ନବୋଦୟ ପ୍ରିମିୟର ଲିଗ୍‌: ବନାଇଗଡ଼ ଇଗଲ୍ସ ବିଜେତା

କଟକ: ଓଡ଼ିଶା ନବୋଦୟ ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ‘ନବୋଦୟ ପ୍ରିମିୟର ଲିଗ୍‌’ ରବିବାର ଉଦ୍‌ଯାପିତ ହୋଇଛି। ନିମପୁର ପଡ଼ିଆରେ ଖେଳାଯାଇଥିବା ଫାଇନାଲ୍‌ରେ ବନାଇଗଡ଼ ଇଗଲ୍ସ ୯ ଓ୍ଵିକେଟରେ ବୁଢାରାଜା ଟସ୍କର୍ସକୁ ପରାସ୍ତ କରି ବିଜେତା ହୋଇଛି। ଏହି ମ୍ୟାଚ୍‌ରେ ବୁଢାରାଜା ୨୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୭୭ ରନ୍‌ କରିଥିଲା। ରଂଜନ ବେହେରା ୩୩ ରନ୍‌ କରିଥିଲା ବେଳେ ବିପକ୍ଷ ଦଳର ଅଭିଜିତ୍‌ ପ୍ରଧାନ ୬ ଓ ସୁନୀଲ ପ୍ରଧାନ ୨ ଓ୍ଵିକେଟ ଅକ୍ତିଆର କରିଥିଲେ। ଜବାବରେ ବନାଇଗଡ଼ ଇଗଲ୍ସ ୭.୫ ଓଭରରେ ମାତ୍ର ୧ ଓ୍ଵିକେଟ ହରାଇ ବିଜୟ ହାସଲ କରିନେଇଥିଲା। ମିଲନ ସାହୁ ୩୭ ଓ ଅଭିଳାଷ ବରାଳ ୨୩ ରନ୍‌ର ମ୍ୟାଚ ବିଜୟୀ ପାଳି ଖେଳିଥିଲେ। ବିଜେତା ଦଳର ଅଭିଜିତ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ମ୍ୟାଚକୁ ଦେବାଶିଷ ବିହାରା, ସତ୍ୟବ୍ରତ ମହାପାତ୍ର ଓ ବିବେକାନନ୍ଦ ରାଉତ ପରିଚାଳନା କରିଥିଲେ। ଉଦ୍‌ଯାପନୀ ସମାରୋହରେ ସଧାଂଶୁ ଶତ୍ରୁଜିତ୍‌, ମହମ୍ମଦ ରଫି ଓ ବିଭୂ ଶତପଥୀ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିଳାଚଳ ମହାପାତ୍ର, ଋଷିକାନ୍ତ ମହନ୍ତ, ଜ୍ଞାନ ରଂଜନ ମଲ୍ଲିକ, ରିମ୍ପଲ୍‌ ପଟେଲ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର