ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌: ପ୍ରଣୟ, ସମୀର ଆଗେଇଲେ

ନାନଜିଙ୍ଗ୍‌ (ଚୀନ୍‌: ଭାରତୀୟ ତାରକା ଏଚ୍‌ଏସ୍‌ ପ୍ରଣୟ ଏବଂ ସମୀର ବର୍ମା ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ସୋମବାର ପୁୁରୁଷ ଏକକ ମୁକାବିଲାରେ ଏକାଦଶ ମାନ୍ୟତା ପ୍ରଣୟ ୨୧-୧୨, ୨୧-୧୧ରେ ନ୍ୟୁଜିଲାଣ୍ଡ୍‌ର ଅଭିନବ ମନୋତାଙ୍କୁ ଏବଂ ସମୀର ୨୧-୧୩, ୨୧-୧୦ରେ ଫ୍ରାନ୍ସର ଲୁକାସ କର୍ବିଙ୍କୁ ହରାଇଥିଲେ। ପୁରୁଷ ଯୁଗଳରେ ଭାରତୀୟ ଯୋଡ଼ି ମନୁ ଅତ୍ରୀ ଓ ବି ସୁମିତ ରେଡ୍ଡୀ ୨୧-୧୩, ୨୧-୧୮ରେ ବୁଲଗେରିଆର ଡାନିଏଲ୍‌ ନିକୋଲୋଭ ଓ ଇଭାନ ରୁସେଭଙ୍କୁ, ମିଶ୍ରିତ ଯୁଗଳରେ ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୋନ୍ନାପ୍ପା ୨୧-୯, ୨୨-୨୦ରେ ଡେନ୍‌ମାର୍କର ନିକ୍‌ଲାସ ନୋର ଓ ସାରା ତିଗ୍‌ସେନ୍‌ଙ୍କୁ ଏବଂ ପ୍ରଣବ ଜେରି ଚୋପ୍ରା ଓ ଏନ୍‌ ସିକି ରେଡ୍ଡୀ ୨୧-୧୭, ୨୧-୧୫ରେ ଚେକ୍‌ ଗଣରାଜ୍ୟର ଜାକୁବ ବିତମାନ୍‌ ଓ ଆଲ୍‌ଜାବେତା ବସୋଭାଙ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୌରଭ ଶର୍ମା-ଅନୁଷ୍କା ପାରିଖ ଏବଂ ରେହନ କାପୁର-କୁହୁ ଗର୍ଗ ମିଶ୍ରିତ ଯୁଗଳର ଦ୍ୱିତୀୟ ପର୍ଯ୍ୟାୟରେ ନିଜ ସ୍ଥାନ ପକ୍କା କରିଛନ୍ତି। ତେବେ ମହିଳା ଯୁଗଳରେ ସାନ୍ୟୋଗୀତା ଘୋରପାଦେ ଓ ପ୍ରଜକ୍ତା ସାଓ୍ଵନ୍ତ ୨୦-୨୨, ୧୪-୨୧ରେ ତୁର୍କି ଯୋଡ଼ି ବେଙ୍ଗିସୁ ଏର୍ସିତିନ୍‌ ଓ ନାଜିଲିକାନ୍‌ ଇନ୍‌ସିଙ୍କଠୁ ହାରି ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର