ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲି: ୧୧ ବର୍ଷ, ୧୦ କୀର୍ତ୍ତିମାନ

ନୂଆଦିଲ୍ଲୀ: ରବିବାର (୧୮ ଅଗଷ୍ଟ) ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୧ ବର୍ଷ ପୂର୍ଣ୍ଣ କରିଛନ୍ତି। ଏହି ଦଶନ୍ଧି ମଧ୍ୟରେ କୋହଲି ଜଣେ ସ୍ବଳ୍ପ ବୟସ୍କ କ୍ରିକେଟ୍‌ ‌ଖେଳାଳିରୁ ବିଶ୍ବର ମହାନଙ୍କ ମଧ୍ୟରେ ନିଜକୁ ସାମିଲ କରି ନେଇଛନ୍ତି। ଏପରିକି ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ହେବା ଦିଗରେ ଅଗ୍ରସର ହୋଇଛନ୍ତି। ୨୦୦୮ ମସିହା ଅଗଷ୍ଟ ୧୮ ତାରିଖରେ ଡାମ୍ବୁଲାରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିବା ଏହି ଦିଲ୍ଲୀ ଯୁବକ କୀର୍ତ୍ତିମାନ ପରେ କୀର୍ତ୍ତିମାନ କରି ନେଇଛନ୍ତି। ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକଠାରୁ ୩୨ଟି ଦୂରରେ ରହିଛନ୍ତି। ଗୋଟିଏ ଦଶନ୍ଧି ଭିତରେ ୨୦,୦୦୦ ଅନ୍ତର୍ଜାତୀୟ ରନ୍‌ କରିବାରେ ବିଶ୍ବର ପ୍ରଥମ ‌ଖେଳାଳି। ଆସନ୍ତୁ କୋହଲିଙ୍କ ନାମରେ ଥିବା ୧୦ଟି ପ୍ରମୁଖ ବିଶ୍ବ କୀର୍ତ୍ତିମାନ ଉପରେ ନଜର ପକାଇନେବା।

୨୬: ମୋଟ ୪୩ ଦିନିକିଆ ଅନ୍ତର୍ଜାତୀୟ ଶତକ ହାସଲ କରିଥିବା କୋହଲି ପାଳି ପଶ୍ଚାତଧାବନ ବେଳେ ସର୍ବାଧିକ ୨୬ଟି ମାରି ସାରିଛନ୍ତି। ଏହି ୨୬ଟି ମଧ୍ୟରୁ ୨୨ଟି ଦଳର ବିଜୟରେ ଲାଗିଛି। ଯାହାକି ତାଙ୍କୁ ଶୀର୍ଷରେ ରଖିଛି। ସଚିନ ତେନ୍ଦୁଲକର (୧୭) ଏବଂ ରୋହିତ ଶର୍ମା (୧୩) ପଛକୁ ପଛ ରହିଛନ୍ତି।

୬: ଅଧିନାୟକ ଭାବେ ଟେଷ୍ଟ୍ କ୍ରିକେଟ୍‌ରେ ୬ଟି ଦ୍ବିଶତକ ହାସଲ କରିଛନ୍ତି କୋହଲି। ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କିମ୍ବଦନ୍ତୀ ବ୍ରାଏନ୍ ଲାରା (୫)ଙ୍କୁ କାଟିଥିଲେ। ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସାର୍ ଡନ୍ ବ୍ରାଡମ୍ୟାନ୍‌ (୪) ବି ପଛରେ ପଡ଼ିଯାଇଛନ୍ତି।

୭୨.୫୦%: ଏକଦିବସୀୟ ମୁକାବିଳାରେ ଜଣେ ଭାରତୀୟ ଅଧିନାୟକ ଭାବେ ସଫଳତମ ବିଜୟ ପ୍ରତିଶତ ବି କୋହଲିଙ୍କ ନାମରେ ରହିଛି। ଭାରତକୁ ୮୦ ଦିନିକିଆରେ ନେତୃତ୍ବ ଦେଇଥିବା କୋହଲି ୫୮ ବିଜୟ, ୧୯ ପରାଜୟ, ଗୋଟିଏ ଟାଇ, ୨ ନିଷ୍ଫଳ ଦେଇଛନ୍ତି।

୨୦,୦୧୮*: ଚଳିତ ଦଶନ୍ଧିରେ ୨୦,୦୧୮* ରନ୍‌ ସଂଗ୍ରହ କରି କୋହଲି ମଧ୍ୟ ଅନ୍ୟତମ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ (୧୮,୯୬୨)କୁ ପଛରେ ପକାଇ ଦେଇଛନ୍ତି।
୧୦ ବର୍ଷ ୬୭ ଦିନ: ୧୦,୦୦୦ ଦିନିକିଆ ରନ୍ ପୂର୍ଣ୍ଣ କରିବାକୁ କୋହଲି ନେଇଥିଲେ ୨୧୩ ମ୍ୟାଚ୍‌ ଏବଂ ୧୦ ବର୍ଷ ୬୭ ଦିନ। ଏ ‌କ୍ଷେତ୍ରରେ ସେ ସଚିନ ତେନ୍ଦୁଲକର (୧୧ ବର୍ଷ ୧୦୩ ଦିନ)ଙ୍କୁ ପଛରେ ପକାଇଥିଲେ।

୬: ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ସର୍ବାଧିକ ୬ ଦିନିକିଆ ଶତକ ଜଣେ ଅଧିନାୟକ ଭାବେ କୋହଲିଙ୍କ ନାମକୁ ଆସିଛି। ଦୁଇ ଥର (୨୦୧୭ ଏବଂ ୨୦୧୮) କୋହଲି ଏଭଳି କରିଛନ୍ତି। ରିକି ପଣ୍ଟିଂ ଏବଂ ଗ୍ରେମ୍ ସ୍ମିଥ୍ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ୫ ଲେଖାଏଁ ଶତକ ମାରିଥିଲେ।

୬୦.୩୧: ଅନ୍ୟୁନ ୫୦ ଦିନିକିଆ ପାଳି ବ୍ୟାଟିଂ କରିଥିବା ଖେଳାଳିଙ୍କ ମଧ୍ୟରେ ଶ୍ରେଷ୍ଠ ହାରାହାରି (୬୦.୩୧) ରଖିଛନ୍ତି କୋହଲି। ୨୩୦ ପାଳିରୁ କୋହଲି ୧୧,୫୨୦ ରନ୍ କରିଛନ୍ତି। ସେ ଏ କ୍ଷେତ୍ରରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ ମାଇକେଲ୍‌ ବେଭାନ (୫୩.୫୮)ଙ୍କୁ ପଛରେ ପକାଇଛନ୍ତି। ବେଭାନ ୧୯୬ ପାଳିରୁ ୬୯୧୨ ରନ୍ କରିଥିଲେ।

୪୭୨: ଗୋଟିଏ ନିର୍ଦ୍ଧିଷ୍ଟ ପଡ଼ିଆରେ ସର୍ବାଧିକ ୪୭୨ ଟ୍ବେଣ୍ଟି-୨୦ ରନ୍‌ କରିଛନ୍ତି। ଢାକା ମୀରପୁରର ଶେରେ ବାଙ୍ଗଲା ନ୍ୟାସନାଲ୍ ଷ୍ଟାଡିୟମ୍‌ରେ କୋହଲି ୧୦ ପାଳିରୁ ଏହି ରନ୍ କରିଛନ୍ତି।
୫୨.୫୦%: ଅନ୍ୟୁନ ୧୦ ଥର ୫୦ରୁ ଊର୍ଧ୍ବ ଦିନିକିଆ ପାଳି ଖେଳିଥିବା ଅଧିନାୟକଙ୍କ ମଧ୍ୟରୁ କୋହଲି ରୂପାନ୍ତର ପ୍ରତିଶତରେ ଆଗରେ ରହିଛନ୍ତି। ଅଧିନାୟକ ଭାବେ ୭୬ ପାଳିରେ ୪୦ ଥର (୨୧ ଶତକ, ୧୯ ଅର୍ଧଶତକ) ୫୦ ଟପିଛନ୍ତି।

୫୬.୫୨: ଟେଷ୍ଟ୍ କ୍ରିକେଟ୍‌ରେ ବି ଅନ୍ୟୁନ ୫ ମ୍ୟାଚ୍‌ରେ ନେତୃତ୍ବ ନେଇଥିବା ଖେଳାଳିଙ୍କ ମଧ୍ୟରେ କୋହଲିଙ୍କ ସଫଳତା ପ୍ରତିଶତ (୫୬.୫୨%) ଶ୍ରେଷ୍ଠ। କୋହଲିଙ୍କ ଅଧିନରେ ଭାରତ ୨୬ ଟେଷ୍ଟ୍ ଜିତି ୧୦ ଲେଖାଏ ପରାଜୟ ଏବଂ ଅମୀମାଂସିତ ପାଇଛି। ଧୋନି ଏ‌ କ୍ଷେତ୍ରରେ ଦ୍ବିତୀୟ (୪୫.୦୦%)ରେ ରହିଛନ୍ତି।

‘ଈଶ୍ବରଙ୍କ ଆଶୀର୍ବାଦ; ସ୍ବପ୍ନରେ ଭାବିନଥିଲି’
ନୂଆଦିଲ୍ଲୀ: ୧୧ ବର୍ଷ ତଳର ଅନ୍ତର୍ଜାତୀୟ ପଦାର୍ପଣ ଏବଂ ସଫଳ ଯାତ୍ରାକୁ ବିରାଟ କୋହଲି ଏକ ଭାବବିହ୍ବଳ ଉକ୍ତିରେ ମନେ ପକାଇଛନ୍ତି। ୨୦୦୮ ଏବଂ ୨୦୧୯ର ଆଜିର ଦିନ (ଅଗଷ୍ଟ ୧୮) ସଫଳ ଯାତ୍ରାର ପ୍ରତିଫଳନ ଥିଲା। ଜଣେ ସ୍ବଳ୍ପ ବୟସ୍କ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିବାବେଳେ ଈଶ୍ବର ଯେ ମେତେ ଏତେ ଆଶୀର୍ବାଦ କରିବେ ମୁଁ ସ୍ବପ୍ନରେ ବି ଭାବି ପାରିନଥିଲି’ ବୋଲି କୋହଲି ରବିବାର ଟ୍ବିଟର୍‌ ପୃଷ୍ଠାରେ ଉଲ୍ଲେଖ କରିଥିଲେ। ନିଜର ସଙ୍କଳ୍ପବଦ୍ଧତା ବଳରେ କୋହଲି ଏବେ ବିଶ୍ବର ଏକ ନମ୍ବର ଟେଷ୍ଟ୍ ଦଳର ଅଧିନାୟକ ହେବା ସହିତ ଅନେକ ବ୍ୟକ୍ତିଗତ କୀର୍ତ୍ତିମାନର ଅଧିକାରୀ। ୨୦୦୮ ମସିହାର ସେହି ପଦାର୍ପଣ ବେଳର ଏକ ଫଟୋକୁ ସେୟାର କରି କୋହଲି ମଧ୍ୟ ତାଙ୍କ ସଫଳ ଯାତ୍ରାର ସମସ୍ତ ଅଂଶୀଦାର ଓ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୋହଲି ତାଙ୍କ ଖେଳ ଜୀବନର ଆଦ୍ୟ ଭାଗରେ କନିଷ୍ଠ ବିଶ୍ବକପ୍ ବିଜେତା ଅଧିନାୟକ ଭାବେ ଶ୍ରୀଲଙ୍କା ଗସ୍ତରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପ୍ରଥମ ପାଳିରେ ମାତ୍ର ୧୨ ରନ୍ କରିଥିବା କୋହଲି ପରବର୍ଷ ପ୍ରଥମ ଶତକ ମାରିଥିଲେ। ଏବେ ଦିନିକିଆ କ୍ରିକେଟ୍‌ରେ ଦ୍ବିତୀୟ ସର୍ବାଧିକ (୪୩) ଶତକ ହାସଲକାରୀ। କେବଳ ସଚିନ (୪୯) ଆଗରେ ରହିଛନ୍ତି। ଏବେ କୋହଲି ମଧ୍ୟ ଦିନିକିଆ ଏବଂ ଟେଷ୍ଟ୍ କ୍ରିକେଟ୍‌ର ଏକ ନମ୍ବର ବ୍ୟାଟସମ୍ୟାନ୍‌। ସମ୍ପ୍ରତି ୱେଷ୍ଟଇଣ୍ଡିଜ୍ ଗସ୍ତରେ ବିଶ୍ବର ପ୍ରଥମ ଖେଳାଳି ଭାବେ ଗୋଟିଏ ଦଶନ୍ଧିରେ ୨୦,୦୦୦ ରନ୍ ପୂର୍ଣ୍ଣ କରିଛନ୍ତି। ଦିନିକିଆରେ ୨୩୯ ମ୍ୟାଚ୍‌ରୁ ୧୧,୫୨୦ ରନ୍ ଏବଂ ୭୭ ଟେଷ୍ଟ୍‌ରୁ ୬୬୧୩ ରନ୍‌ ସଂଗ୍ରହ କରିଛନ୍ତି। ୭୦ଟି ଅନ୍ତର୍ଜାତୀୟ ଟି-୨୦ ଖେଳି ୨୩୬୯ ରନ୍ କରିଛନ୍ତି ଏହି ଡାହାଣହାତୀ ବ୍ୟାଟସମ୍ୟାନ୍‌।

ସମ୍ବନ୍ଧିତ ଖବର