ବାରବାଟୀ ଆସିଥିଲା ବିଶ୍ବକପ୍

ରିଲାଏନ୍ସ କପ୍‌ (୧୯୮୭) ଅଷ୍ଟ୍ରେଲିଆ ବନାମ ଜିମ୍ବାୱେ

0

ଭୁବନେଶ୍ବର (ଦେବାଶିଷ ସୁନ୍ଦରାୟ): କ୍ରିକେଟ୍ ବିଶ୍ବକପ୍‌ର ଆୟୋଜନ ଏବଂ ପ୍ରାୟୋଜନରେ ଓଡ଼ିଶା ପଛୁଆ ନାହିଁ। ୧୯୮୭ରେ ବିଶ୍ବକପ୍ ଭାରତୀୟ ଉପମହାଦେଶରେ ପଦାର୍ପଣ କରିବା ଏବଂ ୯ ବର୍ଷ ପରେ ଅର୍ଥାତ୍ ୧୯୯୬ରେ ପୁଣି ଫେରିବା, ଉଭୟ ଥର ଓଡ଼ିଶା ଆୟୋଜକ ସାଜିଥିଲା। ୨୦୧୧ରେ ଭାରତର ତୃତୀୟ ଆୟୋଜନରେ ଅବଶ୍ୟ ଓଡ଼ିଶା ସାମିଲ ନଥିଲା। ବାରବାଟୀ ଦୁର୍ଭାଗ୍ୟଜନକ ଭାବେ ଏଥିରୁ ବଞ୍ଚିତ ହୋଇଥିଲା। ଏଠାରେ ଖେଳା ଯାଇଥିବା ଦୁଇଟି ବିଶ୍ବକପ୍ ମ୍ୟାଚ୍‌ ମଧ୍ୟରୁ ପ୍ରଥମରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଦ୍ବିତୀୟରେ ଭାରତ କେନିଆକୁ ହରାଇ ଅଭିଯାନ ଆରମ୍ଭ କରିଥିଲା। ଏହି ଦୁଇ ମ୍ୟାଚ୍ ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ମନରେ ଆଜି ବି ସ୍ମରଣୀୟ ସ୍ମୃତି ହୋଇ ରହିଛି। ୨୦୧୩ ମହିଳା ବିଶ୍ବକପ୍ ଆୟୋଜନ ମଧ୍ୟ ବାରବାଟୀର ସମୃଦ୍ଧ କ୍ରିକେଟ୍ ଇତିହାସର ଆଉ ଏକ ସୁନେଲି ଫର୍ଦ। ବାରବାଟୀ ବିଶ୍ବକପ୍ ଲଢ଼େଇର ପ୍ରଥମ ମ୍ୟାଚ୍‌ (୧୯୮୭)କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା।

-ଅଷ୍ଟ୍ରେଲିଆ-ଜିମ୍ବାୱେ ରୋମାଞ୍ଚ
୧୯୭୫ରେ ଆରମ୍ଭ ହୋଇଥିବା ବିଶ୍ବକପ୍‌ର ଗତ ୧୧ ସଂସ୍କରଣ ମଧ୍ୟରୁ ଭାରତ ତିନିଥର ଆୟୋଜକ ହୋଇଛି। ସେଥିମଧ୍ୟରୁ ପ୍ରଥମ ଦୁଇ ଥର ଓଡ଼ିଶା ମ୍ୟାଚ୍ ଆୟୋଜନର ସୌଭାଗ୍ୟ ଲାଭ କରିଛି। ଭାରତୀୟ ଉପ ମହାଦେଶରେ ବିଶ୍ବକପ୍ ପ୍ରଥମ ଥର ପାଇଁ ୧୯୮୭ ମସିହାରେ ପାଦ ଥାପିଥିଲା। ରିଲାଏନ୍ସ ବିଶ୍ବକପ୍ ଭାବେ ପରିଚିତ ସେହି କ୍ରିକେଟ୍ ବିଶ୍ବଯୁଦ୍ଧର ଗୋଟିଏ ମ୍ୟାଚ୍ ଆୟୋଜନ ଐତିହାସିକ ବାରବାଟୀ ଷ୍ଟାଡିୟମରେ ହୋଇଥିଲା। ଦୀର୍ଘ ୩୨ ବର୍ଷ ତଳର ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ-ଜିମ୍ବାୱେ ମୁହାଁମୁହିଁ ହୋଇଥିଲେ। ଏହାର ୯ ବର୍ଷ ପରେ ବିଶ୍ବକପ୍ ପୁଣି ଥରେ ଭାରତ ଫେରିଥିଲା। ବାରବାଟୀ ୧୯୯୬ର ୱିଲ୍ସ ବିଶ୍ବକପ୍‌ରେ ପୁନର୍ବାର ଆଉ ଏକ ମ୍ୟାଚ୍ ଅଧିକାର ଲାଭ କରିଥିଲା। ଭାରତୀୟ ଦଳ ଏଠାରେ ବିଶ୍ବକପ୍ ଖେଳିଥିଲା। କେନିଆ ଓ ଭାରତ ମଧ୍ୟରେ ଖେଳା ଯାଇଥିବା ସେହି ବିଶ୍ବକପ୍ ମ୍ୟାଚ୍‌କୁ ଓଡ଼ିଶାବାସୀ ଅଜସ୍ର ଭଲ ପାଇବା ଅଜାଡ଼ି ଦେଇଥିଲେ। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟ ବାନା ଉଡ଼ାଇଥିଲା ବେଳେ ଦ୍ବିତୀୟରେ ଭାରତ ଆଫ୍ରିକୀୟ ରାଷ୍ଟ୍ର କେନିଆର ପର କାଟିଥିଲା। ପୁରୁଷ ୫୦ ଓଭରିଆ ବିଶ୍ବକପ୍‌ର ଦୁଇଟି ମ୍ୟାଚ୍ ସହ ବାରବାଟୀରେ ୨୦୧୩ ମସିହା ମହିଳା ବିଶ୍ବକପ୍ ମଧ୍ୟ ଖେଳା ଯାଇଥିଲା। ଏହାକୁ ମଧ୍ୟ ଓଡ଼ିଶାରେ ଭରପୁର ସମର୍ଥନ ଓ ଭଲ ପାଇବା ମିଳିଥିଲା।

-ବୁନ ଜିତିଥିଲେ ହୃଦୟ
୧୯୮୭ ମସିହା ଅକ୍ଟୋବର ୩୦, ଅଷ୍ଟ୍ରେଲିଆ-ଜିମ୍ବାୱେ ମ୍ୟାଚ୍ ଲାଗି ଜିମ୍ବାୱେ ଖେଳାଳି ଅକ୍ଟୋବର ୨୮ ଏବଂ ଅଷ୍ଟ୍ରେଲିଆ ୨୯ରେ ପହଞ୍ଚିଥିଲା। ଉଭୟ ଦଳ ଭୁବନେଶ୍ବରର ଓବରଏ ହୋଟେଲ (ଏବେକାର ଟ୍ରାଇଡେଣ୍ଟ)ରେ ରହିଥିଲେ। ଜିମ୍ବାୱେ ଖେଳାଳି ଗୋଟିଏ ଦିନ ଆଗରୁ ପହଞ୍ଚିଥିବାରୁ ନେଟ୍ ପ୍ରାକ୍ଟିସ୍ କରିଥିଲେ। ହେଲେ ପରଦିନ ଆସିଥିବା ଅଷ୍ଟ୍ରେଲିଆ ଦଳର ବିମାନ ପହଞ୍ଚିବାରେ ୯୦ ମିନିଟର ବିଳମ୍ବ ହେବାରୁ କଙ୍ଗାରୁ ଖେଳାଳିମାନେ ଏଥରୁ ବଞ୍ଚିତ ହୋଇଥିଲେ। ଦୁଇ ବିଦେଶୀ ଦଳ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ସରକାରଙ୍କ ତତ୍‌କାଳୀନ କୃଷି ଓ ସମବାୟ ମନ୍ତ୍ରୀ ରାସବିହାରୀ ବେହେରା ଏବଂ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)ର ସଂପାଦକ ବିଭୂତି ଭୂଷଣ ଦାସ, ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସହ ସହ ଓସିଏର ଅନ୍ୟ କର୍ମକର୍ତା ସେମାନଙ୍କୁ ସ୍ବାଗତ ସମ୍ବର୍ଧନା ଦେଇଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ଆଲାନ ବର୍ଡର ସେତେବେଳର ବାରବାଟୀ ପିଚ୍‌ ଏବଂ ଘାସୁଆ ଆଉଟ୍ ଫିଲ୍ଡକୁ ନେଇ କିନ୍ତୁ ଅସନ୍ତୋଷ ଜାହିର କରିଥିଲେ। ତେବେ ମ୍ୟାଚ୍ ଦିନ କଙ୍ଗାରୁ ଖେଳାଳିମାନେ ସେହି ପିଚ୍‌ରେ ଅତି ସୁନ୍ଦର ବ୍ୟାଟିଂ କରିଥିଲେ।

ବି‌ଶେଷ କରି ଏହି ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ବୁନ୍ ଚମତ୍କାର ବ୍ୟାଟିଂ କରି ବାରବାଟୀ ଦର୍ଶକଙ୍କ ମନ ମୋହି ନେଇଥିଲେ। ବୁନଙ୍କୁ ବାରବାଟୀ ପିଚ୍ ପୂରା ପସନ୍ଦ ଆସିଯାଇଥିଲା। ସେ ଅବଶ୍ୟ ମାତ୍ର ୭ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ୯୩ ରନ୍‌ର ( ୯ ଚୌକା, ୧ ଛକା) ପାଳି ଖେଳି ଅଷ୍ଟ୍ରେଲିଆର ବାରବାଟୀ ବିଜୟରେ ବୁନ୍ ହିଁ ପ୍ରମୁଖ ଭୂମିକା ତୁଲାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେଫ୍ ମାର୍ସ ୩୭, ଡିନ୍ ଜୋନ୍ସ ୫୮*, ମାଇକ୍ ଭେଲେଟା ୪୩ ଏବଂ ଷ୍ଟିଭ୍ ୱ ୧୦* ରନ୍ କରିଥିଲେ। ଅଷ୍ଟ୍ରେଲିଆ ୫୦ ଓଭରରେ ୫ ୱିକେଟ୍ ହରାଇ ୨୬୬ ରନ୍ କରିଥିଲା। ଦୁର୍ବଳ ଜିମ୍ବାୱେ ପାଇଁ ୨୬୭ ରନ୍‌ର ବିଜୟ ଲକ୍ଷ୍ୟ ତା’ ଦକ୍ଷତାଠାରୁ ଢେର ଅଧିକ ଥିଲା। ଏହି ଦଳ ୫୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୯୬ ରନ୍ କରି ପାରିଥିଲା। ଆର୍ଦ୍ରତା, ମହାନଦୀ ପଟୁ ବହୁଥିବା ପବନ ଏବଂ ସବୁଜ ପିଚ୍‌କୁ ମୁକାବିଲା କରିବାରେ ଅନଭିଜ୍ଞ ଜିମ୍ବାୱେ ଖେଳାଳି ଏକବାର ଅସମର୍ଥ ହୋଇଥିଲେ। ଜିମ୍ବାୱେ ବିଶ୍ବକପ୍‌ରେ ଲଗାତାର ଷଷ୍ଠ ପରାଜୟ ବରଣ କରିଥିଲା। ବୁନ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କ ଖଣ୍ଡା ନିଶ କଟକରେ ବେଶ୍ ଲୋକପ୍ରିୟ ହୋଇଥିଲା। ଜିମ୍ବାୱେ ଖେଳାଳିମାନେ ଆକର୍ଷଣୀୟ କ୍ଷେତ୍ରରକ୍ଷଣ କରିଥିଲେ। ହେଲେ ବ୍ୟାଟିଂରେ ପୂରା ବିଫଳ ରହିଥିଲେ।

-ହାଇକୋର୍ଟର ଛୁଟି ଘୋ‌ଷଣା
ଏହି ମ୍ୟାଚ୍‌ର ଟିକିନିଖି କଥା ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ସ୍ଥାନୀୟ ସାମ୍ବାଦିକଙ୍କ ସହ ବହୁ ବିଦେଶୀ ସାମ୍ବାଦିକ ମଧ୍ୟ ଏହି ମ୍ୟାଚ୍ ପାଇଁ କଟକ ଆସିଥିଲେ। ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ମଧ୍ୟ ସେମାନଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା। ଖାସ୍ ଏହି ମ୍ୟାଚ୍ ପାଇଁ ହାଇକୋର୍ଟକୁ ଛୁଟି ଘୋଷଣା କରାଯାଇଥିଲା। ତେବେ ବାରବାଟୀରେ ଦର୍ଶକ ବସିବାର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ୫ରୁ ୭ ହଜାର ଲୋକ ମ୍ୟାଚ୍ ଦେଖିଥିଲେ। ଅଷ୍ଟ୍ରେଲିଆ ଓ ଭାରତ ଗ୍ରୁପ୍ ପର୍ଯ୍ୟାୟର ସମସ୍ତ ୬ ମ୍ୟାଚ୍ ଜିତିଥିଲେ। ଅଷ୍ଟ୍ରେଲିଆର ବାରବାଟୀ ବିଜୟ ସତ୍ତ୍ବେ ନେଟ୍ ରନ୍ ରେଟ୍‌ରେ ଆଗୁଆ ରହି ଭାରତ ଗ୍ରୁପ୍ ବିଜେତା ହୋଇଥିଲା। ସେପଟେ ବାରବାଟୀର ଏହା ତୃତୀୟ ଅନ୍ତର୍ଜାତୀୟ ଦିନିକିଆ ଏବଂ ୮୭ ବିଶ୍ବକପ୍‌ର ତୃତୀୟ ମ୍ୟାଚ୍ ଥିଲା। ବିଶ୍ବକପ୍ ଆୟୋଜନ ଅଧିକାର ପାଇଥିବା ୧୪ ଭାରତୀୟ ଷ୍ଟାଡିୟମ୍ ମଧ୍ୟରୁ ବାରବାଟୀ ଥିଲା ଅନ୍ୟତମ। ଅଷ୍ଟ୍ରେଲିଆ-ଜିମ୍ବାୱେ ମ୍ୟାଚ୍‌ର ଜିମ୍ବାୱେ ପାଳିରେ ଅଷ୍ଟ୍ରେଲିଆ ବୋଲର ବ୍ରୁସ୍ ରିଡଙ୍କ ସର୍ଟ ପିଚ୍ ବଲ୍ ଜିମ୍ବାୱେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆଣ୍ଡି ୱାଲରଙ୍କ ମୁହଁରେ ବାଜିବା ପରେ ସେ ଗୁରୁତର ଆହତ ହୋଇଥିଲେ। ମୁହଁରୁ ରକ୍ତସ୍ରାବ ହେବା ପରେ ୱାଲର ପଡ଼ିଆ ବାହାରକୁ ଯିବାକୁ ବାଧ୍ୟ ହୋଇଥିଲେ। ଯାହା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ଏକ ତିକ୍ତ ଅନୁଭୂତି ଥିଲା।

ତଳେ ବସି ମ୍ୟାଚ୍ ଦେଖିଥିଲେ ଦର୍ଶକ
ବାରବାଟୀରେ ଦର୍ଶକ କ୍ଷମତା ସେତେବେଳେ ଆଜି ଭଳି ନଥିଲା। ଏପରିକି ଏହି ମ୍ୟାଚ୍ ଅବସରରେ ହର୍ସ ଗେଟ୍ ପଟେ ଦର୍ଶକଙ୍କ ପାଇଁ ତଳେ ବସି ମ୍ୟାଚ୍ ଦେଖିବାର ବ୍ୟବସ୍ଥା କରାଯାଇଥିଲା। କ୍ରିକେଟପ୍ରେମୀଙ୍କୁ ପଡ଼ିଆ ଭିତରେ ବସି ମ୍ୟାଚ୍ ଦେଖିବାର ଅନୁମତି ମିଳୁଥିଲା। ଗ୍ୟାଲେରିରେ ବି ବହୁତ ଦର୍ଶକ ଥିଲେ। ଆମେ କ୍ଲକ୍ ଟାୱାର ପଟେ ଥିଲୁ। ବାରବାଟୀରେ ପାଖାପାଖି ୭,୦୦୦ ଦର୍ଶକ ଥିଲେ ବୋଲି ଆନୁଷ୍ଠାନିକ ଭାବେ କୁହାଯାଉଥିଲେ ମଧ୍ୟ ମୋ ମତରେ ୧୧,୦୦୦ରୁ କମ୍ ଦର୍ଶକ ନଥିଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ କୌଣସି ବିଶ୍ବ ସ୍ତରୀୟ ମ୍ୟାଚ୍ ଆୟୋଜନ ହେଉଥିବାରୁ କଟକ-ଭୁବନେଶ୍ବରରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଥିଲା। ଆମେ ସବୁ ବସରେ କଟକ ଯାଇ ମ୍ୟାଚ୍ ଦେଖିଥିଲୁ। ମୁଁ ଏହି ଅବସରରେ ଅଲଇଣ୍ଡିଆ ରେଡିଓ ତରଫରୁ ଏକ କାର୍ଯ୍ୟକ୍ରମ କରୁଥିଲି। ବଡ଼ କଥା ହେଲା ଏହି ମ୍ୟାଚ୍ ଲାଗି ସେତେବେଳେ ରିଚି ବେନର୍ଡଙ୍କ ଭଳି ବିଶ୍ବର କେତେକ ଶ୍ରେଷ୍ଠ କ୍ରିକେଟର ବାରବାଟୀକୁ ଭାଷ୍ୟକାର ଭାବେ ଆସିଥିଲେ। ଅଷ୍ଟ୍ରେଲିଆ-ଜିମ୍ବାୱେ ମ୍ୟାଚ୍‌ର ଆଉ ଏକ ବିଶେଷତ୍ବ ଥିଲା ଇଜିପ୍ଟରେ ଜନ୍ମ ଗ୍ରହଣ କରି ଦକ୍ଷିଣ ଆଫ୍ରିକାରୁ ମ୍ୟାଚ୍ ଖେଳିଥିବା ଜନ୍ ଟ୍ରାଇକସ୍ ଜିମ୍ବାୱେର ପ୍ରତିନିଧିତ୍ବ କରି ନିଜ ବିଶ୍ବକପ୍ ସ୍ବପ୍ନ ସାକାର କରିଥି‌ଲେ। ବର୍ଣ୍ଣବୈଷମ୍ୟ ପାଇଁ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବାସନ୍ଦ ହେବା ପରେ ଟ୍ରାଇକସ୍ ୪୫ ବର୍ଷ ବୟସରେ ଜିମ୍ବାୱେ ଦଳରୁ ଖେଳିବା ସହ ବିଶ୍ବକପରେ ନେତୃତ୍ବ ନେଇଥିଲେ।
-ସମ୍ବିତ ମହାପାତ୍ର, ବରିଷ୍ଠ କ୍ରୀଡ଼ା ସାମ୍ବାଦିକ

କ୍ରିକେଟ୍ ପ୍ରେମରେ କଟକ କମ୍ପିଥିଲା
ଭାରତ ୧୯୮୩ ମସିହାରେ ବିଶ୍ବକପ୍ ଜିତିଥିଲା। ୧୯୮୭ ବିଶ୍ବକପ୍ ଭାରତରେ ଖେଳା ଯାଉଥିଲା ବେଳେ ପ୍ରଥମ ଥର ପାଇଁ ବାରବାଟୀରେ ବିଶ୍ବକପ୍ ଭଳି ବଡ଼ ପ୍ରତିଯୋଗିତାର ଏକ ମ୍ୟାଚ୍ ଆୟୋଜନ ଅଧିକାର ପାଇଥିଲା। ସେଥିପାଇଁ କଟକ ଏକ ପ୍ରକାର ଉତ୍ସବ ମୁଖର ହୋଇ ଯାଇଥିଲା। ମନୋରଞ୍ଜନର ଅଧିକ ମାଧ୍ୟମ ନଥିବାରୁ କ୍ରିକେଟ୍ ମ୍ୟାଚ୍ ହେଲେ ସମସ୍ତଙ୍କ ନଜର ତା’ ଉପରେ ରହୁଥିଲା। ସେତେବେଳେ ଏବେକା ଅପେକ୍ଷା ଅଧିକ ଟିକେଟ୍ କଳାବଜାରି ହେଉଥିଲା। ସେତେବେଳେ ବାରବାଟୀର ଦର୍ଶକ କ୍ଷମତା ବହୁତ କମ୍ ଥିଲା। ବ୍ୟକ୍ତିଗତ ଭାବେ ମୁଁ ଏହି ମ୍ୟାଚ୍‌କୁ ମନଭରି ଉପଯୋଗ କରିଥିଲି। ଓଡ଼ିଶା କ୍ରିକେଟ୍ ସଂଘର କର୍ମକର୍ତା ନଥିଲେ ମଧ୍ୟ ମ୍ୟାଚ୍ ଆୟୋଜନ ନେଇ ଗଠିତ ହୋଇଥିବା ସବ୍‌ କମିଟିରେ ମୁଁ ଥିଲି। ଏଣୁ ମ୍ୟାଚ୍ ଆୟୋଜନରେ କିଛି ମାତ୍ରାରେ ଜଡ଼ିତ ଥିଲି। ଖେଳାଳିମାନେ ଭୁବନେଶ୍ବରର ଓବରଏ ହୋଟେଲରେ ରହୁଥିଲେ। ସେମାନଙ୍କୁ ଦେଖିବା ଲାଗି ପ୍ରବଳ ଭିଡ଼ ଜମୁଥିଲା। ଦର୍ଶକଙ୍କୁ ପଡ଼ିଆ ଭିତରେ ବସି ମ୍ୟାଚ୍ ‌ଦେଖିବାର ସୁଯୋଗ ବି ମିଳୁଥିଲା।
-ପ୍ରଦୀପ ଚୌହ୍ବାନ, ସଂପାଦକ ୟୁନିୟନ୍ ସ୍ପୋର୍ଟିଂ

ବିଶ୍ବକପ୍ ରିପୋର୍ଟିଂ କରିବାର ସୌଭାଗ୍ୟ ମିଳିଥିଲା
୧୯୮୭ ବିଶ୍ବକପ୍ ମ୍ୟାଚ୍‌କୁ ନେଇ ଦ୍ବୈତ ନଗରୀ କଟକ-ଭୁବନେଶ୍ବରରେ ଉତ୍ସବର ମାହୋଲ ଥିଲା। କ୍ରିକେଟ୍ ପ୍ରେମୀ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଓ ଜିମ୍ବାୱେ ଖେଳାଳିଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇଥିଲେ। ଓଡ଼ିଶା‌‌ରେ କ୍ରୀଡ଼ା ସାମ୍ବାଦିକତା ପ୍ରଥମ ପାହାଚରେ ଥିଲା ବେଳେ ହାତଗଣତି କିଛି ସାମ୍ବାଦିକଙ୍କୁ ଅନ୍ତର୍ଜାତୀୟ ମ୍ୟାଚ୍ ରିପୋର୍ଟିଂ କରିବାର ସୁଯୋଗ ମିଳୁଥିଲା। ବାରବାଟୀର ପ୍ରଥମ ଦୁଇ ମ୍ୟାଚ୍‌କୁ ମୁଁ ରିପୋର୍ଟିଂ କରିଥିଲି। ‘ସମ୍ବାଦ’ ସୁଯୋଗ ଦେବା ପରେ ଅଷ୍ଟ୍ରେଲିଆ-ଜିମ୍ବାୱେ ମ୍ୟାଚ୍‌ର ପୂର୍ବାଲୋକନ ଷ୍ଟୋରି ମଧ୍ୟ ଲେଖିଥିଲି। ମୋ ସହକର୍ମୀ ତପନ ପାଢ଼ୀ ମଧ୍ୟ ବାରାବଟୀ ମ୍ୟାଚ୍‌କୁ ନେଇ ଅନେକ ରୋଚକ ତଥ୍ୟ ସମ୍ବଳିତ ଲେଖା ଲେଖିଥିଲେ। ସେତେବେଳେ ବାରବାଟୀରେ ଛୋଟ ଷ୍ଟାଣ୍ଡ ଥିଲା। ବାରବାଟୀ ବ୍ୟତୀତ ୧୯୮୭ରେ କୋଲକାତାରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ-ଜିମ୍ବାୱେ ଏବଂ ଇଂଲଣ୍ଡ-ଅଷ୍ଟ୍ରେଲିଆ ଫାଇନାଲର ରିପୋର୍ଟିଂ କରିବାର ସୌଭାଗ୍ୟ ମଧ୍ୟ ମୋତେ ମିଳିଥିଲା। ‘ସମ୍ବାଦ’ରେ ଥିଲା ବେଳେ ଫଟୋ ସାମ୍ବାଦିକ ସଂଜୀବ ମୁଖାର୍ଜୀ ଓ ମୁଁ କୋଲକାତା ଯାଇ ରି‌ପୋର୍ଟିଂ କରିଥିଲୁ। କୋଲକାତାରେ ମ୍ୟାଚ୍ ରିପୋର୍ଟିଂ କରିବାର ବହୁତ ଭଲ ଅଭିଜ୍ଞତା‌ ଥିଲା। ସେତେବେଳେ ଯୋଗାଯୋଗର ବିଶେଷ ମାଧ୍ୟମ ନଥିବାରୁ ଆମେ ଟେଲିଗ୍ରାମ କରି ରିପୋର୍ଟ ପଠାଉଥିଲୁ।
-ସନାତନ ପାଣି, ବରିଷ୍ଠ କ୍ରୀଡ଼ା ସାମ୍ବାଦିକ

ସମ୍ବନ୍ଧିତ ଖବର

Leave A Reply

Your email address will not be published.