ଅମିତଙ୍କୁ ଐତିହାସିକ ରୌପ୍ୟ, ବିଶ୍ବ ମୁଷ୍ଟିଯୁଦ୍ଧରେ ଭାରତକୁ ୨ ପଦକ

ଏକ୍‌ଟେରିନ୍‌ବର୍ଗ (ରୁଷିଆ): ଏସୀୟ ବିଜେତା ଅମିତ ପଙ୍ଘଲ (୫୨ କେଜି) ପ୍ରଥମ ଭାରତୀୟ ଭାବେ ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଐତିହାସିକ ରୌପ୍ୟ ପଦକ ଜିତିନେଇଛନ୍ତି। ଶୁକ୍ରବାର ସେମିଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଅମିତ କାଜାକସ୍ତାନର ସାକେ ବିବୋସିନୋଭଙ୍କୁ ମାତ୍‌ ଦେଇ ପ୍ରଥମ ଭାରତୀୟ ଭାବେ ବିଶ୍ବ ପ୍ରତିଯୋଗିତା ଫାଇନାଲ୍‌ ପ୍ରବେଶ କରିବାର ଇତିହାସ ରଚିଥିଲେ। ତେବେ ଶନିବାର ସ୍ବର୍ଣ୍ଣ ପଦକ ମୁକାବିଲାରେ ଉଜବେକିସ୍ତାନର ସାଖୋବିଦିନ ଜୋରୋଭଙ୍କ ନିକଟରୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଲେ। ଉଜ୍‌ବେକିସ୍ତାନ ଯୋଦ୍ଧା ଫାଇନାଲ୍‌ରେ ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଅମିତଙ୍କୁ ୫-୦ରେ ପରାସ୍ତ କରିଦେଇଥିଲେ। ହେଲେ ବିଶ୍ବ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିବାରେ ମଧ୍ୟ ଅମିତ ପ୍ରଥମ ଭାରତୀୟ ହୋଇଛନ୍ତି। ବିଶ୍ବ ପ୍ରତିଯୋଗିତାରେ ଅମିତଙ୍କ ରୌପ୍ୟ ପଦକ ପୂର୍ବରୁ କୌଣସି ବି ଭାରତୀୟ କାଂସ୍ୟ ଉପରକୁ ଯାଇପାରିନଥିଲେ। ଏପରିକି ଭାରତ ମଧ୍ୟ ପୂର୍ବରୁ ବିଶ୍ବ ପ୍ରତିଯୋଗିତାର ଗୋଟିଏ ସଂସ୍କରଣରେ ଏକରୁ ଅଧିକ ପଦକ ଜିତି ନଥିଲା। ଅମିତ ଓ ମନୀଷ ସେମିଫାଇନାଲ୍‌ରେ ପହଞ୍ଚିବା ପରେ ଏହି ଧାରା ଭାଙ୍ଗିଥିଲା। ମନୀଷ ସେମିଫାଇନାଲ୍‌ରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଫଳରେ ଭାରତ ଚଳିତ ବିଶ୍ବ ପ୍ରତିଯୋଗିତାରୁ ୨ ପଦକ ଧରି ସ୍ବଦେଶ ଫେରିବ। ପୂର୍ବରୁ ଭାରତୀୟ ଭାବେ ବିଜେନ୍ଦର ସିଂହ (୨୦୦୯), ବିକାଶ କିଷନ (୨୦୧୧), ଶିବ ଥାପ୍ପା (୨୦୧୫) ଓ ଗୌରବ ବିଧୁରୀ (୨୦୧୭) ‌ଗୋଟିଏ ଲେଖାଏଁ କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର