ମମ୍ବାଇ: ଶେଷ ଓଭରରୁ ବିଜୟ ପାଇଁ ୧୫ ରନ୍ର ଦରକାର ଥିଲା। ଅଙ୍କିତ ରାଜପୁତଙ୍କ ପ୍ରଥମ ବଲ୍ କିନ୍ତୁ ନୋ’ ହୋଇଯାଇଥିଲା। ଏହାକୁ ମଧ୍ୟ ସହଜରେ ଉପରେ ଉପରେ ସୀମାରେଖା ପାର କରାଇ ଦେଇଥିଲେ ପୋଲାର୍ଡ। ଫ୍ରି-ହିଟ୍ରୁ ଚୌକା ମାରି ମାତ୍ର ଗୋଟିଏ ଆଇନସମ୍ମତ ବଲ୍ରୁ ୧୧ ରନ୍ ଅମଳ କରି ନେଇଥିଲେ ସେ। ଦ୍ବିତୀୟ ବଲ୍ରେ ଅବଶ୍ୟ ରାଜପୁତ ଫେରିଥିଲେ। ସଟ୍ ବଲ୍ରେ ଧମାକାଦାର ବ୍ୟାଟିଂ କରୁଥିବା ପୋଲାର୍ଡଙ୍କୁ ପ୍ୟାଭିଲିୟନ ଫେରାଇ ରୋମାଞ୍ଚ ଭରି ଦେଇଥିଲେ। ମ୍ୟାଚ୍ ତତ୍କ୍ଷଣାତ୍ ନାଟକୀୟ ମୋଡ଼ ନେଇଥିଲା। ନନ୍ଷ୍ଟ୍ରାଇକର ପଟେ ଥିବା ୧୯ ବର୍ଷୀୟ କାରବୀୟ ବୀର ଆଲେଜେରି ଜୋସେଫ କିନ୍ତୁ ହାର ମାନି ଥିଲେ। ତୃତୀୟ ବଲ୍ରେ କୌଣସି ରନ୍ ନେଇ ନପାରିବା ସତ୍ତ୍ବେ ରାହୁଲ ଚହରଙ୍କ ମହ ମିଶି ସେ ହିଁ ମୁମ୍ବାଇକୁ ଚଳିତ ଋତୁର ଅନ୍ୟତମ ସ୍ମରଣୀୟ ବିଜୟ ଉପହାର ଦେଇଥିଲେ। ଚତୁର୍ଥ ଓ ପଞ୍ଚମ ବଲ୍ରେ ୨ ରନ୍ ମିଳିବା ପରେ ମୁମ୍ବାଇକୁ ଶେଷ ବଲ୍ରୁ ବିଜୟ ପାଇଁ ୨ ରନ୍ର ଦରକାର ଥିଲା। ରାଜପୁତଙ୍କ ଫୁଲଟସ୍କୁ ସିଧା ବ୍ୟାଟ୍ରେ ଲଙ୍ଗ୍ ଅନ୍ ଅଞ୍ଚଳକୁ ଖେଳି ଜୋସେଫ ଠିକ୍ ଦୁଇ ରନ୍ ଚୋରାଇ ନେବା ସହ ସମଗ୍ର ୱାଙ୍ଖେଡେ ଷ୍ଟାଡିୟମ ଉତ୍ସବ ମୁଖର ହୋଇ ଯାଇଥିଲା। ୧୯୮ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ୧୪୯ ରନ୍ରେ ମୁମ୍ବାଇର ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରି ସାରିଥିବା କିଙ୍ଗ୍ସ ଏକାଦଶ ପଞ୍ଜାବ ପୋଲାର୍ଡ (୮୩ ରନ୍, ୩୧ ବଲ୍, ୩ ଚୌକା, ୧୦ ଛକା)ଙ୍କ ଧମାକା ପାଇଁ ଶେଷରେ ୩ ୱିକେଟ୍ର ଦୁଃଖଦ ପରାଜୟ ବରଣ କରିଥିଲା। ଲୋକେଶ ରାହୁଲଙ୍କ ପ୍ରଥମ ଆଇପିଏଲ୍ ଶତକ ସହ ମହମ୍ମଦ ସାମି (୪-୦-୨୧-୩)ଙ୍କ ଶାଣିତ ବୋଲିଂ ମଧ୍ୟ ମୁମ୍ବାଇର କାମଚଳା ଅଧିନାୟକ କିରଣ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ଫିକା ପଡ଼ିଯାଇଥିଲା। ଆଶାଜନକ ଭାବେ ସେ ହିଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ବୁଧବାର ୱାଙ୍ଖେଡେ କ୍ରିକେଟ୍ ପ୍ରେମୀ ସମଗ୍ର ମ୍ୟାଚ୍ରେ ଧୁଆଁଧାର ବ୍ୟାଟିଂର ମଜା ନେଇଥିଲେ। ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇର ଅଧିନାୟକ ଦାୟିତ୍ବ ତୁଲାଇଥିବା କିରଣ ପୋଲାର୍ଡ ଟସ୍ ଜିତି ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ପରେ ହିଁ ପଞ୍ଜାବର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରାହୁଲ ଓ ଗେଲ୍ଙ୍କ ବ୍ୟାଟିଂ ବିସ୍ଫୋରଣ ଆରମ୍ଭ ହୋଇ ଯାଇଥିଲା। ଉଭୟ ପ୍ରଥମ ୬ ଓଭରର ପାୱାର ପ୍ଲେରୁ ୫୦ ରନ୍ ଅମଳ କରିଥିଲେ। ପରେ ଗେଲ୍ ୩୧ ବଲ୍ରୁ ଅର୍ଧଶତକ ହାସଲ କରିବା ପରେ ରାହୁଲ ୪୧ ବଲ୍ରୁ ୫୦ ଛୁଇଁଥିଲେ। ମୁମ୍ବାଇର ସବୁ ବୋଲରଙ୍କୁ ବେଖାତିର କରି ଉଭୟ ପ୍ରଥମ ୱିକେଟ୍ରେ ୭୭ ବଲ୍ରୁ ୧୧୬ ରନ୍ ସଂଗ୍ରହ କରି ନେଇଥିଲେ। ତ୍ରୟୋଦଶ ଓଭରରେ ଜାସନ ବେହେରନଡ୍ରଫଙ୍କ ହାତରେ ଗେଲ୍ଙ୍କୁ କ୍ୟାଚ୍ କରାଇ ହାର୍ଦିକ ପାଣ୍ଡ୍ୟା ଯୋଡ଼ି ଭାଙ୍ଗିଥିଲେ। ମୁମ୍ବାଇ ଅବଶ୍ୟ ୩୫ ରନ୍ରେ ୪ ୱିକେଟ୍ ନେଇ ପଞ୍ଜାବର ରନ୍ ସଂଗ୍ରହ ହାରକୁ କିଛି ମାତ୍ରାରେ କମାଇ ଥିଲା। ହେଲେ ରାହୁଲଙ୍କୁ ଶେଷ ପର୍ଯ୍ୟନ୍ତ ଆଉଟ୍ କରି ପାରି ନଥିଲା। ପାଣ୍ଡ୍ୟାଙ୍କ ଗୋଟିଏ ଓଭରରୁ ସେ ୨୫ ରନ୍ ବାହାର କରିଥିଲେ। ତା’ ପରେ ଯଶପ୍ରୀତ ବୁମରାଙ୍କୁ ଦୁଇ ରନ୍ ମାରି ଆଇପିଏଲ୍ରେ ପ୍ରଥମ ଥର ପାଇଁ ତିନି ଅଙ୍କ ଛୁଇଁଥିଲେ। ଗେଲ୍-ରାହୁଲ ଥିଲା ବେଳେ ପଞ୍ଜାବ ଅଢ଼େଇ ଶହ ରନ୍ କରିବାର ଆଶା ସଂଚାର ହୋଇଥିଲା। ତେବେ ମୁମ୍ବାଇ ବୋଲରଙ୍କ ପ୍ରତ୍ୟାବର୍ତନ ପାଇଁ ଏହି ଦଳ ନିର୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୭ ରନ୍ କରିଥିଲା।
ସଂକ୍ଷିପ୍ତ ସ୍କୋର: କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୯୭/୪ (ଲେକେଶ ରାହୁଲ ୧୦୦*, କ୍ରିସ୍ ଗେଲ୍ ୬୩, ହାର୍ଦିକ ପାଣ୍ଡ୍ୟା ୨/୫୭, ଯଶପ୍ରୀତ ବୁମରା ୧/୩୮, ଜାସନ ବେହେରନଡ୍ରଫ ୧/୩୫)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୮/୭ (କିରଣ ପୋଲାର୍ଡ ୮୩, କ୍ବିଣ୍ଟନ୍ ଡି’କକ୍ ୨୪, ସୂର୍ଯ୍ୟକୁମାର ଯାଦବ ୨୧, ଆଲଜେରି ଜୋସେଫ ୧୫*, ମହମ୍ମଦ ସାମି ୩/୨୧, ରବିଚନ୍ଦ୍ରନ୍ ଅଶ୍ବିନ୍ ୧/୩୭, ଅଙ୍କିତ ରାଜପୁତ ୧/୫୨)।
Sambad is now on WhatsApp
Join and get latest news updates delivered to you via WhatsApp
ଆଇପିଏଲ୍-୧୨ ପଏଣ୍ଟ୍ ତାଲିକା
ଦଳ ମ୍ୟାଚ୍ ବିଜୟ ପରାଜୟ ପଏଣ୍ଟ୍ ଏନ୍ଆର୍ଆର୍
ଚେନ୍ନାଇ ୬ ୫ ୧ ୧୦ ୦.୩୧୦
କୋଲ୍କାତା ୬ ୪ ୨ ୮ ୦.୬୧୪
ମୁମ୍ବାଇ ୬ ୪ ୨ ୮ ୦.୨୯୦
ପଞ୍ଜାବ ୭ ୪ ୩ ୮ -୦.୦୫୭
ହାଇଦ୍ରାବାଦ ୬ ୩ ୩ ୬ ୦.୮୧୦
ଦିଲ୍ଲୀ ୬ ୩ ୩ ୬ ୦.୧୩୧
ରାଜସ୍ଥାନ ୫ ୧ ୪ ୨ -୦.୮୪୮
ବାଙ୍ଗାଲୋର ୬ ୦ ୬ ୦ -୧.୪୫୩