ଭାରତୀୟଙ୍କ ଶ୍ରେଷ୍ଠ ୫ ଇଂଲିସ୍‌ ପାଳି

ଭାରତ-ଇଂଲଣ୍ଡ ଟେଷ୍ଟ୍‌ ଶୃଙ୍ଖଳା

ନୂଆଦିଲ୍ଲୀ: ଇଂଲଣ୍ଡରେ ଭାରତୀୟ କ୍ରିକେଟ୍‌ ଦଳର ପ୍ରଦର୍ଶନ ସେତେଟା ଭଲ ନାହିଁ। ଗତ ୮୬ ବର୍ଷ ମଧ୍ୟରେ ଇଂଲଣ୍ଡରେ ଭାରତ ମାତ୍ର ୬ ଟେଷ୍ଟ୍‌ ଜିତିଛି। ହେଲେ ସେଠାରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ତୁଳନାତ୍ମକ ଭାବେ ବେଶ୍‌ ଭଲ ରହିଛି। ୧୯୮୬ରେ ଦିଲିପ ଭେଙ୍ଗସରକାରଙ୍କ ମ୍ୟାଚ୍‌ ବିଜୟୀ ପାଳିଠାରୁ ଆରମ୍ଭ କରି ୧୯୯୦ରେ ୧୭ ବର୍ଷ ବୟସରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଚିତ୍ତାକର୍ଷକ ଶତକ ପର୍ଯ୍ୟନ୍ତ, ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଇଂଲିସ୍‌ ମାଟିରେ ଏକାଧିକ ସ୍ମରଣୀୟ ପାଳି ଖେଳିଛନ୍ତି। ଅଗଷ୍ଟ ପହିଲାରୁ ଆରମ୍ଭ ହେବାକୁ ଥିବା ଚଳିତ ବର୍ଷର ପାଞ୍ଚ ଟିକିଆ ଶୃଙ୍ଖଳା ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଇଂଲଣ୍ଡରେ ଖେଳିଥିବା ପାଞ୍ଚଟି ଶ୍ରେଷ୍ଠ ପାଳି ଉପରେ ଆସନ୍ତୁ ନଜର ପକାଇବା।

ସୁନୀଲ ଗାଭାସ୍କର ( ଦି ଓଭାଲ, ୧୯୭୯)

ଶକ୍ତିଶାଳୀ ବୋଲିଂ ବାହିନୀ ଥିବା ଇଂଲଣ୍ଡ ୪୩୮ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଭାରତ ବିନା ଲଢ଼େଇରେ ଆତ୍ମସମର୍ପଣ କରିଦେବ ବୋଲି ଆଶା କରାଯାଉଥିଲା। ହେଲେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର (୨୨୧) ଓ ଚେତନ ଚୌହ୍ଵାନ ପ୍ରଥମ ଓ୍ଵିକେଟ୍‌ରେ ୨୧୩ ରନ୍‌ ସଂଗ୍ରହ କରି ଇଂଲଣ୍ଡକୁ ଚକିତ କରି ଦେଇଥିଲେ। ଦିଲିପ ଭେଙ୍ଗସରକାର (୧୫୩) ମଧ୍ୟ ଲଢ଼ୁଆ ପାଳି ଖେଳିଥିଲେ। ଗାଭାସ୍କର ଶେଷରେ ୨୧ ଚୌକା ସହ ୨୨୧ ରନ୍‌ରେ ଆଉଟ୍‌ ହୋଇଥିଲେ। ଭାରତ ବିଜୟ ଲକ୍ଷ୍ୟଠାରୁ ଅଳ୍ପ ଦୂରରେ ଅଟକି ଯାଇଥିଲା। ଗାଭାସ୍କରଙ୍କ ଦମଦାର ପାଳି କିନ୍ତୁ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହି ଯାଇଥିଲା।

ଦିଲିପ ଭେଙ୍ଗସରକାର (ହେଡିଂଲେ, ୧୯୮୬)
ଐତିହାସିକ ଲର୍ଡସ ପଡ଼ିଆରେ ଖେଳିଥିବା ଲଗାତାର ତିନିଟି ଟେଷ୍ଟ୍‌ରେ ଶତକ ଅର୍ଜନ କରିବାର ନିଆରା କୀର୍ତ୍ତିମାନ ଦିଲିପ ଭେଙ୍ଗସରକାରଙ୍କ ନାଁରେ ରହିଛି। ଇଂଲଣ୍ଡରେ ଭେଙ୍ଗସରକାର ଖେଳିଥିବା ଆହୁରି ଅନେକ ପାଳି ବି ଉଚ୍ଚ ପ୍ରଶଂସିତ ହୋଇଛି। ତେବେ ୧୯୮୬ରେ ହେଡିଂଲେ ପଡ଼ିଆରେ ସେ ଖେଳିଥିବା ପାଳି ସବୁ ଦୃଷ୍ଟିରୁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ ଥିଲା। ସେହି ଟେଷ୍ଟ୍‌ର ପ୍ରଥମ ପାଳିରେ ଭେଙ୍ଗସରକାର ୬୧ ରନ୍‌ କରିବା ସହ ଭାରତ ପାଳି ୨୭୨ ରନ୍‌ରେ ଶେଷ ହୋଇଥିଲା। ଏହାର ଜବାବରେ ଇଂଲଣ୍ଡ ମାତ୍ର ୧୦୨ ରନ୍‌ କରି ପାରିଥିଲା। ଦ୍ୱିତୀୟ ପାଳିରେ ଭାରତ ୩୫ ରନ୍‌ରେ ୪ ଓ୍ଵିକେଟ୍‌ ହରାଇବା ପରେ ଇଂଲଣ୍ଡ ସମ୍ମୁଖରେ ଏକ ସମ୍ମାନଜନକ ବିଜୟ ଲକ୍ଷ୍ୟ ଦେବାର ଦାୟିତ୍ୱ ଭେଙ୍ଗସରକାରଙ୍କ ଉପରେ ପଡ଼ିଥିଲା। ସେ ମଧ୍ୟ ଆଦୌ ନିରାଶ କରି ନଥିଲେ। ୧୦୨ ରନ୍‌ର ସ୍ମରଣୀୟ ପାଳି ଖେଳିବା ସହ ଭାରତୀୟ ବୋଲର ଦ୍ୱିତୀୟ ପାଳିରେ ଇଂଲଣ୍ଡକୁ ୧୨୮ ରନ୍‌ରେ ଅଲଆଉଟ୍‌ କରିଦେଇଥିଲେ। ଭାରତ ସେହି ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଥିଲା। ଭେଙ୍ଗସରକାର ଇଂଲଣ୍ଡ ବିପକ୍ଷରେ ପ୍ରଭାବଶାଳୀ ପ୍ରଦର୍ଶନ କରି ୨୩ ପାଳିରୁ ମୋଟ ୯୬୦ ରନ୍‌ କରିଛନ୍ତି।

ସଚିନ ତେନ୍ଦୁଲକର (ଓଲ୍ଡଟ୍ରାଫର୍ଡ, ୧୯୯୦)
୧୯୯୦ ଗସ୍ତରେ ମାତ୍ର ୧୭ ବର୍ଷ ବୟସରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଟେଷ୍ଟ୍‌ ଶତକ ଅର୍ଜନ କରିଥିଲେ ଏବଂ ବିଶ୍ୱ କ୍ରିକେଟ୍‌ ଜଣେ ମହାନ ତାରକାଙ୍କୁ ପାଇଥିଲା। ୧୯୯୦ ଓଲ୍ଡଟ୍ରାଫୋର୍ଡ ଟେଷ୍ଟ୍‌ର ପ୍ରଥମ ପାଳିରେ ସଚିନ ୬୮ ରନ୍‌ କରିଥିଲେ। ୪୦୮ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିବାରୁ ଦ୍ୱିତୀୟ ପାଳିରେ ତାଙ୍କ ବ୍ୟାଟ୍‌ରୁୁ ଭାରତ ଏକ ବଡ଼ ପାଳି ଆଶାରେ ଥିଲା। ସଚିନ ବି ନିରାଶ କରି ନଥିଲେ। ସଚିନ ଏକାକି ୧୧୯ ରନ୍‌ର ଲଢ଼ୁଆ ପାଳି ଖେଳି ମ୍ୟାଚ୍‌ ବଞ୍ଚାଇ ନେଇଥିଲେ। ଭାଷ୍ୟକାର ବକ୍ସରେ ଥିବା ଇଂଲଣ୍ଡର ମହାନ କ୍ରିକେଟର ଡେଭିଡ୍‌ ଲୟଡ୍‌ ସଚିନଙ୍କୁ ତାଙ୍କ ପ୍ରଦର୍ଶନ ପାଇଁ ପ୍ରଥମ ‘ବୟ ଅଫ୍‌ ଦ ମ୍ୟାଚ୍‌’ ପୁରସ୍କାର ମିଳିବା ଉଚିତ ବୋଲି କହି ସମସ୍ତଙ୍କ ମନୋରଞ୍ଜନ କରିଥିଲେ।

