ଦେଶ ପାଇଁ ପଦକ ଜିତିବା ସବୁଠୁ ବଡ଼ ସଫଳତା

0 131

ଭୁବନେଶ୍ୱର: କାନାଡାର ମଣ୍ଟ୍ରିଲଠାରେ ସୋମବାରଠାରୁ ଆରମ୍ଭ ହେବ ୪୭ତମ ବିଶ୍ୱ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା। ଏଥିଲାଗି ଘୋଷିତ ୪ ଜଣିଆ ଭାରତୀୟ ପୁରୁଷ ଦଳରେ ଓଡ଼ିଆ ତାରକା ରାକେଶ କୁମାର ପାତ୍ର ସ୍ଥାନ ପାଇଛନ୍ତି। ଭାରତୀୟ ନୌସେନାରେ ଯୋଗଦେବା ପରେ ସର୍ଭିସେସର ପ୍ରତିନିଧିତ୍ୱ କରୁଥିବା ରାକେଶ ଏଥିଲାଗି ବେଶ୍‌ ଉତ୍ସାହିତ ଅଛନ୍ତି। ପୂର୍ବରୁ ଅଲରାଉଣ୍ଡ ବର୍ଗରେ ପ୍ରତିନିଧିତ୍ୱ କରୁଥିବା ପୁରୀର ଏହି ଅନ୍ତର୍ଜାତୀୟ ପ୍ରତିଭା ମଣ୍ଟ୍ରିଲ ବିଶ୍ୱ ପ୍ରତିଯୋଗିତାରେ ରୋମାନ ରିଙ୍ଗ୍‌ ଏବଂ ପାରାଲାଲ ବାର୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ନିକଟରେ କେନ୍ଦ୍ର ସରକାରଙ୍କ ଟାର୍ଗେଟ୍‌ ପୋଡିୟମ୍‌ ଅଲିମ୍ପିକ୍ସ ବା ଟପ୍ସ ଯୋଜନାରେ ସାମିଲ ହୋଇଥିବା ରାକେଶ ମଣ୍ଟ୍ରିଲରେ ଭଲ କରିବେ ବୋଲି ଆଶାବାଦୀ ଅଛନ୍ତି। ତେବେ ତାଙ୍କର ଅସଲ ନଜର ଆସନ୍ତାବର୍ଷ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉପରେ ରହିଛି। ମଙ୍ଗଳବାର ମଣ୍ଟ୍ରିଲ ଯାତ୍ରା କରିବା ପୂର୍ବରୁ ‘ସମ୍ବାଦ’କୁ ମୁମ୍ବାଇରୁ ଟେଲିଫୋନ୍‌ରେ ସେ ଦେଇଥିଲେ ସ୍ୱତନ୍ତ୍ର ସାକ୍ଷାତକାର।

ବିଶ୍ୱ ପ୍ରତିଯୋଗିତା ଲାଗି କେମିତି ଓ କିଭଳି ପ୍ରସ୍ତୁତି କରିଛନ୍ତି?
ରାକେଶ: ମୁଁ ବହୁତ ଭଲ ଏବଂ ଯୋଜନାବଦ୍ଧ ପ୍ରସ୍ତୁତି କରିଛି। ବୟସାଧିକ ପ୍ରଶିକ୍ଷକଙ୍କୁ ନେଇ ପ୍ରଥମେ ପ୍ରଥମେ କିଛିଟା ସମସ୍ୟା ଥିଲା। କାରଣ ଆମ ସହିତ କାନାଡା ଯାଉଥିବା ପ୍ରଶିକ୍ଷକଙ୍କ ବୟସ ହେଉଛି ୭୩ ବର୍ଷ। ଏଣୁ ସେ ଆମକୁ କେମିତି ଉଠେଇବେ? କ’ଣ କରିବେ? ସେ ନେଇ ଚିନ୍ତାରେ ଥିଲୁ। ହେଲେ ଏବେ ସେହି ସମସ୍ୟା ଦୂର ହୋଇଛି। ସାଥୀ ଖେଳାଳି ଏହି ଦିଗରେ ମୋତେ ସହଯୋଗ କରୁଛନ୍ତି। ମିଳିମିଶି ପରସ୍ପରର ଦୋଷ ଦୁର୍ବଳତା ଦୂର କରୁଛୁ। ଅଭ୍ୟାସରେ ଏବେ ବେଶି କିଛି ସମସ୍ୟା ହେଉନି।
ଜିମ୍ନାଷ୍ଟିକ୍ସ ଭଳି ଅଣପାରମ୍ପରିକ ଖେଳର ବିଶ୍ୱ ପ୍ରତିଯୋଗିତାରେ ପଦକ ଜିତିବା ଆଦୌ ସହଜ ନୁହେଁ। ମଣ୍ଟ୍ରିଲରେ ଆପଣଙ୍କର ପଦକ ଜିତିବାର କେତେ ସମ୍ଭାବନା ରହିଛି ?
