ଦୀପା-ପୁନିଆଙ୍କୁ ଖେଳରତ୍ନ: ୧୯ ଜଣଙ୍କୁ ଅର୍ଜୁନ, କ୍ରିକେଟ୍‌ରୁ ଜାଦେଜା ଓ ପୁନମ

ନୂଆଦିଲ୍ଲୀ: ଭିନ୍ନକ୍ଷମ ଆଥଲେଟ୍ ଦୀପା ମଲ୍ଲିକ ଏବଂ କୁସ୍ତି ତାରକା ବଜରଙ୍ଗ ପୁନିଆ ଯୁଗ୍ମ ଭାବେ ଚଳିତ ବର୍ଷ ପାଇଁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାର ପାଇବେ। ୪୮ ବର୍ଷୀୟା ଦୀପା ପ୍ରଥମ ଭାରତୀୟ ମହିଳା ଭାବେ ରିଓ ପାରାଲିମ୍ପିକ୍ସରେ ପଦକ ଜିତିଥିଲେ। ଏହା ପୂର୍ବରୁ ସେ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାରିକ ସମ୍ମାନ ପଦ୍ମଶ୍ରୀ ଏବଂ ସମ୍ମାନଜନକ ଅର୍ଜୁନ ପୁରସ୍କାର ଲାଭ କରି ସାରିଛନ୍ତି। ୩୬ ବର୍ଷ ବୟସରେ ଖେଳ ଜୀବନ ଆରମ୍ଭ କରି ଦୀପା ୨୦୧୬ ରିଓ ପରାଲିମ୍ପିକ୍ସର ମହିଳା ସଟ୍‌ପୁଟ୍‌ରେ ରୌପ୍ୟ ପଦକ ଜିତି ଚହଳ ସୃଷ୍ଟି କରିଥିଲେ। ଅନ୍ୟପକ୍ଷରେ ବଜରଙ୍ଗ ୫୮ କିଲୋଗ୍ରାମ ଓଜନ ବର୍ଗରେ ବିଶ୍ବର ଏକ ନମ୍ବର କୁସ୍ତି ତାରକା ହୋଇଥିଲା ବେଳେ ସେ ଏସୀୟ କ୍ରୀଡ଼ା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବଜରଙ୍ଗ ଗତବର୍ଷ ମଧ୍ୟ ଖେଳରତ୍ନ ଦୌଡ଼ରେ ଥିଲେ। ତେବେ ପାଇ ନଥିଲେ। ଏଣୁ ଏହି ସମ୍ମାନ ପ୍ରଦାନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ଆଣି ବଜରଙ୍ଗ ପୂନିଆ ଗତବର୍ଷ ଅଦାଲତ ଯିବାକୁ ଧମକ ଦେଇଥିଲେ। ହେଲେ ଏଥର ତାଙ୍କ ନାମ ଖେଳରତ୍ନ ପାଇଁ ସର୍ବସମ୍ମତକ୍ରମେ ଗୃହୀତ ହୋଇଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏମାନଙ୍କ ଛଡ଼ା କ୍ରିକେଟର ରବୀନ୍ଦ୍ର ଜାଦେଜା ଓ ମହିଳା କ୍ରିକେଟର ପୁନମ ଯାଦବଙ୍କ ସମେତ ୧୯ ଜଣ ପ୍ରତିଭାବାନ ଖେଳାଳିଙ୍କୁ ଅଜୁର୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଓଡ଼ିଶା ପାରାବ୍ୟାଡ୍‌ମିଣ୍ଟନ୍‌ ତାରକା ପ୍ରମୋଦ ଭଗତ ମଧ୍ୟ ଏହି ତାଲିକାରେ ଅଛନ୍ତି। ବିଳମ୍ବିତ ଆବେଦନ ପାଇଁ କିନ୍ତୁ ଦୌଡ଼ରାଣୀ ଦୂତି ଚାନ୍ଦ ଏଥିରୁ ବଞ୍ଚିତ ହୋଇଛନ୍ତି। ସେହିଭଳି ପୂବର୍ତନ ବ୍ୟାଡମିଣ୍ଟନ୍ ତାରକା ବିମଳ କୁମାର, ଟେବୁଲ ଟେନିସ୍ ଗୁରୁ ସନ୍ଦୀପ ଗୁପ୍ତା ଏବଂ ଦୌଡ଼କୁଦ ପ୍ରଶିକ୍ଷକ ମୋହିନ୍ଦର ସିଂହ ଢିଲୋଁ ‌ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଛନ୍ତି। ଆଜୀବନ ସେବା ବର୍ଗରେ ହକି ତାରକା ମର୍ଜବାନ ପଟେଲ, କବାଡ଼ିରୁ ରାମବୀର ସିଂହ ଖୋଖର ଓ କ୍ରିକେଟର ସଂଜୟ ଭରଦ୍ବାଜ ଏହି ପୁରସ୍କାରର ହକଦାର ହୋଇଛନ୍ତି। ଜଷ୍ଟିସ୍‌ (ଅବସରପ୍ରାପ୍ତ) ମୁକୁନ୍ଦକମ୍‌ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ୧୨ ଜଣିଆ ମନୋନୟନ ସମିତି ଶୁକ୍ରବାର ଏହି ପୁରସ୍କାର ପାଇଁ ତାଙ୍କ ନାମ ଚୂଡାନ୍ତ କରିଥିବା ଜଣାପଡ଼ିଛି। ବାଇଚୁଙ୍ଗ୍‌ ଭୂତିଆ ଓ ଏମ୍‌ସି ‌ମେରି କମ୍‌ଙ୍କ ଭଳି ତାରକା ମଧ୍ୟ ଏହି ସମିତିରେ ଥିଲେ। ହେଲେ ନିଜ ବ୍ୟକ୍ତିଗତ ପ୍ରଶିକ୍ଷକ ଛୋଟେଲାଲ ଯାଦବ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦୌଡ଼ରେ ଥିବା ଜାଣିବା ପରେ ମେରି କମ୍‌ ସମିତିରୁ ଓରି ଯାଇଥିଲେ। କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଥିବା ଖେଳାଳିଙ୍କ ସହ ଭାରତୀୟ କ୍ରୀଡ଼ାପ୍ରତି ଜୀବନ ବ୍ୟାପୀ ସେବା ପ୍ରଦାନ ସହ କ୍ରୀଡ଼ା ପ୍ରୋତ୍ସାହନ ପାଇଁ କାମ କରୁଥିବା ଶ୍ରେଷ୍ଠ ସଂସ୍ଥାଗୁଡ଼ିକ ମଧ୍ୟ ପୁରସ୍କାର ତାଲିକାରେ ଅଛନ୍ତି। ମନୋନୀତ ଖେଳାଳି, ପ୍ରଶିକ୍ଷକ ଏବଂ ସଂସ୍ଥାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଗଷ୍ଟ ୨୯ର ଜାତୀୟ କ୍ରୀଡ଼ା ଦିବସରେ ପୁରସ୍କୃତ କରିବେ।

ବିଭିନ୍ନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖେଳାଳିମାନେ ହେଲେ: ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର- ବଜରଙ୍ଗ ପୁନିଆ (କୁସ୍ତି), ଦୀପା ମଲ୍ଲିକ (ପାରା ବ୍ୟାଡମିଣ୍ଟନ)। ଦ୍ରୋଣାଚାର୍ଯ୍ୟ ପୁରସ୍କାର- ବିମଳ କୁମାର (ବ୍ୟାଡମିଣ୍ଟନ), ସନ୍ଦୀପ ଗୁପ୍ତା (ଟେବୁଲ ଟେନିସ୍), ମହିନ୍ଦର ସିଂହ ଢିଲୋଁ। ଜୀବନ ବ୍ୟାପୀ ସେବା ସମ୍ମାନ: ମର୍ଜବାନ ପଟେଲ (ହକି), ରାମବୀର ସିଂହ ଖୋଖର (କବାଡ଼ି), ସଞ୍ଜୟ ଭରଦ୍ବାଜ (କ୍ରିକେଟ୍)। ଅର୍ଜୁନ ପୁରସ୍କାର: ତେଜିନ୍ଦର ସିଂହ ତୁର (ସଟ୍‌ପୁଟ୍), ମହମ୍ମଦ ଆନସ ୟାହିୟା (ଦୌଡ଼କୁଦ), ଏସ୍ ଭାସ୍କରନ୍ (ସୁନ୍ଦରସ୍ବାସ୍ଥ୍ୟ), ସୋନିଆ ଲାଥେର (ମୁଷ୍ଟିଯୁଦ୍ଧ), ରବୀନ୍ଦ୍ର ଜାଦେଜା (କ୍ରିକେଟ୍), ଚିଙ୍ଗଲାସାନା ସିଂହ କଙ୍ଗୁଜାମ (ହକି), ଅଜୟ ଠାକୁର (କବାଡ଼ି), ଗୌରବ ସିଂହ ଗିଲ୍ (ମୋଟରଚାଳନା), ପ୍ରମୋଦ ଭଗତ (ପାରା ବ୍ୟାଡମିଣ୍ଟନ୍), ଅଞ୍ଜୁମ ମୁଦଗିଲ (ବନ୍ଧୁକଚାଳନା), ହରମିତ ରାଜୁଲ ଦେଶାଇ (ଟେବୁଲ ଟେନିସ୍), ପୂଜା ଧଣ୍ଡା (କୁସ୍ତି), ଫୌୱାଦ ମିର୍ଜା (ଅଶ୍ବଚାଳନା), ଗୁରପ୍ରୀତ ସିଂହ ସାନ୍ଧୁ (ଫୁଟବଲ୍), ପୁନମ ଯାଦବ (କ୍ରିକେଟ୍), ସ୍ବପ୍ନା ବର୍ମନ (ଦୌଡ଼କୁଦ), ସୁନ୍ଦର ସିଂହ ଗୁଜର (ପାରା ଦୌଡ଼କୁଦ), ସାଇ ପ୍ରଣୀତ (ବ୍ୟାଡମିଣ୍ଟନ୍), ସିମରନ୍ ସିଂହ ସେରଗିଲ (ପୋଲୋ)। ଧ୍ୟାନଚାନ୍ଦ ପୁରସ୍କାର: ମାନୁଏଲ ଫ୍ରେଡରିକ୍ (ହକି), ଅରୂପ ବସାକ (ଟେବୁଲ ଟେନିସ୍), ମନୋଜ କୁମାର (କୁସ୍ତି), ନିତିନ କୀର୍ତନେ (ଟେନିସ୍), ଲାଲରେମସାଙ୍ଗା (ତୀରନ୍ଦାଜୀ)। ରାଷ୍ଟ୍ରୀୟ ଖେଳ ‌ପ୍ରୋତ୍ସାହନ ପୁରସ୍କାର: ଗଗନ ନାରଙ୍ଗ ସ୍ପୋର୍ଟସ ପ୍ରମୋସନ୍ ବଡିଂ ଆଣ୍ଡ ୟଙ୍ଗ୍ ଟ୍ୟା‌ଲେଣ୍ଟ ଫାଉଣ୍ଡେସନ୍ ଓ ଗୋ ସ୍ପୋର୍ଟସ, ରାୟଲସୀମା ଡେଭଲପମେଣ୍ଟ ଟ୍ରଷ୍ଟ। ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି: ପଞ୍ଜାବ ବିଶ୍ବବିଦ୍ୟାଳୟ, ଚଣ୍ଡିଗଡ଼: ବିଜେତା, ଗୁରୁ ନାନକ ଦେବ ବିଶ୍ବବିଦ୍ୟାଳୟ: ଉପ ବିଜେତା, ପଞ୍ଜାବୀ ବିଶ୍ବବିଦ୍ୟାଳୟ, ପାତିଆଲା: ଉପ ବିଜେତା।

ସମ୍ବନ୍ଧିତ ଖବର