ସୌରଭ ଗାଙ୍ଗୁଲି (ଲର୍ଡସ, ୧୯୯୬)


ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଅପମାନିତ କରିବା ଅଭିଯୋଗ ଆଣି ୧୯୯୬ ଗସ୍ତର ଲର୍ଡସ ଟେଷ୍ଟ୍‌ରୁ ନଭଜ୍ୟୋତ ସିଂହ ସିଦ୍ଧୁ ଓହରି ଯାଇଥିଲେ। ସେଥିପାଇଁ ସୌରଭଙ୍କୁ ଜୀବନର ପ୍ରଥମ ଟେଷ୍ଟ୍‌ ଖେଳିବାର ସୁଯୋଗ ମିଳିଥିଲା। ସେ ମଧ୍ୟ ଏହି ଐତିହାସିକ ସୁଯୋଗକୁ ବେକାର ଯିବାକୁ ଦେଇ ନଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଆରମ୍ଭରୁ ହିଁ ସେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଥିଲେ। ସାଥୀ ଖେଳାଳି ରାହୁଲ ଦ୍ରାବିଡ଼ଙ୍କ ସହ ମିଶି ସୌରଭ ଭାରତ ପାଳିକୁ ୪୨୯ ରନ୍‌ରେ ପହଞ୍ଚାଇ ଦେଇଥିଲେ। ପଦାର୍ପଣରେ ୨୦ ଚୌକା ସହ ୧୩୧ ରନ୍‌ର ପାଳି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ନିଜ ଆର୍ବିଭାବକୁ ଜାହିର କରିଥିଲେ।

ରାହୁଲ ଦ୍ରାବିଡ଼ (ହେଡିଂଲେ, ୨୦୦୨)
‘ଦି ଓ୍ଵାଲ’ ରାହୁଲ ଦ୍ରାବିଡଙ୍କ ପାଇଁ ୨୦୦୨ ଇଂଲଣ୍ଡ ଗସ୍ତ ଏକ ମାଇଲଖୁଣ୍ଟ ଥିଲା। ଚାରିଟି ମ୍ୟାଚ୍‌ରୁ ତିନିଟି ଶତକ ଅର୍ଜନ କରି ସେ ଭାରତୀୟ କ୍ରିକେଟ୍‌ର ନୂଆ ନାୟକ ଭାବେ ଉଭା ହୋଇଥିଲେ। ହେଡିଂଲେରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ୍‌ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ ସଅଳ ଆଉଟ୍‌ ହୋଇ ଯାଇଥିଲେ। ଫଳରେ ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ଦ୍ରାବିଡ଼ ଆଗୁଆ ବ୍ୟାଟିଂ କରିବାକୁ ଆସିବାକୁ ବାଧ୍ୟ ହୋଇଥିଲେ। ଅସୀମ ଧୈର୍ଯ୍ୟର ପରିଚୟ ଦେଇ ସେ ଦୀର୍ଘ ୪୨୯ ମିନିଟ୍‌ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ। ୨୩ ଚୌକା ମାରି ୧୪୮ ରନ୍‌ କରିଥିଲେ। ସେହି ମ୍ୟାଚ୍‌ରେ ସଚିନ ତେନ୍ଦୁଲକର ୧୯୩ ରନ୍‌ର ପାଳି ଖେଳିବା ସତ୍ତ୍ୱେ ଦ୍ରାବିଡ଼ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଭାରତ ସେହି ମ୍ୟାଚ୍‌କୁ ପାଳି ଓ ୧୪୬ ରନ୍‌ରେ ଜିତିବା ସହ ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ ରଖିଥିଲା।

ସମ୍ବନ୍ଧିତ ଖବର