କାର୍ଯ୍ୟାରମ୍ଭ କଲା ଏକ୍ସଇବିଏସ୍-ଆଲୁୱାଲିଆ ସେଣ୍ଟର ଫର୍ ଏକ୍ସଲେନ୍ସ, ପ୍ରଥମ ପର୍ଯ୍ୟାୟରେ ତିନି ମାସିଆ କ୍ରୀଡ଼ା‌ ପରିଚାଳନା ପାଠ୍ୟକ୍ରମ

ଭୁବନେଶ୍ବର: ଏକ୍ସଇବିଏସ୍-ଆଲୁୱାଲିଆ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭୁବନେଶ୍ବରରେ କାର୍ଯ୍ୟ ଆରମ୍ଭ କରିଛି। ଜାଭିୟର ବିଶ୍ବ ବିଦ୍ୟାଳୟ ଭୁବନେଶ୍ବର ଏମଲିଓନ୍ ସ୍କୁଲ୍ ଫ୍ରାନ୍ସ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ କେଜେଏସ୍ ଆଲୁୱାଲିଆ ଗ୍ରୁପର ସହଭାଗିତାରେ ସେଣ୍ଟର ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ତିନି ମାସିଆ ପ୍ରମାଣପତ୍ର ପ୍ରଦାନ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ଚଳିତ ମାସ ୨୭ ତାରିଖରୁ ଆରମ୍ଭ ହେଉଥିବା ଏହି ପାଠ୍ୟକ୍ରମ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା ବେଳେ ୨୦୦ରୁ ଊର୍ଦ୍ଧ୍ବ କ୍ରୀଡ଼ାବିତ୍, ସରକାରୀ ଅଧିକାରୀ ପେସାଦାର ଓ ଛାତ୍ରଛାତ୍ରୀ ଏଥିନେଇ ସୂଚନା ହାସଲ କରିଥିବା ଜଣାପଡ଼ିଛି। ଏହି ସଂକ୍ଷିପ୍ତ ପାଠ୍ୟକ୍ରମକୁ ଆସନ୍ତାବର୍ଷ ସେଣ୍ଟର ପକ୍ଷରୁ ଆରମ୍ଭ କରାଯିବାକୁ ଥିବା ସ୍ନାତକୋତ୍ତୋର ପାଠ୍ୟକ୍ରମ ପାଇଁ ପ୍ରସ୍ତୁତି ପର୍ବ ଭାବେ ଗ୍ରହଣ କରାଯାଇଛି। ଏମଲିଓନ୍ ବାଣିଜ୍ୟ ସ୍କୁଲରେ ସଫଳତାର ସହ ଚାଲିଥିବା ସ୍ନାତକୋତ୍ତୋର କ୍ରୀଡ଼ା ପରିଚାଳନା ପାଠ୍ୟକ୍ରମର ବିଶେଷଜ୍ଞ, ଗବେଷକ ଏବଂ ଭାରତୀୟ ଗବେଷକଙ୍କ ମିଳିତ ସହଯୋଗରେ ଏହି ପାଠ୍ୟକ୍ରମର ବିଷୟ ବସ୍ତୁ ପ୍ରସ୍ତୁତ କରାଯାଇଛି। ଏହି ସେଣ୍ଟର ଓଡ଼ିଶାର କ୍ରୀଡ଼ା‌ ସଂସ୍କୃତି, ଶିକ୍ଷା ଓ ପରିବେଶ ସମ୍ବନ୍ଧରେ ବିଶେଷ ସୂଚନା ପ୍ରଦାନ କରିବା ସହ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଏକ୍ସଲେନ୍ସ ସେଣ୍ଟର ନିମନ୍ତେ ନୋଡାଲ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଏଠାରେ କ୍ରୀଡ଼ାର ବିଭିନ୍ନ ଦିଗ ଉପରେ ଗବେଷଣା ମଧ୍ୟ କରାଯିବ। ସଂପୁର୍ଣ୍ଣ ପାଠ୍ୟକ୍ରମକୁ ୯ଟି ମଡେଲରେ ବିଭକ୍ତ କରାଯାଇଛି। ନେତୃତ୍ବ ଦକ୍ଷତା, ରଣନୀତିକ ପ୍ରବନ୍ଧନ, କ୍ରୀଡ଼ା ବିପଣନ, ବିତ୍ତୀୟ ପରିଚାଳନା, କ୍ରୀଡ଼ା ସମାରୋହର ପରିଚାଳନା, ପ୍ରାୟୋଜନ ଓ ପୃଷ୍ଠପୋଷକତା, କ୍ରୀଡ଼ା ବ୍ୟବସାୟ କ୍ଷେତ୍ରରେ ସାମାଜିକ ଦାୟିତ୍ବବୋଧ ଆଦି ବିଭାଗରେ ଶିକ୍ଷାଦାନ କରାଯିବ।

ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ନର୍ଦେଶକ ଆର ଭିନିଲକ୍ରିଷ୍ଣା କହିଥିଲେ ଯେ କ୍ରୀଡ଼ା ପରିଚାଳନା ଆଜିର ଦିନରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସମାଜରେ କ୍ରୀଡ଼ା ଭିତ୍ତିକ ପରିସର ସୃଷ୍ଟି ନିମନ୍ତେ ଆଗ୍ରହୀ କ୍ରୀଡ଼ାବିତମାନଙ୍କୁ ଏକ ଅଦ୍ବିତୀୟ ମଞ୍ଚ ପ୍ରଦାନ କରିବାକୁ ଆମେ ଚେଷ୍ଟା କରିଛୁ। ଏହି ପାଠ୍ୟକ୍ରମ ପରିବର୍ତନ ପାଇଁ ପ୍ରଥମ ପଦକ୍ଷେପ ହେବ ବୋଲି କହିଥିଲେ। ଏହି ଅବସରରେ ଏକ୍ସଇବିଏସର ଅଧ୍ୟକ୍ଷ ଆସଲେ ପର୍ଣ୍ଣାଡିସ୍, ଜାଭିୟର ବିଶ୍ବବିଦ୍ୟାଳୟର କୁଳପତି ଫାଦର ଆଣ୍ଟୋନି ଉତ୍ତରୀ ଓ ଜେଏସ୍ ଆଲୁୱାଲିଆ ଗ୍ରୁପର ମୁଖ୍ୟ ପରିଚାଳନା ନିର୍ଦେଶକ ପ୍ରଶାନ୍ତ ଆଲୁୱାଲିଆ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର