ଆଜି ଭାରତ-ପାକିସ୍ତାନ ଲଢ଼େଇ

ଢାକା: ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଚଳିତ ଏସିଆ କପ୍‌ ହକିରେ ଆଜି ମୁହାଁମୁହିଁ ହେବେ। ଭାରତ ଏବେ ବିଶ୍ୱ ମାନ୍ୟତାର ଷଷ୍ଠ ସ୍ଥାନରେ ଥିଲା ବେଳେ ପାକିସ୍ତାନ ଚତୁର୍ଦଶ ସ୍ଥାନରେ ରହିଛି। ଉଭୟ ଦଳ ପାଇଁ ଚଳିତ ଏସିଆ କପ୍‌ ପୁଲ୍‌-ଏରେ ଏହା ଅନ୍ତିମ ମ୍ୟାଚ୍‌ ହେବ। ଏହି ମ୍ୟାଚ୍‌ ମଧ୍ୟ ପୁଲ୍‌ ପର୍ଯ୍ୟାୟରେ ଶୀର୍ଷ ସ୍ଥାନ ଚୂଡାନ୍ତ କରିବ। ଦୁଇ ଥର ବିଜେତା ଭାରତ ଏହା ପୂର୍ବରୁ ଦୁଇଟି ମ୍ୟାଚ୍‌ ଖେଳି ୨ ବିଜୟ ସହ ଶୀର୍ଷରେ ରହିଛି। ପ୍ରଥମ ମ୍ୟାଚ୍‌ରେ ଜାପାନକୁ ୫-୧ ଓ ଦ୍ୱିତୀୟ ମ୍ୟାଚ୍‌ରେ ଆୟୋଜକ ବାଂଲାଦେଶକୁ ୭-୦ ଗୋଲ୍‌ରେ ପରାସ୍ତ କରି ଭାରତ ୬ ପଏଣ୍ଟ ପାଇସାରିଛି। ଅନ୍ୟପକ୍ଷରେ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳିଥିବା ତିନି ଥର ଏସିଆ କପ୍‌ ବିଜେତା ପାକିସ୍ତାନ ଗୋଟିଏ ଲେଖାଏଁ ବିଜୟ ଓ ଅମୀମାଂସିତରୁ ୪ ପଏଣ୍ଟ ପାଇ ଦ୍ୱିତୀୟରେ ରହିଛି। ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ୭-୦ ଗୋଲ୍‌ରେ ହରାଇବା ପରେ ଦ୍ୱିତୀୟ ମ୍ୟାଚ୍‌କୁ ଜାପାନ ସହ ୨-୨ରେ ଅମୀମାଂସିତ ରଖିଥିଲା। ଫଳରେ ପୁଲ୍‌-ଏରେ ଶୀର୍ଷ ସ୍ଥାନ ପାଇବାକୁ ହେଲେ ଭାରତକୁ ଅତିକମ୍‌ରେ ପାକିସ୍ତାନ ସହ ମ୍ୟାଚ୍‌ ଅମୀମାଂସିତ ରଖିବା ଦରକାର ଥିଲା ବେଳେ ପାକିସ୍ତାନକୁ ଭାରତ ବିପକ୍ଷରେ ବିଜୟ ଆବଶ୍ୟକ ରହିଛି। ଫଳରେ ଲକ୍ଷ୍ୟ ଶୀର୍ଷ ସ୍ଥାନ ଥିବାରୁ ଭାରତ-ପାକିସ୍ତାନ ମୁକାବିଲା ବେଶ୍‌ ରୋମାଞ୍ଚକର ହେବ ବୋଲି ଆଶା ରହିଛି। ଅବଶ୍ୟ ଏହି ଗ୍ରୁପ୍‌ରୁ ଭାରତ ଶ୍ରେଷ୍ଠ-୪ ସ୍ଥାନ ପାଇଁ ମୁକାବିଲାରେ ଅବତୀର୍ଣ୍ଣ ହୋଇସାରିଛନ୍ତି। ତଥାପି ଅପରାଜେୟ ସଫଳତା ସହ ପୁଲ୍‌-ଏ ଶୀର୍ଷ ସ୍ଥାନ ମାଡ଼ିବସିବାର ଲକ୍ଷ୍ୟ ରଖିଥିବାରୁ ପାକିସ୍ତାନ ବିପକ୍ଷ ମୁକାବିଲା ଭାରତୀୟ ଦଳର ପ୍ରଶିକ୍ଷକ ଜୋର୍ଡ ମାରିନ୍‌ଙ୍କ ପାଇଁ ବଡ଼ ଆହ୍ଵାନ ରହିବ। ଶେଷଥର ପାଇଁ ଚଳିତ ବର୍ଷ ଜୁନ୍‌ରେ ଲଣ୍ଡନରେ ଆୟୋଜିତ ହିରୋ ହକି ବିଶ୍ୱ ଲିଗ୍‌ ସେମିଫାଇନାଲ୍‌ ପର୍ଯ୍ୟାୟରେ ପଞ୍ଚମରୁ ଅଷ୍ଟମ ସ୍ଥାନ ମୁକାବିଲାରେ ଭାରତ ୬-୧ ଗୋଲ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଆଉ ଏହି ପରାଜୟ ମଧ୍ୟ ପାକିସ୍ତାନର ଆସନ୍ତାବର୍ଷ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ୱକପ୍‌ ଯୋଗ୍ୟତା ଧୋଇ ନେଇଥିଲା। ଚଳିତ ଏସିଆ କପ୍‌ରେ ଆୟୋଜନ ବାଂଲାଦେଶ ଦୁଇଟି ପରାଜୟ ସହ ପୁଲ୍‌ ପର୍ଯ୍ୟାୟରୁ ବିଦାୟ ନେଇ ସାରିଥିଲା ବେଳେ ଜାପାନର ଆଶା ଉଜୀବୀତ ରହିଛି। ପାକିସ୍ତାନ ଯଦି ଭାରତଠାରୁ ବଡ଼ ବ୍ୟବଧାନରେ ହାରିଯାଏ ଏବଂ ଜାପାନ ଅଧିକ ଗୋଲ୍‌ ବ୍ୟବଧାନରେ ବାଂଲାଦେଶକୁ ପରାସ୍ତ କରିଦିଏ, ତେବେ ଏହି ପୁଲ୍‌ରୁ ଦ୍ୱିତୀୟ ଦଳ ପାଇଁ ପ୍ରତିଦ୍ୱନ୍ଦ୍ୱିତା ବଢ଼ିଯିବ।

