ବେଲ୍‌ଜିୟମ୍‌ ବିଜୟ

ଧରାପଡ଼ିଲା ଆଣ୍ଡରସନ୍‌ଙ୍କ ଗୁଇନ୍ଦାଗିରି

ସୋଚି,: ପାନାମା ପାଇଁ ପ୍ରଥମ ଫିଫା ବିଶ୍ୱକପ୍‌ ପଦାର୍ପଣ ଫିକା ରହିଲା। ସୋମବାର ୟୁରୋପୀୟ ଦେଶ ବେଲ୍‌ଜିୟମ୍‌ ୩-୦ ଗୋଲ୍‌ରେ ଏହି କେନ୍ଦ୍ରୀୟ ଆମେରିକା ଦଳକୁ ହରାଇ ଚମତ୍କାର ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍‌ ‘ଜି’ର ଏହି ଉଦ୍‌ଘାଟନୀ ମ୍ୟାଚ୍‌ରେ କିନ୍ତୁ ଏକାଧିକ ସଂଘର୍ଷପୂର୍ଣ୍ଣ ମୁହୂର୍ତ କାରଣରୁ ରେଫରିଙ୍କୁ ଅଧା ଡ଼ଜନରୁ ଉର୍ଧ୍ୱ (୮) ହଳଦିଆ କାର୍ଡ ଦେଖାଇବାକୁ ପଡ଼ିବା ଉଲ୍ଲେଖନୀୟ ଥିଲା।
ସୋଚିର ସୁନ୍ଦର ଷ୍ଟାଡିୟମ୍‌ରେ ଲାଲ୍‌ ଜର୍ସିରେ ଖେଳିଥିବା ବେଲ୍‌ଜିୟମ ୩ଟି ସୁନ୍ଦର ଗୋଲ୍‌ ଦେଇଥିଲା। ପ୍ରଥମାର୍ଧ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧରେ କ୍ଲାନ୍ତ ପାନାମାକୁ ପାଣି ପିଆଇ ଦେଇଥିଲା ବେଲ୍‌ଜିୟମ୍‌। ଦ୍ୱିତୀୟାର୍ଧ ପ୍ରାରମ୍ଭରୁ ଅର୍ଥାତ୍‌ ମ୍ୟାଚ୍‌ର ୪୭ତମ ମିନିଟ୍‌ରେ ସମ୍ଭବତଃ ଚଳିତ ବିଶ୍ୱକପ୍‌ର ସବୁଠାରୁ ଆକର୍ଷଣୀୟ ଗୋଲ୍‌ ଦେଖିଥିଲେ ଦର୍ଶକ। ଡ୍ରାଏସ୍‌ ମେର୍ଟନ୍‌ସଙ୍କ ଗଭୀର ଭଲି ଗୋଲ୍‌ ରକ୍ଷକ ଜାଇମ୍‌ ପେନେଦୋଙ୍କୁ କୌଣସି ସୁଯୋଗ ଦେଇନଥିଲା। ଷଷ୍ଠ ବେଲ୍‌ଜିୟମ୍‌ ଖେଳାଳି ଭାବେ ଅନ୍ୟୁନ ୨ଟି ବିଶ୍ୱକପ୍‌ରେ ଗୋଲ୍‌ ଦେଲେ ମେର୍ଟନ୍‌ସ। ସେ ୨୦୧୪ରେ ମଧ୍ୟ ଗୋଲ୍‌ ଦେଇଥିଲେ। ପୂର୍ବରୁ ଏରଓ୍ଵିନ୍‌ ଭଣ୍ଡନବର୍ଗ (୧୯୮୨ ଓ ୧୯୮୬), ଜାନ୍‌ ସିଉଲିମେନ୍‌ (୧୯୮୬, ୧୯୯୦), ଏଞ୍ଜୋ ସିଫୋ (୧୯୮୬ ଓ ୧୯୯୪) ଏବଂ ମାର୍କ ଓ୍ଵିଲ୍‌ମଟ୍‌ସ (୧୯୯୮ ଓ ୨୦୦୨) ଦୁଇଟି ଲେଖାଏଁ ବିଶ୍ୱକପ୍‌ରେ ବେଲଜିୟମ୍‌ ପାଇଁ ଗୋଲ୍‌ ଦେଇଥିଲେ। ସୋମବାର ମେର୍ଟନ୍‌ସଙ୍କ ଗୋଲ୍‌ ପରେ ପାନାମା ବଲ୍‌ ନିୟନ୍ତ୍ରଣରେ ବିଫଳ ହୋଇଥିଲା। ୬୯ତମ ମିନିଟ୍‌ରେ ଭାର୍‌ ଜରିଆରେ ଏକ ଅଫ୍‌ ସାଇଡ୍‌ ନାକଚ ହୋଇଯିବା ପରେ ଅଧିନାୟକ ଇଡେନ୍‌ ହାଜାର୍ଡଙ୍କ ପାସ୍‌ରୁ କେଭିନ୍‌ ଡି ବ୍ରୁଇନ୍‌ ଖେଳିଥିବା କ୍ରସ୍‌କୁ ତାରକା ରୋମେଲୁ ଲୁକାକୁ ଗୋଲ୍‌ରେ ପରିଣତ କରି ଦେଇଥିଲେ। ୬ ମିନିଟ୍‌ ପରେ ଏହି ମାଞ୍ଚେଷ୍ଟର୍‌ ୟୁନାଇଟେଡ୍‌ ତାରକା ଆଉ ଏକ ଗୋଲ୍‌ ଦେଇ ବ୍ୟକ୍ତିଗତ ଶ୍ରେଷ୍ଠତ୍ୱ ଅର୍ଜନ କରିଥିଲେ। ଇଡେନ୍‌ ହାଜାର୍ଡଙ୍କଠାରୁ ଗୋଲ୍‌ ଆଗରେ ପାଇଥିବା ବଲ୍‌କୁ ଲୁକାକୁ ଏଥର ଗୋଲ୍‌ରେ ପରିଣତ କରିଥିଲେ। ଚମତ୍କାର ଫିନିସିଂ ସହିତ ଲୁକାକୁ ମଧ୍ୟ ପ୍ରଶଂସକଙ୍କ ହୃଦୟ ଜିତି ନେଇଥିଲେ। ଏହା ପରେ କେବଳ ମ୍ୟାଚ୍‌ ଶେଷ ହେବା ଔପଚାରିକତା ହୋଇଥିଲା। ସମ୍ପୂର୍ଣ୍ଣ ୩ ପଏଣ୍ଟ୍‌ ହାତେଇ ବେଲ୍‌ଜିୟମ୍‌ ମଧ୍ୟ ଗ୍ରୁପ୍‌ ‘ଜି’ର ଶୀର୍ଷରୁ ଅଭିଯାନ ଆରମ୍ଭ କରିନେଲା।
ଦକ୍ଷିଣ କୋରିଆ ଦଳର ଦୋଷ ଦୁର୍ବଳତା ଜାଣିବା ପାଇଁ ସ୍ୱିଡେନ୍‌ ପ୍ରଶିକ୍ଷକ ଜେନ୍‌ ଆଣ୍ଡରସନ୍‌ ଗୁପ୍ତଚର ନିଯୁକ୍ତ କରିବା ଖବର ସଂପ୍ରତି ବିଶ୍ୱକପ୍‌ର ପ୍ରମୁଖ ଚର୍ଚାର ବିଷୟ ହୋଇଛି। ଆଣ୍ଡରସନଙ୍କୁ ଏଥିଲାଗି ସର୍ବସାଧାରଣରେ କ୍ଷମା ମାଗିବାକୁ ପଡ଼ିଛି। ମଜାଦାର କଥା ହେଲା ଦକ୍ଷିଣ କୋରିଆ ଦଳର ଖେଳକୁ ପରଖିବା ଲାଗି ଆଣ୍ଡରସନ ନିଜ ସହଯୋଗୀଙ୍କୁ ସୁଦୂର ଅଷ୍ଟ୍ରିଆ ପଠାଇଥିଲେ। କାରଣ ଦକ୍ଷିଣ କୋରିଆ ଦଳ ସେଠାରେ ହିଁ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି କରୁଥିଲା। ସେପଟେ ଦକ୍ଷିଣ କୋରିଆ ପ୍ରଶିକ୍ଷକ ସିନ୍‌ ତାଏ ୟଙ୍ଗ ଏଭଳି କିଛି ଘଟଣା ଘଟୁଥିବାର ଆଶଙ୍କା କରି ବିଶ୍ୱକପ୍‌ ପୂର୍ବରୁ ଖେଳିଥିବା ଅଭ୍ୟାସ ମ୍ୟାଚ୍‌ ଗୁଡ଼ିକରେ ନିଜ ଖେଳାଳିଙ୍କ ଜର୍ସି ନମ୍ବର ବଦଳାଇ ଦେଇଥିଲେ। ତେବେ ଏସବୁ ସତ୍ତ୍ୱେ ସୋମବାର ତାଙ୍କ ଦଳ ନିଜ ପ୍ରଥମ ମ୍ୟାଚ୍‌ରେ ସ୍ୱିଡେନ୍‌ଠାରୁ ହାରି ଯାଇଛି। ସ୍ୱିଡେନ୍‌ ଏବଂ ଦକ୍ଷିଣ କୋରିଆ ପ୍ରଶିକ୍ଷକଙ୍କ ଏଭଳି କାମ କିନ୍ତୁ ଫୁଟବଲ୍‌ ପ୍ରେମୀଙ୍କୁ ବିସ୍ମିତ କରିଛି।

ସମ୍ବନ୍ଧିତ ଖବର