ପାକିସ୍ତାନ ୪ ରନ୍‌ରେ ହାରିଲା

ଭାରତ ଜନ୍ମିତ ଏଜାଜ ନ୍ୟୁଜିଲାଣ୍ଡକୁ ବିଜୟ ଦେଲେ

ଆବୁଧାବି, ୧୯୧୧: ଭାରତ ଜନ୍ମିତ ଏଜାଜ ପଟେଲ୍‌ ପ୍ରଦାର୍ପଣ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡକୁ ବିଜୟ ଭେଟି ଦେଇଛନ୍ତି। ଆବୁଧାବିରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ପ୍ରଥମ ପାଳିରେ ୨ ଏବଂ ଦ୍ବିତୀୟରେ ୫ ୱିକେଟ୍‌ ହାସଲ କରି ଦଳକୁ ୧-୦ରେ ଅଗ୍ରଣୀ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ୧୫୩ ରନ୍‌ କରିଥିଲା ବେଳେ ପାକିସ୍ତାନ ୨୨୭ ରନ୍‌ କରି ୭୪ ରନ୍‌ରେ ଅଗ୍ରଣୀ ନେଇଥିଲା। ଦ୍ବିତୀୟ ପାଳିରେ ନ୍ୟୁଜିଲାଣ୍ଡ ହେନରି ନିକୋଲ୍‌ସ (୫୫) ଓ ବିଜେ ୱାଟ୍‌ଲିଙ୍ଗ୍‌ (୫୯)ଙ୍କ ଅର୍ଧଶତକ ବଳରେ ୨୪୯ ରନ୍‌ କରିବାକୁ ସମର୍ଥ ହୋଇଥିଲା। ଫଳରେ ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।
ଏହି ଛୋଟିଆ ବିଜୟ ଲକ୍ଷ୍ୟକୁ ନେଇ ତୃତୀୟ ଦିନର ‌ଖେଳ ଶେଷ ବେଳକୁ ପାକିସ୍ତାନ ବିନାକ୍ଷତିରେ ୩୭ ରନ୍‌ ସଂଗ୍ରହ କରିଥିଲା। ଆଉ ଦୁଇ ଦିନ ଥିଲା ବେଳେ ପାକିସ୍ତାନ ବିଜୟଠୁ ମାତ୍ର ୧୩୯ ରନ୍‌ ଦୂରରେ ରହିଥିଲା ପାକିସ୍ତାନ। ହେଲେ ସୋମବାର ପୂର୍ବଦିନର ଅପରାଜିତ ବ୍ୟାଟ୍ସମ୍ୟାନ୍‌ ଇମାମ ଉଲ୍‌ ହକ୍‌ (୨୭)ଙ୍କୁ ପଟେଲ୍‌ ଆଉଟ୍‌ କରି ନ୍ୟୁଜିଲାଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପର ଓଭରରେ ଇଶ୍‌ ସୋଢ଼ୀ ୩ ବଲ୍‌ ବ୍ୟବଧାନରେ ମହମ୍ମଦ ହାଫିଜ୍‌ (୧୦) ଏବଂ ହରିସ୍‌ ସୋହେଲ (୪) ଆଉଟ୍‌ କରି ପାକିସ୍ତାନକୁ ସଙ୍କଟରେ ପକାଇଥିଲେ। ୪୮/୩ରେ ସଂଘର୍ଷ କରୁଥିବା ପାକିସ୍ତାନକୁ ଦୁଇ ମଧ୍ୟ ଭାଗ ବ୍ୟାଟ୍ସମ୍ୟାନ୍‌ ଆଝାର ଅଲ୍ଲୀ (୬୫) ଏବଂ ଆସଦ ସଫିକ୍‌ (୪୫) ବିଜୟ ଆଡ଼କୁ ନେଇଥିଲେ। ହେଲେ ଆସଦ୍‌ଙ୍କ ଆଉଟ୍‌ ପରେ ଦଳ ପୁଣି ଅଡ଼ୁଆରେ ପଡ଼ିଥିଲା। ଗୋଟିଏ ପଟେ ଆଝାର ଖେଳୁଥିଲା ବେଳେ ଅନ୍ୟପକ୍ଷରେ ୱିକେଟ୍‌ ସବୁ ତାସ୍‌ ଘର ପରି ଭାଙ୍ଗିବାକୁ ଲାଗିଥିଲା। ଶେଷ ୱିକେଟ୍‌ ଆଝାରଙ୍କୁ ଆଉଟ୍‌ କରି ପଟେଲ୍‌ ୫ ୱିକେଟ୍‌ ସଫଳତା ସହ ବିଜୟ ମୁଣ୍ଡି ମାରିଥିଲେ। ଇସ୍‌ ‌ସୋଢ଼ୀ ଓ ନିଲ ୱାଗ୍‌ନର୍‌ ୨ ଲେଖାଏଁ ୱିକେଟ୍‌ ପାଇଥିଲେ। ଅଜାଜ ପଟେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୧୫୩ ଓ ଦ୍ବିତୀୟ ପାଳି: ୧୦୦.୪ ଓଭରରେ ୨୪୯ (ୱାଟ୍‌ଲିଙ୍ଗ୍‌-୫୯, ନିକୋଲସ୍‌-୫୫, ରାଭାଲ-୪୬, କେନ୍‌ ୱିଲିୟମ୍‌ସନ୍‌-୩୭, ହାସନ୍‌ ଅଲ୍ଲୀ-୫/୪୫, ୟାସିର୍‌ ଶାହା-୫/୧୧୦)। ପାକିସ୍ତାନ ପ୍ରଥମ ପାଳି: ୨୨୭ ଓ ଦ୍ବିତୀୟ ପାଳି: ୧୭୧ (ଆଝାର ଅଲ୍ଲୀ ୬୫, ଆସଦ ସଫିକ୍‌ ୪୫, ଇମାମ ଉଲ୍‌ ହକ୍‌ ୨୭, ଅଆଜ ପଟେଲ୍‌ ୫/୫୯, ଇସ୍‌ ‌ସୋଢ଼ୀ ୨/୩୭, ନିଲ ୱାଗନର ୨/୨୭)

ସମ୍ବନ୍ଧିତ ଖବର