Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ମହିଳା କ୍ରିକେଟ୍‌ ନୂଆ ମୋଡ଼ ନେଇଛି

0 260

ତିରୁବନନ୍ତପୁରମ, (ଦେବାଶିଷ ସୁନ୍ଦରାୟ): ସତୁରି ଦଶକରେ ଭାରତରେ ଯେତେବେଳେ ମହିଳା କ୍ରିକେଟ୍‌ ଅଜଣା ଅଶୁଣା ଥିଲା। ମହାରାଷ୍ଟ୍ରର କୁନି ଝିଅଟିଏ ସେତେବେଳେ ଏହା ପ୍ରେମରେ ପଡ଼ି ଯାଇଥିଲା। ପୁନେରେ ପାଠ ପଢ଼ୁଥିଲା ବେଳେ କ୍ରୀଡ଼ା ଶିକ୍ଷୟତ୍ରୀଙ୍କ ପ୍ରେରଣା ଓ ଉତ୍ସାହରେ ହକି ଷ୍ଟିକ୍ସ ଛାଡ଼ି ବ୍ୟାଟ୍‌ ଧରିବା ଆରମ୍ଭ କରିଥିଲା। ମାତ୍ର କିଛି ମାସ ଭିତରେ ହିଁ କ୍ରିକେଟ୍‌ ତାର ନିଶା ପାଲଟି ଯାଇଥିଲା। ନାନା ପ୍ରତିବନ୍ଧକ ଏବଂ ଆର୍ଥିକ ସମସ୍ୟା ସତ୍ତ୍ୱେ ଭାରତ ପକ୍ଷରୁ ଖେଳିବା ସହ ଭାରତୀୟ ମହିଳା ଦଳର ଅଧିନାୟିକା ହେବାର ଗୌରବ ମଧ୍ୟ ହାସଲ କରିଥିଲା ସେ। ଅବସର ପରେ ଭାରତୀୟ ମହିଳା କ୍ରିକେଟ୍‌ର ପରିଚାଳନା ଭାର ନିଜ ହାତକୁ ନେବା ସହ ଏହାର ଲୋକପ୍ରିୟତା ବଢ଼ାଇବାରେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲା। ସଂପ୍ରତି ଆଇସିିସି ମହିଳା କ୍ରିକେଟ୍‌ ସମିତିର ସଦସ୍ୟ ଥିବା ଭାରତୀୟ ମହିଳା କ୍ରିକେଟ୍‌ର ଏହି ଅର୍ଜୁନ ପୁରସ୍କାର ବିଜୟିନୀ ମହାନାୟିକା ହେଉଛନ୍ତି ଶୁଭାଙ୍ଗୀ କୁଲକର୍ଣ୍ଣି। ଭାରତୀୟ କ୍ରୀଡ଼ା ସାମ୍ବାଦିକ ମହାସଂଘର ୪୦ତମ ଜାତୀୟ ସମ୍ମିଳନୀରେ ଯୋଗଦେବା ଲାଗି ଏଠାକୁ ଆସିଥିଲା ବେଳେ ଭାରତୀୟ ମହିଳା କ୍ରିକେଟର ସାଂପ୍ରତିକ ସ୍ଥିତି, ଭବିଷ୍ୟତ ଏବଂ ଅତୀତକୁ ନେଇ ଅନେକ ରୋଚକ ମତ ରଖିଥିଲେ।
ସମ୍ବାଦ: ବିଦ୍ୟାଳୟ ସ୍ତରରେ ଆପଣ ଜଣେ ଭଲ ହକି ଖେଳାଳି ଥିଲେ। କେଉଁ ପରିସ୍ଥିତିରେ କ୍ରିକେଟ୍‌ ଖେଳିବା ଆରମ୍ଭ କଲେ?
