ଧର୍ମଶାଳାରେ ବର୍ଷା ଧୋଇନେବା ଭଳି ମୋହାଲିରେ ମ୍ୟାଚ୍ ବାଧାପ୍ରାପ୍ତ ହେଉ ବୋଲି କେହି ଚାହୁଁ ନଥିଲେ। ବିଶେଷ କରି ଯୁବ ଖେଳାଳିମାନେ ନାମ କମାଇବା ପାଇଁ ବ୍ୟାକୁଳ ଥିବାରୁ ସମ୍ପୂର୍ଣ୍ଣ ମ୍ୟାଚ୍ ମିଳିବା ଖୁସି ଦେଇଛି। ଦୁର୍ଭାଗ୍ୟଜନକ ଭାବେ ଏହା ଦକ୍ଷିଣ ଆଫ୍ରିକା ପାଇଁ ଭଲ ବିତିନାହିଁ। ଏକାଧିକ କିମ୍ବଦନ୍ତୀ ଖେଳାଳିଙ୍କ ଅବସର ପରବର୍ତୀ ସମୟରେ ଦକ୍ଷିଣ ଅଫ୍ରିକା ଝଟ୍କା ପାଇବା ସ୍ବଭାବିକ କଥା। ଭାରତ ମଧ୍ୟ ଏକ ସୁନ୍ଦର ସଂଧ୍ୟାରେ ସହଜ ବିଜୟ ହାସଲ କରି ନେଇଥିଲା। କୌଣସି ଦଳ ଅବସର ଜନିତ ପରିବର୍ତନକାଳ ଦେଇ ଗତି କରୁଥିବାବେଳେ ବରିଷ୍ଠ ଖେଳାଳିମାନେ ଅତିରିକ୍ତ ଦାୟିତ୍ବ ନେଇଥାନ୍ତି। ଏହା ଦ୍ବାରା ଯୁବ ଖେଳାଳିମାନେ ନିଜ ସ୍ବାଭାବିକ ଖେଳ ଖେଳି ପାରିବେ। ଅଧିନାୟକତ୍ବ ଦାୟିତ୍ବ ଥିବା ସତ୍ତ୍ବେ କ୍ବିଣ୍ଟନ୍ ଡି’କକ୍ ନିଜ ଆକ୍ରମଣାତ୍ମକ ଆଚରଣ ଦେଖାଇଥିଲେ। ଦଳ କିନ୍ତୁ ଡେଭିଡ୍ ମିଲରଙ୍କଠାରୁ ଅଧିକ ଆଶା ରଖିଥିଲା। କେବଳ ଜଣେ ପୁରୁଖା ଖେଳାଳି ବୋଲି ନୁହେଁ ମୋହଲି ପରିବେଶ ସହିତ ମିଲର୍ ସବୁଠୁ ଅଭ୍ୟସ୍ତ ଓ ପରିଚିତ କାରଣ ଆଇପିଏଲ୍ରେ କିଙ୍ଗସ ଏକାଦଶ ପଞ୍ଜାବ ସହ ଲମ୍ବା ସମୟ ବିତାଇଛନ୍ତି। ସେ ଅଧିକ ସମୟ ବ୍ୟାଟିଂ କରିଥିଲେ ଦଳ ନିଶ୍ଚିତ ୧୭୦ ପାଖାପାଖି ସ୍କୋର୍ କରିନେଇଥାନ୍ତା। ଏଭଳି ପିଚ୍ରେ ନିଶ୍ଚିତ ସମତୁଲ ସ୍କୋର୍ ହୋଇଥାନ୍ତା। କିନ୍ତୁ ଦୀପକ ଚହର ଏବଂ ୱାସିଂଟନ୍ ସୁନ୍ଦରଙ୍କ ବୋଲିଂ ସଫଳତାର ଶ୍ରେୟକୁ ଛଡ଼ାଇ ନେଇ ହେବ ନାହିଁ। ଉଭୟ ପୁରୁଣା ଓ ନୂଆ ବଲରେ ଭଲ ଉଭୟଙ୍କ ବୋଲିଂକୁ ଖେଳିବା କଷ୍ଟକର ଥିଲା। ଦ୍ବିତୀୟ ସ୍ପେଲ୍ରେ ଚହର ବିବିଧତା ଭରିଥିଲେ ଏବଂ ନକଲ୍ ବଲରେ ବାଭୁମାଙ୍କ ୱିକେଟ୍ ଦଖଲ କରିବା ଚମତ୍କାର ଥିଲା। ୱାସିଂଟନ୍ ସୁନ୍ଦର ଟର୍ନ କରିବାରେ ଏତେ ଓସ୍ତାଦ ନୁହଁନ୍ତି, କିନ୍ତୁ କ୍ରିଜ୍ ଓ ନିଜ ଉଚ୍ଚତା ବଳରେ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଉଥିଲେ।
