ତ୍ରିରଙ୍ଗା ତଳେ ଖେଳିବାର ଅନୁଭବ ସ୍ୱତନ୍ତ୍ର: ବିଜୟ ଅମୃତରାଜ

ବେଙ୍ଗାଲୁରୁ: ଦେଶ ପାଇଁ ଖେଳିବା କମ୍‌ ଗର୍ବର କଥା ନୁହେଁ। ତ୍ରିରଙ୍ଗା ଫରଫର ଉଡ଼ୁଥିବା ବେଳେ ଏହା ତଳେ ଦେଶ ଦେଶ ବୁଲି ବିଭିନ୍ନ ପ୍ରାନ୍ତରେ ଭାରତର ପ୍ରତିନିଧିତ୍ୱ କରିବା ବିଶେଷ ଆନନ୍ଦ ଦେଇଥାଏ। ଏହା ସବୁବେଳେ ସ୍ୱତନ୍ତ୍ର ଅନୁଭବ ହୋଇ ରହିବ ବୋଲି କହିଛନ୍ତି ଦେଶର ମହାନ ଟେନିସ୍‌ ତାରକା ତଥା କିମ୍ବଦନ୍ତୀ କ୍ରୀଡ଼ା ବ୍ୟକ୍ତିତ୍ୱ ବିଜୟ ଅମୃତରାଜ। ତ୍ରିରଙ୍ଗା ହିଁ ମୋତେ ସବୁଠୁ ଉତ୍ସାହ ଓ ପ୍ରେରଣା ଯୋଗାଇଥିଲା ବୋଲି କହିଥିଲେ ୬୪ ବର୍ଷୀୟ ଏହି ବିଗତ ଦିନର ଗ୍ରାଣ୍ଡ୍‌ ସ୍ଲାମ୍‌ ଖେଳାଳି। ଯାହାଙ୍କ ନାମରେ ଏବେ ବି ରହିଛି ସର୍ବୋଚ୍ଚ ମାନ୍ୟତା ଏକକ ଖେଳାଳି (୧୬ ନମ୍ବର)ର ଭାରତୀୟ କୀର୍ତିମାନ। ଦଶନ୍ଧି ଦଶନ୍ଧି ଧରି ଏହାର କେହି ସମକକ୍ଷ ହୋଇ ନାହାନ୍ତି କି ନିକଟତର ବି ହୋଇପାରିନାହାନ୍ତି। ଶୁକ୍ରବାର ରାତିରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମସ୍ଥିତ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ସଂଘ (କେଏସ୍‌ସିଏ) ପରିସରରେ ଅନୁଷ୍ଠିତ ଏସ୍‌ଜେଏଫ୍‌ଆଇ (ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ)ର ୪୧ତମ ଜାତୀୟ ସମ୍ମିଳନୀ ଅବସରରେ ପ୍ରଥମ ଏସ୍‌ଜେଏଫ୍‌ଆଇ ପଦକ ଗ୍ରହଣ କରି ଏଭଳି ଭାବବିହ୍ଵଳ ଭାବନା ବ୍ୟକ୍ତ କରିଥିଲେ ବିଜୟ।