ରାକେଶ: ଆମର ମୂଳଲକ୍ଷ୍ୟ ହେଉଛି ଭଲ ସ୍କୋର କରିବା। ଆମେ ଯେଉଁ ସ୍କୋର ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛୁ ତାହା ପୂରଣ ହୋଇ ପାରିଲେ ବହୁତ ଖୁସି ଲାଗିବ। ଜିମ୍ନାଷ୍ଟିକ୍ସର ବିଶ୍ୱ ପ୍ରତିଯୋଗିତାରେ ଆମେରିକା, କାନାଡା, ବେଲାରୁଷ, ଗ୍ରିସ୍‌, ଚୀନ, ଜାପାନ, କୋରିଆ ଭଳି ଦେଶର ପ୍ରତିଯୋଗୀଙ୍କୁ ହରାଇବା ସହଜ କଥା ନୁହେଁ। ସତ କହିବାକୁ ଗଲେ ଆମର ଅସଲ ଲକ୍ଷ୍ୟ ହେଉଛି ଆସନ୍ତାବର୍ଷର ରାଜ୍ୟଗୋଷ୍ଠୀ କ୍ରୀଡ଼ା। ବିଶ୍ୱ ପ୍ରତିଯୋଗିତାକୁ ଆମ ଦକ୍ଷତା ତଉଲିବାର ଏକ ମାଧ୍ୟମ ଭାବେ ନେବୁ। ଏଥିରୁ ଆମେ ଆମର ସ୍ତର ଜାଣି ପାରିବୁ। ଏଥିରେ ଭାଗ ନେଉଥିବା ରାଜ୍ୟଗୋଷ୍ଠୀ ଦେଶର ପ୍ରତିଯୋଗୀଙ୍କ ଭିତରେ କେଉଁ ସ୍ଥାନରେ ରହିବୁ ତାହା ଜାଣି ପାରିବୁ। ତଦନୁଯାୟୀ ସେହି ପ୍ରତିଯୋଗିତା ଲାଗି ପ୍ରସ୍ତୁତି କରିବୁ।
କେନ୍ଦ୍ର ସରକାର ଆପଣଙ୍କୁ ଟପ୍ସ ଯୋଜନାରେ ସାମିଲ କରିଛନ୍ତି। ଏହା କେତେଦୂର ଆପଣଙ୍କ ପାଇଁ ଲାଭବାନ ହେବ ବୋଲି ଭାବୁଛନ୍ତି?
ରାକେଶ: ନିଶ୍ଚିତ ଭାବେ ମୋ ପାଇଁ ଏହା ଏକ ଭଲ ସୁଯୋଗ। ଏହି ଯୋଜନାକୁ କେମିତି ଉପଯୋଗ କରିବି ସେ ଖସଡ଼ା ମୁଁ ପ୍ରସ୍ତୁତ କରି ସାରିଲିଣି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦୁଇ ମାସ ପୂର୍ବରୁ ଗ୍ରିସ୍‌ ଯାଇ ପ୍ରଶିକ୍ଷଣ ନେବାକୁ ଚିନ୍ତା କରୁଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ୨୦୧୮ ଏସୀୟ କ୍ରୀଡ଼ା ଉପରେ ମୁଁ ନଜର ପକାଇବି।
ନୂଆଦିଲ୍ଲୀ ଏବଂ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆପଣଙ୍କ ପାଇଁ ପଦକ ଜିତିବାର ଭଲ ସୁଯୋଗ ଥିଲା। ହେଲେ ଏହା ହୋଇ ପାରିଲାନି। କ’ଣ ତ୍ରୁଟି ରହିଗଲା ବୋଲି ଭାବୁଛନ୍ତି?
ରାକେଶ: ୨୦୧୦ ନୂଆଦିଲ୍ଲୀ ଏବଂ ୨୦୧୪ ଗ୍ଳାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମୁଁ ଅଲରାଉଣ୍ଡ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲି। ପାରାଲାଲ୍‌ ବାର୍‌ କିମ୍ବା ରୋମାନ୍‌ ରିଙ୍ଗ୍‌ ଭଳି ନିର୍ଦିଷ୍ଟ ବର୍ଗରେ ଖେଳି ନଥିଲି। ଏଥର ମୁଁ ଏହି ଦୁଇଟି ବର୍ଗ ଉପରେ ଧ୍ୟାନ ଦେଉଛି। ଅଲରାଉଣ୍ଡ୍‌ରେ ୬ଟି ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼େ। ସେଥିପାଇଁ ରୋମାନ ରିଙ୍ଗ୍‌ ଆସିଲା ବେଳକୁ ମୁଁ ହାଲିଆ ହୋଇ ଯାଇଥାଏ। ଏହି କାରଣରୁ ଏଥର କେବଳ ଦୁଇଟି ନିର୍ଦିଷ୍ଟ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା କରିଛି। ଏହି ଦୁଇ ପ୍ରତିଯୋଗିତାରେ କୌଣସି ନା କୌଣସି କାରଣ ପାଇଁ ମୁଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରି ନଥିଲି। ୨୦୧୪ରେ ନବମ ସ୍ଥାନରେ ରହି ଫାଇନାଲକୁ ଯାଇ ପାରିଲି ନାହିଁ। ଏଥର ତା’ଠାରୁ ଭଲ କରିବି ବୋଲି ଭାବୁଛି। ନିକଟରେ ମୁଁ ଚୀନର ରାଜଧାନୀ ବେଜିଂରେ ଏକମାସର ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇ ଫେରିଛି। ସେଥିପାଇଁ ମୋ ବୈଷୟିକ ଜ୍ଞାନ ବି ବଢ଼ି ପାରିଛି।
ଏବେ ଆପଣ କାହାଠାରୁ ପ୍ରଶିକ୍ଷଣ ନେଉଛନ୍ତି। ବାହାରେ ରହୁଥିବାରୁ ଅଶୋକ ସାର୍‌ଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି କି?
ରାକେଶ: ସାର୍‌ ମୋତେ ଏବେବି ଅଭ୍ୟାସ ସୂଚୀ ପ୍ରସ୍ତୁତ କରି ପଠାଉଛନ୍ତି। ସେହି ଅନୁସାରେ ମୁଁ ଅଭ୍ୟାସ କରୁଛି। ସପ୍ତାହକୁ ଦୁଇ ଥର ଏଥିନେଇ ତାଙ୍କ ସହ ମୋର ବିସ୍ତତ ଆଲୋଚନା ମଧ୍ୟ ହୁଏ। ସର୍ଭିସେସର ଅନ୍ୟତମ ଓଡ଼ିଆ ପ୍ରଶିକ୍ଷଣ ଅଶ୍ୱିନୀ ସାମନ୍ତରାୟ ମଧ୍ୟ ମୋତେ ଏହି ଦିଗରେ ବହୁତ ସାହାଯ୍ୟ କରୁଛନ୍ତି।
ଚଳିତ ବର୍ଷ ଅପଣଙ୍କ ପ୍ରଦର୍ଶନ କେମିତି ରହିଛି?
ରାକେଶ: ଚଳିତ ବର୍ଷ ମେ ମାସରେ ମୁଁ ବ୍ୟାଂକକ୍‌ରେ ଆୟୋଜିତ ହୋଇଥିବା ଏସୀୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲି। ଏହି ପ୍ରତିଯୋଗିତା ରାଜ୍ୟଗୋଷ୍ଠୀ କ୍ରୀଡ଼ାଠାରୁ ବି ଅଧିକ କଠିନ ଥିଲା। ତଥାପି ମୁଁ ରୋମାନ୍‌ ରିଙ୍ଗ୍‌ର ଫାଇନାଲରେ ପ୍ରବେଶ କରିଥିଲି। ଡିସ୍‌ମାଉଟ୍‌ କଲା ବେଳେ ଟିକିଏ ସନ୍ତୁଳନ ବିଗିଡ଼ି ଯାଇଥିଲା। ସେଥିପାଇଁ ପଦକରୁ ବଞ୍ଚିତ ହୋଇଥିଲି। ହେଲେ ବିଚାରକମାନେ ମୋ ପ୍ରଦର୍ଶନକୁ ବହୁତ ପ୍ରଶଂସା କରିଥିଲେ।।
ପୁରୀ ଭଳି ଛୋଟ ସହରରୁ ବାହାରି ବିଶ୍ୱ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଯାତ୍ରାକୁ ଆପଣ କେମିତି ବର୍ଣ୍ଣନା କରିବେ?
ରାକେଶ: ସେଥିପାଇଁ ମୁଁ ବହୁତ ପରିଶ୍ରମ କରିଛି। ୨,୦୦୦ରୁ ୨୦୧୦ ପର୍ଯ୍ୟନ୍ତ ପୁରୀ କ୍ରୀଡ଼ାଛାତ୍ରାବାସରେ ଅଶୋକ ସାର୍‌ ଯାହା ଶିଖାଇଥିଲେ ତାକୁ ନେଇ ଆଗକୁ ବଢ଼ିଛି। ବହୁତ କଷ୍ଟ ହୋଇଛି। ସାର୍‌ଙ୍କର ଗୋଟିଏ ଦିନ ବି ଛୁଟି ନଥାଏ। ଆମ ସବୁ ସାର୍‌ ନଆସନ୍ତୁ ବୋଲି ଜଗନ୍ନାଥଙ୍କ ପାଖରେ ମୁଣ୍ଡିଆ ମାରୁ। ସେ କଥା ଭାବିଲେ ଏବେ ବହୁତ ହସ ଲାଗେ। ମୋତେ ଆହୁରି ବହତ କିଛି କରିବାର ଅଛି। କାରଣ ଯେ ପର୍ଯ୍ୟନ୍ତ ଦେଶ ପାଇଁ ପଦକ ଜିତିନି ସେ ପର୍ଯ୍ୟନ୍ତ ମୁଁ କିଛି କରିଛି ବୋଲି ଭାବୁନାହିଁ। ଏବେ ନୌସେନାର ସମର୍ଥନ ମିଳୁଛି। ଏଠି ଅଭ୍ୟାସ ପାଇଁ ସୁବିଧା ସୁଯୋଗ ଅଛି।
ଜଣେ ଖେଳାଳି ପାଇଁ କର୍ମସଂସ୍ଥାନ କେତେ ଜରୁରୀ।
ରାକେଶ: ନିହାତି ଜରୁରୀ। ଚାକିରିଟିଏ ମିଳିଗଲେ ଖେଳାଳିଙ୍କୁ ବହୁତ ସମର୍ଥନ ମିଳିଥାଏ। ସେ ଚିନ୍ତାମୁକ୍ତ ହୋଇ ନିଜ ଖେଳ ଉପରେ ଧ୍ୟାନ ଦେଇପାରିଥାଏ। ସେନା ଭଳି ସଂସ୍ଥାରେ ଯୋଗଦେଲେ ଅଭ୍ୟାସ ପାଇଁ ଭିତ୍ତିିଭୂମି ବି ମିଳିଯାଏ। ଭଲ କରିବା ଲାଗି ଆଗ୍ରହ ଏବଂ ଇଚ୍ଛାଶକ୍ତି ବଢ଼ିଯାଏ।

ପୁରୀର ସଫଳ ଜିମ୍ନାଷ୍ଟ ପୁଅ ରାକେଶ