ଭାରତକୁ ମିଳିଥିବା ବିଜୟ ଲକ୍ଷ୍ୟରେ ବରିଷ୍ଠ ଖେଳାଳିମାନେ ପ୍ରମୁଖ ଭୂମିକା ନେଇଥିଲେ। ରୋହିତ ଶର୍ମା ମାତ୍ର ଦୁଇଟି ହେଲେ ବି ଅତି ଉଲ୍ଲେଖନୀୟ ପୁଲ୍ ସଟ୍ ଖେଳିଥିଲେ, ଶିଖର ଧାୱନ ବି ମୁକ୍ତ ପ୍ରବାହ ଭଳି ବ୍ୟାଟ୍ ଚାଳନା କରିଥିଲେ। ମୁଁ ନିଶ୍ଚିତ ଯେ ଶୃଙ୍ଖଳା ପୂର୍ବରୁ ଦଳୀୟ ପରିଚାଳକମାନେ ନିଶ୍ଚିତ ଧାୱନଙ୍କଠାରୁ କିଭଳି ଖେଳ ଆଶା କରନ୍ତି କହିଥିବେ। ଏବେ ଧାୱନଙ୍କ ଖେଳ ଦେଖି ସେମାନେ ନିଶ୍ଚିତ ଖୁସି ହୋଇଥିବେ। ବିରାଟ କୋହଲି ପୁଣି ଥରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ତ୍ରୁଟିଶୂନ୍ୟ ଭାବେ ପଶ୍ଚାତଧାବନ କରିବା ଦେଖାଇଛନ୍ତି। ଦ୍ରୁତ ବୋଲରଙ୍କ ବିପକ୍ଷରେ ତାଙ୍କ ପଦଚାଳନା ଏବଂ ସନ୍ତୁଳନ ଉଦାହରଣ ଭଳି ଥିଲା। ଅଫସାଇଡ୍ରେ ବି ସେ ସୁନ୍ଦର ଷ୍ଟ୍ରୋକ୍ ଖେଳିଥିଲେ। ଏହା ମଧ୍ୟରେ ଏକ୍ଟ୍ରା କଭର୍ ଉପରେ ମାରିଥିବା ଛକା ବି ସାମିଲ ଥିଲା। କିନ୍ତୁ ମ୍ୟାଚ୍ର ଶ୍ରେଷ୍ଠ ସଟ୍ ଥିଲା କାଗିସୋ ରବାଦାଙ୍କ ଏକ ଫୁଲ୍ ଲେନ୍ଥ ବଲକୁ କୋହଲି ନିଜ କଚଟି ଓ ନିମ୍ନଭାଗ ବ୍ୟାଟ୍ରେ ଖେଳି ସ୍କୋୟାର୍ ବାଉଣ୍ଡରି ବାହାରକୁ ପଠାଇବା। ବ୍ୟାଟ୍ ଉପରେ ତାଙ୍କ ନିୟନ୍ତ୍ରଣର ଏହା ଏକ ନମୂନା ଥିଲା। ପ୍ରତିକୂଳ ପରିସ୍ଥିତିରୁ କିଭଳି ବାହାରିବ ତାହା ଦଳର ଅସଲ ପରୀକ୍ଷା ହୋଇଥାଏ। ଦକ୍ଷିଣ ଆଫ୍ରିକା ଏବେ ଆଉ ଟି-୨୦ ଶୃଙ୍ଖଳା ଜିତି ପାରିବ ନାହିଁ, କିନ୍ତୁ ବେଙ୍ଗାଲୁରୁରେ ୨୨ ତାରିଖ (ରବିବାର)ରେ ନିଶ୍ଚିତ ବାଜି ଲଗାଇବ।