ଶୁଭାଙ୍ଗୀ: ପୁନେରେ ପାଠ ପଢ଼ୁଥିଲା ବେଳେ ମୁଁ କ୍ରିକେଟ୍‌ ସଂସ୍ପର୍ଶରେ ଆସିଥିଲି। ସେତେବେଳେ ମହିଳା କ୍ରିକେଟ୍‌ ବୋଲି କିଛି ନଥିଲା। ସେଥିପାଇଁ ମୁଁ ପ୍ରଥମେ ପ୍ରଥମେ ପୁରୁଷ ଖେଳାଳିଙ୍କ ସହ ମିଶି କ୍ରିକେଟ୍‌ ଖେଳୁଥିଲି। ହକିରେ ବେଶ୍‌ ଭଲ ଦକ୍ଷତା ଥିଲା। ଏଣୁ ଆମ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ଯେତେବେଳେ କ୍ରିକେଟ୍‌ ଖେଳିବା ପାଇଁ କହିଲେ ବ୍ୟାଟ୍‌ ଏବଂ ବଲ୍‌ ଧରିବାରେ ମୋତେ ସେମିତି କିଛି ଅସୁବିଧା ହୋଇ ନଥିଲା। ଟଙ୍କା ପଇସା କିଛି ନଥିଲା। ହେଲେ କ୍ରିକେଟ୍‌ ଖେଳିବାର ନିଶା ଥିଲା। ଟେନିସ୍‌ ବଲ୍‌ରେ କ୍ରିକେଟ୍‌ ଖେଳି ବିଭିନ୍ନ ସଟ୍‌ ଖେଳିବାର କୌଶଳକୁ କରାୟତ କରିଥିଲି। ପରେ ଲେଗ୍‌ ସ୍ପିନ୍‌ ଶିଖିବା ଆରମ୍ଭ କରିଥିଲି। ମହାରାଷ୍ଟ୍ରରୁ ଘରୋଇ କ୍ରିକେଟ୍‌ ଖେଳିବା ପରେ ଯାଇ ମୁଁ ଏହାକୁ ପେସା କରିବାର ନିଷ୍ପତ୍ତି ନେଇଥିଲି।
ସମ୍ବାଦ: ଅନ୍ତର୍ଜାତୀୟ ଆଗମନର ଅନୁଭୂତି କିଭଳି ଥିଲା?
ଶୁଭାଙ୍ଗୀ: ଭାରତ-େଓ୍ଵଷ୍ଟଇଣ୍ଡିଜ୍‌ ପ୍ରଥମ ଦ୍ୱିପାକ୍ଷିକ ଟେଷ୍ଟ୍‍ ଶୃଙ୍ଖଳା ୧୯୭୬ ମସିହାରେ ଖେଳା ଯାଇଥିଲା। ଶାନ୍ତା ରଙ୍ଗସ୍ୱାମୀ ଆମ ଅଧିନାୟିକା ଥିଲେ। ଆମେ ସମସ୍ତେ ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟ୍‌ରେ ନୂଆ ଥିବାରୁ ବେଶ୍‌ ଉତ୍ସାହିତ ଥିଲୁ। ପ୍ରଥମ ପାଳିରେ ୫ ଓ୍ଵିକେଟ୍‌ ସଫଳତା ପାଇବା ବ୍ୟକ୍ତିଗତ ଭାବେ ମୋ ଖୁସିକୁ ଦ୍ୱିଗୁଣିତ କରି ଦେଇଥିଲା। ସେତେବେଳେ େଓ୍ଵଷ୍ଟଇଣ୍ଡିଜ୍‌ ପୁରୁଷ ଦଳ ବିଶ୍ୱ କ୍ରିକେଟ୍‌ର ସର୍ବାଧିକ ଲୋକପ୍ରିୟ ଦଳ ଥିଲା। ଏହି ଦେଶର ମହିଳା ଦଳ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ମୋ ପାଇଁ ଗର୍ବ ଏବଂ ଗୌରବର ବିଷୟ ଥିଲା।
ସମ୍ବାଦ: ବିସିସିଆଇ ହାତକୁ ପରିଚାଳନା ଭାର ଗଲା ପରେ ଭାରତୀୟ ମହିଳା କ୍ରିକେଟ୍‌କୁ ଏଥିରୁ କିଛି ଫାଇଦା ମିଳିଛି ବୋଲି ଭାବୁଛନ୍ତି କି?
ଶୁଭାଙ୍ଗୀ: ହଁ ନିଶ୍ଚିତ ମିଳିଛି। ଆହୁରି ଅନେକ କିଛି କରିବାର ଅଛି। ସବୁଠାରୁ ବଡ଼ କଥା ହେଲା ମହିଳା ଖେଳାଳିଙ୍କୁ ଏବେ ଆର୍ଥିକ ସ୍ଥିରତା ମିଳିଛି। ବିସିସିଆଇ ସେମାନଙ୍କୁ ଦୁଇବର୍ଷ ତଳେ କେନ୍ଦ୍ରୀୟ ଚୁକ୍ତି ପ୍ରଦାନ କରିଛି। ପୁରୁଷଙ୍କ ଭଳି ମହିଳା ଖେଳାଳିଙ୍କୁ ବି ବିଭିନ୍ନ କଂପାନି ସେମାନଙ୍କ ଦୂତ ନିଯୁକ୍ତ କରିବା ଆରମ୍ଭ କଲେଣି। ହେଲେ ଭାରତରେ ମହିଳା କ୍ରିକେଟ୍‌କୁ ଆହୁରି ଲୋକପ୍ରିୟ କରାଇବା ଲାଗି ଆମକୁ ତୃଣମୂଳ ସ୍ତରରୁ କାମ କରିବାକୁ ପଡ଼ିବ। ଝିଅ ପିଲାଙ୍କୁ ପ୍ରଥମେ ସଫ୍ଟବଲ୍‌ ଭଳି ଖେଳରେ ଖେଳାଇ ତା’ ପରେ କ୍ରିକେଟ୍‌କୁ ଆଣିବାକୁ ପଡ଼ିବ। ସେହିଭଳି ବିଭିନ୍ନ ବୟସ ବର୍ଗ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ କରିବାକୁ ପଡ଼ିବ। ବିଦ୍ୟାଳୟ ସ୍ତରରୁ ହିଁ ଆମକୁ ମହିଳା କ୍ରିକେଟ୍‌ ଖେଳର ପ୍ରଚାର ପ୍ରସାର କରିବାକୁ ହେବ। ତଥାପି ଗତ କିଛି ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଭଳି ଦଳ ଓ ଆମ ଭିତରେ ଥିବା ବ୍ୟବଧାନ କମିଥିବାରୁ ମୁଁ ବହୁତ ଖୁସି।
ସମ୍ବାଦ: ଇଂଲଣ୍ଡରେ ଚଳିତ ବର୍ଷ ମହିଳା ବିଶ୍ୱକପରେ ଭାରତ ଉପ ବିଜେତା ହେବା ମହିଳା କ୍ରିକେଟ୍‌କୁ ନୂଆ ମୋଡ଼ ଦେଇଛି କି?
ଶୁଭାଙ୍ଗୀ: ମିତାଲି ରାଜଙ୍କ ଦଳ ବିଶ୍ୱକପ୍‌ର ଫାଇନାଲ୍‌କୁ ଯିବା ପରେ ଭାରତୀୟ ମହିଳା କ୍ରିକେଟ୍‌ରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଭାବୁଛି। ଆଗରୁ ଝିଅ ମାନଙ୍କୁ କ୍ରିକେଟ୍‌କୁ ଛାଡ଼ିବାକୁ ଅବିଭାବକମାନେ ରାଜି ହେଉ ନଥିଲେ। କାରଣ ଆମ ସାମାଜିକ ଚଳଣି ଏବଂ ପରମ୍ପରା ଏହି କ୍ଷେତ୍ରରେ ବାଧକ ସାଜୁଥିଲା। ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି। ଅବିଭାବକମାନେ ନିଜ ଆଡ଼ୁ ପିଲାଙ୍କୁ ମହିଳା କ୍ରିକେଟ୍‌ ଖେଳିବାକୁ ଉତ୍ସାହିତ କରୁଛନ୍ତି। ସବୁଠାରୁ ବଡ଼ କଥା ହେଲା ଏବେ ଆମ ଖେଳାଳିଙ୍କ ସଫଳତା ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁଛି। ଗଣମାଧ୍ୟମ ମଧ୍ୟ ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ସାମାଜିକ ଗଣମାଧ୍ୟମରେ ଖେଳାଳିମାନେ ପ୍ରଶଂସକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ପାରୁଛନ୍ତି। ଟେଲିଭିଜନ ଚ୍ୟାନେଲରେ ଭାରତୀୟ ଦଳର ମ୍ୟାଚ୍‌ ପ୍ରସାରିତ ହେଉଛି। ଆମ ବେଳେ ଏସବୁ ନଥିଲା। ୨୦୦୫ରେ ଭରତୀୟ ମହିଳା ଦଳ ପ୍ରଥମ ଥର ବିଶ୍ୱକପର ଫାଇନାଲ୍‌ ଯାଇଥିଲା। ହେଲେ ଏହାର ଏତେ ପ୍ରଚାର ପ୍ରସାର ହୋଇ ପାରି ନଥିଲା। ସେତେବେଳେ ଦକ୍ଷିଣ ଆଫ୍ରିକାରେ ଆମ ଖେଳାଳିମାନେ ଅଣ ବାତାନୁକୂଳ ଗୃହରେ ରହି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଯେତିକି ସମ୍ମାନ ଓ ଭଲ ପାଇବା ମିଳିବା କଥା ସେତିକି ପାଇ ନଥିଲେ। ଏବେ ସ୍ଥିତି ବଦଳି ଯାଇଛି । ମୋ ମତରେ ବିଶ୍ୱରେ ମହିଳା କ୍ରିକେଟ୍‌କୁ ଅଧିକ ଲୋକପ୍ରିୟ କରାଇବାକୁ ହେଲେ ଭାରତକୁ ଭଲ କରିବାକୁ ପଡ଼ିବ।
ସମ୍ବାଦ: ଏବେ ମିତାଲିଙ୍କୁ ବିରାଟ କୋହଲି ଏବଂ ହରମନପ୍ରୀତଙ୍କୁ ବୀରେନ୍ଦ୍ର ସେହବାଗଙ୍କ ସହ ତୁଳନା କରାଯାଉଛି। ଏହି ବିଷୟରେ ଆପଣଙ୍କ ମତ କ’ଣ?
ଶୁଭାଙ୍ଗୀ: ଏମିତି ଅମୂଳକ ତୁଳନା କରିବାର କୌଣସି ମୂଲ୍ୟ ନାହିଁ। ପୁରୁଷ କ୍ରିକେଟ୍‌ର ପ୍ରତିଦ୍ୱନ୍ଦ୍ୱିତାର ସ୍ତର ମହିଳାଙ୍କଠାରୁ ଢେର ଅଧିକ। କୋହଲି ଏବଂ ସେହବାଗ ଭାରତୀୟ କ୍ରିକେଟର ଦୁଇ ମହାନ ତାରକା। ଏମାନଙ୍କ ସହ କୌଣସି ମହିଳା କ୍ରିକେଟରଙ୍କୁ ତୁଳନା କରାଯାଇ ନପାରେ।
ସମ୍ବାଦ: ମହିଳା କ୍ରିକେଟରଙ୍କୁ ଅଧିକ ମ୍ୟାଚ୍‌ ମିଳୁନି। ହାତଗଣତି କିଛି ପ୍ରତିଯୋଗିତା ଖେଳୁଛନ୍ତି। ଫଳରେ ସେମାନଙ୍କ ଅଭିଜ୍ଞତା ଏବଂ କ୍ରିକେଟର ସ୍ତର ବଢ଼ୁ ନାହିଁ।
ଶୁଭାଙ୍ଗୀ: ହଁ ଏମିତି କିଛି ସମସ୍ୟା ଅଛି। ଦେଖନ୍ତୁ ଆଇସିସି ଏବେ ଆଉ ମହିଳା ଟେଷ୍ଟ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରୁନାହିଁ। କେବଳ ଦିନିକିଆ ଏବଂ ଟେ୍ଵଣ୍ଟି-୨୦ ଆୟୋଜନ ଉପରେ ଧ୍ୟାନ ଦେଉଛି। କାରଣ ସେମାନେ ଜାଣି ସାରିଲେଣି ଯେ ମହିଳା କ୍ରିକେଟର ଭବିଷ୍ୟତ ହେଉଛି ଟେ୍ଵଣ୍ଟି-୨୦। ବିସିସିଆଇ ମଧ୍ୟ ସେହି ଅନୁସାରେ ଯୋଜନା କରୁଛି। ସେଥିପାଇଁ ମ୍ୟାଚ୍‌ କମିଗଲା ଭଳି ଲାଗୁଛି। ହେଲେ ଏହା ଏକ ବଡ଼ ସମସ୍ୟା ବୋଲି ମୁଁ ଭାବୁନାହିଁ। ବିସିସିଆଇ ଏବେ କେତେକ ନୂଆ ବୟସ ବର୍ଗରେ ଘରୋଇ ମହିଳା କ୍ରିକେଟ୍‌ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି। ଏହା ଦ୍ୱାରା ଆମ ଖେଳାଳି ଭଲ ଅଭ୍ୟାସ ପାଇବେ ବୋଲି ଭାବୁଛି। ଏହା ମଧ୍ୟ ତୃଣମୂଳ ସ୍ତରରୁ ମହିଳା କ୍ରିକେଟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ।
ସମ୍ବାଦ: ଝୁଲଣ ଗୋସ୍ୱାମୀ ଓ ମିତାଲି ରାଜଙ୍କ ଜୀବନୀକୁ ନେଇ ଖୁବଶୀଘ୍ର ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଏହା ମହିଳା କ୍ରିକେଟକୁ ଆହୁରି ଲୋକପ୍ରିୟ କରାଇବ ବୋଲି ଭାବୁଛନ୍ତି କି?
ଶୁଭାଙ୍ଗୀ: ଝୁଲଣ ପଶ୍ଚିମବଙ୍ଗର ଏକ ମଫସଲ ଗାଁରୁ ଆସିଛନ୍ତି। ମିତାଲି ବି ଦୀର୍ଘ ଦିନ ହେବ କ୍ରିକେଟ୍‌ ଖେଳୁଛନ୍ତି। ଉଭୟ ବହୁତ ପରିଶ୍ରମ କରି ଆଜିର ସ୍ଥିତିରେ ପହଞ୍ଚିଛନ୍ତି। ଏମାନଙ୍କ ସଂଘର୍ଷର କାହାଣୀ ବଡ଼ ପରଦାକୁ ଆସିଲେ ଆହୁରି ଅନେକ ପିଲା ମହିଳା କ୍ରିକେଟ୍‌କୁ ପେସା କରିବାକୁ ଅନୁପ୍ରେରିତ ହେବେ। ଏହା ଭାରତୀୟ ମହିଳା କ୍ରିକେଟ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ଭାବୁଛି।
ସମ୍ବାଦ: ଓଡ଼ିଶାରେ ମହିଳା କ୍ରିକେଟ୍‌ର ସ୍ଥିତିକୁ ନେଇ ଆପଣ କ’ଣ କହିବେ?
ଶୁଭାଙ୍ଗୀ: ଓଡ଼ିଶା ଜାତୀୟ ସ୍ତରରେ ଭଲ କରୁଛି। ମୁଁ ଭାବୁଛି ଓଡ଼ିଶାର ୫-୬ ଜଣ ପିଲା ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳି ସାରିଲେଣି। କିଛି ବର୍ଷ ତଳେ ସେମାନେ ଅଞ୍ଜୁ ଜୈନଙ୍କୁ ପ୍ରଶିକ୍ଷକ ନିଯୁକ୍ତ କରିଥିଲେ। ଯାହା ଏକ ବହୁତ ଭଲ ପଦକ୍ଷେପ ଥିଲା ବୋଲି ମୁଁ ଭାବୁଛି। ଅଧିକରୁ ଅଧିକ ମ୍ୟାଚ୍‌ ଖେଳିବା ସହ ଭଲ ପ୍ରଶିକ୍ଷକ ନିଯୁକ୍ତ କଲେ ଓଡ଼ିଶାରେ ମହିଳା କ୍ରିକେଟ ଆହୁରି ଆଗକୁ ବଢ଼ି ପାରିବ ବୋଲି ଭାବୁଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

ten + 12 =