ୍ବର ସ୍ୱତନ୍ତ୍ର ଭାବେ ନିଆଯାଇଛି।
ଆଶ୍ଚର୍ଯ୍ୟଜନକ ଭାବେ ଚୟନକର୍ତା ମାନେ କିନ୍ତୁ ଆସନ୍ତା ମାସରେ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ୩ ଟେଷ୍ଟ୍‍ ଶୃଙ୍ଖଳାର ପ୍ରଥମ ୨ ମ୍ୟାଚ୍‌ ଲାଗି ଦଳ ଘୋଷଣା କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟ୍‍ ସହିିତ ଦିନିକିଆ ଶୃଙ୍ଖଳାରୁ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେବାର ଖବର ଆସୁଛି। ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସେ ନିଜକୁ ସତେଜ କରିବା ଲକ୍ଷ୍ୟରେ ବିରାମ ନେବାକୁ ଯୋଜନା କରିଥିଲେ ମଧ୍ୟ ଏହାକୁ ସ୍ପଷ୍ଟ କରାଯାଇନାହିଁ। ସବୁ ଫର୍ମାଟ୍‌ରେ ଖେଳୁଥିବା କୋହଲିଙ୍କୁ ନିଶ୍ଚିତ ବିଶ୍ରାମ ମିଳିବ ବୋଲି କହିଛନ୍ତି ପ୍ରସାଦ। ଅର୍ନ୍ତଜାତୀୟ ଖେଳସୂଚୀ ବୋଝ ଦୃଷ୍ଟିରୁ ଆମେ ଆବର୍ତନଶୀଳ ନୀତି ଆପଣାଉଛୁ। କିନ୍ତୁ କେଉଁ ଖେଳାଳିଙ୍କୁ ବିଶ୍ରାମ ମିଳିବ ଏବେଠାରୁ କହିବା ଠିକ୍‌ ହେବ ନାହିଁ ବୋଲି ପ୍ରସାଦ ପ୍ରକାଶ କରିଥିଲେ।
ଆଶା ଅନୁସାରେ ଟେଷ୍ଟ୍‍ ଦଳରେ ରବୀନ୍ଦ୍ର ଜାଦେଜା ଏବଂ ଆର୍‌ ଅଶ୍ୱିନ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି। ବିଗତ ଦିନିକିଆ ଶୃଙ୍ଖଳା ଗୁଡ଼ିକରେ ଉଭୟଙ୍କୁ ଦଳରେ ନିଆଯାଉ ନଥିଲା। ଆହତ କାରଣରୁ ଗତ ଶ୍ରୀଲଙ୍କା ଗସ୍ତରୁ ବାଦ୍‌ ପଡ଼ିଥିବା ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ମୁରଲୀ ବିଜୟ କିନ୍ତୁ ଦଳକୁ ଫେରିଛନ୍ତି। ସେ ତାଙ୍କ ତାମିଲନାଡୁ ସାଥୀ ଅଭିନବ ମୁକୁନ୍ଦଙ୍କ ବଦଳରେ ସ୍ଥାନ ପାଇଛନ୍ତି।
ଏହି ଅବସରରେ ଶ୍ରୀଲଙ୍କା ବିପକ୍ଷ ଦୁଇ ଦିନିଆ ଅଭ୍ୟାସ ମ୍ୟାଚ୍‌ ପାଇଁ ବୋର୍ଡ ସଭାପତି ଏକାଦଶ ଦଳ ମଧ୍ୟ ଘୋଷିତ ହୋଇଛି। କୋଲକାତାରେ ନଭେମ୍ବର ୧୧ ଓ ୧୨ ତାରିଖରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଲାଗି ନମନ ଓଝାଙ୍କୁ ଦଳର ଅଧିନାୟକ କରାଯାଇଛି। ରଣଜୀ ଟ୍ରଫିର ପରବର୍ତୀ ରାଉଣ୍ଡ୍‌ରେ ଖେଳିବାକୁ ନ ଥିବା ୪ ଦଳରୁ ଖେଳାଳିଙ୍କୁ ନେଇ ବୋର୍ଡ ସଭାପତି ଦଳ ଗଠିତ ହୋଇଛି।
ଟେ୍ଵଣ୍ଟି-୨୦ ଦଳ
(ବନାମ ନ୍ୟୁଜିଲାଣ୍ଡ୍‌)
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ଵନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତିକ, ମନୀଷ ପାଣ୍ଡେ, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ଅକ୍ଷର ପଟେଲ୍‌, ଯଶପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର, ଆଶିଷ ନେହେରା (କେବଳ ପ୍ରଥମ ଦିନିକିଆ), ମହମ୍ମଦ ସିରାଜ୍‌।
ଟେଷ୍ଟ୍‍ ଦଳ (ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ୍‍)
ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ଚେତେଶ୍ୱର ପୂଜାରା, ଲୋକେଶ ରାହୁଲ, ମୁରଲୀ ବିଜୟ, ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ରିଦ୍ଧିମାନ ସାହା (ଓ୍ଵିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନ୍‌, ରବୀନ୍ଦ୍ର ଜାଦେଜା, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଉମେଶ ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଈଶାନ୍ତ ଶର୍ମା।
ବୋର୍ଡ ସଭାପତି ଦଳ
(ବନାମ ଶ୍ରୀଲଙ୍କା)
ନମନ ଓଝା (ଅଧିନାୟକ/ଓ୍ଵିକେଟରକ୍ଷକ), ସଂଜୁ ସାମସନ୍‌, ଜୀବନଜୋତ ସିଂହ, ବି ସନ୍ଦୀପ, ତନ୍ମୟ ଅଗ୍ରଓ୍ଵାଲ, ଅଭିଷେକ ଗୁପ୍ତା, ରୋହନ ପ୍ରେମ୍‌, ଆକାଶ ଭଣ୍ଡାରୀ, ଜଳଜ ସାକ୍ସେନା, ସିଭି ମିଲିନ୍ଦ, ଆଭେସ ଖାନ୍‌, ସନ୍ଦୀପ ଓ୍ଵାରିୟର୍‌, ରବି କିରଣ।

ସମ୍ବନ୍ଧିତ ଖବର