ଖେଲୋ ଇଣ୍ଡିଆ: ଭଲିବଲ୍‌ର କ୍ଷତି, ତୀରନ୍ଦାଜିର ଲାଭ

ପିତାଙ୍କ ଭଳି ସେ ମଧ୍ୟ ଭଲିବଲ୍ ଓ ବ୍ୟାଡ୍‌ମିଣ୍ଟନ୍ ଖେଳୁଥିଲେ। ହେଲେ ଆଜମେରରେ ଏହି ଦୁଇଟି ଖେଳର ‌ସେମିତି କୌଣସି ସୁବିଧା ସୁଯୋଗ କିମ୍ବା ପ୍ରଶିକ୍ଷଣର ବ୍ୟବସ୍ଥା ନଥିଲା। ତୀରନ୍ଦାଜିର କିନ୍ତୁ ଭଲ ଭିତ୍ତିଭୂମି ଥିଲା। ପିତାଙ୍କ ଉତ୍ସାହ ଓ ପ୍ରୋତ୍ସାହନରେ ୨୦୧୮ରେ କ୍ରିତିକା‌ ତୀରନ୍ଦାଜି ଶିଖିବା ଆରମ୍ଭ କରଥିଲେ। ଦୁଇ ବର୍ଷର କଠିନ ପରିଶ୍ରମ ଓ ନିରନ୍ତର ଅଭ୍ୟାସର ଫଳ ତାଙ୍କୁ ଏବେ ମିଳିଛି। ୧୯ ବର୍ଷୀୟା କ୍ରିତିକା ଶର୍ମା ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ସ୍ବର୍ଣ୍ଣିମ କ୍ରୀଡ଼ା ଜୀବନ ପାଇଁ ଦୃଢ଼ ମୂଳଦୁଆ ପକାଇଛନ୍ତି। ମଙ୍ଗଳବାର ବ୍ୟକ୍ତିଗତ କମ୍ପାଉଣ୍ଡରେ ସ୍ବର୍ଣ୍ଣ ପଦକ ଜିତିଥିବା କ୍ରିତିକା ଏବେ ବେଶ୍ ଖୁସି ଅଛନ୍ତି। ଏହା ପୂର୍ବରୁ ଗୁଆହାଟୀରେ ଆୟୋଜିତ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ। ‌ହେଲେ କ୍ବାର୍ଟର ଫାଇନାଲରେ ହାରି ଯାଇଥିଲେ। ଭୁବନେଶ୍ବରରେ କିନ୍ତୁ ତାଙ୍କୁ ଭାଗ୍ୟ ସାଥ୍ ଦେଇଛି। କ୍ରିତିକା ପାଞ୍ଚ ଉଉଣୀଙ୍କ ମଧ୍ୟରୁ ଚତୁର୍ଥ। ତାଙ୍କ ଉଭଣୀ ପ୍ରେରଣା ମଧ୍ୟ ଜଣେ ସଫଳ ତୀରନ୍ଦାଜ। କ୍ରିତିକାଙ୍କ ନଜର ଏବେ ଚଳିତ ମାସ ଶେଷ ଆଡ଼କୁ ଆୟୋଜିତ ହେବାକୁ ଥିବା ବିଶ୍ବକପ୍ ଉପରେ। ପିତା ବଦ୍ରି ବିଶାଲ ଶର୍ମା କିନ୍ତୁ ଉଭୟ କ୍ରିତିକା ଓ ପ୍ରେରଣାଙ୍କ ସଫଳତାକୁ ନେଇ ବେଶ୍ ଗର୍ବ କରୁଛନ୍ତି।

ସମ୍ବନ୍ଧିତ ଖବର