 

ଚୀନ୍‌ ଓ ମାଲେସିଆର ସଂଘର୍ଷପୂର୍ଣ୍ଣ ବିଜୟ

ଶନିବାର ପୁଲ୍‌-ବିରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ଚୀନ୍‌ ଓ ମାଲେସିଆ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଚୀନ୍‌ ୨-୧ ଗୋଲ୍‌ରେ ଓମାନ୍‌କୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ଡୁ ଟାଲାକେ (୭ ମିନିଟ୍‌) ଓ ଗୁଆନ୍‌ କ୍ୟୁୟାଙ୍ଗ୍‌ (୪୪ ମିନିଟ୍‌) ଗୋଲ୍‌ କରିଥିଲା ବେଳେ ଓମାନ୍‌ ପାଇଁ ଅଲ୍‌ ଫାଜରି ରସଦ୍‌ (୮ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ଅନ୍ୟ ମ୍ୟାଚ୍‌ରେ ଦକ୍ଷିଣ କୋରିଆ ୧-୨ ଗୋଲ୍‌ରେ ମାଲେସିଆକୁ ହାରିଯାଇଛି। ଲି ସିଉଙ୍ଗୁନ୍‌ ୨୭ ମିନିଟ୍‌ରେ ଏକମାତ୍ର ଗୋଲ୍‌ କୋରିଆ ପକ୍ଷରୁ କରିଥିଲା ବେଳେ ମାଲେସିଆ ପାଇଁ ସାରି ଫୈଜଲ୍‌ (୧୭ ମିନିଟ୍‌) ଓ ହାସନ୍‌ ଆଜ୍‌ରୀ (୧୯ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ ।

ସମ୍ବନ୍ଧିତ ଖବର