ପୁରୀରେ ୧୯୯୨ ମସିହା ଫେବ୍ରୁଆରି ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ରାକେଶ ହେଉଛନ୍ତି ଦୟାନିଧି ଏବଂ କୁନ୍ତଳା ପାତ୍ରଙ୍କ ଏକମାତ୍ର ପୁତ୍ର। ରାକେଶ ପୂର୍ବତନ ଅନ୍ତର୍ଜାତୀୟ ଜିମ୍ନାଷ୍ଟ ତଥା ଦାଦା ଶୁଭେନ୍ଦୁ ପାତ୍ରଙ୍କ ପ୍ରେରଣାରେ ଜିମ୍ନାଷ୍ଟିକ୍ସ ଖେଳିବା ଆରମ୍ଭ କରିଥିଲେ। ପରେ ପୁରୀ କ୍ରୀଡ଼ା ଛାତ୍ରାବାସର ଯୋଗଦେଇ ଜିମ୍ନାଷ୍ଟିକ୍ସରେ ଆନୁଷ୍ଠାନିକ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ପ୍ରଶିକ୍ଷକ ପ୍ରଦୀପ କୁମାର ସାହୁ ଏବଂ ଆଶୋକ କୁମାର ମିଶ୍ର ତାଙ୍କ ପ୍ରତିଭାକୁ ଚିହ୍ନିବା ସହ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ। ବିଶେଷ କରି ଅଶୋକ କିଶୋର ରାକେଶଙ୍କ ଖେଳ ଜୀବନକୁ ନିଜ ହାତରେ ଗଢ଼ିଥିଲେ। ୨୦୦୧ରେ ମାତ୍ର ୯ ବର୍ଷ ବୟସରେ ଜିମ୍ନାଷ୍ଟିକ୍ସ ଫ୍ଲୋରକୁ ଓହ୍ଲାଇଥିବା ରାକେଶ ୨୦୦୨ରେ ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ଜାତୀୟ ଉପ କନିଷ୍ଠ ଜିମ୍ନାଷ୍ଟିକ୍ସରେ ଜାତୀୟ ପଦାର୍ପଣ କରିଥିଲେ। ୩ ବର୍ଷ ପରେ ହଙ୍ଗେରିରେ ଖେଳା ଯାଇଥିବା ତୁଲିତ ପିଟର ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେହି ପ୍ରତିଯୋଗିତାରେ ସେ କାଂସ୍ୟ ପଦକ ଜିତିଥିଲେ। ଏପର୍ଯ୍ୟନ୍ତ ସେ ୧୧ ଅନ୍ତର୍ଜାତୀୟ ପଦକ ଜିତି ସାରିଛନ୍ତି। ସେଥିମଧ୍ୟରେ ରହିଛି ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ କାଂସ୍ୟ। ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ସେହି ବର୍ଷର ଗୁଆଁଝୁ ଏସୀୟ କ୍ରୀଡ଼ା, ୨୦୧୪ ଏସୀୟ କ୍ରୀଡ଼ା, ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏକାଧିକ ବିଶ୍ୱ ପ୍ରତିଯୋଗିତାରେ ସେ ଭାରତର ପ୍ରତିନିଧିତ୍ୱ କରି ସାରିଛନ୍ତି। ଜାତୀୟ ସ୍ତରରେ ରାକେଶ ୭୦ରୁ ଅଧିକ ପଦକ ଜିତିବାର ନିଆରା ସଫଳତା ମଧ୍ୟ ହାସଲ କରି ସାରିଛନ୍ତି। ୨୦୧୦ରେ ଭାରତୀୟ ନୌସେନାରେ ଯୋଗ ଦେବା ପରେ ଅନ୍ୟତମ ଓଡ଼ିଆ ପ୍ରଶିକ୍ଷକ ଅଶ୍ୱିନ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ସେ ଏବେ ଆଗକୁ ବଢ଼ି ଚାଲିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.