ଦିଲ୍ଲୀକୁ ବୋଲର ଦେଲେ ବିଜୟ

ହାଇଦ୍ରାବାଦ: ବୋଲିଂ ବାହିନୀ ଦିଲ୍ଲୀ କ୍ୟାପିଟାଲ୍ସକୁ ରବିବାର ରୋମାଞ୍ଚକର ବିଜୟ ଉପହାର ଦେଇଛି। ସନ୍‌ରାଇଜର୍ସ ହାଇଦ୍ରାବାଦ ମାତ୍ର ୧୧୬ ରନ୍‌ରେ ଅଲଆଉଟ୍ ହେବା ପରେ ଦିଲ୍ଲୀ ୩୯ ରନ୍‌ରେ ବିଜୟୀ ହୋଇଛି। ଦିଲ୍ଲୀର ତିନି ବିଦେଶୀ ବୋଲର କାଗି‌ସୋ ରବାଦା (୩.୫-୦-୨୨-୪), କିମୋ ପଲ୍ (୪-୦-୧୭-୩) ଓ କ୍ରିସ୍ ମୋରିସ୍ (୩-୦-୨୨-୩) ମିଳିତ ଭାବେ ୧୦.୫ ଓଭରରେ ୬୧ ରନ୍ ବ୍ୟୟ କରି ସମସ୍ତ ୧୦ ୱିକେଟ୍ ଅକ୍ତିଆର କରିନେବା ପରେ ହାଇଦ୍ରାବାଦ ନାଟକୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଜିତିବା ମ୍ୟାଚ୍‌କୁ ହାରିଛି। ଏପରିକି ହାଇଦ୍ରାବାଦ ତାର ଶେଷ ୮ ୱିକେଟ୍ ମାତ୍ର ୧୬ ରନ୍‌ରେ ହରାଇଛି। ୧୫୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରାବାଦ ପାଇଁ ଡେଭିଡ୍ ୱାର୍ନର (୫୧ ରନ୍, ୪୭ ବଲ୍, ୩ ଚୌକା, ୧ ଛକା) ଓ ଜନି ବେୟାରଷ୍ଟୋ (୪୧ ରନ୍, ୩୧ ବଲ୍, ୫ ଚୌକା, ୧ ଛକା) ଭଲ ମୂଳଦୁଆ ପକାଇଥିଲେ। ବେୟାରଷ୍ଟୋଙ୍କ ଆଉଟ୍ ପରେ କିନ୍ତୁ ଦିଲ୍ଲୀ ବୋଲର ଲଗାତାର ଝଟ୍‌କା ଦେଇ ହାଇଦ୍ରାବାଦର ହୋସ୍ ଉଡ଼ାଇ ଦେଇଥିଲେ। ଆଘାତ ସମସ୍ୟାରୁ ମୁକୁଳିଥିବା ଅଧିନାୟକ କେନ୍ ୱିଲିୟମସନ୍ (୩) ବିଫଳ ହେବା ପରେ ହାଇଦ୍ରାବାଦ ପାଳି ତାସ୍ ଘର ଭଳି ଭୁଶୁଡ଼ି ଯାଇଥିଲା। ବଢ଼ି ଚାଲିଥିବା ରନ୍ ହାରର ଚାପ ଏବଂ ସାଥୀ ଖେଳାଳିଙ୍କ ବେପରୁଆ ବ୍ୟାଟ୍ ଚାଳନାରେ ବ୍ୟସ୍ତ ହୋଇ ୱାର୍ନର ମଧ୍ୟ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ବେୟାରଷ୍ଟୋ ଓ ତାଙ୍କ ଛଡ଼ା ଅନ୍ୟ କୌଣସି ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ମୋରିସ୍ ତାଙ୍କ ଗୋଟିଏ ଓଭରରେ (ଅଷ୍ଟାଦଶ) ତିନିଟି ୱିକେଟ୍ ଅକ୍ତିଆର କରିଥିଲେ। ଅନ୍ୟ ପକ୍ଷରେ ରବାଦା ସପ୍ତଦଶ ଏବଂ ଊନ୍ନବିଂଶ ଓଭରରେ ଲଗାତାର ଦୁଇଟି ଲେଖାଏଁ ୱିକେଟ୍ ନେଇ ହାଇଦ୍ରାବାଦକୁ ଚକିତ କରି ଦେଇଥିଲେ। ରବାଦା କ୍ରମାଗତ ବଲ୍‌ରେ ୱାର୍ନର ଏବଂ ବିଜୟ ଶଙ୍କର (୧)ଙ୍କୁ ଆଉଟ୍ କରି ଦିଲ୍ଲୀ ବିଜୟକୁ ପକ୍କା କରି ଦେଇଥି‌େଲ। ହାଇଦ୍ରାବାଦ ପାଳି ୧୮.୫ ଓଭରର ଶେଷ ହୋଇ ଯାଇଥିଲା। କିମୋ ତାଙ୍କ ଘାତକ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ କ୍ୟାପିଟାଲ୍ସର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ (୪) ଓ ଶିଖର ଧାୱନ (୭) ବିଶେଷ କିଛି ପାରି ନଥିଲେ। ସେମାନେ ଖଲିଲ ଅହମ୍ମଦଙ୍କ ଶିକାର ହୋଇଥିଲେ। ଚତୁର୍ଥ ଓଭର ସୁଦ୍ଧା ଦୁଇଟି ୱିକେଟ୍ ହରାଇବା ପରେ ଅଧିନାୟକ ଶ୍ରେୟସ୍ ଆୟର (୪୫ ରନ୍, ୪୦ ବଲ୍, ୫ ଚୌକା) ଏବଂ କଲିନ୍ ମୁନ୍ରୋ (୪୦ ରନ୍, ୨୪ ବଲ୍, ୪ ଚୌକା, ୩ ଛକା) ପାଳି ସଜାଡ଼ିବା ଆରମ୍ଭ କରିଥିଲେ। ଏଥିରେ କେତେକାଂଶରେ ସଫଳ ମଧ୍ୟ ହୋଇଥିଲେ। ତେବେ ଠିକଣା ସମୟରେ ଉଭୟଙ୍କୁ ପ୍ୟାଭିଲିୟନ ଫେରାଇ ଦିଲ୍ଲୀର ରନ୍ ସଂଗ୍ରହ ହାରରେ ହାଇଦ୍ରାବାଦ ଅଙ୍କୁଶ ଲଗାଇ ପାରିଥିଲା। ବାମହାତୀ ଋଷବ ପନ୍ତ (୨୩ ରନ୍, ୧୯ ବଲ୍‌, ୩ ଚୌକା) ସପ୍ତଦଶ ଓଭରରେ ଖଲିଲଙ୍କ ତୃତୀୟ ଶିକାର ହେବା ଦିଲ୍ଲୀ ପାଇଁ ଆଉ ଏକ ଝଟ୍‌କା ଥିଲା। ଫଳରେ ସବୁ ଆଶା ଅଲରାଉଣ୍ଡର କ୍ରିସ୍ ମୋରିସଙ୍କ ଉପରେ ଥିଲା। ହେଲେ ସେ ମାତ୍ର ୪ ରନ୍ କରିବା ପରେ ଦିଲ୍ଲୀ ନିର୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୫ ରନରେ ସୀମିତ ରହି ଯାଇଥିଲା। ଶେଷ ଆଡ଼କୁ ଅକ୍ଷର ପଟେଲ (୧୪*ରନ୍, ୧୧ ବଲ୍) ଓ କେମୋ ପଲ୍ (୭ ରନ୍, ୪ ବଲ୍)ଙ୍କ କିମିଆ ପାଇଁ ହିଁ ଦିଲ୍ଲୀ ଦେଢ଼ ଶହ ଟପି ପାରିଥିଲା। ଭୁବନେଶ୍ବର କୁମାର (୪-୦-୩୩-୨) ଓ ଖଲିଲ (୪-୦-୩୦-୩) ପାଞ୍ଚ ୱିକେଟ୍ ବାଣ୍ଟି ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ଦିଲ୍ଲୀ ୨୦ ଓଭରରେ ୧୫୫/୭ (ଶ୍ରେୟସ୍ ଆୟର ୪୫, କଲିନ ମୁନ୍ରୋ ୪୦, ଋଷବ ପନ୍ତ ୨୩, ଅକ୍ଷର ପଟେଲ ୧୪*, ଖଲିଲ ଅହମ୍ମଦ ୩୦/୩, ଭୁବନେଶ୍ବର କୁମାର ୩୩/୨)। ସନରାଇଜର୍ସ ହାଇଦ୍ରାବାଦ ୧୮.୫ ଓଭରରେ ୧୧୬ (ଡେଭିଡ୍ ୱାର୍ନର ୫୧, ଜନି ବେୟାରଷ୍ଟୋ ୪୧, କାଗିସୋ ରବାଦା ୪/୨୨, କିମୋ ପଲ୍ ୩/୧୭, କ୍ରିସ୍ ମୋରିସ୍ ୩/୨୨)।

ସମ୍ବନ୍ଧିତ ଖବର