ଏହି ପଦକ ମୋତେ ବିଶେଷ ଆନନ୍ଦ ଦେଇଛି। ବର୍ଷ ବର୍ଷ ଧରି ଅନେକ ସମ୍ମାନ ମିିଳିଥିଲେ ବି ଏହା ସ୍ୱତନ୍ତ୍ର। ବିଗତ ୫ ଦଶନ୍ଧି ଧରି ଖେଳ ସହ ଜଡ଼ିତ ରହିବା ଭିତରେ ଏଭଳି ମୁହୂର୍ତ ମିଳିଛି। ଖଡ଼୍‍ଗଠାରୁ କଲମ ଶକ୍ତିଶାଳୀ ବୋଲି ଆମେ ଶୁଣିଥିବା କଥା ପ୍ରମାଣିତ ହୋଇଛି। ଲୋକଙ୍କ ମଧ୍ୟରେ ଉତ୍ସାହ, ଆଗ୍ରହ ଜନ୍ମାଇବାରେ ସାମ୍ବାଦିକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୌଣସି କ୍ଷେତ୍ରରେ ଭିନ୍ନକ୍ଷମ ବ୍ୟକ୍ତି ବି ସଫଳତା ପାଇପାରିବ। ମୁଁ ମାତ୍ର ୧୩ ବର୍ଷ ବୟସରେ ଥିବା ବେଳେ ଜଣେ ୧୯ ବର୍ଷୀୟ ଖେଳାଳିଙ୍କୁ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ୨ ସେଟ୍‌ ପଛରେ ଥାଇ ହରାଇଥିଲି। ପରଦିନ ‘ଦି ହିନ୍ଦୁ’ରେ ପ୍ରକାଶିତ ଫଟୋ କଦର୍ଯ୍ୟ ଥିଲେ ବି ମୋତେ ଢେର ଉତ୍ସାହିତ କରିଥିଲା। ସେଥିପାଇଁ ସବୁବେଳେ ଆହ୍ଵାନ ହିଁ ସୁଯୋଗ ଏବଂ ଆନନ୍ଦ ହିଁ ସୁବିଧା ଦେଇଥାଏ ବୋଲି ବିଜୟ ଅମୃତରାଜ ପ୍ରକାଶ କରିଥିଲେ।

ଏବେ ୧୩/୧୪ ବର୍ଷର ପିଲା ବି ଅଧିକ ଜାଣିଥିବା କହୁଛନ୍ତି। ପିତାମାତାଙ୍କ ଭୁଲ ଦର୍ଶାଉଛନ୍ତି। କିନ୍ତୁ ୧୦ ବର୍ଷ ପରେ ସେଦିନ ନିଜେ ଭୁଲ ଥିଲେ ବୋଲି କହୁଛନ୍ତି, ପିତାମାତା ଠିକ୍‌ କହୁଥିଲେ ବୋଲି ସ୍ୱୀକାର କରୁଥିବା କଥା ଅମୃତରାଜ ଅନୁଭବରୁ କହିଥିଲେ। ମୁଁ ବଡ଼ ଭାଗ୍ୟବାନ, ଦୁଇ ପୁଅ ପାଇଛି। ଏହି ବାଙ୍ଗାଲୋର୍‌ରେ ଦିନେ ସ୍ୱିଡେନ୍‌ ବିପକ୍ଷରେ ଖେଳୁଥିବା ବେଳେ ପୁଅ ପ୍ରକାଶ କୋର୍ଟ ପାଖରେ ଖେଳୁଥିଲା। ୨୦ ବର୍ଷ ପରେ ସେ ଦେଶ ପାଇଁ ଡେଭିସ୍‌ କପ୍‌ ଖେଳିବା ମୋ ପାଇଁ ଗର୍ବର କଥା। ତେବେ ମୁଁ ମୋ ପିତାମାତାଙ୍କ ୫୦ତମ ବିବାହ ବାର୍ଷିକୀରେ ୫ ଜଣ ବିଶିଷ୍ଟ ବ୍ୟକ୍ତି (ରଡ୍‌ ଲାଭର, ପୋପ୍‌ ଜନ୍‌ ପଲ୍‌, ଆମେରିକା ରାଷ୍ଟ୍ରପତି, ଭାରତ ରାଷ୍ଟ୍ରପତି, ଜଣେ ହଲିଉଡ୍‌ ଅଭିନେତ୍ରୀ)ଙ୍କଠାରୁ ଶୁଭେଚ୍ଛା ଆଣିବା ମୋ ପାଇଁ ବଡ଼ କଥା ଥିଲା। ସାମ୍ବାଦିକତା ଜରିଆରେ ସାମଗ୍ରିକ ଭାବେ ଲୋକଙ୍କ ଜୀବନକୁ ନେଇ ଅନ୍ୟକୁ ପ୍ରେରିତ କରିବା ପିଲାମାନଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। କ୍ରୀଡ଼ା ମାଧ୍ୟମରେ ବି ଭଲ ଜୀବନ ଜିଇଁ ହେବ ଏବଂ ଦେଶ ପାଇଁ ଗୌରବ ଆଣିହେବ ବୋଲି ଅମୃତରାଜ କହିଥିଲେ।

ସମ୍ବନ୍ଧିତ ଖବର