‘ବିଶ୍ବକପ୍‌ ଦାବିଦାରି ଏବେ ମୁକୁଳା’

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ନିକଟରୁ ଶୃଙ୍ଖଳା ପରାଜୟ ପରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି କହିଛନ୍ତି ବିଶ୍ବକପ୍ ଦାବିଦାରି ଏବେ ସମ୍ପୂର୍ଣ୍ଣ ମୁକୁଳା ରହିଛି। କୌଣସି ଗୋଟିଏ ଦଳକୁ ସ୍ପଷ୍ଟ ଭାବେ ଦାବିଦାର କୁହାଯାଇପାରିବ ନାହିଁ। ପୂର୍ବରୁ ଆୟୋଜକ ଇଂଲଣ୍ଡ ଏବଂ ଶକ୍ତିଶାଳୀ ଭାରତକୁ ଦୃଢ଼ ଦାବିଦାର କୁହାଯାଉଥିଲା। କୋହଲି କିନ୍ତୁ ଏଥିରେ ଏକମତ ନୁହଁନ୍ତି। ସଚ୍ଚୋଟତାର ସହ କହିଲେ ପ୍ରତି ଦଳ ଦାବିଦାର। କୌଣସି ଦଳ ବିଶ୍ବକପ୍ ବେଳେ ଭଲ ପ୍ରଦର୍ଶନ କଲେ ତାକୁ ରୋକିବା କଷ୍ଟକର ହୋଇଯିବ। ତଥାପି ଭଲ ପ୍ରଦର୍ଶନ କରୁଥିବା ଦଳକୁ ସେମି‌ଫାଇନାଲରୁ ବିଦାୟ ନେବାକୁ ପଡ଼ିପାରେ। ଏଭଳି କରିବାକୁ ନିର୍ଦ୍ଧିଷ୍ଟ ତାରିଖରେ ସାହାସ ‌ଦେଖାଇବାର ଅଛି ବୋଲି କୋହଲି କହିଛନ୍ତି। ବିଶ୍ବକପ୍‌ରେ କୌଣସି ଦଳକୁ ଦାବିଦାର କୁହାଯାଇପାରିବ ନାହିଁ। ଯେ କୌଣସି ଦଳ ବିପଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି। ୱେଷ୍ଟଇଣ୍ଡିଜ୍ ଦଳକୁ ଦେଖନ୍ତୁ, ଏହା ଏକ ସନ୍ତୁଳିତ ଦଳ ଏବଂ ବିପର୍ଯ୍ୟୟ ସୃଷ୍ଟି କରିବାର କ୍ଷମତା ରଖିଛି। ଇଂଲଣ୍ଡ ଶକ୍ତିଶାଳୀ, ଅଷ୍ଟ୍ରେଲିଆ ମଧ୍ୟ ସନ୍ତୁଳିତ, ନ୍ୟୁଜିଲାଣ୍ଡ୍‌ ଭଲ ଦଳ, ପାକିସ୍ତାନ ନିଜ ଦିନରେ କାହାରିକୁ ବି ହରାଇପାରେ ବୋଲି କୋହଲି କହିଛନ୍ତି। ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ୍‌ରେ ଭାରତ ଶୃଙ୍ଖଳା ଜିତି ଆସିଥିଲେ ମଧ୍ୟ ଘରୋଇ ମାଟିରେ ଅଷ୍ଟ୍ରେଲିଆଠାରୁ ହାରିବା କୋହଲିଙ୍କ ଦଳକୁ ନେଇ ବିତର୍କରେ ପକାଇଛି। ସୂଚନାଯୋଗ୍ୟ, ଆଇସିସି ଦିନିକିଆ ବିଶ୍ବକପ୍‌ ଇଂଲଣ୍ଡ୍‌ରେ ମେ’ ୩୦ ତାରିଖରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର