ବିଜିସିରେ ଭାରତୀୟ ଗଲ୍‌ଫ ସପ୍ତାହ: ଗଲ୍‌ଫ ଶିଖିିଲେ କିସ୍‌ ପିଲା 

ଭୁବନେଶ୍ୱର: ଗଲ୍‌ଫ ଭଳି ରାଜକୀୟ ଖେଳରେ ଆଦିବାସୀଙ୍କ ଅପ୍ରତ୍ୟାଶିତ ପ୍ରବେଶ ଦେଖିବାକୁ ମିଳିଛି। ଗଲ୍‌ଫ ଖେଳକୁ ଅଧିକ ଲୋକପ୍ରିୟ କରାଇବା ଏବଂ ଏଥି ପାଇଁ ତୃଣମୂଳସ୍ତରରୁ ମୂଳଦୁଆ ପକାଇବା ଲାଗି ସଚେତନତା ଓ ଶିଖାଇବା ଅଭିଯାନରେ ସାମିଲ୍‌ ହୋଇ କିସ୍‌ର ଆଦିବାସୀ ପିଲାମାନେ ନୂଆ ଧାରା ଆରମ୍ଭ କରିଛନ୍ତି। ଗଲ୍‌ଫ ଶିଳ୍ପ ସଂଘ (ଜିଆଇଏ) ଏବଂ ଭାରତୀୟ ଗଲ୍‌ଫ ସଂଘ (ଆଇଜିୟୁ)ର ମିଳିତ ଆନୁକୂଲ୍ୟରେ ଦେଶବ୍ୟାପୀ ଆୟୋଜିତ ଗଲ୍‌ଫ ସପ୍ତାହ କାର୍ଯ୍ୟକ୍ରମ ଜରିଆରେ ମୋଟ ୧,୦୦,୦୦୦ ନୂଆ ଗଲ୍‌ଫରଙ୍କୁ ଯୋଡ଼ିବା ଲକ୍ଷ୍ୟ କରାଯାଇଛି। ଏହି କ୍ରମରେ ଭୁବନେଶ୍ୱର ଗଲ୍‌ଫ କ୍ଲବ୍‌ ପରିସରରେ ଇଣ୍ଡିଆ ଲର୍ନ ଗଲ୍‌ଫ ସପ୍ତାହ (ଆଇଏଲ୍‌ଜିଡବ୍‌ଲ୍ୟୁ) ସେପ୍ଟେମ୍ବର ୨୬ରୁ ଚାଲିଛି। ଏହା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଗୁରୁବାର କିନ୍ତୁ କଳିଙ୍ଗ ଇନ୍‌ଷ୍ଟିଚୁ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନସେସ୍‌ (କିସ୍‌)ର ୨୯ ଜଣ ବାଳିକାଙ୍କ ସହ ୬୮ ଜଣ ଯୋଗ ଦେଇ ଗଲ୍‌ଫର ଏବିସିଡି ଶିଖିଥିଲେ। ଶୁକ୍ରବାର ମଧ୍ୟ ଆଉ ୬୮ ଜଣ କିସ୍‌ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହେବେ। କିସ୍‌ ସହକାରୀ କ୍ରୀଡ଼ା ନିର୍ଦେଶକ ରୁଦ୍ରକେଶ ଜେନାଙ୍କ ତତ୍ୱାବଧାନରେ ଆସିଥିବା ଏହି ପିଲାଙ୍କ ସହିତ କିସ୍‌ର କ୍ରୀଡ଼ା ଶିକ୍ଷୟିତ୍ରୀ ମନୀଷା ତରାସିଆ, କ୍ରୀଡ଼ା ଶିକ୍ଷକ ପ୍ରଶାନ୍ତ କୁମାର ସିଂହ, ଭଲିବଲ୍‌ ପ୍ରଶିକ୍ଷକ ସବିତା ଦାସ, ଫୁଟ୍‌ବଲ୍‌ ପ୍ରଶିକ୍ଷକ ରେଶ୍ମା ବେଗମ୍‌ ପ୍ରମୁଖ ସହାୟତା କରିଥିଲେ।
ଅନ୍ୟ ଖେଳ ଭଳି ଗଲ୍‌ଫକୁ ଅଧିକ ଗ୍ରହଣୀୟ ଏବଂ ଲୋକପ୍ରିୟ କରାଇବା ଲକ୍ଷ୍ୟରେ ଏଭଳି ପ୍ରୟାସ କରାଯାଇଛି ବୋଲି କହିଛନ୍ତି ବିଜିସିର ଅଧିନାୟକ ଭୂମି ମହାନ୍ତି ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ଭବିଷ୍ୟତରେ ବିଜିସି ପ୍ୟାକେଜ୍‌ର ଫାଇଦା ନେଇ ପାରିବେ। ଆମେରିକାର ପେସାଦାର ଗଲ୍‌ଫ ସଂଘ (ପିଜିଏ) ଅନୁମୋଦିତ ପାଠ୍ୟକ୍ରମ ଅନୁସାରେ ପ୍ରଶିକ୍ଷକମାନେ ଖେଳ ଶିଖାଇଥିଲେ। ସୁଯୋଗ ପାଇଲେ ଏହି ଖେଳରେ ଆଦିବାସୀ ପିଲାମାନେ ମଧ୍ୟ ସଫଳତା ପାଇବେ। ଏହି ସପ୍ତାହ ୨୦୦ରୁ ଅଧିକ ଅଣଗଲ୍‌ଫରଙ୍କୁ ଆକର୍ଷିତ କରିପାରିଛି। ବିଶେଷ କରି ଏସୀୟ ଝିଅମାନେ ଯଦି ବିଶ୍ୱମାନ୍ୟତାରେ ଆଗରେ ରହିପାରିଛନ୍ତି ତେବେ ଭାରତୀୟମାନେ ଏ କ୍ଷେତ୍ରରେ ସଫଳତା ନ ହେବାର କିଛି କାରଣ ନାହିଁ। ରିଓ ଅଲିମ୍ପିକ୍ସରେ ଗଲ୍‌ଫକୁ ସାମିଲ କରାଯିବା ପରଠାରୁ ଏହି ଖେଳ କ୍ରମେ ଆକର୍ଷଣର କେନ୍ଦ୍ରରେ ରହିଛି ବୋଲି ଶ୍ରୀ ମହାନ୍ତି ଦାବି କରିଥିଲେ।
ଆଦିବାସୀ ପିଲାଙ୍କ ଗଲ୍‌ଫ ପଦାର୍ପଣକୁ ନେଇ ଢେର ଉତ୍ସାହିତ ଅଛନ୍ତି କିସ୍‌ର ସହକାରୀ କ୍ରୀଡ଼ା ନିର୍ଦେଶକ ରୁଦ୍ରକେଶ ଜେନା। କିସ୍‌ ପିଲାମାନେ ଆଗରୁ ରଗ୍‌ବି, ଚେସ୍‌, କ୍ରିକେଟ୍‌ ଆଦି ଅଣଆଦିବାସୀ ପ୍ରେମୀ ଖେଳରେ ନିଜ ସଫଳତା ଦେଖାଇ ସାରିଥିବାରୁ ଗଲ୍‌ଫରେ ବି ସଫଳ ହୋଇ ପାରିବେ ବୋଲି ଆମେ ଆଶା ରଖିଛୁ। ସୁଯୋଗ ମିଳିଲେ ଏମାନେ ନିଶ୍ଚିତ ଆଗକୁ ବଢ଼ିପାରିବେ ବୋଲି କହିଥିଲେ ଶ୍ରୀ ଜେନା। ଚଳିତ ଗଲ୍‌ଫ ସପ୍ତାହରୁ ଦକ୍ଷ ପିଲା ମିଳିଲେ ବିଜିସି ସେମାନଙ୍କୁ ଆଜୀବନ ପ୍ରାୟୋଜିତ କରିବ ବୋଲି ମଧ୍ୟ ପ୍ରତିଶ୍ରୁତି ମିଳିଛି ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର