ଓଡ଼ିଶା ଜିତିଲା ସର୍ବଭାରତୀୟ ଲିଙ୍ଗରାଜ କପ୍‌ ଭଲିବଲ୍‌

ଭୁବନେଶ୍ୱର: ଛତିଶଗଡ଼କୁ ୨-୦ରେ ପରାସ୍ତ କରି ଓଡ଼ିଶା ସ୍ଥାନୀୟ ଲିଙ୍ଗରାଜ ବିହାର ସ୍ଥିତ ଭଲିବଲ୍‌ ପଡ଼ିଆରେ ଆୟୋଜିତ ସର୍ବଭାରତୀୟ ଲିଙ୍ଗରାଜ କପ୍‌ ଭଲିବଲ୍‌ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଛି। ଅନ୍ୟ ପକ୍ଷରେ ଲିଗ୍‌ ଓ ସେମିଫାଇନାଲରେ ଲଢ଼ୁଆ ଖେଳ ଖେଳିଥିବା ଛତିଶଗଡ଼ ଦଳ ଉପ ବିଜେତାରେ ସନ୍ତୁଷ୍ଟ ରହିଛି। ରଣପୁରର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ଓଡ଼ିଶା ଭଲିବଲ୍‌ ସଂଘର ଉପସଭାପତି ସୟଦ ଆକମଲ ଅଲ୍ଲୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଏବଂ ଉପ ବିଜେତା ଦଳକୁ ପୁରସ୍କାର ବିତରଣ କରିଥିଲେ। ଏହା ପୂର୍ବରୁ ଖେଳା ଯାଇଥିବା ଦୁଇଟି ଲିଗ୍‌ ପର୍ଯ୍ୟାୟ ମୁକାବିଲାରେ ଓଡ଼ିଶାକୁ ପଶ୍ଚିମବଙ୍ଗ ଏବଂ ଛତିଶଗଡ଼କୁ ଆନ୍ଧ୍ରପ୍ରଦେଶ ପରାସ୍ତ କରିଥିଲା। ଫଳରେ ସେମିଫାଇନାଲରେ ପଶ୍ଚିମବଙ୍ଗ-ଛତିଶଗଡ଼ ଏବଂ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମୁହାଁ ମୁହିଁ ହୋଇଥିଲେ। ଏଥିରେ ଛତିଶଗଡ଼ ଏବଂ ଓଡ଼ିଶା ବିଜୟୀ ହୋଇ ଫାଇନାଲ୍‌ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଭାରତୀୟ ମହିଳା ଫୁଟବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତି ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୂ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ଥାନୀୟ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ (୬୨), ଦେବୀ ପ୍ରସାଦ ନନ୍ଦ (୬୭), କ୍ଲବର ସଂପାଦକ ସରୋଜ ତ୍ରିପାଠୀ, ସଭାପତି ବାବୁ ସିଂହ, ରାଜ୍ୟର ବହୁ ପୂର୍ବତନ ଜାତୀୟ ସ୍ତରୀୟ ଭଲିବଲ୍‌ ଖେଳାଳି, ଆୟୋଜନ ସମିତିର ସଦସ୍ୟ ନିହାର ମହାନ୍ତି, ସୁବାଷ ମିଶ୍ର, ମୁଖପାତ୍ର ସୁରତ୍ନ ସାହୁ ଏବଂ ବହୁ କର୍ମକର୍ତା ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର