ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ରେଭିନ୍ୟୁ ବାର୍‌ ବିଜେତା

ଭୁବନେଶ୍ବର: ବୋର୍ଡ ଅଫ୍ ରେଭିନ୍ୟୁ ବାର୍‌ ସଂଘ ପଞ୍ଚମ ପ୍ରଶାନ୍ତ ରାଉତରାୟ ସ୍ମାରକୀ ନିଖିଳ ଓଡ଼ିଶା ଆଇନଜୀବୀ ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତାର ବିଜେତା ହୋଇଛି। ରବିବାର ଫାଇନାଲ୍‌ରେ ଏହି ଦଳ ୨୧ ରନ୍‌ରେ ଭୁବନେଶ୍ବର ବାର୍‌ ସଂଘକୁ ପରାସ୍ତ କରିଦେଇଛି। ରେଭିନ୍ୟୁ ବାର୍‌ ପ୍ରଥମେ ବ୍ୟାଟିଂ ନେଇ ଏସ୍‌ ଦୀପକ୍‌ (୨୮ ବଲ୍‌, ୫୩ ରନ୍‌)ଙ୍କ ଅର୍ଧଶତକ ସାଙ୍ଗକୁ ସଂଗ୍ରାମ କେଶରୀ ସାହୁଙ୍କ ୩୬, ସିଦ୍ଧାର୍ଥ ଶେଖର ସାହୁ ଓ ରୁଦ୍ର ରଞ୍ଜନ ମହାପାତ୍ରଙ୍କ ୨୨ ରନ୍‌ ଲେଖାଏଁ ବଳରେ ୭ ୱିକେଟ୍‌ ହରାଇ କରିଥିଲା ୧୭୭ ରନ୍‌। ଭୁବନେଶ୍ବର ବାର୍‌ ପକ୍ଷରୁ ସଫଳ ବୋଲର ଭାବେ ମୋହନ ସାହୁ ୩ ଓ ଲେଲିନକର କାନୁନ୍‌ଗୋ ୨ ୱିକେଟ୍‌ ପାଇଥିଲେ। ଜବାବରେ ସୁମନ ରାଉତରାୟ (୪୬ ବଲ୍‌, ୬୬ ରନ୍‌)ଙ୍କ ଅର୍ଧଶତକ ଓ ସନ୍ଦୀପ ପଣ୍ଡାଙ୍କ ୨୯ ବଲ୍‌ରୁ ଅପରାଜିତ ୪୩ ରନ୍‌ ସତ୍ତ୍ବେ ଭୁବନେଶ୍ବର ବାର୍‌ ୮ ୱିକେଟ୍‌ ବିନିମୟରେ ୧୫୬ ରନ୍‌ରେ ଅଟକି ଯାଇଥିଲା। ବିଜେତା ଦଳ ପକ୍ଷରୁ ରୁଦ୍ର ରଞ୍ଜନ ମହାପାତ୍ର ୩ ଓ ସଂଗ୍ରାମ କେଶରୀ ସାହୁ ୨ ୱିକେଟ୍‌ ପାଇଥିଲେ। ଏସ୍‌ ଦୀପକ ଫାଇନାଲ୍‌ର ଏବଂ ଜୟନ୍ତ ଜେନା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା ବେଳେ ସୁମନ ରାଉତରାୟ ଓ ରୁଦ୍ର ରଞ୍ଜନ ମହାପାତ୍ର ଯଥାକ୍ରମେ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଓ ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ। ସୌମେନ୍ଦ୍ର ପାତ୍ର, ତପନ ‌କୁମାର ବେହେରା, ସୁଶୀଲ କୁମାର ସୁନ୍ଦରାୟ ମ୍ୟାଚ୍‌ ପରିଚାଳନା କରିଥିଲେ। ବିଚାରପତି ସଞ୍ଜୟ କୁମାର ମିଶ୍ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ବଣ୍ଟନ କରିଥିଲା ବେଳେ ଉଚ୍ଚ ନ୍ୟାୟାଳୟର ବିଚାରପତି ପ୍ରେମନାଥ ପଟ୍ଟନାୟକ, ଜିଲ୍ଲା ଜଜ୍‌ ଏସ୍‌ଏନ୍‌ ମିଶ୍ର, ସଭାପତି ଦୁର୍ଗା ମାଧବ ମିଶ୍ର, ଉଭସଭାପତି ଅଶୋକ ବେହେରା, ସଂପାଦକ ଅଞ୍ଜନ କୁମାର ସାମନ୍ତରାୟ (ଭୁବନେଶ୍ବର ବାର୍‌ ସଂଘ), କ୍ରିକେଟ୍‌ ଅଧ୍ୟକ୍ଷ ଏସ୍‌ଏନ୍‌ ପଟ୍ଟନାୟକ ଓ ଆୟୋଜନ ସମିତି ସଦସ୍ୟ ଅଶୋକ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର